Unknown

 

 

 

 

 

 

 

 

 

 

 

ପତି ସୁହାଗିନୀ

ଶ୍ରୀ ଅନନ୍ତ କିଶୋର ଦାସ

 

ଉତ୍ସର୍ଗ

 

ଭାଇ !

ଗାଁ ମାଟିର ମମତା ତୁଟାଇ ରେଣୁ, ପିଲା ଓ ଅରୁଣର ସ୍ନେହ ବନ୍ଧନ ପଛକୁ ପକାଇ ପେଟ ନିମନ୍ତେ ସୁଦୂର ଅହମଦବାଦକୁ କର୍ମଭୂଇଁ ଭାବେ ଧରିନେଇ ଯେତେବେଳେ ବମ୍ବେଇ ମେଲରେ ଯାଇ ବସିଲ, ସେତେବେଳେ ମୋ ଆଖିରୁ ଝରି ପଡ଼ିଥିଲା ଲୁହ ! କିନ୍ତୁ ନିଜ ରୁମାଲରେ ପୋଛିଦେଇ ଆଶ୍ୱସନା ବାଣୀରେ କହିଥିଲ–ଅଭାବ ଅନାଟନର ଦୈତ୍ୟକୁ ଏଡ଼ିବାକୁ ହେଲେ କର୍ମ ଜୀବନ ତୋର ଏକମାତ୍ର ସହାୟକ । ଆଜି ସେହି କର୍ମ ଜଞ୍ଜାଳ ଭିତରେ ପେଶି ହୋଇ ଏକ ନୂଆ ପଥରେ ପଦକ୍ଷେପ କରୁଥିଲା ବେଳେ ଆପଣଙ୍କ ଉପଦେଶକୁ ମନେ ରଖିବା ଓ କାର୍ଯ୍ୟରେ ପରିଣତି ପାଇଁ ଏ କ୍ଷୁଦ୍ର ପୁସ୍ତକ ଖଣ୍ଡି ଆପଣଙ୍କ କରକମଳରେ ତୋଳି ଦେଉଛି । ଆଦର କରି ପଢ଼ିଲେ ମୋ ଶ୍ରମ ସାର୍ଥକ ହେବ ।

ଆଉ ମଧ୍ୟ ଏଥିପାଇଁ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଥିବା ବେଳେ ଯେଉଁ ବନ୍ଧୁମାନଙ୍କ ସାହାଯ୍ୟରେ ଏତେ ବାଟ ଆଗେଇ ପାରିଛି, ସେଇମଧ୍ୟରୁ ସର୍ବଶ୍ରୀ ଦିଗମ୍ବର ଦାସ, ଶ୍ରୀ ଲକ୍ଷ୍ମୀଧର ଦଳାଇ ନାଟ୍ୟାଚାର୍ଯ୍ୟ ଶ୍ରୀ ଗୋକୁଳ ଚନ୍ଦ୍ର ବାରିକ ଶ୍ରୀ ନଟବର ବିଶ୍ୱାଳ ଇତ୍ୟାଦିମାନଙ୍କ ପାଖରେ କୃତଜ୍ଞତା ଜଣାଉଛି । ଇତି ।

କଳ୍ପନା କୁଟୀର

ଆପଣଙ୍କ ଭାଇ

ତା ୧୫। ୮।୭୨

ଅନନ୍ତ

Image

 

ପତି ସୁହାଗିନୀ

 

ରଜନୀ ଆଗମନରେ ପହିଲି ସଙ୍କେତ । ଜ୍ୟୋସ୍ନା ବିଜଡ଼ିତ ସନ୍ଧ୍ୟାର ପଦଧ୍ୱନୀ । ମଲ୍ଲୀ କଳିକାର ବିଞ୍ଚିଦିଆ ସୁବାସ । ସବୁ ଆଜି ପାଇଁ ଯେପରି ନୂଆ ରୂପ ନେଇଛି । ନୂଆ ନୂଆ ସମ୍ଭାର ନେଇ ଉପସ୍ଥତି ହୋଇଛି ।

 

ଏ ଗୋଟିଏ ନୂଆ ଅନୁଭୂତି ଜୀବନରେ । ପ୍ରଥମଥର ପ୍ରେମିକାକୁ ପ୍ରେମିକକୁ ଭେଟିଲେ ସେ ଯେଉଁ ଅନୁଭୂତିର ଆତ୍ମପ୍ରକାଶ ହୁଏ ତାହାଠାରୁ ଆହୁରି ରୋମାଞ୍ଚକର । ଆହୁରି ମନ ମତାଣିଆ ।

 

ପୁରୁଷ ଜୀବନରେ ଏପରି ଗୋଟିଏ ରାତି ଆସେ । ସେ ରାତି ଅଭୁଲା, ଅପାଶୋରା ହୋଇ ରହିଯାଏ ସାରା ଜୀବନ । ସେହି ଯାମିନୀର ମଧୁମଖା ସ୍ମୃତି ବିସ୍ମୃତିଠାରୁ ବହୁ ଦୂରରେ ରହେ ।

 

ମଧୁଯାମିନୀ । ଶୁଣିବାକୁ ମଧୁର । ମାଧୁର୍ଯ୍ୟର ଅପରିସୀମ ସମ୍ଭାରରେ ଉଦ୍‍ବେଳିତ । ସେ ଯାମିନୀରେ କାମିନୀ ମିଳେ ନାହିଁ କେବଳ । କାମିନୀର ସର୍ବସ୍ୱ, ଯାହା ପୁରୁଷର ଜୀବନରେ କାମନା ବାସନା, ସବୁ ଆସି ଅଜାଡ଼ି ହୋଇଯାଏ ପୁରୁଷ ପାଖରେ ।

 

ତଥାପି କାହିଁକି କେଜାଣି ବସନ୍ତ ସେ ରାତିକୁ ସାଦରେ ସମ୍ଭାଷଣ ଜଣାଇ ପାରୁନାହିଁ । ଜୀବନର ଏକ ନୂଆ କ୍ଷଣର ଆଗମନୀକୁ ଉତ୍ତଳା ମନ ଅପେକ୍ଷା କରିପାରୁ ନାହିଁ ।

 

ଘର ଆଜି ଅପୂର୍ବ ସାଜରେ ସଜ୍ଜିତ । ପରିଷ୍କାର । ଝରକା ପାଖକୁ ଲାଗି ଖଟ ପଡ଼ିଛି । ଖଟ ଉପରେ ଫେନିଳ ସଫେଦ ବିଛଣା । ଦୂରରୁ ଦେଖିଲେ ମନେ ହେଉଛି, ଅଭିସାରିକା ଯେପରି ରୂପେଲି ଚାଦର ପାତି ନିବିଷ୍ଟ ଚିତ୍ତରେ ଅପେକ୍ଷା କରିଚି ତାର ପ୍ରେମିକକୁ । ପ୍ରାଣଖୋଲା ଡାକ ଦେଉଛି–ଆଉ ପାରୁନି ଅପେକ୍ଷା କରି ପାରୁନି । ଆସ, ଆସ ।

 

ଫୁଲରେ, ଫୁଲରେ ଭରି ଉଠିଚି ଘର । ମହକି ଉଠୁଛି ମହ ମହ ହୋଇ । ନିଶା ଘାରୁଛି ମନରେ ପ୍ରାଣରେ । ପ୍ରାଣକୁ ଚଞ୍ଚଳ କରୁଛି, ମନକୁ ଶକ୍ତି ଯୋଗାଉଛି ।

 

ଦୂର ଆକାଶର ଚନ୍ଦ୍ର ବୋଧହୁଏ ପାଗଳି ହୋଇଛି ସେ ନିଶାରେ, ଉଜାଡ଼ି କରି ଢାଳି ଦେଇଛି ଜ୍ୟୋସ୍ନା ।

 

ପାଗଳ ହୋଇଛି ବନ କୋଇଲି । ଦିନରାତିର ପ୍ରଭେଦ ଜାଣି ପାରିନି । ମତୁଆଲା ଗୀତର ସୁର ଝଙ୍କାର ମେଲି ଦେଇଛି ପାଖ ବଗିଚାରୁ ।

 

ବସନ୍ତ ଅପେକ୍ଷା କରିଛି । ଅପେକ୍ଷା କରିଛି ସେହି କ୍ଷଣପାଇଁ ଯେତେବେଳେ ଗୀତାକୁ ନେଇ ଆସିବେ ତାର ଭାଉଜଦଳ ଘର ଭିତରକୁ ଠେଲି ଦେଇ ବାହାରୁ କବାଟ କିଳିଦେବେ । ସେ ଜାଣେ, କେହି ଫେରି ଯିବେନାହିଁ ଦୂଆରୁ । ନିସ୍ତବ୍ଧ ଭାବରେ ଛପି ରହିବେ ଘର ଭିତରେ ନବଦମ୍ପତ୍ତିଙ୍କର ଗୋପନୀୟତା ଜାଣିବା ପାଇଁ, କେହି କେହି ଝରକା ଫାଙ୍କରେ ଉଙ୍କି ମାରିବେ ।

 

ଜୀବନରେ ଯାହା ଗୋପନୀୟତା ତାହା ଜାଣନ୍ତି ସେମାନେ । ଅଭିଜ୍ଞତା ବି ଅଛି । ତଥାପି ସେମାନେ ଓର ଉଣ୍ଡିବେ ଅପରର ଗୋପନୀୟତା ଜାଣିବା ପାଇଁ, ଏଇ ବୋଧହୁଏ ନିୟମ-! ଅପର କଥା ଜାଣିବା ପାଇଁ, ଜାଣି ଆନନ୍ଦ ପାଇବା ପାଇଁ ସେମାନଙ୍କର ସେଥିପାଇଁ ଏତେ ବ୍ୟାକୁଳତା ।

 

ଗୀତା ଆସିବ ନବବଧୂ ବେଶରେ । ଅବଗୁଣ୍ଠନର ତଳେ ତଳେ ଉତ୍ତଳା ମନ, କିଛି ପାଇବା ଆଶା, କିଛି ଦେବା ନିଶାନେଇ । କମ୍ପିତ ପଦଯୁଗଳ ଜଣାଇଦେବ ସେ ନିଶାର ସଙ୍କେତ । ଥରା ଓଠ କହିବ ନେବାକୁ ଆସିନାହିଁ ମୁଁ, ଦେବାକୁ ଆସିଛି,–ଯାହା ସାଧାରଣତଃ କେହି କାହାକୁ ଦିଏ ନାହିଁ, ଦେଇପାରେନାହିଁ ।

 

କିନ୍ତୁ–

 

ନା, କେମିତି ସେ ଗ୍ରହଣ କରିବ ଗୀତାକୁ । କିମିତି ଭାବରେ ଗ୍ରହଣ କରିବ ?

 

ସବୁଯାକ ଭାବନାର ଖିଅ ହଜେଇ ବସିଲା ବସନ୍ତ । ଜୀବନର ସବୁଠାରୁ ବଡ଼ ଆଘାତ ପାଇବା ପରି କମ୍ପିଗଲା ଛାତି । ମନେ ପଡ଼ିଲା ଆଉ ଜଣକର କଥା, ଆଉ ଗୋଟିଏ ମୁହଁ । ଯେଉଁ ମୁହଁରେ ବୁଦ୍ଧିମତ୍ତାର ଆଭାଷ, ଯାହା କଥାରେ କବିତ୍ୱର ଢେଉ ।

 

ନା–ନା । ସେ ପାରିବ ନାହିଁ ଗୀତାକୁ ଗ୍ରହଣ କରି । ଗୀତା ସାଧାରଣ ଗ୍ରାମ୍ୟ ଅଶିକ୍ଷିତା ଝିଅ । ତାକୁ ଗ୍ରହଣ କରିବା ସହଜ ନୁହେଁ । ଗ୍ରହଣ କରି ଜୀବନକୁ ଜୀବନ ସାରା ଅବଶୋଷ ଭିତରେ ବୁଡ଼ାଇ ଦେବା ଉଚିତ ନୁହେଁ ।

 

ସେ କବି, ଶିକ୍ଷିତ । ଏମ୍, ଏ, ପାଶ୍ କରିଚି, ବିଶିଷ୍ଟ ସାହିତ୍ୟିକ ହିସାବରେ ସାରା ଓଡ଼ିଶାରେ ଯଥେଷ୍ଟ ଖ୍ୟାତି ଅର୍ଜ୍ଜନ କରିଛି । ତାର ପତ୍ନୀ ଆଧୁନିକ ରୁଚିସମ୍ପନ୍ନା, ଶିକ୍ଷିତା ବୁଦ୍ଧିମତୀ ହେବା ଦରକାର । ରୂପର ମୋହରେ ଅଜଣା, ଅଶୁଣା, ଅଦେଖା ନିପଟ ମଫସଲି ଝିଅକୁ ସେ ପତ୍ନୀ ହିସାବରେ ସ୍ୱୀକାର କରି ପାରେନା । ସେ ଚାହେଁ ଗୁଣବତୀ ପତ୍ନୀ । ଯାହାର ପ୍ରେରଣାରେ ତାର ସାହିତ୍ୟର ପ୍ରତିଭା ବିକଶିତ ହେବ । ସେ ଯେପରି ପ୍ରତିଷ୍ଠିତ ହୋଇ ଉଠିବ ସାରା ଓଡ଼ିଶାରେ–

 

ଶିକ୍ଷିତା, ସୁନ୍ଦରୀ ଗୁଣବତୀ ନାରୀ

ପ୍ରଭାବେ ମିଳଇ ସୁଖ ।

ଅଶିକ୍ଷିତା ନାରୀ ପ୍ରେମେ ବାନ୍ଧି ହେଲେ

ଭୋଗିବ ବହୁତ ଦୁଃଖ ।

 

ଖୁବ୍ ସୁନ୍ଦରୀ କିମ୍ବା ଧନୀ ଝିଅଟିଏ ବିବାହ କରିପାରିଲେ ମନୁଷ୍ୟ କ’ଣ ଶାନ୍ତି ଲାଭ କରିପାରେ ? ନା–ନା–କଦାପି ନୁହେଁ । ଧନ ଜୀବନ ଯୌବନ କେବେ ଚିରସ୍ଥାୟୀ ନୁହେଁ । କଥାରେ ଅଛି–

 

ଧନ ଯଉବନ ଜୁଆର ପରାଏ

ଆଜି ଆସି କାଲି ଯାଏ,

ବିଜ୍ଞଜନ ଏହି ଦୁନିଆ ମଧ୍ୟରେ

ନିରନ୍ତର ପୂଜା ପାଏ ।

 

ସେ କଦାପି ରୂପର ପୂଜାରୀ ହୋଇ ପାରେନା । ଗୁଣ ସର୍ବଦା ଅକ୍ଷୟ, ଅମର । ସେ ଜଣେ ଉଚ୍ଚ ଶିକ୍ଷିତ, ବିବେକୀ ହୋଇ ନିଜ ପ୍ରତିଭାକୁ କଦାପି ବଳି ଦେଇ ପାରେନା ।

 

ତେବେ ? ତେବେ–କ’ଣ କରିବାକୁ ଆଜି ସେ ଯାଉଛି । ପଙ୍କିଳ ପଥରେ ପାଦ ପକାଇ ଜାଣୁ ଜାଣୁ କାହିଁକି ସେ ହନ୍ତସନ୍ତ ହେବ ? ଚାହୁଁ ଚାହୁଁ ଏଡ଼େ ସୁନ୍ଦର ଦୁର୍ଲ୍ଲଭ ଜୀବନ ତାର ମାଟିରେ ମିଶିଯିବ । ପ୍ରତିଭା ତାର ଜଳି ପୋଡ଼ି ପାଉଁଶ ହୋଇଯିବ ।

 

ଜାଣି ଶୁଣି ସେ ଆଜି କେତେବଡ଼ ଭୁଲ କରିଛି । ଭୁଲ । ନା–ନା । ସେତ କିଛି ଭୁଲ କରିନି । ଧନର ମୋହରେ, ରୂପର ମୋହରେ ମା’ ଆଜି ତାର ଜୀବନଟାକୁ ଜାଳି ଦେଇଛନ୍ତି, ନିପଟ ଗୋଟିଏ ଅଶିକ୍ଷିତା ମଫସଲି ଝିଅଟିଏ ଆଣି ତା ବେକରେ ବାନ୍ଧି ଦେଇଛନ୍ତି । ତାଙ୍କର ଗୋଟିଏ ଖାଲି ଜିଦ୍ । ବୋହୂଟି ସୁନ୍ଦରୀ କିନ୍ତୁ ବୋହୂଟି ତାଙ୍କର ରୂପରେ ସୁନ୍ଦରୀ ନା ଗୁଣରେ ସୁନ୍ଦରୀ ସେ ଜାଣନ୍ତି କେବଳ–ନା–ସେ କିନ୍ତୁ ତାର ଆଦରର ମାନସୀକୁ ଛାଡ଼ି ଏଇ ଅଶିକ୍ଷିତା ପଲ୍ଲୀବଧୁ ଗୀତାକୁ ନେଇ ଘରସଂସାର ଗଢ଼ିପାରିବ ନାହିଁ ।

 

ତେବେ ?

 

ତେବେ ଆଉ କ’ଣ ହେବ । ମାଆଙ୍କ ଜିଦ୍‍ ତ ରହିଲା । ସେ ତାଙ୍କ ବୋହୂ ପାଇଲେ, ବୋହୂକୁ ଧରି ସେ ସୁଖରେ ରହନ୍ତୁ । କିନ୍ତୁ ସେ ତ ଆଉ ମାନସୀକିୁ ଭୁଲି ପାରେନା । ତାରି ପାଖରେ ନିଜକୁ ବିକି ଦେଇଛି । ଶପଥ କରିଛି ତା’ ଛଡ଼ା ଆଉ କାହାରିକୁ ବାହା ହେବନାହିଁ । ମାନସୀକୁ ଛାଡ଼ି ଗୀତାକୁ କିପରି ଆଜି ଅର୍ଦ୍ଧାଙ୍ଗିନୀ ବୋଲି ସେ ସ୍ୱୀକାର କରିବ ?

 

ମା’....ଜନନୀ । ଜନନୀ ଜନ୍ମଭୂମିସ୍ୟ ସ୍ୱର୍ଗାଦପୀ ଗରିୟସୀ । ଆବାଲ୍ୟରୁ ବାପାଙ୍କୁ ହରାଇ ମାତୃକ୍ରୋଡ଼ରେ ଲାଳିତ ପାଳିତ ହୋଇ ଆସୁଛି–କେତେ ସ୍ନେହ ମମତା ଭିତରେ ମାଆ ବଢ଼େଇଛନ୍ତି ପୁଅ ଝିଅ ଦୁଇଟିକୁ । ଅଭାବ, ଅନାଟନ, ଝଡ଼ଝଞ୍ଜା କେତେ ଯେ ବହି ଯାଇଛି ତାଙ୍କ ଉପରେ ଦେଇ । ସରଳମତି ବାଳକ ବାଳିକା ଦୁଇଟିକୁ ଜାଣିବାକୁ ଦେଇନାହାନ୍ତି ସେ ସବୁ ଦୁଃଖ ।

 

କେତେ ଆଶା ଥିଲା ତାଙ୍କର । ନିଜେ ଭଲ ଭାବେ ମୁଠେ ନଖାଇ ନପିଇ ନିଜର ସମସ୍ତ ପରିଶ୍ରମ ଠୁଳକରି ପୁଅଟିକୁ ଉଚ୍ଚଶିକ୍ଷିତ କରିଛନ୍ତି । ଝିଅଟି ଛୋଟ–ଗାଁ ମାଇନର ସ୍କୁଲରେ ପଢ଼େ । ବୟସ ଦଶ ପୁରି ଏଗାର ଚାଲିଛି । ପହିଲି ଯଉବନର ନୂଆ ନୂଆ ସଙ୍କେତ ସବୁ ଦେଖା ଗଲାଣି ତାର ମନରେ–ଦେହରେ, ରୂପରେ ଗୁଣରେ ବାଛିବାକୁ ନାହିଁ । ବୟସ ଏତେ କମ୍ ହେଲେ କ’ଣ ହେବ, ଖୁବ୍ ବୁଦ୍ଧିମତୀ । ନିଜର ପଢ଼ାପଢ଼ି ପ୍ରତି ସର୍ବଦା ଦୃଷ୍ଟି ରଖି ମଧ୍ୟ ମା’ଙ୍କ ହାତରୁ ଚାରିପାଇଟି ଛଡ଼ାଇ କରିନିଏ । ଘରର କାମ ମା’ଙ୍କ ହାତରେ କରିବାକୁ ଦିଏନା । ଝିଅର ଏପରି ଗୁଣ ଦେଖି ମା’ ମନେ ମନେ ବଡ଼ ଗର୍ବ କରନ୍ତି । ଅଜଣା ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ଜଣାନ୍ତି ଯେପରି ଝିଅ ତାଙ୍କର ସୁଖରେ ଘର କରୁ । ପୁଅ ଝିଅ ଦୁଇଟିଙ୍କର ସୁଖର ଖେଳଘର ଦେଖି ଚାଲିଯିବେ ସେ ଅଜଣାପୁରକୁ । ଯେଉଁ ପୁରରେ ପାଇବେ ଶାନ୍ତି । ସ୍ୱାମୀଙ୍କୁ ବୁଝାଇ ଦେବେ ମୋର କର୍ତ୍ତବ୍ୟ ସାରି ଚାଲି ଆସିଛି ତୁମରି ପାଖକୁ ।

 

ବସନ୍ତ । ଉଚ୍ଚ ଶିକ୍ଷିତ–ଯୁବକ । ଆଧୁନିକ ରୁଚିର ସ୍ୱାଦୁ ଚାଖିଛି । ସେ ସହରରେ ରହି କଳ୍ପନା କରିଥିଲା ବହୁତ କିଛି–କିନ୍ତୁ ତାର ଅନ୍ତରର କଥା କେହି ବୁଝି ପାରିଲେନି । ଅଜଣା ଅଶୁଣା ଏକ ଗାଉଁଲୀ ଝିଅ ସଙ୍ଗେ ଚ୍ଛନ୍ଦିଦେଲେ ତାକୁ । ପ୍ରତିବାଦ କରି ପାରିଲାନି ସେ ମା’ଙ୍କ ନିକଟରେ । ସାହସ ବି ହେଲାନି ତାର ।

 

ମା’ଙ୍କୁ ସେ ଖୁବ୍ ଭକ୍ତି କରେ । ଭୟ କରେ । ସେ ଭଲ ଭାବେ ଜାଣେ ମା’ ତାର କେଡ଼େ ବୁଦ୍ଧିମତୀ, ଶକ୍ତିମତୀ । ଖୁବ୍ କମ୍ ବୟସରେ ବିଧବା ହୋଇ ତାଙ୍କର ଏହି ଛୋଟ ସଂସାରଟିକୁ କି ସୁନ୍ଦର ଭାବେ ଗଢ଼ି ତୋଳିଛନ୍ତି । ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ପ୍ରଭାମୟୀ ନାମ ଶୁଣିଲେ, ଆଖପାଖ ଲୋକେ ବଡ଼ ଆଶ୍ଚର୍ଯ୍ୟ ହୁଅନ୍ତି, ଶଙ୍କି ପଡ଼ନ୍ତି । ନିଜକୁ ତାଙ୍କର ପ୍ରତିଭା ନିକଟରେ ମଥାନତ କରନ୍ତି ।

 

ବସନ୍ତର ଚିନ୍ତାଧାରା ସବୁ ଗୋଳମାଳ ହୋଇ ଯାଇଛି । ମନେ ପଡ଼ୁଛି ଅତୀତର ଗୋଟିଏ କଥା । ଥରେ ସେ କଥା ପ୍ରସଙ୍ଗରେ ମା’ଙ୍କୁ କହିଥିଲା ତାର । ‘‘ମାଆ ମୁଁ ବର୍ତ୍ତମାନ ବିଭା ହେବିନି ।’’

 

ରାଗି ଉଠିଥିଲେ ପ୍ରଭାମୟୀ । ଆଖି ଛଳ ଛଳ ହୋଇ ଉଠିଥିଲା ତାଙ୍କର । ଶାସନ ଭଙ୍ଗୀରେ ବୁଝାଇଥିଲେ ବହୁତ କିଛି । ଅତି ଦୁଃଖରେ ଭାଙ୍ଗି ପଡ଼ି କହିଥିଲେ, ‘‘ଛି ବାପା ଏପରି ଅମାନିଆ କାହିଁକି ହେଉଛୁ ? ମୋ କଥାରେ ନାହିଁ କାରନା ବାପ ! ମୋର ଆଉ କିଏ ଅଛିରେ ! ତୁମେ ଦୁଇଜଣ ତ ମୋର ସର୍ବସ୍ୱ । ତୁମର ସୁଖ ଦେଖି ଟିକିଏ ଶାନ୍ତିର ନିଶ୍ୱାସ ମାରି ପାରିବି । ମା’ କ’ଣ କେବେ ସନ୍ତାନର ଅମଙ୍ଗଳ କାମନା କରେ ! ମନେ ଅଛି, ବାପ ତୋର ଯେତେବେଳେ ରୋଗଶଯ୍ୟାରେ, ସେତିକିବେଳେ ଅତି କାତର ହୋଇ ସେ କହିଥିଲେ ପ୍ରଭା ! ମୁଁ କିଛି କରି ପାରିଲି ନାହିଁ ଜୀବନରେ । କଳ୍ପନା ସବୁ ମୋର କଳ୍ପନାରେ ରହିଗଲା । କର୍ତ୍ତବ୍ୟ ମୋର ଅପୂର୍ଣ୍ଣ ରହିଗଲା ସେପୁର ଆହ୍ୱାନରେ । ଶିଶୁ ଦୁଇଟିକୁ ଛାଡ଼ି ଦେଇଗଲି ତୁମରି ହସ୍ତରେ । ବିଦୂଷୀ ତୁମେ-। ଏମାନଙ୍କୁ ମଣିଷ କରି ଗଢ଼ି ମୋର ଅତୃପ୍ତ କାମନା ପୂର୍ଣ୍ଣକର ! ଏମାନଙ୍କର ସୁଖର ସଂସାର ଗଢ଼ି ଚାଲି ଆସିବ ମୋ ନିକଟକୁ । ସେତେଦିନ ଯାଏ ଚାହିଁ ରହିଥିବ ତୁମରି ପଥ । ମୋରଏଇ କେଇପଦ ଶେଷ କଥା ଯେପରି ଭୁଲି ନଯାଅ ପ୍ରଭା ! ପିଲାମାନେ ମୋର ଯେପରି ବାରଦୁଆର ନ ହୁଅନ୍ତି । ସରଳ ମନରେ ଯେପରି ଅଭାବର କଷାଘାତ ନ ବାଜୁ । ଯାଉଛି ପ୍ରଭା, ଯାଉଛି.....ଏ ଘରକୁ ତୁମରି ପରି କୁଳ ଲକ୍ଷ୍ମୀଟିଏ ଆସିଲେ ଯାଇ ତୁମେ ପାଇବ ଛୁଟି । ବି.....ଦା.....ୟ ।

 

ଖୁବ୍ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପ୍ରଭାମୟୀ । ଆଖିରୁ ତାଙ୍କର ଥପ୍ ଥପ୍ ହୋଇ ଲୁହ ଛୁଟିଥିଲା । ମା’ଙ୍କର ବିଷାଦ ମୁଖ ମଣ୍ଡଳ, ଅନ୍ତରର ଦାରୁଣ ବେଦନା ଦେଖି ଅପରାଧିଙ୍କ ପରି ବିବ୍ରତ ହୋଇ ପଡ଼ିଥିଲା । ସେ କଥା ପଦେ ବି ଭରସି କହିବାକୁ ସାହସ ନ ଥିଲା ତାର ।

 

ବସନ୍ତର ଉପର ଦେଇ କେତୋଟି ବସନ୍ତ ବିତିଗଲାଣି । ସେ ଥର ସେ ଏମ, ଏ, ପାସ କରି ଘରକୁ ଫେରିଛି, ପୂର୍ବରୁ କୌଣସି କଥା ଜାଣିନି କି ଶୁଣିନି । ଖୁବ୍ ଅଚାନକ ଭାବେ ବାହାଘର ହୋଇଗଲା ତାର । ଭାବିବା ପାଇଁ ଅବସର ପାଇଲା ନାହିଁ । ଏପରି ବି ହଠାତ୍ ଆସି ବିବାହ ବନ୍ଧନରେ ହୋଇଯିବ ବୋଲି ସେ କେବେ ଭାବିପାରି ନ ଥିଲା ।

 

ଜୀବନରେ ସେ କେତେ ବଡ଼ ଭୁଲ କରି ପକାଇଲା । ଆଜି ସେ ବେଶ୍ ବୁଝିପାରୁଛି । ମା’ହୋଇ ପୁଅର ଜୀବନଟାକୁ ଏପରି ଭାବରେ ଜାଳିଦେଲେ । ସେ ଖାଲି ଜାଣିଥିଲେ ପରଘରୁ ଝିଅଟିଏ ଆଣିଲେ ବୋଧହୁଏ ସବୁ ଦୁଃଖ ଚାଲିଯିବ । କିନ୍ତୁ ପୁଅ ମନ କଥା ତ ସେ ଟିକେ ଭାବି ପାରିଲେ ନାହିଁ । ପୁଅ ଯାହାକୁ ନେଇ ତାର ସାରାଜୀବନ ଚଳିବ, କେତେ ଆଶାର ସୌଧ ଗଢ଼ିବ । ତାର ସାହିତ୍ୟିକ ଭାବଧାର ଯାହାର ପ୍ରେରଣାରେ ବିକଶିତ ହୋଇ ଉଠିବ ସେପରି ସୁନ୍ଦରୀ, ବୁଦ୍ଧିମତୀ ଆଧୁନିକା ରୁଚିସଂପନ୍ନା ଝିଅଟିଏ ଯେ ବସନ୍ତ ଚାହେଁ ଏକଥା ତ ସେ ବୁଝିପାରିଲେ ନାହିଁ-। ମା’ ହୋଇ ସେ ଆଜି କ’ଣ କରିଗଲେ ? ଜୀବନସାରା ଅଶାନ୍ତିରେ ଧନ୍ଦି ହେବାରେ କିବା ସୁଖ ମିଳିବ ?

 

ସବୁ ଖାଲି ମାୟା । ବାପ, ମାଆ, ଭାଇବନ୍ଧୁ ଆପଣା ସ୍ୱଜନ କେହି କାହାରି ନୁହେଁ । କିନ୍ତୁ ମାୟା ମୋହରେ ସମସ୍ତେ ଜଡ଼ିତ ହୋଇ କେହି କାହାରିକୁ ଛାଡ଼ିପାରୁ ନାହାନ୍ତି । ଜଗତରେ ସ୍ରଷ୍ଟାଙ୍କ ବିଚିତ୍ର ସୃଷ୍ଟି । ମାୟା ମୋହ ସଂସାର ମଧ୍ୟରେ ମନୁଷ୍ୟ ଯେତେ ଉନ୍ନତ୍ତ ହେଉ ବା ତାର ମାନବିକତା ହରାଉ ପଛେ ସଂସାର ଧର୍ମର ମଧୁର ସଂପର୍କକୁ କେବେ ଭୁଲି ପାରେନା–ଛାଡ଼ି ପାରେନା । ବସନ୍ତ ଆଜି ସେ ମାୟା କାଟି ଯାଇପାରୁଛି କୁଆଡ଼େ । ବାଧ୍ୟ ହୋଇଛି ।

 

ସେ ଯାହା ହେଉ । ତାକୁ କିନ୍ତୁ ଏ ମାୟା କାଟି ଦେବାକୁ ପଡ଼ିବ । ଯେପରି ହେଉ ଦିନ ଦୁଇଟା ମଧ୍ୟରେ ସେ ଚାଲିଯିବ କଟକ । ଛୁଟି କେଇଦିନ ଏଠାରେ ରହି ହନ୍ତସନ୍ତ ହେବ ନାହିଁ ।

 

ମାନସୀ ! କଟକର ବିଖ୍ୟାତ ଜମିଦାରଙ୍କର ଏକମାତ୍ର ଅଲୀଅଳି କନ୍ୟା । ତାର ମନର ମାନସୀ, ଜୀବନ ସଙ୍ଗିନୀ । ବାଟ ଚାହିଁ ବସିଥିବ । କେତେ ଭଲ ପାଏ ତାକୁ, ମାନସୀକୁ ଯଦି ଭୁଲିଯାଏ–ସେ ବିଚାରୀ...ନା-ନା, ତାର ତ କିଛି ଅପରାଧ ନାହିଁ । ସର୍ବସ୍ୱ ଢାଳି ଦେଇଛି ବସନ୍ତ ପାଖରେ । ତାକୁ କଳଙ୍କିନୀ କରି ପାରିବନି । ମାନସୀ ବିନା ସାହିତ୍ୟିକ ପ୍ରତିଭା ତାର ନଷ୍ଟ ହୋଇଯିବ ।

 

ଗୀତା ତାର କେହି ନୁହେଁ । ଗୀତାକୁ ସେ ଚାହେଁନା । ମାନସୀ ତାର ସବୁ । ପଢ଼ାସାଥୀ, ଜୀବନସାଥୀ, ଜୀବନରେ ପ୍ରତିଷ୍ଠିତ ହେବାପାଇଁ ତା’ରିଠାରୁ ପାଇଛି ପ୍ରେରଣା....ଭାଷା ତାର ଜୀବନ୍ତ ହୋଇ ଉଠିଛି, ସାହିତ୍ୟିକ ହିସାବରେ ସୁନାମ ଅର୍ଜନ କରିପାରିଛି । ଏକା ସାଥିରେ ପଢ଼ନ୍ତି; ସିନେମା ଥିଏଟର ଦେଖନ୍ତି । କେବେ ମଧୁଯାମିନୀ, କେତେ ଯେ ମଧୁର ସନ୍ଧ୍ୟା ମଧୁମୟ ହୋଇ ଉଠିଛି ଦୁହିଁଙ୍କର ମହାନଦୀ କୂଳରେ–କାଠଯୋଡ଼ିର ନିରୋଳା ବାଲିରେ ।

 

ମାନସୀ ତାକୁ ଅନ୍ତର ଦେଇ ଭଲପାଏ । ଦିନେ ନ ଦେଖିଲେ ରହି ପାରେନି । ବଡ଼ ଅଭିମାନିନୀ ସେ । ସାମାନ୍ୟ ବିଳମ୍ବରେ ବିବ୍ରତ ହୋଇପଡ଼େ, ଅଭିମାନ କରି କଥା କହେନା । ପଦେ ମିଠା କଥା ଶୁଣିଲେ ଅଭିମାନ ସବୁ ଭାଙ୍ଗିଯାଏ ତାର । ଭୁଲିଯାଏ ନିଜକୁ ମନ ପ୍ରାଣ କିଣିନିଏ ଚାହାଣିର ଛଟକ ଦେଖାଇ–ଲୋଟିପଡ଼େ କୋଳରେ । ବଡ଼ ସରଳା ସେ । ନିର୍ମଳ ସ୍ନେହ, ଅକପଟ ଭକ୍ତି । କହିବାର ନାଟକୀୟ ଭଙ୍ଗୀ–ଠିଆ ହେବା ଠାଣି, ବାଙ୍କଚାହାଣୀ, ମୁନି ମନ ହରଣ କରିନିଏ । ବାସ୍ତବରେ ସେ ତାର ପ୍ରକୃତ ସାଥୀ । ସାହିତ୍ୟର ପ୍ରତିଭା–ସାଧନାର ସିଦ୍ଧି । ଆଉ ଗୀତା....ଏକ ଅପଦାର୍ଥ । ଆକାଶ ପାତାଳ ଦୁହିଁଙ୍କର ବ୍ୟବଧାନ ।

 

ବିଷାଦଭରା ଦୀର୍ଘନିଶ୍ୱାସ ନେଲା ବସନ୍ତ । ଚିନ୍ତାର ସୁଅ ଭାସି ଚାଲିଲା ତାର ବହୁ ଦୂରକୁ ।

 

ଗଲା ବଉଦ ସଙ୍ଗେ ଚନ୍ଦ୍ରର ଲୁଚକାଳି ଆକାଶର ବଡ଼ ଶୋଭା ପାଉଛି । ମନ୍ଦ ମନ୍ଦ ହୋଇ ଶୀତଳ ପବନ ଝରକା ଫାଙ୍କ ଦେଇ ବହି ଆସୁଛି । ନାନା ଜାତିକା ଫୁଲର ଗନ୍ଧ ସହ ସୁବାସ ଅତରର ବାସ, ଘର ସାରା ମହକାଇ ଦେଉଛି । ଯୁବକ ମନଟା ଶିହରୀ ଉଠିଛି ତାର । ଭାବନାର ଶେଷ ନାହିଁ, ଭାବି ଚାଲିଛି–ଏଇ ମଧୁ ଯାମିନୀରେ ନବୀନା ମାନସୀ ରାଣୀ ତାର ଯଦି ନବବଧୂ ବେଶ ସାଜି ବସିଥାନ୍ତା ଆସି ପାଖରେ, ତା ହେଲେ କି ସ୍ୱର୍ଗ ସୁଖ ଲଭି ନଥାନ୍ତା ସେ । ଏକାଗ୍ର ଚିତ୍ତରେ ଖାଲି ଭାବି ଚାଲିଛି, ପଲଙ୍କ ନିକଟରେ ମିଞ୍ଜି ମିଞ୍ଜି ହାଇ ଜଳୁଛି କୁଳ ପ୍ରଦୀପ । ଆଜି ଏ ଗୋଟିଏ ପ୍ରଥା । ରାତି ଯେ କେତେ ହେଲାଣି ଜାଣି ହେଉନି । ଚାରିଆଡ଼େ ନିଶୂନ । ଖାଇ ପିଇ ଶୋଇ ଗଲେଣି ସମସ୍ତେ । ଘର କବାଟ ବାହାରୁ ବନ୍ଦ ରହିଛି ।

 

ଭାବନାର ଖିଅ ସବୁ ଛିଣ୍ଡିଗଲା ବସନ୍ତର । ଚମକି ପଡ଼ି ଚାରିଆଡ଼କୁ ଥରେ ସତର୍କ ଦୃଷ୍ଟି ବୁଲାଇ ଆଣିଲା । ବିଚିତ୍ରଭାବେ ସଜ୍ଜା ହୋଇଥିବା ପଲଙ୍କର ଧାରକୁ ଲାଗି ଠିଆ ହୋଇ ରହିଛି ଅଜଣା ଲଜ୍ଜାଶୀଳା ଅବଗୁଣ୍ଠନବତୀ ନବବଧୂ । ଲାଜ ସରମରେ ସଢ଼ିଯାଉଛି ଯେପରି ସେ । ଚପଳ ଚରଣ ଯୁଗଳ ଛଡ଼ା ସକଳ ଅପଘନ ତାର ଝୀନ ବସନ ଦ୍ୱାରା ଢାଙ୍କି ରଖିଛି । କେହି ହୁଏତ ଶିଖାଇ ଦେଇଛି ତାକୁ–ଏଇ ବୋଧହୁଏ ନିୟମ । କିଛିକ୍ଷଣ ଚାହିଁ ରହି ଦୃଷ୍ଟି ଅନ୍ୟ ଆଡ଼େ ଫେରେଇ ଆଣିଲା ବସନ୍ତ । ଭାବିଲା–ଅଳପ ବୟସୀ ନିଶ୍ଚୟ, କିନ୍ତୁ କେତେବେଳେ ବା ଆସିଲା ଘର ଭିତରକୁ ।

 

ହସି ଉଠିଲା ବସନ୍ତ । ମନେ ମନେ କହିଲା–‘‘ଚକ୍ଷୁକୁ ପଲାସ ପୁଷ୍ପ ଅତିମନୋହର, ଗନ୍ଧ ନାହିଁ ବୋଲି ତାର ନଥାଏ ଆଦର ।’’ ବାସ୍ତବିକ୍ ଏହା ନିରାଟ ସତ୍ୟ । ଘୃଣାରେ ମୁହଁ ସେ ଆଡ଼ୁ ଫେରାଇ ଆଣିଲା । ଚିନ୍ତାଜାଲ ପୁଣି ବୁଣି ହୋଇଗଲା ଦେହସାରା । ମୁଣ୍ଡ ତାର ଗୋଳମାଳିଆ ହୋଇଗଲା । ଦୀର୍ଘନିଶ୍ୱାସ ତ୍ୟାଗ କରି ଶୋଇପଡ଼ିଲା ପଲଙ୍କ ଉପରେ–

 

ବାସର ରାତି । ନବବିବାହିତ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନର ପହିଲି ସଙ୍କେତ । ଅକଗୁଣ୍ଠନବତୀ ନବବଧୂର ଶୁଭ ଆଗମନରେ ଯୁବକ ମନରେ, ଦେହରେ ପ୍ରାଣରେ ଭରି ଉଠଇ ଉନ୍ମାଦନା । ପ୍ରତ୍ୟେକ ନବଦମ୍ପତି ଏହି ମିଳନ ବାସର ପହିଲି ପରଶ ପାଇ ଆତ୍ମବିସ୍ମୃତ ହୁଅନ୍ତି । ଅପାସୋରା ରହେ ଏହି ଦିନଟି । ପତିପତ୍ନୀ ଦୁଇଟି ପ୍ରାଣ ମିଶି ହୁଏ ଏକ ଆତ୍ମା । ପତି ପାଖରୁ ପତ୍ନୀ ପାଏ ସ୍ନେହ ସୋହାଗ, ମଧୁମଖା କଥା, ଚଲା ପଥର ସନ୍ଧାନ–ବହୁତ କିଛି । ପ୍ରତିଦାନରେ ସ୍ତ୍ରୀ ତାର ଦାନକରେ ଅତି ଯତନରେ ସାଇତି ରଖି ଥିବା ଅମୂଲ୍ୟରତ୍ନ । ପତିର ଚରଣ ଯୁଗଳ ଧରି ଲୋଟିପଡ଼େ–ପତିଛଡ଼ା ଗତି ନାହିଁ ତାର । ପତି ତାର ଇହ ପର ସବୁ । ପତି ବିନା ତାର ଯେପରି ଆଉ କିଛି ନାହିଁ । ଦୁନିଆରେ ସତେ ! କେଡ଼େ ମଧୁମୟ ଆଜିର ଏ ମିଳନ ରାତି ! କେତେ ସୁନ୍ଦର ସତେ ବିବାହିତ ଜୀବନର ଏ ପବିତ୍ର କ୍ଷେତ୍ର ।

 

ମନେ ମନେ ଶତ ଚେଷ୍ଟା କରି ବି ଶାନ୍ତି ପାଇ ପାରିଲା ନାହିଁ ବସନ୍ତ । ନବବଧୂର ବେଶକୁ ଚାହିଁ ଦେହସାରା ତାର ଯେପରି ବିଷ ଚରି ଯାଉଛି । ଦେହରେ ଶତ ବୃଶ୍ଚିକର ଦଂଶନ ଅନୁଭବ କରୁଛି ସେ । ଘୃଣା ଓ ବିରକ୍ତିରେ ରକ୍ତ ତାର ଟକମକ ହୋଇ ଫୁଟି ଉଠୁଛି ।

 

ରାତି ଆସି ଅନେକ ହେଲାଣି । ନବବଧୁ ବେଶରେ ଗୀତା ଠିଆ ହୋଇଛି ସେପରି ନିଶ୍ଚଳ ହୋଇ । ସତେ ଯେପରି ପଥର ପ୍ରତିମାଟିଏ ଠିଆ ହୋଇଛି । ବଡ ଅଡ଼ୁଆ ଲାଗୁଛି ତାକୁ । ଘଣ୍ଟା ଘଣ୍ଟା ଧରି ଏପରି ଭାବରେ ଠିଆ ହୋଇଛି ସେ, ଅଥଚ ସ୍ୱାମୀ ତାର ପଦେ ହେଲେ କିଛି କହୁ ନାହାନ୍ତି । ପାଖକୁ ଯିବାପାଇଁ ସାହସ ହେଉନି ତାର । ଦୁନିଆ ଯାକର ଲାଜ ସବୁ ଯେପରି ଏକାଠି ଠୁଳ ହୋଇ ତାକୁ ଘେରି ରହିଛି । କିଛି ଜାଣିନି ସେ । ବୁଝିପାରୁନି । କିପରି ବା ଆଗେ କଥା କହିବ-। ଆସିଲା ବେଳକୁ ଭାଉଜ ତାକୁ କେତେ କଥା ତିଆରି କହିଛନ୍ତି । ଗୋଟି ଗୋଟି କରି ମନେ ରଖିଛି ସବୁ ସେ କହିଥିଲେ–

 

ଗୀତା ତୁ କେବେହେଲେ ଆଗ ଭରସି ସ୍ୱାମୀକୁ କଥା କହିବୁ ନାହିଁଟି । ଯେତେ ସେ ମନ ଭୁଲାଣିଆ କଥା କହନ୍ତୁ ପଛେ । ଯେତେବେଳେ ସେ ଟାଣିନେଇ କୋଳରେ ବସାଇବେ, ସରମରେ ଝାଉଁଳି ପଡ଼ି କୂଳ ଦୀପକୁ ଲିଭାଇବୁ ନାହିଁ । ତାଙ୍କରି ଚରଣ ତଳେ ପ୍ରଣାମ କରିବୁ । ପତି ଦେବତା–ତୋର ଇହକାଳ ପରକାଳ ସବୁ । ଦୁର୍ଗମ ଜୀବନଯାତ୍ରା ପଥରେ ପଥ ପ୍ରଦର୍ଶକ ସେ-। ଆଜି ତୁମର ଏହି ମିଳନ ମନ୍ଦିରରେ କୁଳଦୀପ ରହିବ ସାକ୍ଷୀ । ଇମିତି ଇମିତି କେତେ ସବୁ ଅକୁହା କଥା ବୁଝାଇ ଥାଆନ୍ତି । ମଲା ! ଭାଉଜଟା ସତେ କେଡ଼େ ଅଲାଜୁକ । ଏପରି ସବୁ କଥାଗୁଡ଼ାକ କିପରି ବଖାଣି ବସିଲେ । ଟିକିଏ ହେଲେ ଲାଜ ମାଡ଼ିଲା ନାହିଁ ତାଙ୍କୁ-

 

ଗୋଟି ଗୋଟି କରି ଭାବି ଚାଲିଛି ସବୁ କଥା । ନୀରବ ନିଶ୍ଚଳ ହୋଇ ଠିଆ ହୋଇଛି ଅପରାଧିଟି ପରି । କେତେବେଳେ ଯାଏ ଯେ ଠିଆ ହୋଇଥିବ ଠଉରି ପାରିନି । ବଡ଼ ବିରକ୍ତ ହେଲା ମନେ ମନେ । ଭାବିଲା–ସତେ ! ମଣିଷଟା କେଡ଼େ ଇଏମ–ମୋ ଆଡ଼କୁ ଟିକିଏ ହେଲେ ନିଘା ନାହିଁ ତାଙ୍କର । କ’ଣ ଭାବୁଛନ୍ତି–ଟିକିଏ ଉଠି ପଡ଼ୁଛନ୍ତି, ବସୁଛନ୍ତି ପୁଣି ଶୋଇ ପଡ଼ୁଛନ୍ତି ଅଥଚ ପଦେହେଲେ କିଛି କହୁ ନାହାନ୍ତି କି ପାଖକୁ ହେଲେ ଡାକୁ ନାହାନ୍ତି । ତାହେଲେ–ଦେହପା ଆଉ କ’ଣ କିଛି ଖରାପ ହେଲାକି ? ରାତିଆସି ପାହିବାକୁ ବସିଲାଣି । ଅସହ୍ୟ ଗରମ–ତା ଉପରେ ପୁଣି ଏତେଗୁଡ଼ିଏ ସଜେଇ ସାଜେଇ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡ଼ି ହୋଇ ଝାଳରେ ଗୋଟିପଣ ଗାଧୋଇ ଗଲିଣି । ତାଙ୍କ ପାଖକୁ ଯିବିକି ଆଉ ! ଛି, ଆଲୁଅଟା ଦପ୍ ଦପ୍ ହୋଇ ଜଳୁଛି । ଅଲାଜୁକଙ୍କ ପରି କିପରି ଯିବି ତାଙ୍କ ପାଖକୁ, କଣବା ପଚାରିବି–ସେ ଭାବିବେ କଅଣ ! କିମିତିଭାବେ କଅଣ ରାତି ପାହିବ ! ଆଜିପରା ବାସର ରାତି ଭାଉଜ ଯାହା ସବୁ କହିଥିଲେ ।

 

ଗୀତା ବଡ଼ ଲାଜକୁଳୀ । ମଫସଲର ଆଦବ କାଏଦାରେ ବଢ଼ି ଆସିଛି ପିଲାବେଳୁ । ପୁରୁଷର ଛାଇ ମାଡ଼ିନ ଦିନେ–ଭରସି କଥା ପଦେବି କହି ଶିଖିନି । ବଧୂ ହୋଇ ଆସିଛି ଆଜି ଏ ଘରକୁ । ସ୍ୱାମୀ ପାଖକୁ ଆପେ ଆପେ ଯିବାକୁ ମନବଳୁନି ତାର । ଭାବିଥିଲା ବହୁତ କିଛି–ସ୍ୱାମୀ ତାର ଉଚ୍ଚଶିକ୍ଷିତ । ସହର ବଜାର ବୁଲିଛନ୍ତି । ଦେଖିଲା ମାତ୍ରେ ହସି ହସି କେତେ ରସରସିଆ କଥା କହିବେ–ସରମୀ ଗଲେ ଟାହୁଲି କରି କେତେ ବୁଝାଇ କହିଲେ–‘ଲାଜ କଲେ କିପିରି ସହରକୁ ଯିବ, କେତେ କଥା ଦେଖିବ–କିନ୍ତୁ....

 

ଇସାରାରେ ହେଲେ ବା ଜଣାଇଥାନ୍ତି କିଛି । କାହିଁ, ଟିକିଏ ହେଲେ ତ ସେ ଚାହୁଁ ନାହାନ୍ତି ଏଆଡ଼େ । ଦେହପା କିଛି ଖରାପ ନା ମନ ଭଲ ନାହିଁ ? ପୁରୁଷ ପୁଅ ! ଲାଜତ ନଥିବ ? ଆଉ ତା ହେଲେ କ’ଣ ମୋ ମନ ବିଡ଼ିବାକୁ ମଜା ଦେଖୁଛନ୍ତି କି ନୀରବରେ ସତେ ତ ! ସେତ ଭାରି ଜଣେ !

 

ଚପଳା ଗୀତା ! ପିଲାଳିଆ ଢଙ୍ଗ ଯାଇନି ତାର । ତଥାପି ସେ ରୂପରାଇଜର ଖବରପାଇ ଚାଲାଖ ହୋଇଛି କିଛିଟା । ଯଉବନର ପହିଲି ନିଶା ଘାରିଛି ତା ଦେହରେ-ମନରେ । ସପନ ପୁରୀର କେତେ ଯେ ଗୋପନ ଆଶା ଆଙ୍କି ଚାଲିଛି ମନେ ମନେ ପରଶ ପାଇଁ ଆଶାୟୀ ପ୍ରାଣ ଆକୁଳ ହୋଇ ଉଠିଛି ତାର । ଶିହରୀ ଉଠିଛି । ଯଉବନର ସଜ ଅଳସ ତନୁଲତାଟି ଆସକ୍ତ ଲାଗୁଛି । ମୁଖମଣ୍ଡଳ ଘର୍ମାକ୍ତ ହୋଇ ଉଠିଲାଣି ଅସହ୍ୟ ଗରମରେ–ଉନ୍ନତ ବକ୍ଷୋଜ ପାଖରୁ ନିତମ୍ବ ଯାଏ ଭେଦିଗଲାଣି ସ୍ୱେଦବାରି । ଓଢ଼ଣା ଫାଙ୍କ ଦେଇ ଆଡ଼ ନୟନରେ ପ୍ରାଣ ଖୋଲା ଚାହିଁ ରହିଛି ସ୍ୱାମୀଙ୍କର ବଳିଷ୍ଠ ସୁନ୍ଦର ଚେହେରାକୁ । ଛାତିଟା ତାର ଅଜଣା ଆନନ୍ଦରେ ପୁଲକି ଉଠୁଛି । ପରଶର ପରାଶ ଇତଃସ୍ତତଃ କରି ଦେଉଚି ମନକୁ । ଥୟ ହେଉନି ।

ଚମକି ପଡ଼ିଲା ଗୀତା, କଳ୍ପନା ସବୁ ଉଭେଇ ଗଲା ସେଇକ୍ଷଣି । ଦେଖିଲା–ବସନ୍ତ ତାର ମୁଣ୍ଡକୁ ଚିପିଧରି ଝଟପଟ ହେଉଛି ।

ମନରେ ଛନକା ପଶିଲା । ଅଜଣା ଆଶଙ୍କାରେ ଶିହରୀ ଉଠିଲା । ଦେହ ଭଲନାହିଁ ବୋଧହୁଏ ତାଙ୍କର । ମୁଣ୍ଡକୁ ଚିପି ଧରି ବ୍ୟସ୍ତ ହେଉଛନ୍ତି ସେ । ଏତେବେଳକେ ବୁଝି ପାରିଲା–ସମ୍ଭାଳି ପାରିଲାନି ଆଉ–

ଭୁଲିଗଲା ନବବଧୂ–ସବୁ ଲାଜ ସରମ ତାର ଉଭେଇ ଗଲା । ନାରୀର କୋମଳ ପ୍ରାଣରେ ଜାଗିଲା ତାର ଅସୀମ ମମତା, କର୍ତ୍ତବ୍ୟକୁ ଆଗରେ ରଖି ଆଗେଇ ଗଲା ଧୀରେ ଧୀରେ-। ଓଢ଼ଣା ଖୋଲି ଚାରିଆଡ଼କୁ ଟିକିଏ ସତର୍କ ଦୃଷ୍ଟି ନିକ୍ଷେପ କଲା । ତାପରେ ପଣତ କାନିକୁ ବେକରେ ଗୁଡ଼ାଇ ସ୍ୱାମୀଙ୍କ ପାଦତଳେ ଭକ୍ତିଭରେ ପ୍ରଣାମ କଲା । ଲାଜରେ କିଛି ପଚାରିପାରୁ ନଥାଏ, ଚୋରଣୀଙ୍କ ଭଳି କଲବଲ ହୋଇ ଚାହିଁ ରହିଲା କିଛିକ୍ଷଣ । ମନ ମାନିଲାନି ଆଉ ବହୁ କଷ୍ଟରେ ଥଙ୍ଗ ଥଙ୍ଗ ହୋଇ ଖୁବ୍ ଧୀର ସ୍ୱରରେ ପଚାରିଲା–

ଦେହ କ’ଣ ଖରାପ ଲାଗୁଛି ?

କିଛି ଉତ୍ତର ପାଇଲା ନାହିଁ ।

ସ୍ୱାମୀଙ୍କ ଦେହରେ ଆସ୍ତେ ଆସ୍ତେ ହାତ ପକାଇଲା । ଦେହ ଖୁବ୍ ଥଣ୍ଡାଳିଆ ଜଣା ଯାଉଛି । ଜରଫର କିଛି ନାହିଁ ତ ? ଆଉ–ମୁଣ୍ଡ ହୁଏତ ବଥାଉଥିବ । କୋମଳ କର ଦୁଇଟିକୁ କପାଳ ଉପରେ ସଞ୍ଚାଳନ କଲା ଧୀରେ ଧୀରେ–ନାରୀର କୋମଳ କର ସ୍ପର୍ଶରେ ଚମକି ଉଠିଲା ବସନ୍ତ । ଭାବନା ରାଇଜରୁ ଫେରି ଆସିଲା ମନ । ଦେହସାରା ଖେଳିଗଲା ଶିହରଣ । ଚାହିଁଲା ଆଖି ଖୋଲି । ଅବଗୁଣ୍ଠନବତୀ କୁଳବଧୂ ଗୀତା ଲାଜ ସରମ ଛାଡ଼ି ଧାଇଁ ଆସିଛି ତା ନିକଟକୁ-ଆସ୍ତେ ଆସ୍ତେ ମୁଣ୍ଡ ଚିପି ଦେଉଛି ଆପଣାର ପରି । ଭୁଲି ଯାଉଥିଲା କ୍ଷଣିକ ଆଗରୁ ଭାବିଥିବା କଥା ସବୁ । ଯୁବକ ପ୍ରାଣରେ ଲାଗିଲା ସ୍ପନ୍ଦନ । ଛାତି ଉପରକୁ ଆଉଜାଇ ଆଣୁଥିଲା ଗୀତାକୁ–ହଠାତ୍ ପ୍ରକୃତିସ୍ଥ ହୋଇ ଉଠିଲା । ଘୃଣା ଓ ବିରକ୍ତିର ଭାବନା ଆସି ଘେରି ବସିଲା ତାକୁ । ଦୀର୍ଘନିଶ୍ୱାସଟିଏ ନିକ୍ଷେପ କରି ମୁହଁକୁ ବୁଲାଇ ଘୃଣାରେ ।

 

କୋମଳମତି ଗୀତା ବୁଝି ପାରିଲାନି କିଛି, ସ୍ୱାମୀର ଚାହାଣୀ ଛଟକରେ ଲାଜେଇ ଗଲା-। ଆପେ ଆପେ ହାତ ଦୁଇଟି ତାର ଖସି ଆସିଲା । ବସନ୍ତର ମନକଥା ଜାଣିବ ବା କିପରି ? ମଥା ପୋତି ବସି ରହିଲା କିଛିକ୍ଷଣ । ତା ପରେ ପୁଣି ପଚାରିଲା-

 

–ଦେହ କ’ଣ ହେଉଛି ? କିଛି କହୁନ ଯେ–

 

–ଦେହ ମନ କିଛି ଭଲ ନାହିଁ ମୋର ।

 

ରୁକ୍ଷ ସ୍ୱର ଏତିକି ଉତ୍ତର ଦେଲା ବସନ୍ତ ।

 

ତା’ ବୋଲି ପଦେ ହେଲେ କହିବନି କିଛି ? କି ଅପରାଧ ବା କରିଛି ମୁଁ । ଆଜିପରା ଦିନରେ.....

 

ଯାଅ ତୁମେ ମୋ ଆଖି ଆଗରୁ ଚାଲିଯାଅ । ରାଗି ଉଠିଲା ବସନ୍ତ ।

 

ଆଖି ଦୁଇଟି ଛଳ ଛଳ ହୋଇଆସିଲା ଗୀତାର । ଅଭିମାନରେ ଭାଙ୍ଗି ପଡ଼ିଲି । ଖଟର ବାଡ଼ାକୁ ଧରି ନଥ୍ କରି ବସି ପଡ଼ିଲା ବସନ୍ତର ପାଦତଳେ ।

 

ସ୍ୱାମୀଙ୍କ ନିକଟରୁ ଏପରି ଆଘାତ ପାଇବ ବୋଲି ଭାବି ପାରି ନଥିଲା ଗୀତା । କେତେ ଯେ ସୁନେଲି ସ୍ୱପ୍ନ, କେତେ ଯେ କଳ୍ପନା ।

 

ସବୁ କୁଆଡ଼େ ଉଭେଇଗଲା ମନରୁ- ବୁଝି ପାରିଲା ସବୁ କଥା । ସ୍ୱାମୀ ତାକୁ ବିଭା ହୋଇ ସୁଖୀ ନୁହନ୍ତି । ସନ୍ଦେହୀ ମନ ତାର ସନ୍ଦେହରେ ଭରି ଉଠିଲା–ଦେହ ଉପରେ ବହି ଚାଲିଲା ଚିନ୍ତାର ଝଡ଼ । ଆଖି କୋଣରୁ ଅବାରିତ ବାରି ଛୁଟି ଚାଲିଲା ଅମାନିଆ ହୋଇ । ସରଳମତି ଗୀତା ଓଢ଼ଣା କାନିରେ ଲୁହ ପୋଛିଲା ନିରାଶ ହୋଇ–

 

ବସନ୍ତ ନୀରବ ।

 

ମନକୁ ସାନ୍ତ୍ୱନା ଦେଲା ଗୀତା । ପୁଣି କାତର ସ୍ୱରରେ ପଚାରିଲା-

 

ଆଜି ପରା ଦିନରେ କ’ଣ ହୋଇଛି ତମର ? ମୁଁ କି ଅପରାଧ କରିଛି, ହସି ହସି ପଦେ କଥା କହୁନା କାହିଁକି ? କୋଉଥିପାଇଁ ଏପରି ମନ ଊଣା କରିଛ ? ଅଭାଗିନୀ ମୁଁ–ସବୁ ମାୟାମମତା ତୁଟାଇ ଆଶ୍ରା କରିଛି ତୁମ ଚରଣ ସେବାକୁ । ମୋତେ ସେଥିରୁ ବଞ୍ଚିତା କରନା–ଆଜିର ଏ ମିଳନ ତିଥି....

 

ଗୀତା ନିକଟରୁ ଏପରି କଥା ଶୁଣି ଉତ୍ତେଜିତ ହୋଇଉଠିଲା ବସନ୍ତ । ରାଗ ଓ ଘୃଣାରେ ଫୁଲି ଫୁଲି ଉଠିଲା । ରୁକ୍ଷ ସ୍ୱରରେ କହିଲା–

 

ଗୀତା... ?

 

ଉ, କ’ଣ କହୁନା ?

 

ତୁମେ ମୋର ସାମନାରୁ ଚାଲିଯାଅ–

 

ଯିବି କେଉଁଠିକୁ ?

 

ତୁମେ କେଉଁଠିକୁ ଯିବ, ତା କ’ଣ ମୁଁ କହିଦେବି ?

 

ହଁ । ତୁମେ ମୋର ପତି–ଦେବତା–ସବୁକିଛି । ତୁମର ଚରଣ ଦାସୀ ମୁଁ । ତୁମେ କହିବ ନାହିଁତ ଆଉ କିଏ କହିବ ? ତୁମ ଛଡ଼ା ଆଉ କିଏ ବା ମୋର ଅଛି ?

 

ବିରକ୍ତ ନ କରି ଯାଅ ତୁମେ । ମୋତେ ଆଉ ଜାଳି ପୋଡ଼ି ମାରନା । ତୁମ ଭଳି ଗୋଟିଏ ଅଶିକ୍ଷିତା, ଅପଦାର୍ଥ ମୋର ସ୍ତ୍ରୀ ହୋଇ ପାରେନା–ମୁଁ ତୁମକୁ ଚାହେଁନା । ତୁମକୁ ନେଇ ମୁଁ ମୋର ଉଜ୍ୱଳ ଭବିଷ୍ୟତ ପଥକୁ କଣ୍ଟକିତ କରି ପାରିବି ନାହିଁ ।

 

ଏଁ.......

 

ଘର ଘର ହୋଇ ଘରଟି ଯେପରି ଘୂରି ବୁଲିଲା ଗୀତାର ମୁଣ୍ଡ ଉପରେ । ଚତୁର୍ଦ୍ଦିଗ ଅନ୍ଧକାର ଦିଶିଲା ତାକୁ । ଏପରି ବଜ୍ରାହତ ବାଣୀ ତାର ସ୍ୱାମୀ ମୁହଁରୁ ଶୁଣିବ ବୋଲି ଭାବି ପାରି ନଥିଲା । ଆଶା ବି କରି ନଥିଲା । ତଥାପି-ତଥାପି ସେ ବୁଝି ପାରିଲା ନାହିଁ–ଜାଣି ପାରିଲା ନାହିଁ ଭୁଲ ରହିଲା କେଉଁଠି ? କାହିଁକି ବା ସ୍ୱାମୀ ତାହାକୁ ଘୃଣା କରୁଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତ–ସାହିତ୍ୟିକ–ସୁପ୍ରତିଷ୍ଠିତ ଲୋକ, ଆଉ ସେ ? ଅପଦାର୍ଥ ! ଅଶିକ୍ଷିତା ! ହଁ, ସତେ ତ ! ସେ ଗୋଟିଏ ନିପଟ ଗାଉଁଲି ଝିଅ । ଆକାଶ ପାତାଳ ପ୍ରଭେଦ ।

 

ଆଉ କିଛି ଭାବି ପାରିଲା ନାହିଁ ଗୀତା । ଅଜଣା ଆତଙ୍କରେ ଛାତିଟା ତାର ଥରି ଉଠିଲା-। ସ୍ୱାମୀଙ୍କର ଭର୍ତ୍ସନା ତାର କୋମଳ ତନ୍ତ୍ରୀକୁ ଭେଦକରି ଦଳି ଚକଟି ଛିଣ୍ଡାଇ ପକାଇଲା । ବୁକୁ ଫଟାଇ ଚିତ୍କାର କରିବାକୁ ଇଚ୍ଛା ହେଲା ତା’ର । ଆଖିର ଲୁହ ହୃଦୟର କୋହ ଛୁଟି ଚାଲିଲେ ଅମାନିଆ ହୋଇ । ତଥାପି–ତଥାପି–ବସନ୍ତର ପାଦ ଦୁଇଟିକୁ ଯାବୁଡ଼ି ଧରି ଅଶ୍ରୁଳ କଣ୍ଠରେ ପୁଣି କହିଲା–

 

ସ୍ୱାମୀ ! ଦେବତା !! ଆଜିଠାରୁ ବାପ’ମାଆ ମୋତେ ତୁମ ହାତରେ ଅର୍ପଣ କରିଛନ୍ତି । ତୁମେହିଁ ମୋର ସର୍ବସ୍ୱ । ସାରା ଜୀବନର ସାଥୀ । ଏପରି କ’ଣ ବା ମୁଁ ଗୁରୁତର ଅପରାଧ । ଭର୍ତ୍ସନା କର; ଗାଳି ଦିଅ ମାର, ଯାହା ଶାସ୍ତି ଦିଅ ପଛେ, ମତେ ଚରଣ ସେବାରୁ ବଞ୍ଚିତ କରନା । ହିନ୍ଦୁ ଆମେ, ଅତି ପବିତ୍ର ଆମର ସନାତନ ଧର୍ମ । ପତି ବିନା ସ୍ତ୍ରୀର ଗତି ନାହିଁ ଜଗତରେ....ତୁମ ଛଡ଼ା....

 

ପାରିଲାନି ଆଉ କଇଁ କଇଁ ହୋଇ କାନ୍ଦି ଉଠି ବସନ୍ତର ପାଦ ଦୁଇଟିକୁ ଯାବୁଡ଼ି ଧରି ନିବିଡ଼ ଭାବେ–

 

ରାଗରେ ଗର୍ଜି ଉଠିଲା ବସନ୍ତ । ପାଦରେ ଠେଲି ଦେଲା ଗୀତାକୁ । ଚିତ୍କାର କରି କହିଲା–ପାପିନୀ ! ଛୁଅଁନା ମୋତେ । ମୁଁ ତୁମ ପରି ଅଶିକ୍ଷିତା ନଗଣ୍ୟ ଝିଅ ପାଖରୁ ଉପଦେଶ ବାଣୀ ଶୁଣିବାକୁ ଚାହେଁନା । ମୋର ସରଳ ମନରେ ବିଷ ପୂରାଇ ହନ୍ତସନ୍ତ ନକରି ମୋ ନିକଟରୁ ଦୂରେଇ ଯା । ତୁମକୁ କୂଳବଧୁ–ଗୃହଲକ୍ଷ୍ମୀ ବୋଲି ପଦବୀ ଦେଇ ଯେଉଁମାନେ ନେଇ ଆସିଛନ୍ତି ଘରକୁ–ସେହିମାନଙ୍କୁ ନେଇ ସୁଖ ଶାନ୍ତିରେ ରୁହ । ଆଜିଠାରୁ ମୁଁ ତୁମର କିଛି ନୁହେଁ–କେହି ନୁହେଁ ।

 

ପତିର ନିଷ୍ଠୁର ପଦାଘାତରେ ଗୀତାର ସବୁ ଦମ୍ଭ ଭାଙ୍ଗି ଚୁରମାର ହୋଇଗଲା । କୋମଳିମତି ବାଳିକା, କ’ଣ ଜାଣେ ସଂସାରର ଲୀଳା ଖେଳା । ବାପ ମାଆଙ୍କର ଏକମାତ୍ର ଅଲିଅଳ ଝିଅ । ଦିନେ କାଳେ ହେଲେ କାହା ପାଖରୁ, ତୁ ବୋଲି ପଦେ ଶୁଣିନି । ଆଜି ଜଣେ ଅପରିଚିତ ନୂଆ ଲୋକଟି ପାଖରୁ ଆଘାତ ପରେ ଆଘାତ ପାଇ ଦୁର୍ବଳ ଛାତି ତାର ଭାଙ୍ଗି ପଡ଼ିଲା-। ନିଶ୍ଚଳ ନିସ୍ପନ୍ଦ ହୋଇ ଲୋଟି ପଡ଼ିଲା ତଳେ । ସଜ ଫୁଲହାର ସବୁ ଛିଣ୍ଡାଇ ଫିଙ୍ଗି ଦେଲା ଦୂରକୁ । ପାଷାଣ ପରି ନୀରବରେ ପଡ଼ି ରହି ଚାହିଁ ରହିଲା ବହୁ ଦୂରକୁ ।

 

ସତେ ! କ’ଣ ହେଲା ତା’ର । କେତେ ଯେ ଆଶା କରିଥିଲା । ମିଳନ ପିପାସାରେ କେତେ ଯେ ଆତୁର ହୋଇ ମିଳନ ମନ୍ଦିରକୁ ଛୁଟି ଆସିଥିଲା ବୋହୂଟି ! ଆଶା ତାର ଆଶରେ ରହିଲା....ହତାଶଭରା ନିଶ୍ୱାସ ନେଲା ବିଚାରୀ । ଆକାଶରେ ଚନ୍ଦ୍ର ଛପି ଛପି ଯାଉଥାଏ ଦୂର ପାହାଡ଼ର କୋଳକୁ । ଗୀତାର ଅମାନିଆ ଲୁହ ବସୁମାତାର ଛାତି ଧୋଇ ଦେଉଥାଏ । ବସନ୍ତର ଲକ୍ଷ୍ୟ ନାହିଁ ସିଆଡ଼େ । ସେ ନିଷ୍ଠୁର ପାଷାଣ । ଭାବି ଚାଲିଛି ପୁରୁଣା କଥା । ଝଡ଼ ଉଠିଛି ତାର ମନରେ । ଅଶାନ୍ତିରେ ଉଭୟେ ହା ହତାଶ ହେଉଛନ୍ତି । କାହା ମନରେ ଶାନ୍ତି ନାହିଁ ।

 

ମଧୁଯାମିନୀର ମଧୁର ମିଳନର ଆଶା, ମିଳନ ହୋଇ ମିଳେଇ ଗଲା ବହୁ ଦୂରରେ–କିପରି ଭାବରେ କ’ଣ ହେଲା କେହି ଜାଣି ପାରିଲେ ନାହିଁ ।

 

ରାତି ପାହି ସକାଳ ହେଲାଣି । ପାଖ ଆମ୍ବ ବଗିଚାରୁ ଭାସି ଆସୁଛି କୋଇଲିର ସୁମଧୁର ସଙ୍ଗୀତ । ପୂରୁବ ଦିଗରୁ ଅରୁଣଦେବ ସଜବାଜ ହୋଇ ଆସୁଛନ୍ତି ଧରା ପୃଷ୍ଠକୁ ।

 

ପ୍ରଭାମୟୀ ନିଦରୁ ଉଠି ଦେଖିଲେ ନୂଆବୋହୂଟି ପ୍ରତ୍ୟୁଷରୁ ଉଠି ଲାଗିପଡ଼ିଛି ଘର କାମରେ । ସାଙ୍ଗରେ ଅଛି ଆଦରଣୀୟା କନ୍ୟା ଅନିତା । ବୁଝେଇ ଦେଉଛି ଘର କାମ ସବୁ । ହସ ଖୁସିରେ ମାତିଛନ୍ତି ଦୁହେଁ । ଆନନ୍ଦରେ ଛାତି ତାଙ୍କର ଫୁଲି ଉଠିଲା । ଘରର ଲକ୍ଷ୍ମୀ କୁଳବଧୁ । ସେ ନଥିଲେ ଘର ଅନ୍ଧାର ଜଣାଯାଏ । ହତଶିରୀ ଦିଶେ । ଏତେ ଦିନକେ ଘର ତାଙ୍କର ଉଜ୍ୱଳ ଦେଖାଗଲା । ତାଙ୍କର ଭଙ୍ଗା ସଂସାର କଥା ଭୁଲିଯିବେ ଏଥର । ନୂଆ ସଂସାର ମୁଣ୍ଡ ଟେକି ଉଠିବ-। ଦିନ କେଇଟା ପରେ–ନାତି ନାତୁଣୀଙ୍କ ଗହଳ ଚହଳରେ ପୂରି ଉଠିବ ଘର । ଝିଅ ନିକଟକୁ ଆସି ଆକଟ କରି କହିଲେ-

 

କିଲୋ ଅନି ! କାମ ଗୁଡ଼ିକ ଇମିତି କ’ଣ ବଳେଇ ଯାଉଥିଲା ଯେ, ସକାଳୁ ଉଠି ବୋହୂଟିକୁ ସାଙ୍ଗରେ ଧରି ଲାଗିପଡ଼ିଛୁ । ମତେ ତ ଉଠେଇ ଦେଇ ପାରିଥାନ୍ତୁ । ନଅମାସ କି ଛଅମାସ ହେଇନି କାଲି ବୋହୂଟା ଘରେ ଗୋଡ଼ ଦେଉଣୁ ଦ ଦେଉଣୁ ଟାଣି ଆଣିଛୁ କାମ କରିବା ପାଇଁ । ବୋହୂ ! ମାଆଟା ପରା, ତମେ ଯାଅ, ମୁଁ ସବୁ କରି ଦେଉଛି ।

 

ସାମନାରେ ଶାଶୁଙ୍କୁ ଦେଖି ଲାଜରେ ଟିକିଏ ଶଙ୍କି ପଡ଼ିଲା ଗୀତା । ଓଢଣାକୁ ଟିକିଏ ଟାଣି ନେଇ ଦୂରେଇ ଠିଆ ହେଲା ଲାଜରେ ଜଡ଼ସଡ଼ ହୋଇ ।

 

ଏପରି ସୁନ୍ଦର ଗୁଣରେ ବୋହୂଟିକୁ ଦେଖି ପ୍ରଭାମୟୀ ବଡ଼ ଆନନ୍ଦ ଅନୁଭବ କଲେ ମନେ ମନେ । ପାଖକୁ ଯାଇ ସ୍ନେହରେ ଗୀତାର ମୁଣ୍ଡରେ ହାତ ବୁଲେଇ କହିଲେ–ମାଆଟା ମୋର-! ସୁଖରେ ଘର ସଂସାର କର । ଏ ସବୁ ତ ତୁମର । ମୋତେ ଏପରି ଲାଜ ସରମ କଲେ କ’ଣ ଚଳିବ ମା ! ଅନି ଯେପରି ମୋର ଝିଅ, ତୁମେ ବି ସେପରି ମୋର ଝିଅ । ସେ ସବୁ ଥାଉ ମା, ତମେ ଯାଅ । ଦାନ୍ତପତ୍ର ଘସି, ଅନିକି ସାଙ୍ଗରେ ନେଇ କଣ ଟିକିଏ ଜଳଖିଆ ତିଆରି କର । ଏଇନେ ଟୋକାଟା କ’ଣ ଦିଟା ପାଟିରେ ନ ପକେଇଲେ ଦିନ ଦି’ପହର ଯାଏ ଆଉ ଧରାଛୁଆଁ ଦେବନି । କୁଆଡ଼େ ନାଇଁ କୁଆଡ଼େ ଯିବ ଯେ ତା ପତ୍ତା ପାଇବା କଠିନ । ମୁଁ ଯାଏ, ତେଣେ ଗାଈଗୋରୁଙ୍କ ଖବର ବୁଝେ । କାଲି ରାତିଠୁ ଗୁହାଳେ ପଶିଛନ୍ତି ଯେ, ହଗିମୁତି ଆଣ୍ଠିଏ କରି ସାରିବେଣି । ଏକଥା କହି ପ୍ରଭାମୟୀ ଦାଣ୍ଡ ଆଡ଼କୁ ଚାଲି ଯାଉଥିଲେ ।

 

ପଛରୁ ଅନିତା ଡାକ ଛାଡ଼ି କହିଲା–

 

ମା !

 

କ’ଣ କି ?

 

ଇଆଡ଼େ ଟିକିଏ ଶୁଣିଲୁ ।

 

ଝିଅ ପାଖକୁ ପ୍ରଭାମୟୀ ଆସି ପଚାରିଲା, କହ କଣ, କହୁଛୁ ? ଅନିତା କହିଲା ଧୀରେ ଧୀରେ–

 

ଜାଣିଲୁ ମାଆ, ଆଜି ବଡ଼ି ସକାଳୁ ମୁଁ ଉଠି ଦେଖିଲି ଯେ ଭାଇଙ୍କ ଘର ଦୁଆର ମୁକୁଳା ହୋଇଛି–ନୂଆବୋଉ ବାଡ଼ିପିଣ୍ଡାରେ ବସି ମୁହଁରେ ଲୁଗା ଯାକି କାନ୍ଦୁଥିଲେ । ମୋତେ ଦେଖିବା ମାତ୍ରେ ଚମକି ପଡ଼ି ବାଆଁରେଇ ହୋଇ ଆଖି ପୋଛି ଦେଲେ । ପଚାରିବାରୁ କିଛି କହିଲେନି ।

 

ଏଁ ! ସତେ ! ବୋହୂ କାନ୍ଦୁଥିଲା ! ଆଶ୍ଚର୍ଯ୍ୟ ହେଲେ ପ୍ରଭାମୟୀ । ମନେ ମନେ ଭାବିଲେ–ପିଲାଟା କିଛି ଜାଣିନି, ନୂଆ ହୋଇ ଆସିଛି ବାପଘରୁ–ହୁଏତ ବାପ ମାଆ, ଭାଇ ଭଉଣୀଙ୍କୁ ମନେ ପକାଇ କାନ୍ଦୁ୍ଥିବ । ପୁଣି କେତେ କ’ଣ ଚିନ୍ତା କରିଗଲେ । ପୁଅ ଆଉ କ’ଣ କିଛି କହିଲା କି ? ସନ୍ଦେହୀ ମନ ତାଙ୍କର ଘୂରିବୁଲିଲା ଚାରିଆଡ଼େ !

 

ଅନି ତାକୁ ପାଖକୁ ଡାକି ବୁଝେଇ କହିଲେ–ଅନି ! ମୋ ମାଆଟା ପରା ! ତାକୁ ଟିକିଏ ବୁଝେଇ ସମୁଝି ଚଳିବୁ । ଯେପରି ତା ମନରେ କୌଣସି ଆଘାତ ନ ଲାଗେ । ତୁ ଯେମିତି ମୋର ଗୋଟିଏ ଝିଅ, ସିଏ ବି ସେମିତି ଗୋଟିଏ ଝିଅ । ତୋର ବଡ଼ ଭଉଣୀ । ଦୁହେଁ ମିଳିମିଶି ଚଳିବ । ଘରକଥା ମନେ ପକେଇ ହୁଏତ ସେ ଦୁଃଖରେ କାନ୍ଦିଥିବ । ବୁଝିଲୁ ?

 

ଏକଥା କହି ପ୍ରଭାମୟୀ ଚାଲିଗଲେ ଗୁହାଳ ଘର ଆଡ଼େ । ଅନି ତାର ନୂଆବୋଉ ନିକଟକୁ ଫେରି ଆସିଲା । କିନ୍ତୁ ମନ ତାର ମାନିଲା ନାହିଁ ମା’ଙ୍କ କଥାରେ । ତାର ବୟସ କମ ହେଲେ ବି ସେ ବଡ଼ ଚତୁରୀ । କିଛି କିଛି ବୁଝିପାରିବା ଭଳି ବୟସ ତାର ହୋଇ ଆସିଛି । କଳ୍ପନା ରାଇଜରେ ଆଶାର ସୌଧ ଗଢ଼ି ସପନପୁରୀର ରୂପକୁମାରୀମାନଙ୍କୁ କେତେ ଯେ ସନ୍ଧାନ କରିଛି–ସପନ ଦେଖିଛି ହିସାବ ନାହିଁ ତାର । ପୀରତି ଚିଜର ସ୍ୱାଦୁ ବାରିବା ପାଇଁ ଆଶା ତାର ଅଙ୍କୁରିତ ହେଲାଣି । ନୂଆବୋଉକୁ ବିବାହ କରି ଭାଇ ଶାନ୍ତି ପାଇ ପାରି ନାହାନ୍ତି । ଏକଥା ସେ ଭଲ ଭାବେ ଜାଣେ । ଭାଇ ତା’ର ଶିକ୍ଷିତ, ଆଧୁନିକ ଢାଞ୍ଚାରେ ଗଢ଼ା । ସେ ଏକ ନିପଟ ମଫସଲି ଝିଅକୁ ବିବାହ କରି ଶାନ୍ତି ପାଇବେ କାହୁଁ ? ଭାଇ ହୁଏତ ସହର ବଜାରରେ ଆଉ କାହରିକି ଭଲ ପାଇଥିବେ । ତା ନହେଲେ କାଲି ନୂଆବୋଉ ଆସିଛନ୍ତି, ଆଜି କାନ୍ଦିଲେ କାହିଁକି ? ଏ ସବୁ କଥାରେ ନିଶ୍ଚୟ କିଛି ପେଞ୍ଚପାଞ୍ଚ ଅଛି । ଦୁହିଙ୍କ ମନ ମିଳିନି ନିଶ୍ଚୟ । ସେଥିପାଇଁ ଆଜି ଭାଇଙ୍କ ମୁହଁ ଗମ୍ଭୀର ଆଉ ନୂଆବୋଉଙ୍କର ମନ ବିଷାଦ, ଆଖିରେ ଲୋତକ ଧାରା...

 

ଏତେବେଳକେ ନୂଆବୋଉର ମନକଥା ବେଶ ବୁଝି ପାରିଲା ଅନିତା । ବୟସରେ ଛୋଟ ହେଲେ କ’ଣ ହେଲା । ସେ ତା ଭାଉଜଠୁ ବଡ଼ ସିଆଣୀ । ତେବେ ଦହିଁଙ୍କର ବ୍ୟବଧାନ ସାମାନ୍ୟ । ସେ ହେଉଛି କୁସୁମ କଳିକା–ଆଉ ତା ଭାଉଜ ହେଉଛି ସଦ୍ୟ ପ୍ରଷ୍ଫୁଟିତ କୁମୁଦିନୀ । ନୂଆବୋଉକୁ ଏକୁଟିଆ ଛାଡ଼ି କୁଆଡ଼େ ଯିବାକୁ ମନ ହେଉନି ତାର । ସବୁବେଳେ ପାଖେ ପାଖେ ଥାଏ । ନାରୀର ମନକଥା ଓ ହୃଦୟର ବ୍ୟାଥା ନାରୀହିଁ ବୁଝିପାରେ ।

 

ଆଧୁନିକ ରୁଚିସଂପନ୍ନ, ଉଚ୍ଚଶିକ୍ଷିତ ଯୁବକ ବସନ୍ତ । ଆଖି ଦୁଇଟି ତାର ବହୁ ଉଚ୍ଚରେ–ସୁଦୂର ପଲ୍ଲୀ ଅଞ୍ଚଳର ପୁରୁଣା କାଳିଆ ପ୍ରଥା ସମ୍ବନ୍ଧରେ ଅଜ୍ଞ ସେ–ଭୁଲି ଯାଇଛି ସବୁ । ନୂଆ ନୂଆ ଚାକଚକ୍ୟରେ ଉଡ଼ି ବୁଲୁଛି । ଏ ସବୁ ତାକୁ ବଡ଼ ଅଡୁଆ ବୋଧ ହେଉଛି–ବିରକ୍ତ ଲାଗୁଛି । କଳ୍ପନା ସୁଅରେ ଭାସିଚାଲିଛି ବହୁ ଦୂରକୁ–

 

ବସନ୍ତର ମନର ଭାବ ଲକ୍ଷ୍ୟକରି ଦୁଃଖରେ ଭାଙ୍ଗି ପଡ଼ିଲେ ପ୍ରଭାମୟୀ ପୁଅର ମୁଖମଣ୍ଡଳରେ ହର୍ଷ ନାହିଁ । ସକାଳ ପହରୁ ଶୋଇ ରହିଛି ବିଛଣାରେ, ଡାକି ଡାକି ସମସ୍ତେ ଥକି ଗଲେଣି । ପୁଅ ବୋହୂଙ୍କର ମନ ନ ମିଳିଲେ ମା’ କ’ଣ କରିବେ । ପାଖକୁ ଆସି ଧୀର ଗଳାରେ ଡାକିଲେ ପୁଅକୁ–

 

ବାପଟା ପରା ! ସକାଳ ପହରୁ ଇମିତି ପଡ଼ି ରହିଛୁ କାହିଁକି କହିଲୁ । ଆମେ ତିନିଜଣ ଯାକ ତୋରି ଲାଗି ଖାଇନାହୁଁ ଏଯାଏ । ଅମାନିଆ ହୁଅନି ବାପ । ମୁଁ ପରା ତୋର ମାଆ–ମୋ କଥା ଥରେ ହେଲେ ଚିନ୍ତାକର, ପିଲାଳିଆ ବୁଦ୍ଧି ଛାଡ଼ । ବୋହୂ ସିନା ଏଇନେ ପସନ୍ଦ ହେଉନି–ଦିନେ ବୁଝିବୁ ବାପ, ଗାଉଁଲୀ ଝିଅହେଲେ କଣ ହେଲା, ଭାରି ଗୁଣର । ସହର ବଜାର ଦେଖି ତୁ ସିନା ଢଳି ଯାଉଛୁ–କିନ୍ତୁ ସେମାନେ ଭଲ ନୁହନ୍ତି । ଖାଲି ଫେସନ ଭୁଷଣରେ ମନ ଦିଅନ୍ତି । ସଂସାର ପ୍ରତି ଟିକିଏ ହେଲେ ଲୋଭ ନଥାଏ ତାଙ୍କର । ଆଖି ଆଗରେ ଦେଖୁଛୁ ତ, ସନେଇର ବଡ଼ ପୁଅ ସହରରୁ ପଠୋଇ ଝିଅଟିଏ ବାହା ହୋଇ ଆସିଛି ଯେ କେତେ ହଟହଟା ହେଉଛି । ଲୋକେ କ’ଣ ସବୁ କହୁଛନ୍ତି ? ଛି–ଛି–ବାପଟା ତାର ଲାଜରେ ମୁହଁ ଟେକି ଚାଲି ପାରୁନି ଦାଣ୍ଡରେ-

 

ନୀରବରେ ଶୋଇ ରହି ସବୁ ଶୁଣୁଛି ବସନ୍ତ–କିଛି କହୁନାହିଁ । ଶେଷରେ ବିରକ୍ତ ହୋଇ କହିଲା–ମା ! କାହିଁକି ମୋତେ ଇମିତି ବ୍ୟସ୍ତ କରୁଛୁ କହିଲୁ ? କହିଲ ତ ଦେହ ଭଲ ଲାଗୁନି ଖାଇବିନି–ତମେ ସବୁ ଖାଇନିଅ । ଭଲ ଲାଗିଲେ ମୁଁ ପରେ ଖାଇବି । ପୁଣି ଇମିତି ବିରକ୍ତ କଲେ କୁଆଡ଼େ ନାହିଁ କୁଆଡ଼େ ପଳେଇ ଯିବି ଯେ ମୋ ଖବର ସୁଦ୍ଧା ପାଇ ପାରିବୁନି ଜାଣିଥା–

 

ପୁଅର ଏପରି କଥା ଶୁଣି ଚମକି ପଡ଼ିଲେ ପ୍ରଭାମୟୀ ! ଭାବିଲେ ସତେତ । ପୁଅ ଯଦି କୁଆଡ଼େ ଚାଲିଯାଏ । କିଏ ଅଛି ବା ମୋର କାହାପାଇଁ ଏସବୁ । ଏଇ ପୁଅଝିଅ ଦୁଇଟିର ମୁହଁ ଚାହିଁ ମୁଁ ଦୁଃଖ ସୁଖ ଭୁଲି ଯାଇଛି । ଛଳ ଛଳ ହେଲା ଆଖି ଦୁଇଟି । ବସନ୍ତର ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲେ–ବାପଟା ପରା–ବାଇଆ ବୁଦ୍ଧି ଛାଡ଼ । ଏଇ ଘର ଦୁଆର ସବୁ କାହା ପାଇଁ–କାହା ମୁହଁ ଚାହିଁ ବଞ୍ଚି ରହିଛି ବାପ । ଏତେ ପାଠ ଶାଠ ପଢ଼ିଛୁ, ବୁଦ୍ଧି ଜ୍ଞାନ କେତେ ଅର୍ଜିଛୁ–ମୁଁ ତତେ କ’ଣ ବୁଝାଇବି ? ତୋ ମନକୁ ଯାହା ଆସିବ ତାହାହିଁ କର ବାପ । ମୁଁ ଆଉ କୌଣସିଥିରେ କିଛି କହିବିନି-। କିନ୍ତୁ ବାପ, ହତଭାଗିନୀ ମାଆକୁ ତୋର ଭୁଲିଯିବୁନି ।

 

ଥପ୍ ଥପ୍ ହୋଇ ଲୁହ କେଇବୁନ୍ଦା ଝରି ପଡ଼ିଲା ତାଙ୍କର । କଣ୍ଠରୋଧ ହୋଇଗଲା, ଆଉ କିଛି କହି ପାରିଲେନି । ବଡ଼ ଆଘତ ପାଇଛନ୍ତି ସେ–ପଣତ କାନିରେ ଲୁହ ପୋଛି ଧୀରେ ଧୀରେ ସେ ଚାଲିଗଲେ-

 

ବସନ୍ତ ଜଳ ଜଳ କରି ଚାହିଁ ରହିଛି । ମା’ଙ୍କ ଆଖିରେ ଲୁହ–ଆଗରୁ କେଭେ ଦେଖିନି–ସ୍ନେହମୟୀ–କରୁଣାମୟୀ ମା’ ତାର ଆଜି କେଡ଼େ ଆଘାତ ପାଇଛନ୍ତି ସେ । ହେଲେ ତାର ତ ମନ ବୁଝୁନି, ବୁଝାଇବାକୁ ବହୁ ଚେଷ୍ଟା କରିଛି ମନକୁ । ପାରୁନି- ମୁଣ୍ଡ ତାର ଝିମି ଝିମି ହୋଇଗଲା । କାନବାଟେ ଭଁ ଭଁ ହୋଇ ଗରମ ପବନ ବୋହି ଚାଲିଲା । ବିଛଣାରେ ପଡ଼ି ରହି କଇଁ କଇଁ ହୋଇ କାନ୍ଦି ଉଠିଲା ପିଲାଙ୍କ ପରି ।

 

ତା’ର କିଛିଦିନ ପରେ ।

 

ଝଡ଼ପରି ଶାନ୍ତ, ସମୁଦ୍ର ପ୍ରଶାନ୍ତ ବକ୍ଷ ମେଲିଦେବା ପରି ବିଦାୟରତ ସୂର୍ଯ୍ୟ ରକ୍ତିମ ଆଭାରେ ରଞ୍ଚିତ କରିଛନ୍ତି ପଶ୍ଚିମ ଦିଗନ୍ତକୁ । ବାଦଲ ଆକାଶ କୋଣରେ ଅଙ୍କିତ ହୋଇଛି ଏକ ଅଭିନବ ଦୃଶ୍ୟ ପଟ । କଟକ ସହରରେ ଗହଳି ଜମଜମ୍ମାଟ ହୋଇ ଉଠୁଛି ବେଳକୁ ବେଳ । ଗାଡ଼ି ଘୋଡ଼ା ମଣିଷରେ ଭରି ଉଠିଛି ବାଟଘାଟ ।

 

ଗଣ୍ଡଗୋଳ ପରେ ଗୋଟିଏ ଅଶାନ୍ତ ପରିସ୍ଥିତି ଭିତରେ ବସନ୍ତ ଭାବୁଛି କେଉଁଆଡ଼େ ଯିବ, କେଉଁଠି ଆଶ୍ରୟ ନେବ–କିଛି ଠିକ୍ କରିପାରୁ ନାହିଁ । ଘର ଛାଡ଼ି ଆସିଛି ସହରକୁ ଅଶାନ୍ତିଠାରୁ ଦୂରରେ ରହିବାକୁ । କିନ୍ତୁ ରହିବ କେଉଁଠି ?

 

ମଣିଷ ଅନେକ ସମୟରେ ଭେଲକୁ ଭଲ ଆଦରି ବସେ । ନିଚ୍ଛୁକ ଭାବି ମରିଚିକାକୁ ଜଳବୋଲି ମନେକରି ପଥଶ୍ରାନ୍ତ ପଥିକ ଯେପରି ନିରାଶରେ ଭାଙ୍ଗି ପଡ଼େ, ଠିକ୍ ସେହିପରି ହୋଇଛି ବସନ୍ତର ଅବସ୍ଥା ସେ ଆଜି ସର୍ବସ୍ୱ ହରାଇଛି । କାହାରି ଉପରେ ମାୟା ମମତା ନାହିଁ । ଏପରିକି ତାହାର ଜନ୍ମଦାତ୍ରୀଙ୍କ ଉପରେ । ତା ନହେଲେ ସେ କି ତାଙ୍କର ଅବାଧ୍ୟ ହୋଇ ଘରୁ ବାହାରି ଆସି ପାରିଥାନ୍ତା ?

 

ମଣିଷର ମନ ବୁଝାଇବା ପାଇଁ କେହି ନାହିଁ । ଦୁନିଆ ଯାକର ଲୋକ ତାକୁ ଠକାଇବା ପାଇଁ ଚାହାନ୍ତି ।

 

ସେ ଚାହେଁ ଶାନ୍ତି । ସାମାନ୍ୟ ଟିକିଏ ଶାନ୍ତି ବିବାହ ପାଇଁ ଯୁବକ ହୋଇ ଉଠେ ପାଗଳ-। ଅନାଗତ ତିଥିରେ ଅପେକ୍ଷାରେ ବିଭୋର ହୋଇ ଉଠେ ଆଶାର ଢେଉ ଖେଳିଯାଏ ମନରେ । ମଧୁତିଥିର ଜୁଆରରେ ଭାସି ଯିବାକୁ ଚାହେଁ । କିନ୍ତୁ ବସନ୍ତ ଯୁବକ ହୋଇବି ଚାହେଁନା ଏହି ବିବାହ-। ପ୍ରାଣ ତାର ଜଳିପୋଡ଼ି ଯାଉଛି ଏହି ବିବାହ ପାଇଁ । ସେଥିପାଇଁ ଶାନ୍ତି ପାଇବା ଆଶାରେ ବାହାରି ପଡ଼ିଛି ସେ ।

 

ବିବାହ ମଣିଷ ଜୀବନରେ ଆଣିଦିଏ ଉନ୍ମାଦନା । ଅପୂର୍ବ ରୋମାଞ୍ଚରେ ଭରିଦିଏ ମନକୁ-। ସରସ ସୁନ୍ଦର କରି ଗଢ଼ିଦିଏ ଜୀବନକୁ ପ୍ରେମ ପ୍ରୀତିର ସୁଅ ବୁହାଇ ଦିଏ । କିନ୍ତୁ ବସନ୍ତର ଭାଗ୍ୟରେ ସେହି ସୁଯୋଗରେ ମଧୁର ଲଗ୍ନ ଉଦୟ ହେଲା ନାହିଁ । କେବଳ ଗୋଟିଏ ଅପାଶୋରା ଦୁଃଖର ଲଗ୍ନ ଚିର ସାଥି ହୋଇ ରହିଲା ।

 

ଜୀବନ କ’ଣ ସତେ ତାର ବିଷାକ୍ତ ହୋଇ ଉଠିବ ? ମାଧୁର୍ଯ୍ୟ ଅଛି ଯେଉଁ ଜୀବନରେ । ତାହା କ’ଣ ଗରଳ ଭରପୁର ହୋଇଯିବ ନାଁ ନାଁ ନାଁ । କିପରି ସେ ଗୀତାକୁ ଜୀବନ ସଂଗିନୀ କରି ମାନସୀ ପରି ସଦ୍ୟ ପ୍ରସ୍ଫୁଟିତ ଗୋଲାପ କଳିକାସମ ଏକ ମାନସ ପ୍ରତିମାକୁ ଦୂରକୁ ଫିଙ୍ଗି ଦେଇ ପାରିବ ?

 

ପାରିବନି ସେ–କଦାପି ପାରିବନି ।

 

ଗୀତା ତା ଜୀବନରେ ଆଣିଦେବ ଚିର ତମସା । ତା’ର ସୁନ୍ଦର ଜୀବନକୁ ମରଣ ମୁହଁକୁ ମୁହାଁଇ ନେବ ।

 

ଅଶିକ୍ଷିତା ଗୀତା । ସଭ୍ୟ ଜଗତରେ ତା’ର ସ୍ଥାନ କାହିଁ କେତେ ତଳେ । ବସନ୍ତର ସହଧର୍ମିଣୀ ହେବା ଯୋଗ୍ୟତା ତା’ର ନାହିଁ, ନଥିଲା ଏବଂ କେବେ ହେବ ନାହିଁ ।

 

ଭାବନାର ପ୍ରଖର ସ୍ରୋତରେ ଭାସି ଚାଲିଛି ଯେମିତି ବସନ୍ତ । ପାଗଳ ହୋଇ ଯିବନା କ’ଣ ସେ ?

 

ସଂଜୁଆ ଶୀତଳ ପବନ ଥମି ଥମି ଯାଉଛି । ମିଟି ମିଟି କରି ଜଳୁଛି ବିଜୁଳିବତୀ ଗୁଡ଼ାକ-। ଯୁବକ ଯୁବତୀ ଗାଡ଼ି ଘୋଡ଼ା ରାଜପଥ ଦେଇ ଚାଲିଛନ୍ତି ଅବିରାମ । ପ୍ରତ୍ୟେକ ପ୍ରତ୍ୟେକଙ୍କର ନିର୍ଦ୍ଦିଷ୍ଟ ପଥରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ।

 

ବସନ୍ତ ପୁଣି ବାଟ ଚାଲିଲା ସେମାନଙ୍କ ଭିତରେ ଜଣେ ହୋଇ । କେଉଁଠାକୁ ଯିବି କିଛି ସ୍ଥିର କରିପାରୁ ନାହିଁ । ଥରେ ଭାବୁଛି ମାନସୀ ପାଖକୁ । ପୁଣି ଭାବୁଛି ହଷ୍ଟେଲକୁ ଯିବାପାଇଁ । ମାନସୀ ପାଖକୁ ଯିବାକୁ କାହିଁକି ବିବେକ ବାରଣ କରୁଛି । ତା’ ପାଖରେ ମୁହଁ ଦେଖାଇବାକୁ ଲଜ୍ଜାବୋଧ ହେଉଛି । ମାନସୀ ପରି ଉଚ୍ଚମନା ଯୁବତୀ ପାଖରେ କିପରି ବା ଏହି କଳଙ୍କିତ ମୁହଁ ଦେଖାଇବ ? ଭାବିବ କଣ ସେ ? ଯଦି ଏତେଦିନ କେଉଁଠିଥିଲ ବୋଲି ପ୍ରଶ୍ନକରେ କି ଜବାବ ଦେବ ସେ ? କିପରି କହିବ ମୁଁ ଘରକୁ ଯାଇ ଗୋଟିଏ ଅପଦାର୍ଥକୁ ଆପଣାର ସ୍ତ୍ରୀ ବୋଲି ଗ୍ରହଣ କରି ଆସିଲି ।

 

ନାଃ ନାଃ । ଏକଥା କଦାପି କହି ପାରିବନି ସେ ।

 

ତେବେ ଉପାୟ ?

 

ମାନସୀ କେତେ ସରଳ କେତେ ଉଦାର ନୀତିର ଝିଅ । ତା’ର ବିଶ୍ୱାସ ବସନ୍ତ ତାହାଛଡ଼ା ଅନ୍ୟ କାହାରି ହୋଇ ପାରେନା । ତାର ସବୁଠାରୁ ବଡ଼ ବିଶ୍ୱାସ ଅଛି ତା’ ଉପରେ । ସେଥିପାଇଁ ଗୋଟିଏ ଦିନ ଅସାକ୍ଷାତରେ ପାଗଳ ହୋଇଯାଏ ସେ । ତା’ର ଭଲ ପାଇବା ସ୍ୱର୍ଗୀୟ, ଅସୀମ । ତାକୁ ଛଳନା କରି ମିଛ କହିବା ଅନ୍ୟାୟ ।

 

କିନ୍ତୁ କଣ କହିବ ତାକୁ ? ଏତେଦିନର ଅଦର୍ଶନରେ ସେ ନିଶ୍ଚୟ ମର୍ମାହତ ହୋଇଥିବ-। କିପରି ଭାବରେ ତାର ମନ ଭୁଲାଇବ ?

 

ଯୌବନର ନିଶା ଅତି ମାରାତ୍ମକ । ସେ ନିଶାର କି ଆସ୍ୱାଦ ଅଛି କେଜାଣି ତାହାର କବଳରେ ଯେଉଁ ପ୍ରେମିକ ପ୍ରେମିକା ପଡ଼ନ୍ତି ତାଙ୍କର ଆଉ ଉଦ୍ଧାର ନଥାଏ । କବଳିତ ଫାସରୁ କବଳ ମୁକ୍ତ ହୋଇ ପାରିବା ଶକ୍ତି ନଥାଏ । ବେପଥୁ ହୁଏ ମନ ପ୍ରାଣ । ବସନ୍ତରେ କୋକିଳର ଡାକ ମଧୁ ଢାଳିଦିଏ କାନରେ । ଯୌବନ ଜୁଆରରେ ଉଦ୍ଭାସିତ ହୁଏ ହୃଦୟ । ନାରୀ ଶକ୍ତି । ନାରୀ ନାରକୀ । ଗୋଟିଏ ବୃନ୍ତରେ ଦୁଇଟି କଳି ପରି । କେଉଁ ନାରୀ ପୁରୁଷକୁ ତାର ସମସ୍ତ ସମ୍ପଦ ଉଜାଡ଼ କରି ଦେଇ ନିଜକୁ ଗୌରବାନ୍ୱିତା ମନେ କରେ ଏବଂ କେଉଁ ନାରୀ ପୁରୁଷକୁ ନିଃଶେଷ କରି ନିଜକୁ ଧନ୍ୟ ମନେ କରେ । ନାରୀର ମାୟାଜାଲ ମଣିଷ ଛାର ସ୍ୱୟଂ ଦେବତାଙ୍କୁ ବି ଛନ୍ଦି ପକାଇବା ଦୃଷ୍ଟାନ୍ତ ବିରଳ ନୁହେଁ ।

 

X X X X

 

ମାନସୀ ବର୍ତ୍ତମାନ ଅସୁସ୍ଥ । କଲେଜ ନ ଯାଇ ଶୋଇ ରହିଛି ଘରେ କିଛିଦିନ ହେଲା । ଶୋଇ ଶୋଇ ଭାବନାର ଅଡ଼ୁଆ ଖିଅ ସଜାଡ଼ିବାରେ ଲାଗିଛି ।

 

ମାନସୀର ବାପା ଜମିଦାର ସୀତାକାନ୍ତବାବୁ ସାମାଜିକ ରୁଚି ସଂପନ୍ନ ଲୋକ । ବ୍ୟକ୍ତିତ୍ୱ ଅଛି । ଜମିଦାରୀ ନ ଥିଲେ ବି ପଇସାର ଅଭାବ ନାହିଁ । ତିନି ମହଲା କୋଠା । କୋଠା ପଛକୁ ଫୁଲ ଫଳର ବଗିଚା । ଗାଡ଼ି ଅଛି ଆଉ ଅଛି ବ୍ୟାଙ୍କ ବାଲାନ୍‍ସ । ନିଜର ବୋଲି ଘରେ ସ୍ତ୍ରୀ ସୁହାସିନୀ ଦେବୀ ଏବଂ ଏକମାତ୍ର କନ୍ୟା ମାନସୀ ।
 

ସୀତାକାନ୍ତବାବୁ ଉଚ୍ଚମନା ହୋଇଥିବାରୁ ସାଧାରଣ ଲୋକଙ୍କ ପରି ଝିଅ ମାନସୀ ଉପରେ କୌଣସି କଟକଣା ରଖି ନଥାନ୍ତି । ମାନସୀର ଯାହା ଇଚ୍ଛା ଯାହା ଖୁସି ତାହା ସେ ସ୍ୱାଧୀନ ଭାବରେ କରୁ, ନିଜକୁ ମଣିଷ କରିପାରୁ, ଏହା ସୀତାକାନ୍ତ ବାବୁଙ୍କର କାମନା ବରଂ ଗର୍ବ ଅନୁଭବ କରନ୍ତି ଏହାପାଇଁ ।

 

ତଥାପି ନଜରରୁ ଦୂରରେ ରଖନ୍ତି ନାହିଁ କଦାପି । ଝିଅ ଯେ ପର୍ଯ୍ୟନ୍ତ ନିଜ ଗୋଡ଼େ ଭଲଭାବରେ ଛିଡ଼ାହୋଇ ପାରିନାହିଁ ସେ ପର୍ଯ୍ୟନ୍ତ ନିଜର ଆଢ଼ୁଆଳରେ ରଖିବା ଉଚିତ ନୁହେଁ ।

 

ମାନସୀର ଏପରି ଅସୁସ୍ଥତା ଦେଖି ବାପ ମା ଚିନ୍ତିତ ହୋଇ ପଡ଼ିଛନ୍ତି । ଭଲ ଡାକ୍ତର ଡାକିବାରେ କିମ୍ବା ଭଲ ଔଷଧ ଦେବାରେ ତ୍ରୁଟି କରୁ ନାହାନ୍ତି ।

 

ମାନସୀ ଶୟନାବସ୍ଥାରେ ଭାବୁଛି ବସନ୍ତ କଥା । ରାତି ଦଶଟା ବାଜିଗଲାଣି । ଏକା ଏକା ଶୋଇ କେବଳ ଅନୁଭବ କରୁଛି ବସନ୍ତର ଅଭାବ । ଅଭିମାନରେ ହୃଦୟ ଫାଟି ପଡ଼ୁଛି । ବସନ୍ତ ଛଡ଼ା ତାର ଦୁନିଆରେ ଅନ୍ୟ ଯେପରି ଆପଣାର କେହି ନାହିଁ ।

 

ଠିକ୍‍ ସେତିକିବେଳେ ଧୀରେ ଧୀରେ ବସନ୍ତ ପ୍ରବେଶ କଲା ମାନସୀ କକ୍ଷ ଭିତରକୁ । ଦେଖିଲା ନୀଳ ରଙ୍ଗର ଆଲୋକରେ ଆଲୋକିତ ଘର ପଢ଼ିବା ଟେବୁଲ ଉପରେ ବହିପତ୍ର ଖେଳା ହୋଇ ପଡ଼ିଛି । ମୋଟା ଗଦି ବିଛଣାରେ ଆନମନା ହୋଇ ଶୋଇ ରହିଛି ମାନସୀ । ମଧୁଭରା ମୁହଁରେ ମାଧୁର୍ଯ୍ୟ ନାହିଁ । ଅବିନ୍ୟସ୍ତ କେଶରାଶି । ପୋଷାକରେ ମଧ୍ୟ ଯତ୍ନର ଅଭାବ । ଉନ୍ନତ ବକ୍ଷ ଉପରେ ଦୁଇହାତ ଚାପି ରଖିଛି । ଝୀନ ବସନରେ ଅନ୍ତରାଳରୁ ଫୁଟି ବାହାରୁଛି ବିଡସ୍ ତଳର ଆସ୍ତରଣ । କିପରି ଉଦାସ ସେ ।

 

ବ୍ୟଥିତ ବସନ୍ତ ଧୀରେ ଧୀରେ ଯାଇ ବସିଲା ଖଟ ଉପରେ । ମାନସୀର ଅବିନ୍ୟସ୍ତ ଚୂର୍ଣ୍ଣ କୁନ୍ତଳ ଉପରେ ହାତ ବୁଲେଇ ଆଣି ଭୋକିଲା ନୟନରେ ଚାହିଁ ରହିଲା ତା’ର ଉନ୍ନତ ବକ୍ଷ ଯୁଗଳକୁ ।

 

ବସନ୍ତର କୋମଳ ସ୍ପର୍ଶରେ ପ୍ରକୃତିସ୍ଥ ହୋଇଗଲା ମାନସୀ । ନିଜର ଅସଂଯତ ବସନକୁ ସଂଯତ କରି ନେଇ କହିଲା–ତମେ ?

 

କ୍ଷଣକ ପାଇଁ ଅଧର କୋଣରେ ସ୍ମିତ ହାସ୍ୟରେଖାଟିଏ ଖେଳିଗଲା ମାନସୀର । ସତେ ଯେପରି ସାତ ରାଜ୍ୟର ଧନ ମାଣିକ ମିଳିଲା ତାକୁ ପାଖରେ । କିନ୍ତୁ ପରକ୍ଷଣରେ ସେ ଗୋଲପି ହସ ଝାଉଁଳି ପଡ଼ିଲା । ଆଖି କୋଣରେ ଗଡ଼ି ପଡ଼ିଲା ଦି’ଟୋପା ଲୁହ ।

 

ଆଶ୍ଚର୍ଯ୍ୟ ଭାବରେ ବସନ୍ତ ପ୍ରଶ୍ନକଲା–କଣ ହୋଇଛି ମାନସୀ ।

 

–କାହିଁ କିଛିତ ହୋଇନି ।

 

–ନିଶ୍ଚୟ କିଛି ହୋଇଛି ।

 

ନିରୁତ୍ତର ଭାବରେ ଚାହିଁଲା ମାନସୀ । ସେ ଚାହାଣୀ ଭିତରେ ଯେପରି ସେ ତାର ହୃଦୟର ସାଇତା କଥାଗୁଡ଼ିକ କହି ଦେବାକୁ ଚାହେଁ । ବୁକୁତଳେ ଯେଉଁ ଅଭିମାନ ଜମାଟ ବାନ୍ଧି ରହିଛି ସବୁତକ ଯେମିତି ତରଳି ଗଲା କ୍ଷଣକରେ । ଝର ଝର ହୋଇ ଲୁହ ଗଡ଼ିଲା ଆଖି ଯୋଡ଼ିକରୁ ।

 

ସ୍ଥାଣୁ ପରି ଚାହିଁ ରହିଥିଲା ବସନ୍ତ । ଦେଖୁଥିଲା ମାନସୀର ଆଖି ଲୁହରେ ବୁକୁ ଭାସି ଯାଉଛି ଏବଂ ତୁଳନା କରୁଥିଲା କିଏ ଭଲ ଆଉ କିଏ ଭେଲ । ମାନସୀ ନା ଗୀତା ?

 

ହଠାତ୍ ମାନସୀ ଯେପରି ପ୍ରଗଲ୍‍ଭା ହୋଇ ଉଠିଲା । କହିଲା ଆହୁରି ଦେଖୁଛ ? ଥରେ ଦେଖି ବୁଝି ପାରୁନା ନାରୀ ମନ କଥା ? ନ, ନାଁ ତମେ ପାରିବ ନାହିଁ । ନାରୀ ମନକୁ ବୁଝିବା ଭଳି ଦିବ୍ୟଜ୍ଞାନ ତମର ନାହିଁ । ତମେ କଳ୍ପନା ବିଳାସୀ । ନାରୀକୁ ତମେ କଳ୍ପନା ଆଖିରେ ଦେଖ । ବହି ପଢ଼ି ନାରୀର ନାରୀତ୍ୱ ତଉଲକର । କିନ୍ତୁ ପ୍ରକୃତରେ ନାରୀ ତା ନୁହେଁ । ତମର ବିରହ ମିଳନର ପ୍ରେମ ଗାଥା ଭିତରେ ଯେଉଁ ନାରୀ ଥାଏ, ରକ୍ତମାଂସର ନାରୀ ତା’ଠାରୁ ଅନେକ ତଫାତ୍-। ତମେ ବୋଧହୁଏ ମୋ କଥାକୁ ହସରେ ଉଡ଼େଇ ଦେବାକୁ ଚାହଁ ? କିନ୍ତୁ କାହିଁକି ? କାହିଁକି ଆଜି ଭୁଲ କଲ ଏ ଘରେ ଗୋଡ଼ ଦେଇ ? କାହାପାଇଁ ତମେ ଆସିଲ ଏ ଶୂନ୍ୟ ମନ୍ଦିରକୁ ? ତମେ ତ ଜାଣିନ, ଦେବତା ନଥାଇ ମନ୍ଦିରର ମୂଲ୍ୟ କେତେ ? ଏଠି ତମର କିଏ ଅଛି ? ଘରେ ତ ଯାଇ ସୁଖ ଶାନ୍ତିରେ ଦିନ କଟାଉଥିଲେ । ପୁଣି କାହାପାଇଁ ଆସିଲ ଏଠାକୁ ।

 

ମାନସୀର ଏହି କଥାରେ ବସନ୍ତର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା । ମର୍ମାହତ ହୋଇ କହିଲା–ଭୁଲ ସ୍ୱୀକାର କରୁଛି ମାନସୀ । ଏଇ ସାମାନ୍ୟ କେତେଦିନରେ ତମେ ଏପରି ଅଧୈର୍ଯ୍ୟ ହୋଇ ଉଠୁଛ ? ଯଦି ମୋ ଭୁଲପାଇଁ କିଛି ଶାସ୍ତି ବିଧାନ କରିପାର ତା’ ହେଲେ ମୁଁ ମୁଣ୍ଡପାତି ନେବି । କୁହ ! କି ଶାସ୍ତି ଦେବ ମୋତେ । କିନ୍ତୁ ଏପରି ଅଭିମାନ କରନାହିଁ । ସମସ୍ତ କଥା ଶୁଣି ତା’ ପରେ ଯାହା କହିବ କୁହ । ମୁଁ ମୋ ଇଚ୍ଛାରେ ଏତେଦିନ ଘରେ ରହି ନଥିଲି । ବୋଉଙ୍କ ଦେହ ଭଲ ନାହିଁ ବୋଲି ତା’ ପାଇଁ ଘରକୁ ଚାଲିଯାଇଥିଲି । କିନ୍ତୁ ସେଠାରେ ଯାଇ ଶାନ୍ତି ପାଇଲି ନାହିଁ । ସର୍ବଦା ତମରି କଥା ମନକୁ ମୋର ଆନ୍ଦୋଳିତ କରି ପକେଇଲା । ଶୟନେ ସ୍ୱପନେ, ଜାଗରଣେ, ତମେ ମୋର ଆଖି ଆଗରେ ଲାଖି ରହିଲ । ସେଥିପାଇଁ ବୋଉଙ୍କ ଦେହ ଭଲ ହେବା ପୂର୍ବରୁ ମୁଁ ଚାଲି ଆସିବାକୁ ବାଧ୍ୟହେଲି । କୁହ, ମୋର କି ଚାରା ଥିଲା ଏଥିରେ ? ଏଥିପାଇଁ ଏତେ ଅଭିମାନ ସାଇତି ରଖିଛ ? ମୁଁ ପରା ତୁମର । ତାହା ଜାଣି ଜାଣି ଏତେ ନିଷ୍ଠୁର ହେଉଛ ? ଯଦି ଏଥିରେ ମୋର କିଛି ଭୁଲ ହୋଇଥାଏ, ତା ହେଲେ କ’ଣ କ୍ଷମା ଦେବନି ?

 

ରାଗ ଗର ହୋଇ ମାନସୀ କହିଲା–ହୁଁ, ଏ ଗୋଟାଏ ମନ ଭୁଲାଣିଆ କଥା । ପୁରୁଷ ଜାତିର ପ୍ରକୃତି ଏଇ । ମିଚ୍ଛ ସତ କହି ନିଜକୁଚ ସାଧୁ ବୋଲାଇବେ । ଆଉ ଦହଗଞ୍ଜ ହୋଇ ମରିବ ନାରୀ । ମୁଁ ଜାଣେ ତମ ପରି ଜଣେ ଖ୍ୟାତନାମା ସାହିତ୍ୟିକଙ୍କର ସରିସା ମୋ ପରି ଜଣେ ସାଧାରଣ ନାରୀ ହୋଇ ପାରିବନି । ସେଥିପାଇଁ ତମେ ଏତେ ଦିନ ଦୂରରେ ରହି ଭୁଲିଗଲ ମତେ-। ମୁଁ ଠିକ୍ ବୁଝିଛି ତମେ ମତେ ମୋଟେ ଭଲ ପାଅ ନାହିଁ । ମିଛରେ କାହିଁକି ଆକାଶ କୁସୁମ ତୋଳିବାପାଇଁ ହାତ ବଢ଼େଇବି । ତମ ଚାଲିଯାଅ । ଏ ଦୀନ କୁଟୀରରେ ତମର ଚରଣସ୍ପର୍ଶ ବେମାନନ ହେଉଛି । ତମେ ଆସିଛ ମତେ ହସେଇ କନ୍ଦେଇବା ପାଇଁ, ଜୀବନସାରା ହନ୍ତସନ୍ତ ହୋଇ କାନ୍ଦି କାନ୍ଦି ମରିବି ମୁଁ ତୁମେ ନିଷ୍ଠୁର । ପାଷଣର ଗଢ଼ା ତମ ଛାତି । ତମେ ବାହୁଡ଼ି ଯାଅ । ମତେ ଆଉ କନ୍ଦାଇବା ପାଇଁ ରୁହନାହିଁ ।

 

ବସନ୍ତ ମୁଣ୍ଡରେ ବଜ୍ର ପଡ଼ିବା ପରି ମନେହେଲା । ଅତି ଆବେଗପୂର୍ଣ୍ଣ ସ୍ୱରରେ ଡାକିଲା ମାନସୀ ।

 

–ମାନସୀ ଆଜି ନାହିଁ । ସେ ମରିଚି ।

 

–ଛି ଏପରି କଥା କ’ଣ କୁହାଯାଏ । ତମେ ତ ଜାଣନା ମୁଁ ତମକୁ କେତେ ଭଲପାଏଁ ।

 

–ଜାଣିଛି । ତମେ ଶଠ, ପ୍ରତାରକ । ମତେ, ପ୍ରତାରିତ କରିଛ ।

 

–ଏକଥା ତମେ କହିପାରୁଛ ?

 

–କାହିଁକି କହିବିନି, କହି ପାରିବି ?

 

–ତମେ ମତେ ଭୁଲ ବୁଝୁଛ ମାନସୀ ।

 

–ଯଦି ଭୁଲ ବୁଝିଥାଅ । ସେ ଭୁଲ ମୋର । ତା’ର ପ୍ରାୟଶ୍ଚିତ କରିବି ମୁଁ ଆଖି ଲୁହରେ-

 

–ଛି । ଆଖିରେ ଲୁହ ସୁନ୍ଦର ଦିଶେ ନାହିଁ ।

 

–ଯାହା ସୁନ୍ଦର ସେ ସବୁ ଭଲ ହୁଏ ନାହିଁ । ତମେ ଏଠାରୁ ଚାଲିଯାଅ ।

 

–କେଉଁଠିକି ଚାଲିଯିବି ।

 

–ସେ କଥା ମତେ ବତେଇ ଦେବାକୁ ହେବନି । ତମ ଇଚ୍ଛା ଯୁଆଡ଼େ, ତେଣେ ଯାଅ । ମତେ ଆଉ ବିରକ୍ତ କରନି ।

 

–ଏଇ ତମର ଶେଷ କଥା ।

 

–ଶେଷ କଥା କ’ଣ ମୁଁ ଜାଣେନା । କେବଳ ଏତିକି ଜାଣେ ଭଲ ପାଇବାରେ ଯେଉଁ ଆନନ୍ଦ ଅଛି; ସେ କେବଳ ମୁଁ ଭଲ ପାଇବାରେ ନୁହେଁ । ମନପ୍ରାଣ ଉଜାଡ଼ି କରି ଜଣେ ଜଣକୁ ନଦେଲେ ସେ ଭଲପାଇବା ହୁଏ ନାହିଁ । ଜଣେ ଜଣକୁ ଭଲପାଇ ତା’ର ବୋଲି ଯାହା ସବୁ ସମର୍ପି ଦିଏ, ସ୍ୱପ୍ନିଳ ମନରେ କେତେ ଘର ବାନ୍ଧେ ଆଶାର ଆକାଶ ରଚେ, କିନ୍ତୁ ପ୍ରତିଦାନରେ ସେ ଯଦି ଆଘାତ ପାଏ, ତେବେ ସେ ଆଘାତ ଅସହ୍ୟ ହୋଇଉଠେ । ଜୀବନକୁ ଦୁଃସହ କରିଦିଏ । ସେଥିପାଇଁ ଯେ କେତେ ନାରୀ, ଜୀବନକୁ ତୁଚ୍ଛ ମନେକରି ବିସର୍ଜନ ଦେବାକୁ ପଶ୍ଚାତ୍‍ପଦ ହୋଇ ନାହାନ୍ତି....

 

କହୁଁ କହୁଁ ମାନସୀର ଆଖି ସଜଳ ହୋଇ ଆସିଲା । ଅକୁହା ରହିଗଲା ବାକି କଥାଗୁଡ଼ିକ ।

 

ମର୍ମେ ମର୍ମେ ଅନୁଭବ କଲା ବସନ୍ତ । ମାନସୀ କଥା ଭିତରେ ଯେ କେତେ ଦୁଃଖ, କେତେ ଯନ୍ତ୍ରଣା ଜମାଟ ବାନ୍ଧି ରହିଛି ସେ କଥା ବୁଝିବାକୁ କଷ୍ଟ ହେଲା ନାହିଁ । ନିଜ ହୃଦୟରେ କେହି ଜାତ ହେଲା । ବନ୍ଧଭଙ୍ଗା ବନ୍ୟାପରି ବୋହିଗଲା ଚକ୍ଷୁ ଯୁଗଳରୁ ।

 

ମାନସୀ ବିସ୍ମିତ ହେଲା ଏ ଘଟଣା ଦେଖି । କ୍ଷଣକରେ ତାର ସବୁ ମାନ ଅଭିମାନ ଉଭେଇ ଗଲା । କହିଲା–ତୁମ ଆଖିରେ ଲୁହ ବସନ୍ତ ବାବୁ ।

 

ନିଜ ପଣତ କାନିରେ ସେ ଲୁହ ପୋଛି ଦେବାପାଇଁ ମନାକଲା ମାନସୀ । ତାର ପ୍ରିୟକୁ ଏପରି ଦାରୁଣ ଆଘାତ ଦେଲା ବୋଲି ନିଜକୁ ଛୋଟ ମନେ କଲା । କହିଲା–ମତେ ଭୁଲ ବୁଝନି ବସନ୍ତ ବାବୁ ! ରାଗରେ, ଅଭିମାନରେ କ’ଣ ବୋଲି କ’ଣ ଗୁଡ଼ାଏ କହି ପକେଇଲି ମୁଁ ଜାଣେ, ମୋଠାରୁ ତମେ ବଡ଼ ଆଘାତ ପାଇଛ । ମତେ କ୍ଷମା କର । ତମ ମନରେ ଦୁଃଖ ଦେଇ ମୁଁ ଯାହା ପାତକ ଅର୍ଜ୍ଜନ କରିଛି । ଯାହାକୁ ଅତି ଆପଣାର ବୋଲି ମଣିଥିଲି, ଜାଣି ଜାଣି ଆଜି ତାହାରି ମନରେ ଏ ଦୁଃଖ ଦେଲି ?

 

କହୁଁ କହୁଁ କାନ୍ଦି ପକେଇଲା ମାନସୀ । ମାନସୀ ଆଖିରେ ଳୁହ ଦେଖି ବସନ୍ତ ମଧ୍ୟ ବିବେକ ବୁଦ୍ଧି ହରାଇ କୋଳକୁ ଟାଣିନେଲା । ପ୍ରିୟାର ଗୋଲାପୀ ଅଧରରେ ଗୋଟିଏ ଚୁମ୍ବନ ଆଙ୍କି ଦେଇ କହିଲା–ଛି ! ଏପରି ଭାଙ୍ଗି ପଡ଼ିଲେ ଚଳିବ ? ମୁଁ ପରା କଥା ଦେଇଛି ତମେ ମୁଁ ଗୋଟିଏ ଅଙ୍ଗର ପ୍ରତ୍ୟେଙ୍ଗ ବିଶେଷ । ଆମକୁ କେହି ପୃଥକ୍‍ କରିପାରିବେ ନାହିଁ । ଆମ ମିଳନ ପଥରେ କେହି ପ୍ରତିବନ୍ଧକ ହୋଇ ରହି ପାରିବେ ନାହିଁ । ତେଣୁ ଆମକୁ ଶକ୍ତ କଠୋର ହୋଇ ରହିବାକୁ ହେବ । ଯେତେ ବାଧାବିଘ୍ନ ଆସୁ, ତା’ର ସମ୍ମୁଖୀନ ହୋଇ ଆମକୁ ସାହାସ ଧରିବାକୁ ହେବ । କିନ୍ତୁ ତମେ ଯେପରି ସାମାନ୍ୟ କଥାରେ ଭାଙ୍ଗି ପଡ଼ୁଛ–

 

ବସନ୍ତକୁ ଆଉ କଥା କହିବାକୁ ଦେଲା ନାହିଁ ମାନସୀ । ଛକ କୋପରେ କହିଲା–ଯାଃ । ଖାଲି ସେଇ କଥା କହିବ । ନ କହି ନ ପୋଛି ଚାଲିଗଲ । ମୋ ମନରେ କେତେ ପାପ ଛୁଉଁଥିଲା କହିଲ ? ଆଉ ଦିନେ ଯେବେ ଏମିତି କରିବ, ତେବେ ଦେଖିବ–ତମ ମାନସୀ ଆଉ ସେଦିନ ଏ ଇହ ଜଗତରେ ନଥିବ ।

 

–ଯାଃ । ଏପରି କଥା କହି ଯୋଗାଏ ନାହିଁ ।

 

–ସଦାବେଳେ କ’ଣ ଘର କୋଣରେ ପଶି ରହିବି ମୁଁ ?

 

–ତା’ ବୋଲି ନ ଜଣେଇ ଚାଲିଯିବ ?

 

ନା ଏଥର ଆଗେ ହାକିମଙ୍କ ହୁକୁମ ନ ନେଇ ପାଦେ ହେଲେ କେଉଁଆଡ଼େ ଯିବି ନାହିଁ ।

 

ମାନସୀର ଅଧର କୋଣରେ ଝଲକାଏ ହସ ଝଲସି ଗଲା । ବସନ୍ତର ବାହୁ ବନ୍ଧନରୁ ମୁକ୍ତି ପାଇବାପାଇଁ କହିଲା–ଓଃ ! ଛାଡ଼ ।

 

–ଯଦି ନ ଛାଡ଼େ ? ବସନ୍ତ ଆହୁରି ଜୋରରେ ଭିଡ଼ି ଧରିଲା ।

 

ମାନସୀ ଲାଜରା ହୋଇ କହିଲା–ଯାଃ । ତମେ ଭାରି ଇଏ ।

 

ଠିକ୍ ସେତିକିବେଳେ ବାହାରେ କାହାର ପଦଧ୍ୱନ ଶୁଣି ଦୁହେଁ ଯାକ ସଚକିତ ହୋଇଗଲେ । ସୁହାସିନୀ ଦେବୀ ଘର ଭିତରକୁ ପଶି ଆସୁ ଆସୁ କହିଲେ–ମାନୁ ! ଔଷଧଖିଆ ତୋର ହୋଇଛି ? ଘରେ ବସନ୍ତକୁ ଦେଖି ହସିଉଠି କହିଲେ ଆରେ ! ବସନ୍ତ ! କେବେ ଅଇଲ କି-? କୁଆଡ଼େ ଥିଲ ଏତେଦିନ ପର୍ଯ୍ୟନ୍ତ ?

 

–ବର୍ତ୍ତମାନ ଆସିଲି ମାଉସୀ ! ଘରକୁ ଯାଇଥିଲି ଯେ ଆଜି ସକାଳେ ଫେରିଛି । ସୁହାସିନୀଙ୍କୁ ପ୍ରଣାମ କଲା ବସନ୍ତ । କହିଲା–ବୋଉ ଦେହ ଭଲ ନାହିଁ । ତା’ ଛଡ଼ା ଭଉଣୀଟିର ବାହାଘର ଚେଷ୍ଟାରେ ଥିଲି ।

 

ବାହାଘର ? କେତେ ବଡ଼ କି ତମ ଭଉଣୀ ?

 

–ବା’ର ଚାଲିଛି । ଅଷ୍ଟମ ଶ୍ରେଣୀରେ ପଢ଼ୁଛି ବର୍ତ୍ତମାନ । ବୋଉର ଇଚ୍ଛା ଯେତେ ଶୀଘ୍ର ବାହାଘର କରିଦେବା ।

 

–ତମ ବାହାଘର ଯୋଗାଡ଼ କେଉଁଠି କିଛି କରୁନାହାନ୍ତି ତମ ବୋଉ ?

 

ଲଜ୍ଜିତ ହେଲା ଭଳି ମୁହଁ ନୁଆଁଇଲା ବସନ୍ତ । କହିଲା–ସେ କଥା ତ ପରକଥା, କିଏ ଆମ ଘରକୁ ଝିଅ ଦେବାପାଇଁ ଇଚ୍ଛା କରିବ ? ତା’ଛଡ଼ା ଚାକିରୀ ବାକିରୀ ନ ହେବାଯାଏ ମୁଁ ବାହା ହେବାକୁ ଉଚିତ ମନେକରୁ ନାହିଁ ।

 

ସୁହାସିନୀ ଦେବୀ କହିଲେ–କି କଥା କହୁଚ ପୁଅ । ତମ ଘରକୁ ଝିଅ ଦେବେନି ତ ଆଉ କେଉଁ ଘରକୁ ଦେବେ । ଖାଲି ଘର ଦେଖିଲେକି ହେବ ? ତମେ କେଉଁ ଅବିଗୁଣର ଯେ । ଦାଣ୍ଡରେ ତମର ନା ଅଛି, ଖ୍ୟାତି ଅଛି । ଆଜି ଚାକିରୀ ନାହିଁ ବୋଲି ଚାକିରୀ ଆଉ ମିଳିବନି । କାଲି ସକାଳେ ଗୋଟାଏ ଚାକିରୀ ମିଳିଗଲେ ତମ ଧନ କିଏ ଖାଇବ ।

 

ବୋଉ କଥାରେ ପ୍ରତିବାଦ କଲା । ମାନସୀ କହିଲା–ଏପରି କଥା ଗପୁଥିବୁ ନା ବସନ୍ତବାବୁଙ୍କ ପାଇଁ କପେ ଚା’ର ବ୍ୟବସ୍ଥା କରିବୁ ? ତୋ ସାଙ୍ଗରେ ଗପି ବସିଲେ ତାଙ୍କ ଗଳା ଶୁଖିଯିବ ଯେ ।

 

ସତେ, ସତେ, କହି ସୁହାସିନୀ ଦେବୀ ଚାଲିଗଲେ ଜଳଖିଆ ଯୋଗାଡ଼ କରିବା ପାଇଁ । ମାନସୀ ଉଠିଯାଇ ଟେବୁଲ ଉପରୁ ଖଣ୍ଡେ ଖବର କାଗଜ ଆଣିଦେଲା ବସନ୍ତ ହାତର । କହିଲା–ଦେଖତ କି ଲେଖାଅଛି ଏଥିରେ ।

 

ଗୋଟିଏ ସ୍ପେଶାଲ ଇସୁ ଖବର କାଗଜକୁ ଖୋଲିଲା ବସନ୍ତ । ହଠାତ୍ ଆଖି ପଡ଼ିଲା ବଡ଼ ବଡ଼ ହେଡ଼ିଂ ଲାଇନରେ ଲେଖା ଅଛି ପ୍ରେମ ପାଗଳିନୀ ପ୍ରିୟା । ଲେଖକ ସେ ନିଜେ ।

 

ମାନସୀ ହସି ଉଠିଲା ବସନ୍ତର ଅପ୍ରସ୍ତୁତ ଭାବ ଦେଖି । କହିଲା ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଉଥିବ । ସେ ଦିନ ଏଠାରେ ବସି ବସି ରଫ୍ ଖାତାରେ ଯେଉଁ ଗଳ୍ପଟି ଲେଖିଥିଲେ, ସେଇ ଗଳ୍ପଟିକୁ ମୁଁ ଦୌଡ଼ି ଦୌଡ଼ି କରି ଛପେଇ ଦେଇଛି । ପ୍ରକାଶକଙ୍କଠାରୁ ପାଠକ ପାଠିକାମାନେ ବି ଖୁବ୍ ପସନ୍ଦ କରିଛନ୍ତି ।

 

ଆତ୍ମବିଡ଼ିମାରେ ଆତ୍ମ ବିଭୋର ହୋଇ ଉଠିଲା ବସନ୍ତ । ମାନସୀକୁ ନିଜ କୋଳକୁ ଟାଣିଆଣି ଚୁମ୍ବନ ଉପରେ ଚୁମ୍ବନ ଦେଇଗଲା । କହିଲା-ସତରେ ମାନସୀ । ତୁମେ ହେଉଛ ଶକ୍ତି, ତୁମରି ଶକ୍ତି ପାଇଁ ମୋ ପ୍ରତିଭା ପ୍ରସ୍ଫୁଟିତ ହେଉଛି ନବ ନବ ରୂପରେ । ତୁମେ ଯୋଗାଇଛ ମତେ ଭାବନାର ଅନନ୍ତ ଉପାଦାନ ।

 

ସୁହାସିନୀ ଦେବୀ ଚାକର ହାତରେ ଜଳଖିଆ ଦେଇ ପ୍ରବେଶ କରିବାରୁ କଥା ବନ୍ଦ ହୋଇଗଲା । ମାନସୀ ଚାକର ହାତରୁ ଜଳଖିଆ ଥାଳି ନେଇ ବାଢ଼ିଦେଲା ବସନ୍ତ ଆଗରେ ।

 

ବସନ୍ତ ଖାଇବା ସମୟରେ ସୁହାସିନୀ ଦେବୀ ନାନା କଥାର ଉତ୍‍ଥାପନ ଭିତରେ ନିଜ ଝିଅଟିର କଥା ଉଠେଇ କହିଲେ–ମୁଁ ଆଉ ପାରିଲିନି ବାପ ଝିଅଟିକୁ । ଏପରି ଜିଦ୍‍ଖୋର ଝିଅ ମୁଁ ଆଉ କେଉଁଠାରେ ଦେଖିନି । ଦେହ ଏପରି ହୋଇଛି ବୋଲି ଡାକ୍ତର ଭଲ ପଥି ଖାଇବାକୁ କହୁଛନ୍ତି-। କିନ୍ତୁ ସେ କ’ଣ ଶୁଣିବା ଝିଅ ?

 

ମାନସୀ କଥା ଉପରେ ବାଧା ଦେଇ କହିଲା–ତାଙ୍କ କଥା କିଛି ପଚାରିବୁ ନା ତୋ ଝିଅ କଥା ଗାଇବୁ ? ସେଦିନ ପରା କ’ଣ ପଚାରିବୁ ବୋଲି କହୁଥିଲୁ ତାଙ୍କ ପଢ଼ାପଢ଼ି କଥା ?

 

ସୁହାସିନୀ ଦେବୀ ହସି ହସି କହିଲେ–ସେ କଥା ମୋ ମନେ ଅଛି ଯେ । ହଁ ବସନ୍ତ ! ତମେ କ’ଣ ଆଉ ପଢ଼ାପଢ଼ି କରିବ ? ଲ’ ପଢ଼ିବ ବୋଲି କହୁଥିଲା ମାନସୀ ।

 

ଚା’ ଖାଉ ଖାଉ ବସନ୍ତ କହିଲା ପଢ଼ିବି ବୋଲି ତ ଠିକ୍ କରିଥିଲି । କିନ୍ତୁ ଟଙ୍କା ପଇସାର ଯେପରି ଅଭାବ ଦେଖୁଛି, ଆଗରୁ କିଛି ଠିକ୍ କରିପାରୁ ନାହିଁ ।

–ଟଙ୍କା ପଇସାର ଅଭାବ କ’ଣ ରହିଯିବ ? ତମେ ପଢ଼ିବା ବ୍ୟବସ୍ଥା କର । ଏଥର ଆଉ ହଷ୍ଟେଲରେ ନରହି ଏଇଠି ରହିବ ? କୋଉ ଗଦାଏ ଲୋକ ଏଠି ଅଛନ୍ତି ଯେ, ଦିହେଁ ରହି ଏକ ସଙ୍ଗରେ ପଢ଼ାପଢ଼ି କରିବ । ମନୁ ବି ଘଡ଼ିଏ ଘଡ଼ିଏ ତମ ପାଖରେ ପଢ଼ି ପାରିବ ।

ବସନ୍ତ ଆପତ୍ତି କରିବାକୁ ଯାଉଥିଲା କିନ୍ତୁ ମାନସୀ ଇଙ୍ଗିତରେ ଜଣେଇ ଦେଲା ନା କୁହନି । ଖବରଦାର । ଅଗତ୍ୟା ବସନ୍ତ କହିଲା–ଆପଣମାନେ ଯଦି କହୁଛନ୍ତି, ମୁଁ କ’ଣ ସେ କଥାରୁ ବାହାରି ଯିବି । ଯେରପି ଭଲ ହେବ ସେପରି କରିବେ । ସୁହାସିନୀ ଦେବୀ ଚାଲିଯିବା ପରେ ବସନ୍ତ କହିଲା–ବାଃ ! ତୁମ୍ଭର ତ ବେଶ୍ ବୁଦ୍ଧି । ଆଗରୁ ସବୁ ଠିକ୍ କରିଥିଲ ? ଆଉ ଔଷଧ ପତ୍ର ଖାଉନା କାହିଁକି ?

–ଔଷଧର ତ ଦରକାର ନଥିଲା ।

ତା’ ମାନେ ?

–ତମେ ।

–ହଁ, ତମେ । ଆସିବା ସଙ୍ଗେ ସଙ୍ଗେ ମୋ ଜ୍ୱର ଭଲ ହୋଇଯାଇଛି । ଔଷଧ ଖାଇଥିଲେ ଆଉ କି ଲାଭ ମିଳିଥାନ୍ତା ?

–ସତରେ ?

–ମିଛ ବୋଲି ମଣୁଛ ?

–ତମେ ଖୁବ୍ ଚାଲାଖ କି ନା–

–ତୁମ ଚାଲାଖିଠାରୁ ଟିକିଏ ଊଣା ।

ଦୁହେଁ ହସିଦେଲେ ଫିକ୍‍କରି । ବସନ୍ତର କ୍ଷୁଧାର୍ତ୍ତ ଚାହାଣୀ ପଡ଼ିଲା ମାନସୀର ସୁଗୋଲ ସରଳ ମୁହଁ ଉପରେ । ଚାରି ଚକ୍ଷୁର ମିଳନରେ ଦୁଇଟି ହୃଦୟ କ୍ଷଣକ ପାଇଁ ଚଳ ଚଞ୍ଚଳ ହୋଇ ଉଠିଲା । ବସନ୍ତର ଓଠ ଦୁଇଟି କାହାରି ସ୍ୱାଦୁ ପାଇଁ ଲାଳାୟିତ ହୋଇଉଠିଲା ସମସ୍ତ ଦେହ ଯେପରି ଏକ ଅଭାବନୀୟ ଶିହରଣ ପାଇଲା । ରୋମାଞ୍ଚିତ ହୋଇଗଲା ।

ହଠାତ୍ ଅଜଣା ଭୟରେ କମ୍ପିତ ହୋଇଉଠିଲା ଛାତି । ମନେ ପଡ଼ିଗଲା ଆଉ ଗୋଟିଏ ମୁହଁ–ଗୀତା ବୋଉର ଛଳ ଛଳ ଆଖି । ଭଉଣୀର ମନମରା ମୁହଁ । କ୍ଷଣକ ପାଇଁ ବାହ୍ୟଜ୍ଞାନ ଶୂନ୍ୟ ହୋଇଗଲା । ଆଖି ଆଗରେ ଇନ୍ଦ୍ରଧନୁର ସପ୍ତରଙ୍ଗ ନାଚିଗଲା । ଅନ୍ଧକାର, କେବଳ ଅନ୍ଧକାର ।

ମାନସୀ ଡାକରେ ପ୍ରକୃତିସ୍ଥ ହେଲା ବସନ୍ତ । କହିଲା–ହଠାତ୍ ମୁଣ୍ଡଟା କାହିଁକି ଘୂରିଗଲା-

ମାନସୀ ବିଛଣା ପେରିଦେଲା ବସନ୍ତ ପାଇଁ । କହିଲା–ଶୋଇପଡ଼ ଏଇନାଗେ । ମୁଣ୍ଡଟା ଭଲ ହେଲେ ଉଠିଯିବ । ଲେଖକ ମଣିଷ ତ, କ’ଣଟା ଭାବୁ ଭାବୁ ମୁଣ୍ଡ ଘୂରି ଯାଇଥିବ ।

ସେଦିନର ସେହି ବର୍ଷଣମୁଖର ରାତି । ପ୍ରକୃତିର ପ୍ରଳୟ ହେବା ପଣ ଯେପରି । ଘନ ବାଦଲ ଉପରେ ବିଦ୍ୟୁତର ଚମକ । ଅବିଶ୍ରାନ୍ତ ଅବିରାମ ପ୍ରଖର ପବନର ତାଣ୍ଡବ୍ୟ ନୃତ୍ୟ । ସମସ୍ତ ମିଶି ଯେପରି ଶାନ୍ତ ପୃଥିବୀକୁ ଅଶାନ୍ତ କରି ପକେଇଛନ୍ତି । ପୃଥିବୀର ସମସ୍ତ ଜୀବଜନ୍ତୁ ଭୟ ବିହ୍ୱଳ-। ମାନବ ସମାଜ ସୁପ୍ତ । ଏପରି ରାତିରେ ମଧ୍ୟ ଉଜାଗର ଅଛି ଗୀତା । ଦୁଇଟି ଛଳ ଛଳ ଚକ୍ଷୁ ଯେପରି ନିଦ୍ରାର ସ୍ପର୍ଶଠାରୁ ବହୁ ଦୂରରେ । ଆଜି ଏଇ ବର୍ଷଣ ମୁଖର ଗତି ତା’ର ଚହଲା ଛାତିରେ ଢାଳି ଦେଇଛି ଗରଳ ଅଫୁରନ୍ତ ଧରା । ବିରହ ବିଧୁରା ମନ ଭରି ଉଠିଛି କ୍ଷୋଭରେ । ପ୍ରାଣରେ ଲାଗିଛି ନିଦାରୁଣ ବ୍ୟଥା । ଅମାନିଆ ମନ କେହିଁ କେତେ ଦୂରରେ ଉଡ଼ିବୁଲୁଛି । ସୁଖ, ସମ୍ଭୋଗ ସବୁ ଦୂରେଇ ଯାଇଛି ତା’ଠାରୁ । କେବଳ ଭାବନା ସମୁଦ୍ର ଭିତରେ ଉବେଇ ଟୁବେଈ ହେଉଅଛି ସେ ।

 

ତା’ର ବୋଲି କହିବାକୁ ଆଜି କେହି ନାହିଁ । ସ୍ୱାମୀଠାରୁ ସମ୍ପଦ ନାହିଁ । କିନ୍ତୁ ସ୍ୱାମୀ ଥାଇ ବି ସେ ତା’ ର କେହି ନୁହନ୍ତି ସେ ଲାଞ୍ଛିତା, ଅବହେଳିତା ।

 

କୁମାରୀ ଝିଅ କେତେ ସ୍ୱପ୍ନ ଦେଖେ । ଭାବୀ ସ୍ୱାମୀକୁ ନେଇ କେତେ କଳ୍ପନାର ଜାଲ ବୁଣେ । ସେ ମଧ୍ୟ ଠିକ୍ ସେମିତି ଆଶାର ସୌଧ ନିର୍ମାଣ କରିଥିଲା । ପତି ସୁହାଗିନୀ ହେବାର କାମନା କରିଥିଲା । କିନ୍ତୁ ଆଜି.....

 

ଆଜି ସେ ସ୍ୱାମୀଙ୍କଠାରୁ ଲାଞ୍ଛିତା, ଘୃଣିତା । ଯାହଙ୍କୁ ପତି ପରମଗୁରୁ ବୋଲି ମଣିଥିଲା ସେଇ ତାକୁ ଭଲକରି ପଦେ କଥା କହିବା ଦୂରର କଥା, ଆଡ଼ ଆଖିରେ ଚାହିଁଲେ ନାହିଁ । ଗୋଡ଼ରେ ଠେଲି ଦେଲେ ଅଳିଆ ଗଦାକୁ । ନିଜର ଦୋଷ କ’ଣ ସେ ଜାଣେନା ତେଣୁ କାନ୍ଦିଲା ସ୍ୱାମୀଙ୍କ ପାଦଧରି । ଅଳି କରିଛି ଅଟକାଇବା ପାଇଁ । କିନ୍ତୁ ଅଟକାଇ ରଖି ପାରିଲାନି । ବରଂ ପ୍ରତିଦାନରେ ପାଇଛି ପଦାଘାତ ।

 

ସ୍ୱାମୀ ତାର ଶିକ୍ଷିତ ସମ୍ଭ୍ରାନ୍ତ । ସ୍ତ୍ରୀ ପ୍ରତି ତାଙ୍କର ଏପରି ଅବହେଳା କାହିଁକି ? କି ଦୋଷ କରିଛି ସେ ? କାହିଁକି ସେ ସ୍ତ୍ରୀ ବୋଲି ସ୍ୱୀକୃତି ପାଇଲା ନାହିଁ ସ୍ୱାମୀଙ୍କଠାରୁ । ଏହା ତାହାର ଭାଗ୍ୟ ଦୋଷ ନା ଏହା ଭିତରେ କେଉଁ ଗୂଢ଼ ରହସ୍ୟ ନିହିତ ଅଛି ? ଏହିପରି ବହୁତ ଭାବୁଛି ସେ । କୌଣସି କର୍ତ୍ତବ୍ୟ ସ୍ଥିର କରିପାରୁନାହିଁ । ନିଜକୁ ସାନ୍ତ୍ୱନା ଦେଉଛି । ସେ ଓଡ଼ିଆ ଘରର କୁଳବଧୂ । ଅଗ୍ନି ବ୍ରାହ୍ମଣ ସାକ୍ଷୀରଖି ପତି ବରିଛି । ପତିଛଡ଼ା ଅନ୍ୟ ଗତି ତାର ନାହିଁ । ହେଉ ସେ ପତି ନିକଟରେ ଘୃଣ୍ୟ, ହେଉ ସେ ଲାଞ୍ଛିତା, ତଥାପି ସେ ସ୍ତ୍ରୀ । ସ୍ତ୍ରୀର କର୍ତ୍ତବ୍ୟ କରିଯିବା ତାର ଧର୍ମ । ସେଥିପାଇଁ ଦୁଃଖ କରିବା ତାର ଉଚିତ ନୁହେଁ । ଅଭିମାନ ଧର୍ମ ନୁହେଁ । ଆଖିରୁ ଲୁହ ଝରାଇଲେ ତାରି ନିଜର ପାପ ହେବ । କେବଳ ପତିର ମଙ୍ଗଳ କାମନା କରି ତାକୁ ବଞ୍ଚି ରହିବାକୁ ହେବ । ସେହି ତାହାରି ଆନନ୍ଦ, ସେଇ ତା’ର ସୁଖ ।

 

ମନେ ମନେ ପ୍ରଣାମ କରେ ଗୀତା ଅଜାଣତ ଦେବତାଙ୍କ ଉଦ୍ଦେଶ୍ୟରେ । ଶୁଭ ମନାସେ ପତିଙ୍କର । ପତି ସୁହାଗିନୀ ହେବା ପାଇଁ ଗୁହାରି ଜଣାଏ । ଯଦି ପ୍ରଭୁଙ୍କର ଦୟା ହୁଏ ତେବେ ସେ ଏପରି ଚିରଦିନ ରହିବ ନାହିଁ । କଣିକାଏ ପତି ସ୍ନେହ ଲାଭକଲେ ସେ ଧନ୍ୟ ହୋଇଯିବ ।

 

ଅଜାଣତରେ ଲୁହ ଝରି ପଡ଼ିଲା ଆଖିରୁ । ଦୀର୍ଘଶ୍ୱାସ ପଞ୍ଜରା ଭେଦ କରି ବାହାରିଗଲା-। ଏ କ’ଣ କରୁଛି ସେ ? ଆଖିରୁ ଲୁହ ଝରେଇ ପତିଙ୍କର ଅମଙ୍ଗଳ ଡାକି ଆଣୁଛି ? ନିଜକୁ ନିଜେ ଅନୁତପ୍ତା ହେଲା ଗୀତା ।

 

ସେ ଅଶିକ୍ଷିତା । କିନ୍ତୁ ନାରୀ ସେ । ତା’ର ନାରୀତ୍ୱ ଜାଣେ କର୍ତ୍ତବ୍ୟ କରି, ସ୍ୱାମୀର ସେବା କରି । କିନ୍ତୁ ସେଥିରୁ ସେ ବଞ୍ଚିତା କାହିଁକି ?

 

ବାପ ଘରକୁ ଚାଲିଗଲେ ବୋଧହୁଏ ଟିକିଏ ଶାନ୍ତି ପାଇବ । ଥରକୁ ଥର ବାପଘରୁ ଲୋକେ ଆସୁଛନ୍ତି ନେଇଯିବା ପାଇଁ । କିନ୍ତୁ ସେଠାରେ କ’ଣ ସେ ଶାନ୍ତି ପାଇବ ? ଏଠାରେ କରାଳ କରିବା ପାଇଁ କେହି ନାହିଁ । ବାପ ଘରେ ଟାହି ଟାପରା କରିବା ପାଇଁ ଢେର ଲୋକ ଅଛନ୍ତି-। ସମସ୍ତେ ପଚାରିବେ ସ୍ୱାମୀ କଥା, ସ୍ୱାମୀ ସୋହାଗ କଥା । ସମସ୍ତେ ଜାଣନ୍ତି ସାହିତ୍ୟିକ ସ୍ୱାମୀ ପାଇଛି ବୋଲି । ସେଥିପାଇଁ ବିବାହ ଆଗରୁ ଭାଗ୍ୟବତୀ ବୋଲି କହୁଥିଲେ ସେମାନେ । ଆଜି ଆହୁରି ବଢ଼େଇ କହିବେ । କିନ୍ତୁ କି ଜବାବ ଦେବ ସେ ? ବରଂ ସବୁବେଳେ ଅସହ୍ୟ ବେଦନାରେ ଛଟପଟ ହେବ । ତଣ୍ଟିରେ ଲାଗିଥିବା କଣ୍ଟାପରି ସ୍ୱାମୀଙ୍କୁ ଛାଡ଼ି ପାରିବନି କି ରଖି ହେବନି । ଏଡ଼େ ହତଭାଗିନୀ ହୋଇ ଜନ୍ମ ହେଲେ ସେ କାହିଁକି ?

 

‘‘ସତେ କ’ଣ ପତିଦେବତାଙ୍କୁ ସେ ଆପଣାର କରି ପାରିବନି ? ପାଇ ପାରିବ ନାହିଁ ସ୍ୱାମୀ ସ୍ନେହ ସୋହାଗ । ଯଦି ଏପରି ହୁଏ, ଯଦି ସେ ସ୍ୱାମୀଙ୍କ ଆଦରରୁ ବଞ୍ଚିତ ହୁଏ, ତା ହେଲେ ଏ ହିନିମାନ ଜୀବନ ରଖି କି ଲାଭ ? ଏ ଅଲୋଡ଼ା ଜୀବନ କି କାମରେ ଲାଗିବ ? ବିବାହ କରି ସ୍ୱାମୀ ସୁଖ ପାଇଲି ନାହିଁ ।

 

ଘର ସଂସାର ଜାଣି ପାରିଲି ନାହିଁ । ଏପରି ଯଦି ଆଗରୁ ଜାଣି ପାରିଥାନ୍ତି....ନା, ନା, କି ପାପ କଥା ମନରେ ଆଣୁଛି । ଯାହା ହେଉ ପଛକେ, ଏଠାରେ ରହିବା ଅନୁଚିତ । ବାରଚିନ୍ତା ମନକୁ ଭାରି କରି ଦେଉଛି । ପ୍ରାଣ ଘାଣ୍ଟି ଗାଳେଇ ହେଉଛି । ଏଠାରେ ତ ଆପଣର ବୋଲି କେହି ନାହିଁ । ଆପଣାର ଲୋକ ସାତପର ପରି ଦୂରେଇ ଗଲେ । ମିଛରେ ଶଙ୍ଖା ସିନ୍ଦୁର ନାଇ ରହିବାରେ କି ଲାଭ ?

 

ଭାବି ଭାବି ସ୍ଥିର କଲା ବାପଘରକୁ ଚାଲିଯିବ ବୋଲି । ମନେ କରିବ, ବାହାଘର ତା’ର ହୋଇନାହିଁ କି କୌଣସି ଦିନ ବାହାଘର ହେବନାହିଁ । ତା’ହେଲେ ହୁଏତ ଶାନ୍ତି ପାଇବ । କିନ୍ତୁ କିପରି ଯିବ ? କିପରି ନିଜକୁ ଅବିବାହିତା କହି ସାନ୍ତ୍ୱନା ଦେବ ? ବିବାହ ପରେ ଝିଅର ବାପଘରୁ ସମ୍ପର୍କ ତୁଟେ । ଆପଣାର ଲୋକେ ପର ହୁଅନ୍ତି । ପରକୁ ଆପଣାର କରିବା ନାରୀର ଧର୍ମ । ସେଥିପାଇଁ ବାପ’ ମା ଝିଅକୁ ପର ହାତରେ ସମର୍ପଣ କରି ନିଃଶ୍ୱାସ ଛାଡ଼ନ୍ତି । ତା’ପରେ ଝିଅର ଭାଗ୍ୟ । ସେହିପରି ସେ ବାପଘରୁ ଆସିଛି ଶାଶୁଘର କରିବାକୁ । ପୁଣି କାହିଁକି ଫେରିବ ବାପ ଘରକୁ ? ଯଦି ଫେରିବ, କେଇଦିନ ରହିପାରିବ ସେଠି ? କେତେ ଦିନ ବାପ ଭାଇ ତାକୁ ଆପଣାର ବୋଲି ଘେନା କରିବେ ? ଆଜିକାଲି କୁଆଡ଼େ ନାରୀର ଅନ୍ୟ ପତି କରିବାର ସ୍ୱାଧୀନତା ଅଛି । ଗୋଟିଏ ପୁରୁଷ ଛାଡ଼ି ଅନ୍ୟ ପୁରୁଷକୁ ପତି ପଦରେ ବରଣ କରିପାରୁଛି । କିନ୍ତୁ ଏହା କ’ଣ ଠିକ୍ ବିଚାର ହେଉଛି ? ହିନ୍ଦୁ ଧର୍ମର ଅପବ୍ୟବହାର ହେଉଛି ଏଥିରେ । କୁଳରେ କଳଙ୍କ ଲାଗୁଛି । ସେଥିପାଇଁ ଆମ ଦେଶରେ ଅନ୍ୟାଚାର ବ୍ୟାଭିଚାର ବ୍ୟାପି ଯାଉଛି । ଓଡ଼ିଆ ଜାତି ଓ ଓଡ଼ିଆ ଜାତିର ଆଦର୍ଶ ଆଜି ପଦ ଦଳିତ ।

 

ସତୀ ନାରୀର ଧର୍ମ ପତିର ଆଦର୍ଶ ମାନିନେବ । ମୁନିଋଷିମାନେ ଯୁଗ ଯୁଗ ଧରି ଏହି ବାକ୍ୟ ପ୍ରଚାର କରି ଆସିଛନ୍ତି । ସେଥିପାଇଁ ନାରୀ ବାର ମାସରେ ତେର ବ୍ରତ କରି ସ୍ୱାମୀର ମଙ୍ଗଳ କାମନା କରେ । ନିଜ କାଚ ସିନ୍ଦୁରର ପରମାୟୁ ବୃଦ୍ଧି ଚାହେଁ ।

 

ସ୍ୱାମୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବତା । ପଥର ଦେବତାଙ୍କ ପୂଜାଠାରୁ ପ୍ରତ୍ୟକ୍ଷ ଦେବତାଙ୍କ ପୂଜା କରିବା ନାରୀର ପ୍ରଥମ କର୍ତ୍ତବ୍ୟ । ପୁରୁଷର କର୍ତ୍ତବ୍ୟ ନାରୀର ମନ ବୁଝିବା । ତା ନ ହେଲେ ନାରୀ ପୁରୁଷର ମର୍ଯ୍ୟାଦା ରହିବ ନାହିଁ ପୃଥିବୀରେ ।

 

ନା ନା ସେ ତାର ପତିଘର ଛାଡ଼ି କେଉଁଠାକୁ ଯାଇ ପାରିବ ନାହିଁ । ଏହି ତାର ଧର୍ମ କର୍ମର ପୀଠ ।

 

ଶଶୁର ନାହାନ୍ତି ଶାଶୁ କଡ଼ା ମଣିଷ । ଖାଣ୍ଟି କଥାରେ ବାପକୁ ଜବାବ ଦେଲାବାଲା । ହେଲେ ଗୀତାକୁ ସେ ନିଜ ଝିଅଠାରୁ ଆହୁରି ସ୍ନେହ ଆଦର କରନ୍ତି । ପାଖେ ପାଖେ ଜଗିଥାନ୍ତି ସଦାବେଳେ । ପାଖରେ ବସାଇ ଖୁଆଇବାଠାରୁ, ପାଖରେ ଶୁଆଇବା ପର୍ଯ୍ୟନ୍ତ ବାକୀ ରହେନାହିଁ । ମଝିରେ ମଝିରେ ନାନା ଉପଦେଶ ଦିଅନ୍ତି । ମାଆ ତାଙ୍କର ନିଜ ହାତରେ ମୁଣ୍ଡ ବାନ୍ଧି ଦିଅନ୍ତି, ଭୁଲ ଲୁଗାପଟା ପିନ୍ଧିବା ପାଇଁ କହନ୍ତି । ଯେପରି ବୋହୂକୁ ସଜେଇ ପରମ ଆନନ୍ଦ ଲାଭ କରନ୍ତି ।

 

ଛୋଟ ନଣନ୍ଦ ଅନିତା । ସେ ପୁଣି ଭାଉଜ ଭାଉଜ ହୋଇ ପାଣି ପିଏ ନାହିଁ । ଭାଉଜ ନ ହେଲେ ତା’ର ଗପ ଯମେନା, ଖାଇବା ହୁଏନା । କିନ୍ତୁ ଭାଉଜ ମୁହଁରେ ବିଷାଦର ରେଖା ଦେଖିଲେ ଦୁଃଖରେ ଭାଙ୍ଗି ରଡ଼େ ସେ । ଆଖି ତାର ଛଳ ଛଳ ହୋଇ ଉଠେ ।

 

ଧନ୍ୟ ସ୍ନେହର ବନ୍ଧନ । କେତେ ଦିନ ପାଇଁ ହେଲେ ବି ସ୍ନେହର ବନ୍ଧନରୁ କେହି ମୁକ୍ତି ପାଆନ୍ତି ନାହିଁ ।

 

ନିଘୋଡ଼ ନିଦରେ ଶୋଇଥିଲା ଅନିତା । ଶିତଳ ପବନର ପରଶ ପାଇ ନିଦ ଭାଙ୍ଗିଯିବାରୁ ଅନ୍ଧାରେ ଦରାଣ୍ଡି ଦେଖିଲା ଭାଉଜ ପାଖରେ ଶୋଇ ନାହାନ୍ତି । ତରବରରେ ଉଠି ଲଣ୍ଠନ ତେଜି ଦେଲା । ଆଲୋକିତ ହୋଇ ଉଠିଲା ଘର । ପବନରେ ଦୋହଲୁଛି ଅଲଗୁଣିର ଲୁଗାଗୁଡ଼ିକ । ବେଞ୍ଚ ଉପରେ ଟ୍ରଙ୍କ୍‍ ବାକ୍‍ସ ସେମିତି ଥୁଆ ହୋଇଛି । ଭିତରପଟରୁ କବାଟ କିଳା, ଝରକା ମେଲା । ସେଇ ମେଲା ଝରକାର ରାଲିଂ ଧରି ଠିଆ ହୋଇଛନ୍ତି ଭାଉଜ । ବର୍ଷାରେ ଅଧା ଓଦା ହୋଇଯାଇଛନ୍ତି । ଆଖି ତାଙ୍କର କାହିଁ କେତେ ଦୂରକୁ ପ୍ରସାରିତ । ମନ୍ତ୍ରମୁଗ୍‍ଧା ପରି ଚାହିଁ ରହିଛି ସେ ଅପଲକ ନେତ୍ରରେ । କାନ୍ଦୁଛନ୍ତି ବୋଧହୁଏ । ଗାଲ ଉପରେ ଦୁଇଟି ଦାଗ କାଟି ଦେଇଛି ଅଶ୍ରୂକଣା ।

 

ନାରୀ ମନ ବୁଝେ ନାରୀ । ଅନିତା ବୟସରେ ସାନ ହେଲେ ମଧ୍ୟ ଏସବୁ ବୁଝିବା ଜ୍ଞାନ ହୋଇଛି । ତେଣୁ ଭାଉଜଙ୍କର ଏପରି ଉଦାସ ଭାବ ଦେଖି ଛାତି ଫାଟିଗଲା ତାର । ବେଦନାରେ ଛଟପଟ ହେବାକୁ ଲାଗିଲା । ମନେ ପଡ଼ିଲା ସେ ଦିନର କଥା । ଭାଇ ଯେପରି ଭାବରେ ଘରୁ ଚାଲିଗଲେ । ନବ ବିବାହିତା ସ୍ତ୍ରୀକୁ ଯେପରି ହତାଦର କରିଗଲେ, ସବୁକଥା ଜାଣିଛି ସେ । କେହି ନ ବୁଝୁ ସେ କଥା, କିଛି ବୁଝିଛି–କି ଦାରୁଣ ଆଘାତ ଲାଗି ଭାଉଜଙ୍କର ମନପ୍ରାଣ କ୍ଷତ ବିକ୍ଷତ ହୋଇଯାଇଛି । ଆହା ! ବିଚାରି ଭାଉଜ ! ଧିରେ ଧିରେ ଅନିତା ଉଠିଯାଇ ଭାଉଜଙ୍କର ଲୁହ ପୋଛି ଦେଇ ଡାକିଲା–ଭାଉଜ ।

 

–କିଏ ? ଚମକି ଉଠିଲା ଗୀତା ।

 

–ତୁମେ ଏତେ ରାତିରେ ଏଠି ଠିଆ ହୋଇଚ ନା ? ଗୋଟିପଣ ଓଦା ହୋଇଗଲଣି ।

 

–ନା, ଏମିତି ଠିଆ ହୋଇଥିଲି । ନିଦ କାହିଁକି ହେଉନି ଯେ–

 

ନିଜ ଦେହକୁ ଦେଖିଲା ଗୀତା । ସତକୁ ସତ ଓଦା ହୋଇ ଯାଇଛି । ଅନିତା ଟାଣି ଆଣି ଆଣୁ ଆଣୁ କହିଲା–ନାଃରେ । ନିଦ ହେଉନି ବୋଲି ତିନ୍ତି ବୁଡ଼ି ଛିଡ଼ା ହେବ ନା ? ନିଦ ହେଉନି ନା ତୁନି ତୁନି କାନ୍ଦିବା ହେଉଛି ? ଖୁବ୍ ଚଲାଖ ତମେ । ୟେ କହିଲା ପରି–ଏଇ କଥାକୁ ନା–ପହଡ଼େ ଗଲେ ଯେଉକଥାକୁ ନା ସେଇ କଥାକୁ । ଭାଇ କୋଉ ଆସିବେନି ନା କ’ଣ ? ତମେ ଏପରି ମନ ମାରି ବସିଛ ? ଯାଅ, ଲୁଗାଟା ବଦଳେଇ ପକାଅ । ବୋଉ କାନକୁ ଗଲେ ଏଇନେ ଗାଳି ଖାଇବ ।

 

ନଣନ୍ଦର ଏପରି ବ୍ୟବହାରରେ ସବୁ ଭୁଲିଯାଏ ଗୀତା । ତାର ମୁରବୀପଣରେ ଆନନ୍ଦ ପାଏ । ଅନିତାକୁ କୋଳକୁ ଟାଣିଆଣି କହିଲା–ଅବୁଝା ନାରୀମନ ଭଉଣୀ । ଯେତେ ବୁଝେଇଲେ ବୁଝିବାକୁ ଚାହେଁନା ।

 

ଅନିତା ବୁଝେ । ନବୁଝିବା ପରି କହେ–ଫେର କାନ୍ଦୁଛ ଭାଉଜ ? ଛି । ମୋ ରାଣ ରହିଲା ଆଉ କାନ୍ଦିବନି । ଫେରେ ଯେବେ କାନ୍ଦିଛ କି ତମ ସାଙ୍ଗରେ କୁଟା ଛିଣ୍ଡେଇ ଦେବି । ମୋଟେ କଥା କହିବିନି ।

 

ଅନିତାର ଛଳ କୋପରେ ଗୀତାର ସମସ୍ତ ବେଦନା ନିମିଷକରେ ଉଭେଇଗଲା । ହସିଦେଇ ଲୁଗା ବଦେଳେଇ ଆସି ଶୋଇଲା ଖଟ ଉପରେ ।

 

କିନ୍ତୁ ଭବନାର ଖିଅ ହଜିଲା ନାହିଁ । ଚେଷ୍ଟା କରେ ସେ ନଣନ୍ଦର ସ୍ନେହ, ଶାଶୁଙ୍କ ଆଦର ଭିତରେ ନିଜକୁ ହଜେଇ ଦେବ । ଏମାନେ ତାର କେହି ନୁହନ୍ତି । ପୁଣି ଏହାଙ୍କଠାରୁ ତାର ଆପଣାର କେହି ନାହିଁ । କି ସରଳ ଏମାନେ ? ସ୍ନେହ, ମମତା ଏମାନଙ୍କ ହୃଦୟରେ । ଏମାନଙ୍କୁ ପାଖରେ ପାଇ ମନ ଭିତରର ଜ୍ୱାଳା କମିଛି । ଜମାଟବନ୍ଧା ବେଦନା ତରଳ ହୋଇଛି । ବେଳେବେଳେ ନଣନ୍ଦକୁ କହେ–ତମପରି ନଣନ୍ଦଟିଏ ନଥିଲେ ଯେ କ’ଣ ହୁଅନ୍ତା–

 

ଭାଉଜଙ୍କ ପ୍ରଶଂସାରେ ଅନିତାର ବୁକୁ ଫୁଲିଉଠେ । ସର୍ବାଙ୍ଗେ ଆନନ୍ଦର ଝରଣା ବହିଯାଏ । ପୁଣି ମନମରା ହୋଇଯାଏ, କି ଦୁଃଖ ଲେଖିଛି ବିଧି ଭାଉଜଙ୍କ କପାଳରେ ! ଦେଖୁ ଦେଖୁ ମାସ ଉପରେ ମାସ ଗଡ଼ିଯାଉଛି । ତଥାପି ଭାଇ ଖଣ୍ଡେ ଚିଠି ଲେଖୁ ନାହାନ୍ତି ଭାଉଜଙ୍କ ପାଖକୁ । ଦିନକ ପାଇଁ ଘରକୁ ଆସୁନାହାନ୍ତି । କି କୁଲକ୍ଷଣରେ ଯେ ଏ ବାହାଘର ହେଲା, କାହିଁକି ଯେ ଭାଇ ଏପରି ହୋଇଗଲେ, କେବଳ ଭଗବାନ ଜାଣନ୍ତି–

 

ଏପରି ଅବୁଝା କିଏ ଅଛି ? ମୋ ସୁନା ଭାଉଜପରି କିଏ ହେବ ? ସାକ୍ଷାତ ଯେପରି ଅନ୍ନପୂର୍ଣ୍ଣା । ଏଥିରେ ବି ତାଙ୍କ ମନ ବଳିଲା ନାହିଁ । ୟାଙ୍କଠାରୁ ଆଉ ସୁନ୍ଦରିଆ କିଏ ହେବ ? ସହରିଆଣୀଟେ ଆଣି ଥେଇ ଥେଇ କରାଇଲେ ତାଙ୍କ ମନ ମରିଥାନ୍ତା ନା କ’ଣ ?

 

କେତେ ଦେଖୁଛି ସହରି ପାଠୁଆମାନଙ୍କୁ । ନିଜେ ନିଜେ ବୋହୂ ବାଛି ଲଭମ୍ୟାରେଜ କରୁଛନ୍ତି । ଛିଆଲୋ ମୋର କି ନାଗରା ବାଜୁଛି ତାଙ୍କ ନାଆଁରେ ? ଏଡ଼ିକି ନିଲଠିଗୁଡ଼ାକ ଯେ–ଲାଜସରମ ବୋଲି କିଛି ନାହିଁ ତାଙ୍କ ପାଖରେ । ମୁଣ୍ଡ ଓଢ଼ଣା କାନ୍ଧରେ ରହିଛି । ଶାଶୁ ଶ୍ୱଶୁରଙ୍କୁ ଦେଖିଲେ ହାଡ଼ ଜଳୁଛି ଯେପରି ତାଙ୍କର । ନିଜ ଘର ଲୋକଙ୍କୁ ଛାଡ଼ି ଗାଁ ଟୋକାଙ୍କ ସାଙ୍ଗରେ ବଜାର ବୁଲି ବାହରୁଛନ୍ତି । ସ୍ୱାମୀକୁ ଚାକର ରଖିଲା ପରି ଫାଇ ଫରମାସ ଖଟାଉଛନ୍ତି । ଛିଆଲୋ ଛତୁ ନା ମେଘ ବରଷିଲେ କେତେ ଫୁଟନ୍ତୁ । ଏ କାଳତ ହୋଇଚି ସେଇଆ । କାହାକୁ କିହିବ ?

 

ଗାଁ ଝିଅମାନେ କ’ଣ ଲେଖାପଢ଼ା ଶିଖୁନାହାନ୍ତି ? ଏଇତ ରମା, ହେମ, ସର ପରି । କେତେ ସୁଖରେ ସ୍ୱାମୀ ସଂସାର ନେଇ ଦିନ ବିତାଉଛନ୍ତି । ସେମାନେ ତ ଝିଅ । ନା ତାଙ୍କ ଦେହରେ ସୁନା ଲାଗିଛି ? ହେ ଠାକୁର ! ଭାଇଙ୍କି ଫେରେଇ ଆଣ ତମେ । ଭାଉଜଙ୍କ ମନ ଦିନକ ପାଇଁ ହେଲେ ଖୁସି ରହୁ ।

 

ଏହିପରି ଦିନ ବିତିଯାଏ । ନଣନ୍ଦ ଭାଉଜ ଦିନକୁ ଦିନ ସ୍ନେହ ବନ୍ଧନ ନିବିଡ଼ ପାଶରେ ଆହୁରି ଘନିଷ୍ଠ ହେଇଉଠନ୍ତି ଦିନକୁ ଦିନ ।

 

ଦିନେ ଦିନେ ଶୋଇ ଶୋଇ ସ୍ୱପ୍ନ ଦେଖେ ଗୀତା । ସୁନାର ସଂସାର ଦିନେ ସେ କଳ୍ପନା କରିଥିଲା ସେହି ସ୍ୱପ୍ନ । ନିଦ ବାଉଳାରେ ପତି ମନେକରି ଅନିତାକୁ କୁଣ୍ଢେଇ ଧରେ ବୁକୁ ମଧ୍ୟରେ ଉଚ୍ଛୃଙ୍ଖଳ ଯୌବନ କ୍ଷୁଧା ମେଣ୍ଟାଇବା ଆଶାରେ ଗାଢ଼ ଆଲିଙ୍ଗନ କରେ । ତନ୍ଦ୍ରା ଭାଙ୍ଗେ ଆଗତା ଯୌବନା ଅନିତାର । ଦେହରେ ଅନୁଭବ କରେ ନୂତନ ଜାଗରଣ । ଶିହରିତ ହୁଏ ଅଙ୍ଗ ପ୍ରତ୍ୟଙ୍ଗ । ଭାଉଜଙ୍କୁ ହଲେଇ ଦେଇ କହେ-

 

–ଭଲକରି ଶୁଅବା ଭାଉଜ । ଏପରି କ’ଣ ହେଉଛ ?

 

ଭାଉଜ ମନକୁ ମନ କଣ କୁହନ୍ତି ତନ୍ଦ୍ରା ଯୋରରେ । କିଛି ବୁଝିପାରେ ନାହିଁ ଅନୀତା । ପୁଣି ହଲେଇ ଦେଇ କହେ–କି ସପନ ଦେଖିଲ ଭାଉଜ ? କଣ ଗୁଡ଼େ ବକୁଛ ?

 

ନୀଦ ଭାଙ୍ଗିଯାଏ ଗୀତାର । ଅଳସ ଦେହ କିପରି ଏକ ଉନ୍ମାଦରେ ପରିପୂର୍ଣ୍ଣ । ନିଜକୁ ନିଜେ ଲଜ୍ଜିତା ହୁଏ । କୁହେ–ନାଇଁ ଯେ, ସପନ ଦେଖିଲି ।

 

କି ସପନ ? ଲାଜ କରୁଛ କାହିଁକି ବା ? କୁହ ନାଁ, ସପନ କଣ ଦେଖିଲ ?

 

ନ କହିବା ଆଳ କରେ ଗୀତା । କହେ–ତମେ ସେଥିରୁ କଣ ପାଇବ ?

 

ଅଭିମାନ କରି ଅନିତା କହେ–କହିବନିତ ?

 

ଅନିତାର ଅଭିମାନ ଭରା ମୁହଁ ଦେଖି ନ କହିବା କଥା କହି ଦିଏ ଗୀତା ।

 

–ତମ ଭାଇଙ୍କୁ ଦେଖୁଥିଲି ସପନରେ ।

 

–କଣ ଦେଖିଲ ? ଆସିଥିଲେ ଯେ ?

 

–ହୁଁ ।

 

–କି କଥା ହେଲା ତମର ?

 

–କେତେ କଥା ହେଲା । ସେ କଣ ତୁମକୁ କହି ଯୋଗାଏ ।

 

ବାଃରେ ! କାହିଁକି ମତେ କହି ଯୋଗାଏ ନାହିଁ ? ତମେ ଭାରି ଚତୁରୀ ଭାଉଜ ।

 

ନଣନ୍ଦର କଟାଳରେ ନ କହି ରହିପାରେ ନାହିଁ ଗୀତା । କିନ୍ତୁ ବୁଲେଇ ବୁଲେଇ କହେ କଥା ସବୁ । ଲାଜରେ ସଫେଦ ମୁହଁ ରକ୍ତିମ ଆଭାରେ ଉଦ୍‍ଭାସିତ ହୋଇ ଉଠେ । ଅନୀତା ବୁଝେ-। ନିଜ ସହିତ ତୁଳନା କରି ନୂତନ ଶିହରଣରେ ଫୁଲି ଉଠେ । ଅନାଗତ ଅତିଥିକୁ ବରଣ କରିବାକୁ ଯାଇଁ ମନେ ମନେ ବରଣ ଡାଲା ସଜାଡ଼ି ବସେ । କଳ୍ପନା ସମୁଦ୍ରରେ ଭାସି ବୁଲେ ।

 

ଏହିପରି ଦୁଃଖର ଦିନଗୁଡ଼ିକ କାଳ ଚକ୍ରରେ ପଡ଼ି ବିତିଯାଏ ଧିରେ ଧିରେ ।

 

ବସନ୍ତର ପହିଲୁ ଆଗମନରେ ହସି ଉଠିଛି ଧରା । ବାତୁଳା ଚାନ୍ଦ ବିଞ୍ଚି ଦେଇଛି ଚାନ୍ଦିନୀ-। ଦକ୍ଷିଣାଞ୍ଚଳ ବାଆ ମୃଦୁ ମୃଦୁ ସୁଧା ବାଢ଼ି ଯାଉଥାଏ । ସତେ ଯେପରି ପ୍ରିୟାର ବାରତା ।

 

ସେହିପରି ଏକ ପ୍ରାଣ ଚଞ୍ଚଳ ନିଶିଥରେ ମାନସୀ ଆନମନା ଭାବରେ ବସିଥାଏ ତାର କୋଠରୀରେ । ମନ ଭିତରେ ଭାବନାର ଢେଉ ଖେଳି ଯାଉଥାଏ । କଳ୍ପନାର ତାଜମହଲ ଗଢ଼ିବା ପ୍ରୟାସୀ ସେ । ପାଖରେ ଅନ୍ୟ ଗୋଟିଏ ଚେୟାରରେ ବସିଛି ବସନ୍ତ । ଏକାନ୍ତମନେ ଗଢ଼ିଛି ସାହିତ୍ୟର ଅମର ସୌଧ ।

 

ଦୁହିଁଙ୍କର ଭାବନା ବି ଭିନ୍ନ । ଜଣେ ସାହିତ୍ୟିକ, ଅନ୍ୟ ଜଣକ ସାହିତ୍ୟିକ ପ୍ରେମିକା । ଜଣେ କଳ୍ପନାକୁ ବାସ୍ତବ ରୂପ ଦିଏ, ଅନ୍ୟ ଜଣକ ସେ କଳ୍ପନା ଯୋଗାଏ ନୀରବରେ । ଜଣେ ପ୍ରେରଣାମୟୀ ଅନ୍ୟ ଜଣେ ପ୍ରେରଣା ଆହରଣକାରୀ ।

 

ଠିକ୍ ଗୋଟିଏ ପୁଲ ଅନ୍ୟଟି ଭ୍ରମର ପରି । ଦୁହେଁ ଦୁହିଙ୍କ ପାଇଁ ପାଗଳ, ଜଣକ ବିହୁନେ ଆନର ମର୍ଯ୍ୟାଦା ନାହିଁ ଯେପରି । କେହି କାହାକୁ ଛାଡ଼ି ଜୀବନ ଧରି ରହି ପାରିବେ ନାହିଁ, ମନ ଆନନ୍ଦରେ ଘୂରି ବୁଲନ୍ତି ଦୁହେଁ ପ୍ରଜାପତି ପରି । ନାନା ଖୁସି ଗପରେ ମଜ୍ଜି ରହନ୍ତି । ନଦୀ କୂଳରେ ଶୀତଳ ସମୀରଣ ସେବନ କରିବାଠାରୁ ସିନେମା ଥିଏଟର ଦେଖିବା ପର୍ଯ୍ୟନ୍ତ ଅଗାଧ ସ୍ୱାଧୀନତା ସେମାନଙ୍କର । ଏ ସ୍ୱାଧୀନତାରେ ବାଧା ଦେବାପାଇଁ କେହି ନାହାନ୍ତି ।

 

ସୀତାକାନ୍ତ ବାବୁ ଏ ସବୁ ଜାଣି କୌଣସି ପ୍ରତିବାଦ କରନ୍ତି ନାହିଁ । ବସନ୍ତକୁ ନିଜ ସନ୍ତାନ ସମ ଶ୍ରଦ୍ଧା କରନ୍ତି ସେ । ତେଣୁ ସନ୍ଦେହର ଅବକାଶ ନ ଥାଏ ତାଙ୍କ ମନରେ ।

 

ସୁହାସିନୀ ଦେବୀ ଆହୁରି ଆତ୍ମବିଭୋଳା ମଣିଷ । ବସନ୍ତ ଏବଂ ମାନସୀକୁ ସମ ଆଖିରେ ଦେଖନ୍ତି ସେ । ବରଂ ବସନ୍ତକୁ ଆହୁରି ଆଦର ସ୍ନେହ ଭିତରେ ବାନ୍ଧି ରଖିଛନ୍ତି, ସେ ଖାଇବା ଯାଏ ଅପେକ୍ଷାରେ ବସି ରହନ୍ତି । ସେ ନ ଆସିବାଯାଏ ବାଟ ଜଗି ବସି ଥାଆନ୍ତି ।

 

ସେଥିପାଇଁ କେହି ସନ୍ଦେହ ଚକ୍ଷୁରେ ଦେଖନ୍ତି ନାହିଁ, ଯୌବନ ବସନ୍ତରେ ଉବେଇ ଟୁବେଇ ହେଉଥିବା ଯୁବକ ଯୁବତୀ ବସନ୍ତ ଏବଂ ମାନସୀଙ୍କୁ ।

 

ବସନ୍ତ ‘ଲ’ ଶ୍ରେଣୀର ଛାତ୍ର । ଅଭାବ କଣ ଅନୁଭବ କରିପାରୁ ନାହିଁ । ସୌକିନ ପାଇଁ ଯେଉଁ ଉପକରଣର ଆବଶ୍ୟକ ନଚାହିଁ ପାଉଛି ସେ ସବୁ ସୀତାକାନ୍ତ ବାବୁଙ୍କଠାରୁ । ବେଶ୍ ମନମତାଣିଆ ଭାବରେ ଅଛି ସେ ।

 

ସୁହାସିନୀ ଦେବୀଙ୍କର ବସନ୍ତକୁ ଭଲପାଇବା ମୂଳରେ କି ଉଦ୍ଦେଶ୍ୟ ଅଛି ? ତା’ର କାରଣ ତାଙ୍କୁ ମଧ୍ୟ ଗୋଚର ନାହିଁ । ବସନ୍ତ ତାଙ୍କର କେହି ନୁହେଁ । ଆଜି ଏଠାରେ ଅଛି ଯେ କୌଣସି ସମୟରେ ଚାଲି ଯାଇପାରେ । ଅବସ୍ଥା ସବୁଦିନେ ତାର ଏପରି ଖରାପ ରହିବ ନାହିଁ । ତେବେ କାହିଁକି ସେ ଏତେ ନିଜର ହେଲା କିଛି ବୁଝିପାରିନ୍ତି ନାହିଁ । ତଥାପି ମାତୃତ୍ୱର ଅପରିସୀମା ସ୍ନେହ ମମତା ଓଜାଡ଼ି ହୋଇ ପଡ଼େ ବସନ୍ତ ଉପରେ ।

 

ଆଜିକାଲି ନିଜକୁ ଭାବ ସମୁଦ୍ର ଭିତରେ ପାଲହୀନ ନୌକା ପରି ଭସାଇ ଦେବାକୁ ସୁଖ ପାଉଛି ମାନସୀ ।

 

ବସନ୍ତ ପ୍ରକୃତରେ କି ସୁନ୍ଦର । କି ଭଦ୍ର ! ତାଙ୍କ ବ୍ୟବହାରରେ କି ଚୁମ୍ବନ ଶକ୍ତି ଅଛି । କେଜାଣି–ଆପେ ଆପେ ମନ ପ୍ରାଣ ଟାଣି ହୋଇ ଯାଉଛି । କଥାଭାଷାରୁ ମଧୁ ଝରୁଛି ଯେପରି । ହସରେ ମଦନର ପଞ୍ଚଶରଯାକ ସାଇତା ଅଛି । ଗୁଣରେ ମଧ୍ୟ ତାଙ୍କ ସରିସା ଅଳ୍ପ ଲୋକ ଅଛନ୍ତି । କେତେ ନା ତାଙ୍କର । ସତେ କ’ଣ ସେ ତାକୁ ଦେବତା ରୂପରେ ପୂଜା କରିପାରିବ ? କି ଉପଚାରରେ ପୂଜା କରିପାରିବ ସେ !

 

ଭାବନାର ସ୍ରୋତ ବାଧାପ୍ରାପ୍ତ ହୁଏ । ଅଜଣା ଆଶଙ୍କାରେ ଥରି ଉଠେ ମନ । ନା ନା, ବସନ୍ତକୁ ଛାଡ଼ି ସେ ଜୀବନ ଧରି ରହି ପାରିବ ନାହିଁ । ସେ ପିଣ୍ଡ । ବସନ୍ତ ତାର ପ୍ରାଣ । ପ୍ରାଣ ଛଡ଼ା ପିଣ୍ଡର ଅସ୍ଥିତ୍ୱ ରହିବ କିପରି ? ବସନ୍ତ ମାନସୀର ଇହକାଳ ପରକାଳର ଇପ୍‍ସିତ ଧନ । ତାରି ପଦତଳେ ନିଜକୁ ନୈବେଦ୍ୟ ଦେବ । ଅନ୍ୟ କାହାରି ସେ ହୋଇ ପାରିବ ନାହିଁ । କୌଣସି ପ୍ରତିବନ୍ଧକୁ ଭ୍ରୂକ୍ଷେପ କରିବ ନାହିଁ ।

 

ସେ ଶିକ୍ଷିତା । ନିଜ ଇଚ୍ଛାନୁସାରେ ସ୍ୱାମୀ ବାଛିଚି । ନିଜ ଜୀବନକୁ ନିଃଶେଷ କରିଦେବ ପଛକେ, ଅନ୍ୟ ସ୍ୱାମୀ ବାଛି ପାରିବ ନାହିଁ । ଝଡ଼ଝଞ୍ଜା ଯାହା ଆସୁ–ଭାଙ୍ଗିଯିବ ପଛେ, ମୁଣ୍ଡ ନୁଆଁଇବ ନାହିଁ ।

 

କିନ୍ତୁ ସତରେ କ’ଣ ତା’ର ଆଶା ବାସ୍ତବରେ ପରିଣତ ହେବ ? ସେ ସିନା ବସନ୍ତକୁ ଚାହେଁ । କିନ୍ତୁ ବସନ୍ତ ? ସେ କ’ଣ ଠିକ୍ ଏହିପରି ତାକୁ ଚାହେଁ ? ଯଦି ସେ ଅନ୍ୟ କାହାକୁ ନିଜର ସହସଙ୍ଗିନୀ କରିବାକୁ ଚାହୁଁଥାଏ ? ଶେଷକୁ ଏକ ଅବାଞ୍ଚିତ ଅତିଥି ମନେ କରି ପର କରି ଦେବନି ତ ? ହୁଏତ ସେ ତାକୁ ମନ ଭିତରୁ ନିକାଲି ଦେଇ ପାରନ୍ତି । ସେତେବେଳେ କିପରି ଭାବରେ ରହିବ ସେ ?

 

ଭାବନାର ଖିଅ ହଜିଲା ମାନସୀର । ବସନ୍ତ ଏପରି ବ୍ୟବହାର କଦାପି କରି ପାରିବ ନାହିଁ । କିନ୍ତୁ ତାଙ୍କ ମୁହଁରୁ କୌଣସି ଦିନ ସେ ଏ ପ୍ରଶ୍ନର ଉତ୍‍ଥାପନ ଶୁଣିନାହିଁ । ତା’ ହେଲେ କ’ଣ ସେ ଚାହାନ୍ତି ତାକୁ ? ସେ କଣ ହୃଦୟଙ୍ଗମ କରି ପାରୁ ନାହାନ୍ତି ମୋ ପ୍ରାଣ ନିଶି ଦିନ କାହାର ସଙ୍ଗ ପ୍ରୟାସୀ ? ତେବେ ତାଙ୍କର ଏହି ନିଷ୍ଠୁରତା କାହିଁକି ? କବି ଲେଖିଛନ୍ତି–

 

ତୃଷାର୍ତ୍ତୀ ସିନା ସଲୀଳ ପାଶେ ଉପଗତ

 

ପାଣି ତୃଷାର୍ତ୍ତୀ ପାଶକୁ ଆସେ କି ଘେନ ତ ହେ ।

 

ନଦୀ ସନ୍ନିଧକୁ ଜଳପାନ କରିଗଲେ

 

ତାହା ଅସନମତ ହୋଇଛି କେଉଁ କାଳ ହେ ?

 

କେତେଦିନ ତାଙ୍କୁ ପାଖରେ ରଖି ବି ଦୂରେଇ ରହିବ ? ଘିଅ ନିଆଁ ପାଖରେ ରହି କିପରି ତରଳିବ ନାହିଁ । ଯୌବନର କ୍ଷୁଧା ପୀରତି । ବଡ଼ ସ୍ୱାର୍ଥପର ସେ ନିଜ ମନର ବାସନା ମେଣ୍ଟେଇ ନେଇ, ଅନ୍ୟ ବୁକୁରେ କି ପ୍ରକାର ଜଳୁଛି, ସେକଥାକୁ ନଜର ଦେଉନାହାନ୍ତି । କେବଳ ଯଦି ସାକ୍ଷାତରେ ଦେହ କ୍ଷୁଧା ମେଣ୍ଟନ୍ତା ତା ହେଲେ ଏତେ ହନ୍ତସନ୍ତ କାହିଁକି ? ନିଜକୁ ସେ ନିଜେ ହସେ । ବେଳେ ବେଳେ ବିଷେଇ ଉଠେ ମନ ।

 

ମାନସୀର ଚଞ୍ଚଳତା ଦେଖି ଖୁସି ହୁଏ ବସନ୍ତ । ଆହୁରି ଚଞ୍ଚଳ ହେବାର ଉପାଦାନ ଯୋଗେଇଦିଏ କଟାକ୍ଷ ଚାହାଣି । ମାନସୀ ହୁଏ ଶିହରିତ । ମନକାନନରେ ପୀରତିର ଗଛ ଲଗାଏ-। ଫୁଲ ଫୁଟାଏ ବାଉଳା ଭାବରେ ସଂଯମ ଭୁଲେ । ପୀରତି ଶରରେ ଘାଏଲ ହୋଇ ମତୁଆରା ହୋଇଉଠେ ।

 

ବସନ୍ତ ମଧ୍ୟ ଯେତେବେଳେ ନିରୋଳାରେ ପାଏ ମାନସୀକୁ ଅପଲକ ନେତ୍ରରେ ଚାହିଁ ରହେ । ଲକ୍ଷ୍ୟ ତାର ମାନସୀର ଉନ୍ନତ ବକ୍ଷ ଭେଦ କରେ । ଦେହ ମନ ପୁଲକିତ ହୋଇଉଠେ, ଶିରା ପ୍ରଶିରାରେ ରକ୍ତ ତାତି ଉଠେ । ମନ କରେ ଏହି ରୂପସୀ ଲଳନାକୁ ବାହୁ ବନ୍ଧନ ଭିତରେ ଆବଦ୍ଧ କରି ଶତ ଚୁମ୍ବନ ଆଙ୍କିଦେବ ଗଣ୍ଡ ଦେଶରେ । ମନକ୍ଷୁଧା ଅବସାନ ମନ ଖୁସିରେ ଗାଇବ ।

 

ନାହିଁ ପ୍ରସନ୍ନ କାନ୍ତେ ପରାଜୟ ଅଚ୍ଚିରେ

 

ପୁରୁଣା ପୁଅ ଫଲ ଧାନୁ କିଣିଲୁ ଏଥେ ପୁଣି ଯଶ ଅଛିରେ,

 

ସୁନ୍ଦରୀ । ଫେଡ଼ି କହୁଅଛି ଜାଣିରେ ।

 

ସ୍ଫୁଟେ ଝରୁଥିଲା କଳା ଫୁଳ ଧାନୁ ପଳା ପଳା ପୁଣିରେ

 

ଆଖିପତା ମୁଦି ହୋଇ ଆସନ୍ତା ଭୂତବତୀର । କୋମଳ ବାହୁ ଯୁଗଳର ଆବେଷ୍ଟନୀ ଭିତରେ ରହନ୍ତା ତାର ମୁଖ ମଣ୍ଡଳ । ଛାତି ଛାତିରେ ମିଳନ ହୁଅନ୍ତା ଅଙ୍ଗରେ ଅଙ୍ଗ ମିଳନ୍ତା ।

 

କିନ୍ତୁ.....

 

ମନ ମହକଇ ବିରହ ରାଗିଣୀ ତୋଳେ । ଚକୋରି ଗାଈଉଠେ ବିଦାୟ ସଙ୍ଗୀତ । ଭାବନା ଗୋଳମାଳ ହୋଇଯାଏ । ଆଖି ଆଗରେ ଭାସିଯାଏ ଗୀତାର ଦୁଇଟି ସଜଳ ନୟନ । ଓଢ଼ଣା ଭିତରୁ ବିବର୍ଣ୍ଣ ମୁଖମଣ୍ଡଳ । ଅନ୍ତର ବିଦୀର୍ଣ୍ଣ ହୋଇଯାଏ । ଅତୀତ ଜୀଇଁ ଉଠେ ଚାହୁଁ ଚାହୁଁ-

 

ମାଆର କଥା ମନେପଡ଼ି ହାଇପାଇ ହୁଏ । ବାପ କିଏ ଜାଣି ନାହିଁ । ମାଆର ଆଦର ଯତ୍ନରେ ବଡ଼ ହୋଇଛି । ଅଭାବ ଅନାଟନ ଜାଣିବାକୁ ପାଇନାହାନ୍ତି ସେ । ସେଇ ମାଆକୁ ସେ ଆଘାତ ଦେଇ ଆସିଛି । ତାଙ୍କର ମଧୁମୟ ମନ ଆଜି ଅନୁତପ୍ତ ହୋଇ ପଡ଼ିଥିବ । ସେ ଯଦି ତାର ମନକଥା ବୁଝି ପାରିଥାନ୍ତେ, ତା’ ହେଲେ ଆଜି ଏ ଅଘଟଣା କାହିଁକି ଘଟନ୍ତା ।

 

ଗୀତା ! ଛି, ଛି ! ତା’ପରି ଜଣେ ଉଚ୍ଚ ଶିକ୍ଷିତର ସ୍ତ୍ରୀ ହେବା ଯୋଗ୍ୟ ନୁହେଁ ସେ । ଅତୀତକୁ ଅତୀତରେ ରଖିବାକୁ ଚାହେଁ ବସନ୍ତ । ଭବିଷ୍ୟତ ଗଢ଼ିବା ସ୍ୱପ୍ନ ଦେଖେ । ଭବିଷ୍ୟତକୁ ସୁନ୍ଦର ସରସ, ମଧୁମୟ କରିବାକୁ ମନ କରେ ।

 

ମାୟାର ସଂସାର । କେହି କାହାରି ନୁହନ୍ତି । ସେ କାହିଁକି ନିଜକୁ ପଙ୍କିଳ ପଥରେ ଚାଲିବା ପାଇଁ ଛାଡ଼ି ଦେବ ? କଥାରେ ଅଛି–

 

ମଣିଷ ଜୀବନ ଚିରସ୍ଥାୟୀ ନୁହେଁ

 

ବଞ୍ଚିଥିବ ଯେତେ ଦିନ

 

ସୁଖ ସଉଭାଗ୍ୟ ଭୋଗ କରିଯିବ

 

ନ ମଣିବ ତାକୁ ଆନ ।

 

ମାନସୀ ପରି ଗୋଟିଏ ଅପୂର୍ବ ସୁନ୍ଦରୀ ସର୍ବଗୁଣ ସଂପନ୍ନାକୁ ଛାଡ଼ି ଗୀତାକୁ ଆପଣାର କରିବାକୁ ଯିବ କାହିଁକି ? ସେ ତାର କେହି ନୁହେଁ । ବିବାହ କଲେ କେବଳ ସ୍ତ୍ରୀ ହୁଏନା । ମନ ମିଳିଲେ ବିବାହର ପ୍ରୟୋଜନ ନାହିଁ । ସେ ଭୁଲିଯିବାକୁ ଚାହେଁ ଗୀତାକୁ ।

 

ମାନସୀ ଆଜି ବିଚଳିତା । ତା’ର ଅଶାନ୍ତ ମନ କାହାର ପରଶରେ ପାଗଳ । ବସନ୍ତ ବୁଝିପାରି ମାନସୀକୁ କୋଳକୁ ଟାଣିଆଣି କହିଲା–

 

ମାନସ ରାଣୀ ଗୋ ମାନସ ମୋର

 

କିଣି ନେଇ କିମ୍ପା କରୁଛ ପର ।

 

ନ ହେଲା କି ସମସରି

 

ମାନସୀ ସୁନ୍ଦରୀ

 

ରୂପ କୁମାରୀ ଗୋ

 

ମୁହଁ କର ଭାରି ଭାରି ।

 

ପ୍ରିୟର ମଧୁଝରା କଥାରେ ଆତ୍ମବିଭୋର ହେଲା ପ୍ରିୟତମା । ଉଷ୍ଣ ପରଶରେ ରୋମାଞ୍ଚିତ ହୋଇଉଠିଲା ଦେହ ମନ । ଲାଜରେ ଲାଲ ହୋଇଗଲା ମୁହଁ । କମ୍ପି ଉଠିଲା ଉର୍ଦ୍ଧ୍ୱ ବୁକୁସ୍ଥଳ । ମୃଗ ନୟନକୁ ଫେରାଇ ଆଣିଲା ।

 

ଚଞ୍ଚଳ ହେଲା ବସନ୍ତ ।

 

ବସନ୍ତ ଅଶାନ୍ତ ହୋଇପଡ଼ିଲା । ମାନସୀର ଗଣ୍ଡଦେଶକୁ ଗୋଟିଏ ହାତରେ ଧରି ଚାହିଁ ରହିଲା ଭୋକିଲା ଆଖିରେ । ସୋହାଗ ଭରି ସ୍ୱରରେ ଡାକିଲା–ମାନସୀ ।

 

–ମାନସୀ କଟାକ୍ଷ ହାଣିଲା ।

 

–କ’ଣ ଭାବୁଛ ?

 

–କିଛିନା ।

 

–ତେବେ ?

 

–କ’ଣ !

 

–ଏପରି ମନମରି ହୋଇ ବସିଛ କାହିଁକି ? ଏମିତି ?

 

–କହିବନି ତ ?

 

ମାନସୀ ପୁଣି ଚାହିଁଲା ବସନ୍ତ ମୁହଁକୁ । କେତେ କ’ଣ କହିଯିବାକୁ ଇଚ୍ଛାହେଲା । କିନ୍ତୁ ମୁହଁ ଖୋଲି କହିବାକୁ ଶକ୍ତି ପାଇଲା ନାହିଁ । ମୁକଙ୍କପରି ଚାହିଁ ରହିଲା କେବଳ ।

 

ବସନ୍ତ ପୁଣି ଡାକିଲା–ମାନସୀ !

 

–ଉଁ !

 

–ତମକୁ ଅଶାନ୍ତ ଦେଖୁଛି ମାନସୀ !

 

ଏଥର ସ୍ଥିର ହୋଇ ରହିପାରିଲା ନାହିଁ ମାନସୀ । କଣ୍ଠ ଥରି ଉଠିଲା । କହିଲା ତୁମେ ଏତେ ପାଷାଣ ବସନ୍ତ ! ତୁମେ ପୁରୁଷହୋଇ ନାରୀର ମନ ବୁଝି ପାରିଲ ନାହିଁ । ତୁମେ ପରା ଲେଖକ କେତେ ମନଗଢ଼ା ମନ ଗଢ଼ୁଛ ? ହେଲେ ଗୋଟିଏ ମନକୁ ବୁଝିବା ପାଇଁ ତୁମର ଏତେ ବିଳମ୍ବ କାହିଁକି ?

 

ଚମକିତ ହେଲା ବସନ୍ତ । ମନତନ୍ତ୍ରୀର ବୀଣା ମୂର୍ଚ୍ଛନା ତୋଳିଲା ମାନସୀ ଆଜି ମନକଥା କହୁଛି । ନାରୀର ମନ ବୁଝିବା ଶକ୍ତି ଲୋପ ହୋଇଛି ମୋର । ଗୋଟିଏ ନାରୀ ମୋର ସମସ୍ତ ଅନୁଭୂତିକୁ ଲୋପ କରି ଦେଇଯାଇଛି । ଗୋଟିଏ ନାରୀକୁ ଲୁଣ୍ଠିତ କରିବ ? ଯଦି ନିଜର ବୋଲି ଜାଣନ୍ତି ତେବେ ମନ ବୁଝିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ତାହା ହେବାର ନୁହେଁ । ଏଇ ମାନସୀ ଦିନେ ଭୁଲିଯିବ ମୋତେ । ବରଂ ବଂଶ ମର୍ଯ୍ୟାଦା ଆଭିଜାତ୍ୟ ତାକୁ ଦୂରେଇ ନେବା ପାଇଁ ବାଧ୍ୟ କରିବ । ସେତେବେଳେ କିପରି ଅବସ୍ଥା ସୃଷ୍ଟି ହେବ ? ସମୟ ଥାଉ ଥାଉ ସମାଧାନ ହେବା ଦରକାର । ନ ହେଲେ ଦିନ ଦି’ପହରେ ବାଟ ହୁଡ଼ିବାକୁ ପଡ଼ିବ ।

 

ମାନସୀ ବସନ୍ତର ଭାବଗମ୍ଭୀର ମୁହଁ ଦେଖି ଲଜ୍ଜିତ ହେଲା । ତାର ହାତକୁ ଦୁଇ ପାପୁଲି ଭିତରେ ଦାବୀ କହିଲା–ମୁଁ ତୁମକୁ ଆଘାତ ଦେଇଛି ଆଜି । ମତେ କ୍ଷମା କର ।

 

ଦୀର୍ଘ ନିଶ୍ୱାସ ଛାଡ଼ିଲା ବସନ୍ତ ।

 

ମାନସୀ ବସନ୍ତ ହାତକୁ ନିଜ ଗଣ୍ଡ ଦେଶରେ ବୁଲେଇ ନେଲା । ବସନ୍ତ କହିଲା ମୋରି ପାଇଁ ତମ ମନରେ ଅଶାନ୍ତ ଝଡ଼ ବହିଛି ମାନସୀ । ସେଥିପାଇଁ ମୋର ଭାବନାର ଅନ୍ତ ନାହିଁ ।

 

ମାନସୀ ନୀରବରେ ଶୁଣିଲା ।

 

ବସନ୍ତ ମାନସୀର ସୁକୋମଳ ବାହୁ ଯୁଗଳକୁ ଧରି ଭିଡ଼ିଆଣି ତାର ପ୍ରଶସ୍ତ ଲଲାଟ ଉପରେ ଆଙ୍କିଦେଲା ସାନ୍ତ୍ୱନାର ଚୁମ୍ବନ । ବିରହିପ୍ରାଣା ମାନସୀ କ୍ଷଣକରେ ଭୁଲିଗଲା ନିଜକୁ । କହିଲା ଗୋଟାଏ କଥା ପଚାରିବି, ସତ କହିବି ତ ?

 

ମିଛ କହିବି କାହିଁକି ?

 

–ମୋ ରାଣ ପକାଉଛ ?

 

–ନିୟମରେ ପ୍ରୟୋଜନ କଅଣ ?

 

–ନାଁ ପ୍ରୟୋଜନ ଅଛି ।

 

–ବେଶ୍ । କୁହ ।

 

ମାନସୀ ଟିକିଏ ଭାବି କହିଲା–ତୁମ ସହିତ ମୋର ଯେଉଁ ଘନିଷ୍ଠ ସମ୍ପର୍କ ଅଛି, ତାହା କଣ ଚିରଦିନ ରହିବ ?

 

–ଏ କଥା ଆଜି କାହିଁକି ପଚାରୁଛ ?

 

–ପଚାରୁଛ ଏମିତି । ଆଜି ତମେ ଏଠି ଅଛ, କାଲି ଚାଲିଯିବ, ତାପରେ ତ ଏ ପରିଚ୍ଛେଦର ଇତି ।

 

–କେତେବେଳେ କଣ ଘଟିବ ଆଗରୁ ସେସବୁ ଭାବିବାରେ କି ଲାଭ ? ନଈ ନ ପଡ଼ୁଣୁ ଲଙ୍ଗଳା ?

 

–ତା ସତ ଯେ,ତେବେ ଆଶାନେଇ ତ ମଣିଷ ବଞ୍ଚି ରହେ । ମୁଁ ସେମିତି ଯେଉଁ ଆଶା କରିଛି ସେ କଣ ଆଶାରେ ରହିଯିବ । ତମେ ଭାବୁଥିବ ମୁଁ ନାରୀର ଭୂଷଣ ଲଜ୍ଜା ତେଜି ଏସବୁ କଥା କହୁଛି କିପରି ? କିନ୍ତୁ ମୁଁ ସ୍ଥିର କଥା ନ ଜାଣିବା ଯାଏ ବିଚଳିତ ହୋଇ ପଡ଼ୁଛି । ତୁମର ଏହି ଉଦାସୀନ ଭାବକୁ ମୁଁ ମୋଟେ ବରଦାସ୍ତ କରି ପାରୁନାହିଁ । ମେର ବନ୍ଧୁମାନେ ତମକୁ ନେଇ ଯାହା କହୁଛନ୍ତି ।

 

–କ’ଣ କହୁଛନ୍ତି ସେମାନେ ?

 

–ନା । ସେ ସବୁ କଥା ମୋ ମୁହଁରୁ ବାହାରିବନି । ତମେ କଣ ବୁଝିପାରୁନ ?

 

–ବୁଝି ପାରିଥିଲେ ବୁଝିବା ପାଇଁ ଚାହିଁଥାନ୍ତି କାହିଁକି ?

 

–ନାଃ ! ମୋଟେ ବୁଝୁ ନଥିବ ? ଚାଲାଖ ଆଉ କାହାକୁ କହନ୍ତି ?

 

–ମୁଁ ଯାହା ବୁଝିବି ସେତିକିରେ ତୁମେ ସନ୍ତୁଷ୍ଟ ନୁହଁ । ମୁଁ ତ ତୁମକୁ ଆଗରୁ କହୁଛି ମାନସୀ, ଆମର ସମ୍ପର୍କ କୌଣସି ଦିନ କ୍ଷୁର୍ଣ୍ଣ ହେବନାହିଁ ।

 

ବସନ୍ତର ପାପୁଲିରେ ଚୁମ୍ବନ ଦେଇ ମାନସୀ କହିଲା–ଏଇ କଥା ତୁମ ମୁହଁରୁ ଶୁଣି ଯେ କି ଆନନ୍ଦ ପାଇଛି, ସେ କଥା ଭାଷାରେ ପ୍ରକାଶ କରି ପାରିବିନି । ସତରେ, ତମକୁ ଛାଡ଼ିଲେ ମୋ ପିଣ୍ଡରେ ପ୍ରାଣ ରହିବ ନାହିଁ ।

 

ବସନ୍ତ ମାନସୀକୁ ନିଜ ପ୍ରଶସ୍ତ ବକ୍ଷ ଉପରେ ଭିଡ଼ି ଧରିଲା । କହିଲା–ଆଜି ଗୋଟିଏ ଗୀତ ଶୁଣେଇବ ମାନସୀ । ହସି ହସି ମାନସୀ ବସନ୍ତର ବାହୁବନ୍ଧନରୁ ମୁକ୍ତ ହୋଇଯାଇ ତାନପୁରା ଧରି ଗାଇ ବସିଲା-

 

ଚୁପି ଚୁପି କାନେ କାନେ

କହିଯା ତୁ ମଳୟରେ

ଧୀରେ ଧୀରେ

ସଞ୍ଜୁଆ ଅନ୍ଧାର ବେଳାରେ ।୧।

 

ବିରହୀ ମୁଁ ଝୁରେ ବସି

ପ୍ରିୟ ଆଶେ ଦିବା ନିଶି

ଗୋପନ ଅଳୟେ ବସି

ଗୁନ୍ଥିଛି ସୁମନ ମାଳାରେ ।୨।

 

କେତେ ଯେ ଗୋପନ କଥା

ସ୍ମରି ସ୍ମରି ତାପେ ବ୍ୟଥା

ପାଇ ଚମକି ଉଠେ ମୁଁ

ପ୍ରିୟ ପର କରି ଦେଲେ

ବୁଡ଼ିଯିବ ଭେଳାରେ ।୩।

 

ସଙ୍ଗୀତ ସୁରର ମୁର୍ଚ୍ଛନାରେ ଢଳି ପଡ଼ୁଥିଲା ଆତ୍ମବିଭୋର ମାନସୀ । ରାଗିଣୀର ତାନ ଭାଙ୍ଗି ଥିଲା ମଝିରେ ମଝିରେ । ବସନ୍ତ ବସି ବସି ଉପଭୋଗ କରୁଥିଲା ସେଇ ବେସୁରା ସ୍ୱର । ବେଳେ ବେଳେ ଆନନ୍ଦରେ ଅତିଶଯ୍ୟାରେ ହାତ ତାର ବାଉଳା ହୋଇ କାହାର ସନ୍ଧାନ କରିଥିଲା ମାନସୀର ବକ୍ଷସ୍ଥଳରେ ।

 

ଏମାନଙ୍କର ଆମୋଦରେ ବାଧାଦେଲେ ସୁହାସିନୀ ଦେବୀ । ଘରକୁ ଆସି କହିଲେ–କିରେ ମାନୁ ! ଆଜି ତମର ଖାଇବା ପିଇବା ହେବ ନାହିଁ ନା କଣ ?

 

ଦୁହେଁ ପ୍ରକୃତିସ୍ଥ ହୋଇ ଦୂରେଇ ବସିଲେ ।

 

ଦଶଟା ବାଜିଗଲାଣି ସେତେବେଳକୁ ରସଭଙ୍ଗର କରୁଣ ମନବ୍ୟଥା ନେଇ ଉଠିଗଲେ ଦୁହେଁ ।

 

ପ୍ରଭାମୟୀ ଦେବୀ କନ୍ୟାସମ ବଧୂର ଆଖିର ଲୁହ ପୋଛି ଦେଲେ ନିଜ ପଣତ କାନିରେ ।

 

ତାଙ୍କ ଅବସ୍ଥା ଆଜି ଅତି ବେଦନା ଦାୟକ । ପୁତ୍ର ଛଡ଼ା ମାତା ଆଜି ପାଗଳିନୀ, ମନ ତାଙ୍କର ଭାବନାରେ ଭାରାକ୍ରାନ୍ତ । ଯେଉଁଠି ବସିଛନ୍ତି ଉଠିବାକୁ ଚାହୁଁ ନାହାନ୍ତି । ଦେହରେ ଆସିଛି ଦୁର୍ବଳତାର ଲକ୍ଷଣ । ଦିନରାତି ଆଖି ଶୁଖିବାକୁ ନାହିଁ । ନିଜ ଅବସ୍ଥାଠାରୁ ବୋହୂର ଦୁରାବସ୍ଥା ଦେଖି ଆହୁରି ବେଦନା ଅନୁଭବ କରୁଅଛନ୍ତି । ଏଣେ ଝିଅଟିର ବିବାହ ଯୋଗ୍ୟ ବୟସ ଗଡ଼ି ଯାଉଛି । ତାକୁ କିପରି ପାର କରିବେ ସେ ଚିନ୍ତା ମଧ୍ୟ ଘାରୁଛି । ପୁଅ ବି ଆଉ ତାଙ୍କ କଥା ମନେ ପକେଇ ଘରକୁ ବାହୁଡ଼ି ନାହିଁ । ଏହିପରି ବାର ଭାବନାରେ ସେ ମ୍ରିୟମାଣ ।

 

ତଥାପି ତାଙ୍କୁ ଶକ୍ତ ହୋଇ ଚାଲିବାକୁ ପଡ଼େ । କାରଣ ଘରର ଖୁଣ୍ଟ ଢଳି ପଡ଼ିଲେ ଘର ରହିବ ନାହିଁ । ସବୁ ଆଡ଼କୁ ନଜର ନ ଦେଲେ ସେ ତାଙ୍କର ସୁନାର ସଂସାର ଭାଙ୍ଗି ଛାରଖାର ହୋଇଯିବ । ବୋହୂକୁ ବୁଝାନ୍ତି । ଝିଅକୁ ଶାସନ କରନ୍ତି । ଘର ସଂସାର ଦେଖନ୍ତି । ହାତରେ ଯାହା ପୁଞ୍ଜିଥିଲା ସେ ସବୁ ଧୀରେ ଧୀରେ ସରି ଆସୁଛି । ବସି ଖାଇଲେ ନଈ ବାଲି ନିଅଣ୍ଟ ପଡ଼େ । ଆସିବ କୁଆଡ଼ୁ ?

 

ପୁଅକୁ ବଡ଼ ଭରସା କରି ଚାହିଁ ରହିଥିଲେ ଯେ, ଶେଷବେଳକୁ ସେ ଦଗାଦେଲା ।

 

ଅନୁତାପରେ ଭାଙ୍ଗିପଡ଼ନ୍ତି ସେ । ଏକ ପୁଅ ପାଇଁ କଣ ନ କରିଅଛନ୍ତି ? ନିଜ ପେଟରେ ଓଦାକନା ଦେଇ ପୁଅକୁ ଖୋଇପେଇ ବଡ଼ କରିଛନ୍ତି । ପଢ଼ା ସରାଞ୍ଜମ ଯୋଗାଇଛନ୍ତି । ମନେ କରିଥିଲେ,–ପୁଅ ଯୋଗ୍ୟ ହେଲେ ତାଙ୍କର ସବୁ ଧନ ସମ୍ପତ୍ତି । କିନ୍ତୁ ପୁଅ ଯୋଗ୍ୟ ହୋଇ ବି....ଆଖି କୋଣରେ ଲୁହ ଦେଖାଯାଏ ।

 

ଗୀତାକୁ ତା’ ବାପ ଘର ନେଇ ଯାଇଥିଲେ । ପୁଣି ଆଣି ଛାଡ଼ିଦେଇ ଯାଇଛନ୍ତି । ଦି’ଦିନ ବାଦ୍ ଶାଶୁଘରକୁ ଆସିବାପାଇଁ ଉଚ୍ଛନ୍ନ ହୋଇ ପଡ଼େ । ଶାଶୁ ନଣନ୍ଦଙ୍କ କଥା ଅହରହ ମନେ ପଡ଼େ-। ବାପା ମା ଯେମିତି କେତେ ପରରେ ପର । ଯେତେ ଦୁଃଖ କଷ୍ଟ ହେଉ ପଛେ ଶାଶୁ ଘର ତା’ର ଆପଣାର । ସେଇ ତା’ର ସ୍ୱର୍ଗ । ବାପ ମା ଜନ୍ମ ଦେଇ ଖଲାସ । କର୍ମଫଳ ଶାଶୁଘରେ ।

 

ମା’ ପଚାରନ୍ତି ଜ୍ୱାଇଁ କଥା । ଗୀତା ସବୁ କଥା ଗୋପନ ରଖେ-। ନିଜ ପତିର ନିନ୍ଦା ମୁହଁରେ ଆଣିବ କେମିତି ? କହେ–ସେ କଥା ମୁଁ କି ଜାଣେ ? ବୋଉ ସବୁ ଖବର ଅନ୍ତର ଜାଣନ୍ତି-

 

ବହୁ ଚେଷ୍ଟା କରିଛନ୍ତି ସେଇ ଜ୍ୱାଇଁ ଖବର ଶୁଣିବାକୁ । ହେଲେ ଗୀତାର ସେଇ ଗୋଟିଏ କଥା । ତାଙ୍କ ଖବର ମତେ କିମିତି ଜଣା ହବ ? ବରଂ ବଢ଼େଇ ଗୁଣ ବଖାଣେ ସାଙ୍ଗସାଥୀମାନଙ୍କ ଆଗରେ । ଶାଶୁ ନଣନ୍ଦ ପ୍ରଶଂସା କରେ ।

 

କିନ୍ତୁ ସେ ସବୁ ଅଛପା ରହେ ନାହିଁ ଗୀତାର ବାପା ଅଜୟ ବାବୁଙ୍କ ଆଖିରେ । ଅଜୟବାବୁ ମାମଲତକାର ମଣିଷ । ମଣିଷ ମୁହଁ ଦେଖି ତାର ନାଡ଼ି ନକ୍ଷତ୍ର ବାରି ନିଅନ୍ତି । ସେଥିପାଇଁ ଆଖ ପାଖ ଗାଁରେ ସେ ନାମଜାଦା । ନ୍ୟାୟ ନିଶାପରେ ପାଞ୍ଚଜଣ ଡାକନ୍ତି ତାଙ୍କୁ । ଭଗବାନ ଧନରେ ବି ଊଣା କରି ନାହାନ୍ତି ତାଙ୍କୁ । ବର୍ଷେ ଅମଳ ହେଲେ ତିନି ବର୍ଷ ସେଥିରେ ଚଳିଯାଏ । ଆମ୍ବ ନଡ଼ିଆ କରି ଯାହା ଅଛି ସେଥିରେ ବର୍ଷରେ କିଛି ଉପାର୍ଜନ ହୁଏ ।

 

ତାଙ୍କ ଆଖିରେ ଝିଅର ଦଶା ଅଛପା ନ ରହିବାରୁ ଦିନେ ସମସ୍ତଙ୍କ ଅଗୋଚରରେ କଟକ ଯାଆନ୍ତି ଜୋଇଁଙ୍କ ପାଖକୁ । କିନ୍ତୁ କୌଣସି ଜବାବ ପାଆନ୍ତି ନାହିଁ ବସନ୍ତ ମୁହଁରୁ । ଶାଶୁଘର ସମ୍ମାନଟିକକକୁ ବି ପାଆନ୍ତି ନାହିଁ । ଅପମାନିତ ହୋଇ ବ୍ୟଥିତ ହୃଦୟରେ ଘରକୁ ଫେରନ୍ତି । ମନେ ମନେ ଠିକ୍ କରନ୍ତି–ଝିଅକୁ ଅନ୍ୟ ସତ୍‍ପାତ୍ରଟିଏ ଦେଖି ତା ହାତରେ ଟେକି ଦେବେ ।

 

ଝିଅ ଜାଣିପାରେ ଏ କଥା । ଆଖି ଲୁହରେ ବୁକୁ ଭସାଇ ବୋଉକୁ କୁହେ–ଏ ପାପ କଥା ମୁହଁକୁ ଆସୁଛି କେମିତି ତମର ବାପ ମା ହୋଇ ? ମୁଁ ଅନ୍ୟ ପତି କିପରି ଗ୍ରହଣକରି ଅସତୀ ହେବି ? ତାଠାରୁ ମତେ ଜୀବନରେ ମାରି ଦିଅ ଯେ ତୁମ ବାଟରୁ କଣ୍ଟାଯିବ ।

 

ଝିଅ କଥା ଶୁଣି ମା ଦୁଃଖରେ ଭାଙ୍ଗି ପଡ଼ନ୍ତି । କିନ୍ତୁ ସ୍ୱାମୀଙ୍କ ଜିଦ୍ ଦେଖି ନୀରବ ରୁହନ୍ତି-। ଅଜୟବାବୁଙ୍କର ଗୋଟିଏ କଥା–ଝିଅକୁ ଅନ୍ୟ ସ୍ଥାନରେ ବିବାହ ଦେବେ । ତାଙ୍କପରି ଲୋକଙ୍କୁ ଯେଉଁ ଜୋଇଁ ଅପମାନ କରିଛି, ସେ ଜୋଇଁର ମୁହଁ ଚାହିଁବେ ନାହିଁ ।

 

ଭୟରେ କିଛି କହି ପାରିଲା ନାହିଁ ଗୀତା । କି ଉପାୟ ତାର ? କାହିଁକି ସେ ମରିବାକୁ ଆସିଥିଲା ବାପଘରକୁ ? ନିଜ ଅନ୍ତର ବେଦନା କାନ୍ଦି କାନ୍ଦି ଠାକୁରଙ୍କୁ ଜଣାଏ । ସେଇ ପାରିଲେ ରକ୍ଷା କରିପାରିବେ ।

 

ତା’ ପରଦିନ ଗୋପନରେ ଚାଲିଆସିଲା ଶାଶୁ ଘରକୁ ସବୁ ଲାଜ ସରମକୁ ପରିତ୍ୟାଗ କରି ।

 

ଏ କଥାରେ ଅଜୟବାବୁଙ୍କ ରାଗ ପଞ୍ଚମକୁ ଉଠିଗଲା । ସବୁ ରାଗ ଆସି ଝିଅ ଉପରେ ରୁଣ୍ଡ ହେଲା । ତାଙ୍କରି ଝିଅ ହୋଇ ଏପରି କାଣ୍ଡ କରିପାରିଲା କିପରି ? କେତେ ଅବାଧ୍ୟ କୁଳାଙ୍ଗାର ଝିଅ । ଯାଉ ସେ । ମରୁ ପଛକେ ଆଉ ତାକୁ ଲୋଡ଼ିବେ ନାହିଁ । ତାଙ୍କ ଉଠିଲା ମୁଣ୍ଡକୁ ନୋଇଁଛି ଯେ, ମୁହଁ ଆଉ ଚାହିଁବେ ନାହିଁ ।

 

କିନ୍ତୁ ଗୀତାର କି ଉପାୟ ଥିଲା ? କିପରି ସେ ବାପ ମାଙ୍କୁ ଖୁସି କରିଥାନ୍ତା ନିଜ ସତୀ ପଣରେ କଳଙ୍କ ଲେପି ? ନା ? ସେ ହିନ୍ଦୁ ନାରୀ । ସ୍ୱାମୀ ତାର ଆଜି ଚାହୁଁ ନାହାନ୍ତି ବୋଲି କ’ଣ ସବୁଦିନେ ଏପରି ରହିବେ ? କିପରି ଜାଣି ଜାଣି ସେ ମହା ପାତକ ଅର୍ଜିବ ?

 

ସ୍ୱାମୀ ହେଉଛି ନାରୀର ସର୍ବସ୍ୱ ! ଇହକାଳ, ପରକାଳ । ବଞ୍ଚିଥିବା ଯାଏ ତାଙ୍କୁ ଅପେକ୍ଷା କରି ରହିବ । ଅନ୍ୟ କର୍ମରେ ଲିପ୍ତ ହେବ ନାହିଁ । ପତି ନିନ୍ଦା କରିବ ନାହିଁ । ବାପ, ମା’ ଯାହା ଭାବନ୍ତୁ ପଛକେ-

 

ଅନେକଦିନ ବିତି ଯାଇଛି ଏହା ଭିତରେ । ଗୀତା ଶାଶୁ ଘରେ ରହି ବାପାମା’ଙ୍କୁ ଭୁଲି ପାରୁନି । ଶାଶୁ ନଣନ୍ଦଙ୍କ ଆଦର ଯତ୍ନ ଭିତରେ କି ବାପା ମାଙ୍କୁ ସ୍ମରଣ କରୁଛି । କିନ୍ତୁ ଶାଶୁଙ୍କର ଅଧୈର୍ଯ୍ୟ ଭାବ ଦେଖି ମନ ବଳ ତାର ଭାଙ୍ଗି ଯାଉଛି । ସେଇତ ତାର ଏକମାତ୍ର ଭରସା ।

 

ପ୍ରଭାମୟୀ ମଧ୍ୟ ବୋହୂର ଦଶା ଦେଖି ଅସ୍ଥିର ହୋଇ ପଡ଼ନ୍ତି । ବୁକୁରେ ଶେଲବିଦ୍ଧ ହୁଏ ତାଙ୍କର ।

 

ଏଇତ ସେଦିନର କଥା । ସ୍ୱାମୀଙ୍କର ଶେଷ ନିଶ୍ୱାସ ତ୍ୟାଗ ବେଳର କଥା । ସନ୍ତାନମାନଙ୍କ ପାଇଁ କି ଭାବନା ? ସେଦିନ କହିଥିଲି–ବୁଝିଲ ବସନ୍ତବୋଉ ! ପିଲାଙ୍କର ଯେପରି ଅଣହେଳା ନହୁଏ । ମୁଁ କିଛି କରିପାରିଲି ନାହିଁ ? ତମେ ତାଙ୍କର ବାପ ମା ହୋଇ ରହିଲ । ମୁଁ ରହିଲି ନାହିଁ ! ସେମାନଙ୍କୁ ତମ ହାତରେ ଦେଇଗଲି । ତାଙ୍କୁ ନେଇ ତମେ ମତେ ଭୁଲିଯିବ ।

 

ଆଜି ବି ସେସବୁ କଥା ମାନସ ପଟରେ ଅଙ୍କିତ ଅଛି । କିନ୍ତୁ ସେ ଦିନ କାହିଁ ? ଆଜି ସବୁ ଉଭେଇ ଯାଇଛି । ଶେଷ ଅବସ୍ଥାରେ ବି ସାମାନ୍ୟ ଶାନ୍ତି ଅନୁଭବ କରିପାରିଲି ନାହିଁ । ଯଦି ବସନ୍ତଟା ମଣିଷ ହୁଅନ୍ତା; ଘରସଂସାର କରନ୍ତା, ତା’ହେଲେ ବା କ’ଣ ହୁଅନ୍ତା, ହତଭାଗିନୀ ଅନିତା ମୁହଁକୁ ଆଉ ଅନେଇ ହେଉନାହିଁ । ଭଗବାନ ! ଏପରି କାହିଁକି କଲେ ? କାହିଁକି ସମସ୍ତ ଆଶାଭରସାକୁ ଜାଳିପୋଡ଼ି ଭସ୍ମ କରିଦେଲେ ? ଯେଉଁ ସୁନାର ସଂସାର ଗଢ଼ିବାକୁ ଆଶା କରିଥିଲି ସବୁ ଭାଙ୍ଗି ଧୂଳିସାତ୍ ହୋଇଗଲା ?

 

ବୋହୂଟି କେତେ ଶାନ୍ତ, କେଡ଼େ ଲକ୍ଷ୍ମୀବନ୍ତ । କେଡ଼େ ଧୀର ସ୍ଥିର କଥା ଭାଷା ଓ ଚାଲିଚଳଣ । ଏ ବୋହୂ ବସନ୍ତ ମନକୁ ପାଇଲା ନାହିଁ ? ଯେଉଁ ବୋହୂକୁ ଶତ୍ରୁ ଦେଖିଲେ ଘଡ଼ିଏ ଚାହିଁବ, ତାକୁ ସେ ଆଡ଼ ଆଖିରେ ଚାହିଁଲା ନାହିଁ । ଏଡ଼ିକି ଅବିବେକୀ ହେଲା କିପରି ସେ ?

 

କି ଉପାୟ ଅଛି ତାଙ୍କର ? ଏଣେ ଝିଅଟା ବେଳକୁ ବେଳ ବୁଢ଼ୀ ହେଉଛି । ଆଜିକାଲି ଝିଅଟିଏ ବାହା ଦେବା ବ୍ୟୟ ସାପେକ୍ଷ । ତଥାପି ତାକୁ ଘରେ ରଖି ହେଉ ନାହିଁ ।

 

ହତାଶରେ ଘୂରି ବୁଲନ୍ତି ପ୍ରଭାମୟୀ । ଝିଅ ବୋହୂଙ୍କୁ ଚାହିଁଲେ ଛାତି ଫାଟି ଯାଉଛି । ଇଚ୍ଛା ହେଉଛି ଜୀବନ ହରେଇ ଦେବା ପାଇଁ । କିନ୍ତୁ ମାୟା ତୁଟେଇ ପାରୁଛନ୍ତି କେଉଁଠି ?

 

ଏସବୁ ନିୟତିର ନିୟମ ! କାହାକୁ ଅମୀର ତ କାହାକୁ ଫକୀର କରୁଛି ସେହି । ଦୁଃଖୀକୁ ଆହୁରି ଦୁଃଖ ଦେଉଛି । ସୁଖୀକୁ ଆହୁରି ସୁଖ ଦେଉଛି ।

 

ହେ ଭାଗବାନ ! ବସନ୍ତର ସୁବୁଦ୍ଧି ହେଉ । ଭଙ୍ଗା ସଂସାର ପୁଣି ଗଢ଼ି ହେଉ । ଝାଉଁଳା ମନ ପୁଣି ସରାଗରେ ଭରି ଉଠୁ ।

 

ସେ ଦିନ ଖଣ୍ଡେ ଚିଠି ଦେଇଥିଲା ବସନ୍ତ । ଲେଖିଥିଲା–

 

ପୂଜନୀୟ ଜନନୀ !

 

ତୋର ସରଳ ପ୍ରାଣରେ ମୁଁ ଯେଉଁ ଆଘାତ ଦେଇଛି, ତାହାର ପରିଣାମ ମୋତେ ଭୋଗିବାକୁ ହେବ । ମୁଁ ତୋର ହତଭାଗ୍ୟ ସନ୍ତାନ ହେତୁ ହେବା ପୂର୍ବରୁ ବାପାଙ୍କୁ ହରାଇ ତୋ’ରି କୋଳରେ ମଣିଷ ହୋଇଛି । ତୋର ଆର୍ଶୀବାଦ ଲଭି ମୁଁ ମଣିଷ । ତୋ ପଦତଳେ ମୋର ଭକ୍ତି କୌଣସି ଦିନ ତୁଟିବ ନାହିଁ । ଦେବୀ ମାତୃକାର ଋଣ କୌଣସି ସନ୍ତାନ ପରିଶୋଧ କରିପାରେ ନାହିଁ । ତୁମେ ମୋର ଜନ୍ମଦାତ୍ରୀ, କିନ୍ତୁ ଆପଣାର କୁକର୍ମ ଫଳ ନେଇ ଯାହା ଭାଗ୍ୟରେ ଲେଖାଅଛି, ତାହା ସତେ ଭୋଗିବାକୁ ହେବ । ତାକୁ କେହି ଖଣ୍ଡନ କରିପାରିବ ନାହିଁ । ମୋ ଜୀବନରେ ଶାନ୍ତି ସମ୍ଭୋଗ ନାହିଁ । ଅଶାନ୍ତ ହତାଶର ଆବେଷ୍ଟନୀ ଭିତରେ ମତେ ଚିରଦିନ ହା-ହୁତାସରେ ବଞ୍ଚିବାକୁ ହେବ । ତାର ଗ୍ରାସ ମୁଖରୁ ମୋର ଉଦ୍ଧାର ନାହିଁ ।

 

ମୁଁ ଛନ୍ଦଛଡ଼ା ହୋଇ ଆଜି ଘୂରି ବୁଲୁଛି । ଆହା କହିବାକୁ କେହି ନାହିଁ । ମୁଁ ଦୁନିଆରେ ଘୃଣା ଓ ଉପହାସର ପାତ୍ର । ତୁମେ ମଧ୍ୟ ସେଥିରୁ ବାହାର ହୋଇ ନଥିବ । ମୋ ମନରେ ଯେଉଁ ଆଘାତ ଲାଗିଛି; ସେ ଆଘାତ ତୁମ୍ଭେମାନେ ଦେଇଛ । ଗୋଟିଏ ନିପଟ ମଫସଲି ଅଶିକ୍ଷିତା ସହିତ ମତେ ଛନ୍ଦି ଦେଇ ସରସ ଜୀବନକୁ ମୋର ବିରସ କରିଛ । ଏ ଜୀବନରେ ମୁଁ ସୁଖୀ ହୋଇପାରିଲି ନାହିଁ । କିନ୍ତୁ ତୁମକୁ ଭୁଲି ପାରିବି ନାହିଁ । ତମ ପାଇଁ ପ୍ରାଣ ମୋର ଚିରଦିନ କାନ୍ଦୁଛି । ଈଶ୍ୱରଙ୍କୁ ଡାକ । ଦିନେ ଯେପରି ତମରି ବାହୁଛାୟା ତଳେ ଟିକିଏ ଆଶ୍ରୟ ଲଭିବା ପାଇଁ ମୁଁ ବାଉଳା ହୋଇ ଦୌଡ଼ିବି ।

 

ଜନନୀ ! ତମର ପ୍ରୟୋଜନରେ ମୁଁ ଲାଗି ପାରିଲି ନାହିଁ । ଏହି ମୋ ଜୀବନରେ ବଡ଼ ଦୁଃଖ । ତୁମ ପାଇଁ ମୁଁ ବୁକୁ ଚିରି ରକ୍ତ ଦେବାକୁ ପ୍ରସ୍ତୁତ । ତଥାପି ଜାଣି ଜାଣି ମୁଁ ଶିକ୍ଷା ଦୀକ୍ଷାର ଆଦର୍ଶକୁ ଜଳାଞ୍ଜଳି ଦେଇପାରିବି ନାହିଁ । ଗୀତା କୁ ମୋର ସ୍ତ୍ରୀ ବୋଲି କୌଣସି ମତେ ଗ୍ରହଣ କରିପାରିବି ନାହିଁ ।

 

ଅନିତା ଭାବନା ତୁମେ କରିବ ନାହିଁ । ତାହାରୀ ଉପଯୁକ୍ତ ପାତ୍ର ସନ୍ଧାନରେ ମୁଁ ଅଛି । ଯଥା ସମୟରେ ତାହାକୁ ସତ୍‍ପାତ୍ରରେ ଅର୍ପଣ କରିବି । ତାକୁ ମୋ ଅନ୍ତରର ସ୍ନେହ ଜଣାଇ ଦେବ-। ତୁମେ ମୋର ଭକ୍ତିର ସାଷ୍ଟାଙ୍ଗ ପ୍ରଣାମ ନେଇ ମତେ ଭୁଲିଯିବାକୁ ଚେଷ୍ଟା କରିବ । ଇତି ।

 

ତୁମର ହତଭାଗ୍ୟ

ବସନ୍ତ

 

ଚିଠି କଥା ମନେ ପଡ଼ିବାରୁ ପ୍ରଭାମୟୀଙ୍କ ଆଖିରୁ ଲୁହ ଝରି ପଡ଼ିଲା । ଗୀତାକୁ କୋଳକୁ ନେଇ ସସ୍ନେହେ କହିଲେ–କେଉଁ ଜନ୍ମରେ ତୁମେ ମୋ ପେଟରେ ଝିଅ ଥିଲ ବୋହୂ ! ଏ ଜନ୍ମରେ ବୋହୂ ହୋଇ ଆସିଛ । ତୁମପରି ସାକ୍ଷାତ ଲକ୍ଷ୍ମୀ ପ୍ରତିମା ବୋହୂ ପାଇ ଶାନ୍ତି ପାଇଲି ନାହିଁ, ଏହା ମୋହର ଦୁର୍ଭାଗ୍ୟ । ତୁମେ ଅଧୈର୍ଯ୍ୟ ହୁଅ ନାହିଁ ବୋହୂ । ଭାଗ୍ୟଲିଖନ ନିଶ୍ଚୟ ଫଳିବ । ଠାକୁରଙ୍କୁ ଡାକ ! ସେଇ ଯେବେ ଦୁଃଖ ଘୁଞ୍ଚାଇବେ । ବସନ୍ତ ପରି ପୁଅ ଯେ ଏପରି କୁଳାଙ୍ଗାର ହେବ ମୁଁ ସ୍ୱପ୍ନରେ ବି ଭାବି ନଥିଲି ।

 

ଶାଶୁଙ୍କର ଦୁଃଖ ଶୁଣି ବେଦନାରେ ଛାତି ଫାଟିଗଲା ଗୀତାର । ନିଜକୁ ଶକ୍ତ କରି ନେଇ କହିଲା–ବୋଉ ! ତୁମେ କାନ୍ଦିଲେ ତାଙ୍କର ଅମଙ୍ଗଳ ହେବ । ମଣିଷର କି ଚାରା ଅଛି କୁହ ? ଯାହା ଭଗବାନଙ୍କ ବରାଦ ଥିବ ତାହା ହେବ । ବାପ ମାଆ ସନ୍ତାନର ମଙ୍ଗଳ ଚାହାନ୍ତି, କିନ୍ତୁ କ’ଣ କରିପାରନ୍ତି ? ସେହିପରି ମୋର ଭାଗ୍ୟରେ ଯାହା ଲେଖା ଅଛି ତାହା ହେଉଛି । ନିନ୍ଦିବ କାହାକୁ ? ସେଥିପାଇଁ ବାପା ମାଆଙ୍କୁ ଛାଡ଼ି ଏଠି ପଡ଼ି ରହିଛି । ତୁମରି ସ୍ନେହ ଆଦର ପାଇ ବଞ୍ଚି ରହିଛି । ପତି ମୋର ଇହକାଳ ପରକାଳର ଦେବତା । ସେ ମୋତେ ନ ଚାହାନ୍ତୁ । କିନ୍ତୁ ମୁଁ ତ ତାଙ୍କର ଅମଙ୍ଗଳ ଚାହିଁବି ନାହିଁ । ଆଶୀର୍ବାଦ କର ବୋଉ ! ମଁ ଯେପରି ପତି ଭକ୍ତିରୁ ବଞ୍ଚିତ ନହୁଏ ।

 

ବୋହୂ କଥା ଶୁଣି ଆନନ୍ଦରେ ଫୁଲି ଉଠିଲା ପ୍ରଭାମୟୀଙ୍କ ବୁକୁ । ଏପରି ଗୁଣବନ୍ତ ବୋହୂ ଭାଗ୍ୟରେ ଥିଲେ ମିଳେ । ବସନ୍ତଟା ମଣିଷ ହେଲା ନାହିଁ । ଲକ୍ଷ୍ମୀ ପ୍ରତିମାକୁ ଗୋଡ଼ରେ ଆଡ଼େଇ ଦେଲା ।

 

ସେତେବେଳେ ଦୁହେଁ ଯେପରି ଅନନ୍ତ ଆନନ୍ଦ ମଧ୍ୟରେ ନିଜକୁ ମଜାଇ ଦେଇଥିଲେ ତାହାର ପଟ୍ଟାନ୍ତର ନାହିଁ ।

 

ଅନିତା ଆସି ଡାକିଲା–ଭାଉଜମ ! କି ଗପ କରୁଛ ବସି ବୋଉ ପାଖରେ । ଏଣେ ଆସନା ! ତମେ ଯଦି ବୋଉକୁ ଆବୋରି ବସିବ, ମୁ କ’ଣ କରିବି ଭଲା କହିଲ ?

 

ଗୀତା ଉଠି ଯାଉଁ ଯାଉଁ କହିଲା–ତମର ଏତେ ହିଂସା କାହିଁକି ଗୋ । ସେ ତମର ବୋଉ, ମୋର କ’ଣ କେହି ନୁହନ୍ତି ?

 

–ରାଗନିମ’ ଭାଉଜ ! ଆଜି ପରା ପରବ । ତୁମେ ତେଣେ ବସିଛ ମନ ମାରି, ଏଣେ ମୋ ସାଙ୍ଗମାନେ ପରା ବସିଲେଣି । ତୁମ ସାଥିରେ ଦୋଳି ଖେଳିବେ ବୋଲି ଅଡ଼ି ବସିଛନ୍ତି ।

 

–ଯାଃ ମୁଁ ବୋହୂ ହୋଇ ଦୋଳି ଖେିଳିବି ଗୋଟେ କ’ଣମ ? ତମେ ଯାଇ ଖେଳ । ଏଣେ ଘରର କେତେ କାମ ବାଜୀ ପଡ଼ିଛି ।

 

–ଉଃ ଖୁବ୍ ଚତୁରୀ । ଘରର ପାଇଟି ପରେ ହେବ । ତୁମେ ଆଗ ଆସିବଟି ।

 

ଭାଉଜ ମନ ଗହନରେ ଯେଉଁ ଜମାଟ ବନ୍ଧା ଦୁଃଖ ଅଛି, ସେକଥା ବୁଝେ ଅନିତା, ସେଥିପାଇଁ ତାର ମନ ଖେଳେଇ ରଖିବାକୁ ଚାହେଁ । ଭୂଲେଇବାକୁ ଚେଷ୍ଟା କରେ । ଗୀତା ମଧ୍ୟ ଅନିତାକୁ ଏପରି ସୁଖ ପାଏ ତେଣୁ, ତା’ କଥାକୁ କାଟି ପାରେନା ।

 

ଅନିତା ଷୋଡ଼ଶୀ ରୂପସୀ । ଅଙ୍ଗେ ଅଙ୍ଗେ ତାର ନବଯୌବନର ଉତ୍ତାଳ ଢେଉ । ଚମ୍ପାଫୁଲ ପରି ଅଙ୍ଗ । ପଦ୍ମଫୁଲ ପରି ମୁହଁ । ଯୌବନର କାଉଁରୀ ପରଶରେ ସେ ହୋଇଚି ଅନିନ୍ଦ୍ୟ । କେତେ ଆଶା, କେତେ ସ୍ୱପ୍ନ ! କେତେ ଗଢ଼ିବାର ସୁନେଲି ଭାବନା ।

 

ତାହାର ରୂପର ପସରା ଉପରେ ଦୃଷ୍ଟି ପଡ଼ୁଛି ଯୁବକଙ୍କର । ତା’ର ଚଞ୍ଚଳ ଚାହାଣୀ କରୀନ୍ଦ୍ର ଗମନ, ଅପୂର୍ବ ଦେହ ସୌଷ୍ଠବ ଗାଁର ଟୋକାଟୋକରାଙ୍କ ଆଖିରେ ଅମୃତ ବର୍ଷଣ କରୁଛି, ଚାହିଁ ରହନ୍ତି ତାକୁ ଦୁରରୁ । ମନେ ମନେ ନିଜର କରିବା ଆଶା କରନ୍ତି । ନିଜର ବାହାଦୁରୀପଣ ଦେଖେଇ ଦେଖେଇ କହିବାକୁ ମଧ୍ୟ କେହି କେହି ପଛାନ୍ତି ନାହିଁ ।

 

ସତେ ଯେପରି କେଉଁ ମୂଲକରୁ ରୂପର ପସରା ନେଇ ଆସିଛି ଅପୂର୍ବ ରମଣୀ ରତନଟି-

 

ଅନିତା ଶୁଣି ସରମରେ ରଙ୍ଗା ହୋଇଯାଏ । ଖୁବ୍ ବିରକ୍ତି ଅନୁଭବ କରେ । ଟୋକାଗୁଡ଼ାଙ୍କର ଟାହିଟାପରା ଦେହକୁ ତା’ର ବିଷାକ୍ତ କରିଦିଏ । ସୁଖ ବି ଅନୁଭବ କରେ, ନିଜର ପୂରିଲା ଦେହକୁ ଚାହିଁ ଆତ୍ମବିଭୋର ହୋଇଯାଏ । ମନ ସପନ ରାଇଜରେ ଉଡ଼ି ବୁଲେ ।

 

ଯୁବକଦଳ ପଛରେ ଲାଗନ୍ତି । ବେଳ ଉଣ୍ଡନ୍ତି ପଦେ କଥା କହିବାପାଇଁ । କିନ୍ତୁ ସାହସରେ କେହି କହିପାରନ୍ତି ନାହିଁ ।

 

ଖୁବ୍ ସାବଧାନୀ ଅନିତା । ସବୁବେଳେ ନିଜକୁ ଦୂରେଇ ରଖେ ସେମାନଙ୍କଠାରୁ । ସେ ବୁଛିଝି ଯୌବନର ପ୍ରଭାବ । ସ୍ୱାମୀ କ’ଣ ? ସ୍ୱାମୀ ସୁଖ ଆଉ ତାକୁ ଅଛପା ନାହିଁ । କାହିଁକି ନାରୀ ପୁରୁଷ ବିହୁନେ ବାୟାଣୀ ପ୍ରାୟ ଘୂରି ବୁଲେ, ସବୁ ଜଣା ତାକୁ । ସେଥିପାଇଁ ଭାଉଜ ମନ ବ୍ୟଥାରେ ସେ ଆାଘାତ ପାଏ ।

 

ସାନ୍ତ୍ୱନା ଦେବାକୁ ଚେଷ୍ଟା କରେ । ଭାଉଜଙ୍କର ମନଊଣା ଦେଖିଲେ ଛଳ ଅଭିମାନ କରି ବସେ !

 

ସେଦିନ ଭାଉଜ ଦୋଳି ଖେଳିବାକୁ ନଯିବାରୁ କହିଲା ଆଜି ଖେଳିବାକୁ ନ ଯାଅ ତା’ହେଲେ କୁଟା ଛିଣ୍ଡିବ ତୁମର ମୋର ।

 

ପ୍ରଭାମୟୀ ଦେବୀ ଦୁହିଁଙ୍କର ସଦଭାବ ଦେଖି ମନେ ମନେ ଗର୍ବ ଅନୁଭବ କରୁଥାନ୍ତି । ଆହା ! ନଣନ୍ଦ ଭାଉଜଙ୍କର ଅବିଚ୍ଛେଦ୍ୟ ସ୍ନେହ ବନ୍ଧନ । କି ଅକପଟ ଆତ୍ମୀୟତା । ବସନ୍ତ ପ୍ରକୃତରେ ହତଭାଗ୍ୟ । ତା ଭାଗ୍ୟରେ ନାହିଁ ଏ ସବୁ ଦୃଶ୍ୟ ଦେଖିବାପାଇଁ । ଆଖିରେ ତା’ର ପରଳ ଲାଗିଛି । ସେଥିପାଇଁ ଭଲକୁ ହୁଡ଼ି ଭେଲ ପଛରେ ଗୋଡ଼େଇଛି । ଦିନେ ତା’ର ଭ୍ରମ ଭାଙ୍ଗିବ । ସେଦିନ ସେ ବୁଝିବ ମରୀଚିକା ପଛରେ ଧାଇଁବାର ଫଳ । ସାଥିହରା ବେପଥୁ ପଥିକ ପରି ହା’ହୁତାଶ କରିବ ସେଦିନ ।

 

ପରକ୍ଷଣରେ ଚମକିତ ହେଲେ ପ୍ରଭାମୟୀ ! ଏ କି ପାଞ୍ଚୁଛନ୍ତି ସେ । ଗର୍ଭଧାରିଣୀ ହୋଇ ସନ୍ତାନର ଅମଙ୍ଗଳ କାମନା କରୁଛନ୍ତି ।

 

ଛି ! ଛି! କି ପାପ !

 

ଅନିତାର ସାଙ୍ଗଟିଏ ଆସି ଗୀତାକୁ ଟାଣି ନେଇଗଲା । ଶାଶୁ କହିଲେ–ଯା’ ମା ! ପିଲାଏ ଯେତେବେଳେ ଏତେ ଧରିଛନ୍ତି, ଘଡ଼ିଏ ଖେଳି ଆ ।

 

ଗୀତା ମିଶିଯାଏ ସେମାନଙ୍କ ସହିତ । କିଛିକ୍ଷଣ ପାଇଁ ଅନ୍ତରର ପୁଞ୍ଜିଭୂତ ବେଦନା ରାଶିକୁ ଭୁଲିଯାଏ ।

 

ଏହିପରି ଛୋଟ ସଂସାରର ଚକ ଗଡ଼ି ଚାଲେ । ତିନୋଟି ଆତ୍ମା କ୍ଷୀର ନୀର ସମ୍ବନ୍ଧ ପରି ଦିନପରେ ଦିନ ବିତେଇ ଦିଅନ୍ତି ।

 

ବସନ୍ତର ଜୋସ୍ନା ବିଧୌତ ସନ୍ଧ୍ୟା । ମୃଦୁ ମଳୟର ପାଉଁରୀ ପରଶ ମରମ ଘାରି ଉଠୁଛି, ଉତ୍ତଳା ହେଉଛି ପ୍ରିୟାର ପରଶ ପାଇଁ ।

 

ମାନସୀର ଆଜି ପ୍ରାଣ ଚଞ୍ଚଳ, ମନମତାଣିଆ ହୋଇଉଠିଛି । ଶିହରଣରତ ବୁକୁତଳେ ଅପୂର୍ବ ମାଦକତା କୁଳଲଙ୍ଘନ କରିବାକୁ ଚାହୁଁଛି । ଖୋଜୁଛି ମନେ ପ୍ରାଣେ ପ୍ରିୟ ଦରଶନ । ସେଥିପାଇଁ ବିରହ ଚାହାଣୀରେ ଭରି ଦେଉଛି ଥାନଟାକୁ–

 

ସଖିରେ ! କହି ଦେ ତା’ରେ ।

ଆଉ ସେ ନ ଆସୁ ଫେରି ମୋର ଦୁଆରେ ।

ଫଗୁଣର ମଧୁ ସନ୍ଧ୍ୟା ଯାଇଛି ଫେରି ।

ମୁକୁଳର କାନେ କାନେ ଭ୍ରମର ବଧୂ ।

ଢାଳିଛି କେତେ ସେ ତ ଅମୃତ ବାରି ।

ହାୟ ! ଫେରିଲେନି ମୋ–ମିତ ମୋର କୁଟୀର ।୧।

 

କୋକିଳ ଜାଣିଛି ସଖି ମିଳନ ପ୍ରତି

ତେଣୁ, ଗାଇଗଲା ମନସୁଖେ ମିଳନ ଗୀତି

ମଳୟ ହେଲା ଝରାଇ, ତା ମଧୁ ଧାରା

ଜାଣେନା ସେ ତ ମୁହିଁ, ଏକଲା ଅତି !

ହାୟ ! ଚହଟ ଚାନ୍ଦିନୀ ରୀତି ଗଲା ବିଫଳେ ।୨।

 

ଆକାଶେ ଆକାଶେ ଖାଲି ତାରାର ମେଳା,

ଆଉ ପୃଥିବୀ ବୁକୁରେ ମଧୁ ମେଲେ ପସରା

ବୁକୁ ମୋର ପଡ଼େ ଖାଲି ଶୂନ୍ୟ ନିଝମ,

ସହିତ ପାରୁନି ତା’ର ଗରଳ ଜ୍ୱାଳା

ହାୟ ! ଚାହେଁନା ସଖି ତାକୁ, ଚାହେଁନା ତାରେ ।୩।

 

ଗୀତ ଶେଷ ନ ହେଉଣୁ ଧୀରେ ଧୀରେ ପ୍ରବେଶ କଲା ବସନ୍ତ । ଆତ୍ମବିସ୍ମୃତା ମାନସୀ ଜାଣିପାରିଲା ନାହିଁ ତାର ଆଗମନ । ସଙ୍ଗୀତର ମୂର୍ଚ୍ଛନାର ଆତ୍ମହରା ହେଲା ବସନ୍ତ । ଛପି ଛପି ଯାଇ ମାନସୀର ଦୁଇ ଆଖିକୁ ମୁଦି ଧରି ଆବେଗଭରା କଣ୍ଠରେ କହିଲା–କାହାପାଇଁ ବିରହିଣୀ ସାଜିଛି ଅଭିସାରିକାର ବେଶ । କାହାପାଇଁ ଗୁମରି ଉଠେ ତୁବମ ଅନ୍ତରର କଥା ସଙ୍ଗୀତ ରୂପରେ-?

 

ପ୍ରକୃତିସ୍ଥ ହେଲା ମାନସୀ । ଲାଜବେଳା ମୁଖ ଆନତ କରି କହିଲା–ଯାହାପାଇଁ ମୋର ଏ ସାଧନା, ସେ ଅଛନ୍ତି ପାଖେ ପାଖେ ମୋର ।

 

ହସି ଉଠିଲେ ଦୁହେଁ । ସେ ହସର ମାଧୁର୍ଯ୍ୟରେ ଉଭୟଙ୍କ ଅନ୍ତର ପୂରି ଉଠିଲା । ବସନ୍ତ ପଚାରିଲା–ତମେ ସଙ୍ଗୀତ ଜାଣ, ଅଥଚ ମତେ ଜଣେଇ ନାହଁ ।

 

ହସର ଜୁଆର ଛୁଟାଇ ମାନସୀ କହିଲା–ଜାଣିବାକୁ ଚାହିଁନ ବୋଲି ଜଣେଇନି ।

 

–ତମେ କପଟ ଜାଣ ମାନସୀ !

 

ମାନସୀ ସୁଗୋଲ ମୁଖମଣ୍ଡଳ ଅଭିମାନରେ ଭରିଗଲା । ଆଖି ଛଳ ଛଳ କରି କହିଲା–ତୁମେ ଏକଥା କହି ପାରୁଛ ବସନ୍ତ ଭାଇ !

 

ବସନ୍ତ ନିଜ ରୁମାଲରେ ମାନସୀର ଲୁହ ପୋଛିଦେଇ ଅଧିର ଆବେଗରେ କହିଲା–ଆଉ ଦିନେ ଏପରି କହିବିନି । ତୋର ଏତେ ନରମ ପ୍ରାଣ ବୋଲି ଜାଣି ନଥିଲି ।

 

ସବୁ ଦୁଃଖ ଅପସାରିତ ହେଲା ମାନସୀ ମନରୁ । ଫିକ୍ କରି ହସି ଦେଲା ।

 

ସେହି ସ୍ୱର୍ଣ୍ଣଝରା ହସ ଦେଖି ବସନ୍ତ ଉତ୍ତଳା ଚିତ୍ତ ଚଞ୍ଚଳ ହୋଇ ଉଠିଲା । ଧିରେ ଧିରେ ମାନସୀକୁ ନିଜ ବକ୍ଷ ଉପରକୁ ଭିଡ଼ିଆଣି ତାର ଶୁପ୍ତ ଆକାଂକ୍ଷା ଜାଗରିତ କଲା । କ୍ଷଣକରେ ବାଉଳା ହୋଇ ଉଠିଲା ଯୁବତୀ ମନ ! ମନ ବୀଣା ମୋହନ ସୁରର ଝଙ୍କାର ତୋଳିଲା । ବାହାରେ ପହିଲି ସଞ୍ଜର ପରଶ । ବାତାୟନ ପଥ ଦେଇ ମଧୁ ମଳୟର ଯାତାୟାତ ଫୁଲତୋଡ଼ା ଉପରେ ମନଚୋରା ମଧୁକରର ପ୍ରିତୀ ସମ୍ଭାଷଣ ଗୁଞ୍ଜନ ।

 

ନିଶୂନ ଘରେ ଦୁଇ କିଶୋର କିଶୋରୀ । ଦୁହିଁଙ୍କ ମନରେ କିଛି ଦେବାର ଲାଳସା ଓ କିଛି ପାଇବାର ମଧ୍ୟ ଆଶା ।

 

ବସନ୍ତର ବାହୁଯୁଗଳ ଭିତରେ ନିଜକୁ ହଜେଇ ଦେବାପାଇଁ ଚାହୁଁଥିଲା ମାନସୀ ଓ ନିଜକୁ ମିଶାଇଦେବା ଅପେକ୍ଷାରେ ମଧ୍ୟଥିଲା ।

 

ସେତେବେଳେ ଯେ କି ପରମ ଆନନ୍ଦ ଅନୁଭବ କରୁଥିଲେ ସେ ଦୁହେଁ ତା ଭାଷାରେ ପ୍ରକାଶ କରିବା ଶକ୍ତି କାହାରି ନାହିଁ ।

 

ବସନ୍ତର ଅମାନିଆ ହାତଟା ଦରାଣ୍ଡି ହୋଇ ଆସିଲା ମାନସୀ ଦେହରେ । ଯୋଡ଼ିଏ ଆତ୍ମାର ମିଳନ ଲଗ୍ନ ପାଇଁ ଆତୁର ହୋଇ ଉଠିଥିଲା ସେ ।

 

କ୍ଳାନ୍ତ ଶ୍ରାନ୍ତ ଯେପରି ଦୁଇଜଣ । ଅବଶ ଦେହରେ ଆଳସ୍ୟର ପ୍ରତିଛବି । ସୁହାସିନୀ ଦେବୀଙ୍କ ଡାକରେ ଦୁହେଁ ଜଳଖିଆ ଖାଇ ପୋଷାକ ପାଲଟାଇ ଦେଲେ ।

 

ସୁହାସିନୀ ଦେବୀ ପ୍ରଶ୍ନ କଲେ.....କୁଆଡ଼େ ବୁଲିଯିବ ନା କଣ ?

 

ମାନସୀ ହସି ହସି ତା’ର ବୋଉ ଗଳାକୁ ଧରି କହିଲା–ବସନ୍ତ ଭାଇ ଦି’ଟା ଟିକେଟ ଆଣିଛନ୍ତି । ସିନେମା ଯାଉଛୁ ।

 

ସୁହାସିନୀ ଦେବୀଙ୍କ ଆଦେଶ ପାଇ ଦୁହେଁ ବାହାରିଗଲେ । ଆଗରୁ ଡ୍ରାଇଭର ଗାଡ଼ି ରେଡ଼ି କରି ରଖିଥିଲା । ଦୁଇଜଣଙ୍କୁ ନେଇ ଗର୍ଜ୍ଜନ କରି ଛୁଟିଲା ରାଜପଥ ଉପରେ ।

 

ଠିକ୍ ସମୟରେ ଯାଇଁ ସିନେମାହଲ ପାଖରେ ପହଞ୍ଚିଲେ । ଡ୍ରାଇଭର ଗାଡିକୁ ରାସ୍ତା କଡ଼ରେ ରଖି ଅପେକ୍ଷାରେ ରହିଲା । ବସନ୍ତ ଓ ମାନସୀ ବାଲକନିର ଦୁଇଟି ସିଟ ଦଖଲ କରି ବସିଲେ ଯାଇ । ରାତ୍ରି ପ୍ରଦର୍ଶନୀ । ଅତଏବ ବେଶୀ ଦର୍ଶକ ନାହାନ୍ତି । ବାଲକନିରେ ମୋଟେ ଦି’ତିନିଜଣ ଦର୍ଶକ । ଘୋର ଅନ୍ଧକାର ହୋଇ ସେ ଆରମ୍ଭ ହେଲା । ବସନ୍ତ ମାନସୀ ଦୁହେଁ ଦୁହିଁଙ୍କୁ ଲାଗି ବସିଲେ ରୂପେଲି ପରଦାକୁ ଚାହିଁ ଭାବୁଥିଲେ ନିଜ ନିଜର କଥା । ବସନ୍ତ ମାନସୀର ହାତ ପାପୁଲିକୁ ନିଜ ହାତରେ ଦଳୁ ଦଳୁ ଧୀର କଣ୍ଠରେ କହିଲା–

 

–କ’ଣ ଭାବୁଛ ମାନସୀ ?

 

–ଯାହା ଭାବୁଛି ତମକୁ ତ ଅଜଣା ନାହିଁ ।

 

–ବାଃ । ମୁଁ କିପରି ଜାଣିବି ତୁମ ମନ କଥା ।

 

–ଯଦି କୁହେ ତୁମ ଲାଗି ଝୁରି ମରୁଛି ।

 

–ମୋ ଲାଗି ?

 

–ହଁ ! ତୁମ ଲାଗି । ତୁମକୁ ପାଇବା ଲଗ୍ନ ପ୍ରତୀକ୍ଷାରେ ରହିଛି, କେବେ ଆମର ମିଳନ ଅଧିକାର ରହିବ ?

 

କହୁ କହୁ ଲଜ୍ଜାରେ ଆରକ୍ତି ହୋଇ ଉଠିଲା ମାନସୀର ମୁଖମଣ୍ଡଳ । ବସନ୍ତ ବକ୍ଷ ଉପରେ ମୁଣ୍ଡ ନେଇ ରଖିଲା ।

 

ବସନ୍ତ ତା’ର ପୁରିଲା ଗାଲକୁ ଟିପି ଦେଇ କହିଲା–ସେ ଅଧିକାରତ ଆମେ ପାଇଛେ ।

 

–କିନ୍ତୁ ନିୟମାନୁସାରେ ପାଇ ନ ଥାଇ ।

 

ଟିକିଏ ଚିନ୍ତିତ ହୋଇପଡ଼ିଲା ବସନ୍ତ । କହିଲା-ଏପ୍ରସଙ୍ଗ ତୁମ ବାପାଙ୍କୁ ଜଣେଇବା ପାଇଁ ବୋଉଙ୍କୁ କୁହ ।

Unknown

 

–କିନ୍ତୁ ବାପା ଯଦି ଅରାଜି ହେବେ ?

 

–ବୋଧହୁଏ ହେବେ ନାହିଁ ।

 

–କିନ୍ତୁ ମୋର କାହିଁକି ଭୟ ହେଉଛି ବସନ୍ତଭାଇ । ବେଳେ ବେଳେ ଏହି ସବୁ କଥା ମନେ ପଡ଼ି ଛାତି ଥରି ଉଠୁଛି ।

 

–ସେଥିପାଇଁ ଡର କଣ ? ସେମାନେ ତ ତୁମର ଅମଙ୍ଗଳ ଚାହିଁବେ ନାହିଁ ।

 

ସେଥିପାଇଁ ମୋର ଭୟ ନାହିଁ । ମୁଁ ବାପା ବୋଉଙ୍କୁ ମଙ୍ଗେଇ ପାରିବି । କିନ୍ତୁ ତୁମେ ଯେପରି ମୋତେ ଦୂରକୁ ଠେଲି ନ ଦିଅ ବସନ୍ତ ଭାଇ । ସେମାନେ ଯଦି ରାଜି ନ ହୁଅନ୍ତେ ତାଙ୍କ ଅନୁମତି ନନେଇ ଆମେ ଯାଇଁ ଘର ବାନ୍ଧିବା ଦୂରରେ । ପାରିବନି ତମେ ?

 

ବସନ୍ତ ସାନ୍ତ୍ୱନା ଦେଲା–ପାରିବିନି କାହିଁକି ? ଯଦି ସେପରି କିଛି ବିପଦ ଆସି ଆମ ମିଳନ ପଥରେ ପ୍ରତିବନ୍ଧକ ହୁଏ । ତାହେଲେ ତା କରିବାକୁ ବାଧ୍ୟ ହେବି । ବର୍ତ୍ତମାନଠାରୁ ଛାନିଆ ହେଲେ ଚଳିବ କି ?

 

ଇଣ୍ଟରଭାଲ ପାଇଁ ଆଲୁଅ ଜଳି ଉଠିଲା । ଦୁହେଁ ବାହାରକୁ ଉଠି ଆସିଲେ । ମାନସୀ କହିଲା...ସିନେମା ଭଲ ଲାଗୁନାହିଁ ଚାଲ କାଠଯୋଡ଼ିର କୂଳରେ ବୁଲି ଆସିବା ।

 

ବସନ୍ତର ଉତ୍ତରକୁ ଅପେକ୍ଷା ନ କରି ଯାଇଁ ଗୋଟାଏ ରିକ୍‌ସାରେ ବସିଲା । ବସନ୍ତ ମଧ୍ୟ ପଛେ ପଛେ ଯାଇଁ ତା’ ପାଖରେ ବସିଲା । ରିକ୍‌ସାଟା କାଠଯୋଡ଼ିର ନିର୍ଜ୍ଜନ କୂଳଆଡ଼କୁ ଛୁଟି ଆସିଲା ।

 

ଆକାଶରେ ପୂର୍ଣ୍ଣ ଚନ୍ଦ୍ରମା । କାଠଯୋଡ଼ିର ବାଲୁଶଯ୍ୟା ଜୋତ୍ସ୍ନାର ପରଶରେ କମନୀୟ ହୋଇ ଉଠିଛି । ଦୁହେଁ ବସିଛନ୍ତି ପାଖକୁ ପାଖ ଲାଗି । ବସନ୍ତ କୋଳରେ ମଥା ରଖି ମାନସୀ ଯେପରି ସ୍ୱର୍ଗସୁଖ ଅନୁଭବ କରୁଛି । ମନେ ହେଉଛି ଏପରି ସୁଖ ପାଖରେ ସ୍ୱର୍ଗସୁଖ ତୁଚ୍ଛ ।

 

ବସନ୍ତ ତାର ନରମ ଚୂର୍ଣ୍ଣ କୁନ୍ତଳକୁ ସଜାଡ଼ିବାରେ ଲାଗିଛି । ଦୁହିଁଙ୍କ ପ୍ରାଣରେ ଆବେଗଧାରା । ନୂତନ ସ୍ୱାଦର ପରଶ ।

 

କେତେବେଳଯାଏ ଏପରି ଭାବରେ କଟିଥିଲା ମନେ ନାହିଁ । ଯେତେବେଳେ ଘରକୁ ଫେରିଲେ ସେତେବେଳକୁ ସହରଟା ନିଦ୍ରାଦେବୀଙ୍କ ଶାନ୍ତ କ୍ରୋଡ଼ରେ ଆଶ୍ରୟ ନେଇଛି ।

 

ବିଚ୍ଛଣାରେ ଶୋଇ ଶୋଇ କେବଳ ଛଟପଟ ହେଉଛି ଗୀତା । ଦୁଇପତା ଏକ ହେଉନାହିଁ । ଯେତେ ଚେଷ୍ଟା କଲେ ବି ନିଦ ଆସୁନାହିଁ ତାର ସେ ଆଖିକୁ । ଅନ୍ତର ତା’ର ଭାବନାର ଯନ୍ତାରେ ମନ୍ଥି ହୋଇ ଯାଉଛି ।

 

କାନ୍ତହୀନା ବିରହିଣୀ ସେ । ମରମ ଘାରି ହୋଇଯାଇଛି । କାହିଁକି ତା’ର ଆଜି ଏ ଦଶା-? ସେ ଲେଖାପଢ଼ା ଜାଣେନାହିଁ ବୋଲି ସିନା ! ଅନିତା ଆଜିକାଲି ଜୋର୍ କରି ପଢ଼ାଉଛି ତାକୁ ! କହୁଛି–ତମେ ପାଠ ପଢ଼ା ଦେଖ ଭାଉଜ ! ଭାଇ ପୁଣି ଦୌଡ଼ିବେ ତମ ପାଖକୁ । ଅବସର ସମୟରେ ସେ ମନ ଦେଇ ପଢ଼ୁଛି । ଯଦି ନଣନ୍ଦ କଥାରେ ଫୁଲ ଚନ୍ଦନ ପଡ଼େ ।

 

ଏହିପରି ରାତି ଉଜାଗର ରହେ ସେ । ରାତି ପୁହାଏ ।

 

କୁଆ ରାବିବା ଆଗରୁ ବିଛଣା ଛାଡ଼େ । ବାସି ପାଇଟି ଚାଣ୍ଡେ ଚାଣ୍ଡେ ଶେଷ କରି ନଣନ୍ଦକୁ ଖୋଇପେଇ ପଢ଼ିବାକୁ ପଠାଏ । ଶାଶୁଙ୍କ ହାନୀଲାଭ ଭଲମନ୍ଦ ବୁଝେ । ଗାଁର ବୋହୂ ଝିଅମାନେ ଆସିଲେ ବସି ଘଡ଼ିଏ ପହଡ଼େ ସୁଖ ଦୁଃଖ ହୁଏ ।

 

ଗାଁ ମାଇପଙ୍କ ମେଳରେ ତା’ରି ଭାରି ପ୍ରଶଂସା ସମସ୍ତଙ୍କ ମୁହଁରେ ସେ ‘‘ଲକ୍ଷ୍ମୀ’’ । ସବୁ ଗୁଣଯାକ ଅଛି ତା’ଠେଇଁ । ଶତ୍ରୁକୁ ବଶ କରିବା ଶକ୍ତି ଅଛି ତା’ର ।

 

ବସନ୍ତର ନିନ୍ଦା କରନ୍ତି ସେମାନେ । କୁହନ୍ତି–ପାଠଶାଠ ପଢ଼ି ଏ କି ପ୍ରକାର ବୁଦ୍ଧି ବସନ୍ତର ? ଏପରି ଗୁଣବତୀ ସ୍ତ୍ରୀ ତାର ମନଲାଖି ହେଲା ନାହିଁ ?

 

ଗୀତାର ତ୍ରୁଟି ଦିନେ ହେଲେ କେହି ଦେଖିନାହିଁ । କାହାରି ନିନ୍ଦା ତା’ ମୁହଁରୁ ଶୁଣି ନାହାନ୍ତି କେହି । ଖୁବ୍ ସାବଧାନତାର ସହିତ ସତର୍କରେ ଚଳେ ସେ ।

 

ଶାଶୁଘର ବୋହୂ ବାପଘରକୁ ଯିବାପାଇଁ ସବୁବେଳେ ଗୋଡ଼ ବାହାରକରି ବସିଥାଏ । ହେଲେ ଗୀତା ସେଥିରୁ ବାହାର । ବାପଘର ନାଁ ଧରେନା ମୁହଁରେ । ସ୍ୱାମୀ ଯେତେ ଦୂରରେ ଥାଉନ୍ତୁ ନା କାହିଁକି, ସେଇ ତା’ର ସ୍ୱାମୀ । ସ୍ୱାମୀ ଚିନ୍ତା ଛଡ଼ା ଅନ୍ୟ ଚିନ୍ତା କରିବା ମହାପାପ । ପତିକୁ ଛାଡ଼ି ନାରୀର ଅନ୍ୟ ଗତି ଅଛି ?

 

ଓଡ଼ିଆ ଘରର କୁଳବଧୂ ହୋଇ ସେ ଆଦର୍ଶ ନେଇ ଯେତେଦିନ ଦେହରେ ପ୍ରାଣ ଥିବ ସେତେଦିନ ସ୍ୱାମୀ ଛଡ଼ା ଅନ୍ୟ କିଛି ମନକୁ ଆଣିବ ନାହିଁ ।

 

ବେଳେ ବେଳେ ଅମାନିଆ ମନ କୋଣରେ ବାରକଥା ଆସି ବସାବାନ୍ଧି ବିଶୃଙ୍ଖଳ କରିପକାଏ । ଭାବନାର ସୀମା ରହେ ନାହିଁ । ଦିଅଁ ଦେବତାଙ୍କୁ ମାନସିକ କରି ଗୁହାରି ଜଣାଏ–ସ୍ୱାମୀଙ୍କୁ ମୋର ଫେରେଇ ଦିଅ ଠାକୁରେ । ସଂଧ୍ୟା ଦୀପ ଜାଳି ଗୁହାରି କରେ–ମତେ କଷ୍ଟ ଦିଅ ପଛେ–ତାଙ୍କର ମଙ୍ଗଳ କର । ସେ ଯେପରି କଷ୍ଟ ନ ପାଆନ୍ତି ।

 

X X X

 

ଅଗାଧ ଭକ୍ତି ଗୀତାର ସ୍ୱାମୀଙ୍କ ଉପରେ । ତଥାପି ସେ ସ୍ୱାମୀ ସୁଖ ପାଇଲା ନାହିଁ । ଦିନକ ପାଇଁ ଦାମ୍ପତ୍ୟ ଜୀବନର ସ୍ୱାଦ ଜାଣିଲା ନାହିଁ ।

 

ଏ ଯୁଗରେ ଏପରି ସ୍ୱାମୀଭକ୍ତି କାହାର ଅଛି । ସ୍ୱାମୀ ସହିତ ଟିକିଏ ମନାନ୍ତର ଓ ମତାନ୍ତର ହେଲେ ଅନ୍ୟ ପୁରୁଷକୁ ହାତ ବଢ଼ାଉଛନ୍ତି । ଦରକାର ହେଲେ ସ୍ୱାମୀକୁ ପରିତ୍ୟାଗ କରି, ଅନ୍ୟ ପତି ବରଣ କରୁଛନ୍ତି । କିନ୍ତୁ ଗୀତା ! ଆହା ! ନାରୀ ଜଗତରେ ଦୁର୍ଲ୍ଲଭ ରତ୍ନଟିଏ ସେ ।

 

ଜଗତ ତା’ଠାରୁ ଶିକ୍ଷା ଗ୍ରହଣ କରିବା ଦରକାର । ନାରୀକୁ ଚରିତ୍ର ଅଟଳ ହେଉଛି ନାରୀର ଗୌରବ । ଏହି ପଲ୍ଲୀ ବଧୂଟିକୁ ଅଟଳ ପତିଭକ୍ତି, ବିଜୟିନୀ କରି ରଖିଛି ସେ ତାକୁ । କୁଳର ଉଜ୍ଜ୍ୱଳ ପ୍ରଦୀପ ସେ । ତାହାର ଏହି ସୁଗୁଣ ପରିଚୟକୁ ଘେନା କରିପାରିବ । ଆଜି କାଲିର ଶିକ୍ଷିତ ଯୁଗର ଯୁବତୀମାନେ ତା ପାଖରେ ମୁଣ୍ଡ ନୁଆଇଁ ଦେବେ । ଦୂରରୁ ପ୍ରଣତି ଜଣାଇବେ । ଗୀତା ଆଦର୍ଶ ନାରୀ ତାହାର ଚରଣ ଧୂଳିକୁ ସରି ହେବେ ନାହିଁ ଆଜିର ପାଠପଢ଼ୁଆ ସୌଖିନ ଝିଅମାନେ । ତାର କଥା ମନେପଡ଼ିଲେ ପାଞ୍ଚମନ ଗାଇ ଉଠେ–

 

ପତି ସୁହାଗିନୀ ନାରୀ

ପତି ଛଡ଼ା ଅନ୍ୟ ଗତି ନାହିଁ ତାର

ପତିହିଁ ଜୀବନ ତରୀ ।

ବୃକ୍ଷ ଆଶ୍ରା ବିନା ଲତାଟି ଯେସନ

ବଞ୍ଚି ନ ପାରଇ ହେଲେ

ତେସନ ଅଟଇ ନାରୀର ଆଶ୍ରୟ

ପତି ବାହୁ ଛାୟା ତଳେ ।

ପତିପରାୟଣା ସତୀ ସେ ବୋଲାଏ

ପତି ସଙ୍ଗେ ସଙ୍ଗେ ଥାଇ

ଘର ସଂସାରକୁ ହସରେ ଭରାଏ

ଝଡ଼ଝଞ୍ଜା ଏଡ଼ି ଦେଇ ।

 

ମେଘ ବିଧୌତ ନିର୍ମଳ ଆକାଶରେ ହସର ପସରା ମେଲାଇ ବସିଛି କୁମାର ପୂର୍ଣ୍ଣମୀର ଚାନ୍ଦ । ରାତି ବାରଟା ବାଜିଗଲାଣି । କମି ଆସିଲାଣି ସହରର ଜନ ଗହଳି । ମଝିରେ ମଝିରେ ବୁଲାକୁକୁରଙ୍କର ଚିତ୍କାର ଭାସି ଆସୁଛି ।

 

ନିଦ୍ରିତା ମାନସୀ ଚେଇଁ ଉଠିଲା ସ୍ୱପ୍ନ ବିଭୋର ହୋଇ । ଘନ ଅନ୍ଧକାର କୋଠରୀ ଭିତରେ ଚକିତ ଚାହାଣୀ ମେଲି ଦେଲା । ନିଶୂନ ନିଥର । ସେ ଏକା । ଭିତରେ ବାତାୟନ ପଥଦେଇ ବଣ ଫୁଲର ମହକ ବୋହି ଆଣୁଛି ସମୀରଣ ।

 

ବାହାରକୁ ଆସିଲା ମାନସୀ । ଚାନ୍ଦନୀ ପରଶରେ ରୂପ ଜୁଆର ଆସିଛି ପ୍ରକୃତିର ଅପୂର୍ବ ମାଦକତାରେ ଭରିଉଠୁଛି ତନୁମନ । ବାଉଳା ମୃଦୁ ସମୀରଣରେ ବଣ ଫୁଲ ସୁବାସ ।

 

ମାନସୀ ମନ କ୍ଷଣକରେ ଆତ୍ମବିଭୋର ହୋଇଉଠିଲା । କାହାର ସୁସ୍ପଷ୍ଟ ଅଭାବ ଅନୁଭବ କଲା ମର୍ମେ ମର୍ମେ ।

 

ବସନ୍ତ ଆଜି ପାଖରେ ନାହିଁ । ସେ ଲ’ ପାଶ୍‍ କରି ପୁରୀ ଚାଲି ଯାଇଛନ୍ତି ସୀତାକାନ୍ତ ବାବୁଙ୍କ ପରାମର୍ଶରେ ।

 

ବସନ୍ତ ଯିବା ଦିନଠାରୁ ମନଊଣା ହୋଇଛି ମାନସୀର । କଲେଜ କମେଇ କରି ଘରେ ବସିରହିଛି । କି ଦରକାର ଆଉ ସେକଥା ସୀତାକାନ୍ତ ବାବୁଙ୍କୁ ମଧ୍ୟ ଜଣାଇ ଦେଇଛି । ଯେତେ ପଢ଼ିବାରେ ଯୋଗ୍ୟ ହେଲେ ବି ସେ ଯିବ ପର ଘରକୁ ।

 

ସୀତାକାନ୍ତବାବୁ ମଧ୍ୟ ବାଧ୍ୟ କରିନାହାନ୍ତି । ଝିଅ ଯେତିକି ପଢ଼ିଛି ସେତିକି ଯଥେଷ୍ଟ । ତା’ପରେ ଭଲ ପାତ୍ରଟିଏ ପାଇଲେ ଛନ୍ଦି ଦେବେ । ତାଙ୍କର ସବୁ ସମ୍ପତ୍ତିର ତ ଏକମାତ୍ର ଉତ୍ତରାଧିକାରିଣୀ ଏଇ କନ୍ୟା ।

 

ବସନ୍ତ ଛଡ଼ା ମାନସୀ ନିଃସଙ୍ଗ ହୋଇପଡ଼ିଛି । ଆମୋଦ ପ୍ରମୋଦରେ ମନ ନାହିଁ । ଘରୁ ବାହାରିବାକୁ ଭଲ ଲାଗୁନାହିଁ । ବସନ୍ତ ଯେପରି ତା’ର ପିଣ୍ଡରୁ ପ୍ରାଣ ନେଇ ଚାଲି ଯାଇଛି ।

 

ତା’ଛଡ଼ା ଆହୁରି ଗୋଟିଏ ଚିନ୍ତା ମୁଣ୍ଡ ଟେକି ଉଠିଛି କେତେଦିନ ହେବ । ସୀତାକାନ୍ତ ବାବୁ ଏବଂ ସୁହାସିନୀ ଦେବୀ ତା’ର ବିବାହ ପ୍ରସ୍ତାବ ଆଲୋଚନା କରୁଛନ୍ତି ଆଜିକାଲି । ସୁହାସିନୀ ଦେବୀ ତାରିଫ କରନ୍ତି ବସନ୍ତକୁ । ତାକୁ ଜୋଇଁ ହିସାବରେ ପାଇବାକୁ ପ୍ରବଳଇଚ୍ଛା, କିନ୍ତୁ ପ୍ରତିବନ୍ଧକ ହେଉଛନ୍ତି ସୀତାକାନ୍ତ ବାବୁ । ତାଙ୍କ ପାଖରେ ଶିକ୍ଷାଠାରୁ ବଂଶର ମର୍ଯ୍ୟଦା ନାହିଁ । ଅତଏବ ତାଙ୍କ ସମକକ୍ଷ ବନ୍ଧୁ ହେବାର ଯୋଗ୍ୟ ନୁହେଁ । ସେ ପ୍ରସ୍ତାବ କରୁଛନ୍ତି ଜଣେ ହାକିମଙ୍କ ପୁଅ ସହିତ ।

 

ଏହିକଥା ଶୁଣିବା ଦିନରୁ ମାନସୀ ମୁଣ୍ଡରେ ବଜ୍ରାଘାତ ହୋଇଛି । ଚତୁର୍ଦ୍ଦିଗ ଅନ୍ଧକାର ଦିଶୁଛି । ଭାତରେ ଅରୁଚି ଧରୁଛି । ରାତିରେ ନିଦ ଆସୁନାହିଁ ଆଖିକୁ । କ’ଣ କରିବ କିଛି ଉପାୟ ସ୍ଥିର କରି ପାରୁନାହିଁ । ମନରେ ଯେତେ ଆଣ୍ଟ ବାନ୍ଧିଛି ବାପାଙ୍କୁ କହିଦେବ–ବସନ୍ତ ଛଡ଼ା ଅନ୍ୟ କାହାକୁ ସେ ବିଭା କରିବ ନାହିଁ, କିନ୍ତୁ ବହପ କୁଳାଉ ନାହିଁ ।

 

କେବଳ ସାମାଜିକ ବନ୍ଧନ ବାକୀ ଅଛି ବିବାହ ହେବାକୁ ବସନ୍ତ ସହିତ । ତା’ରତ ଆଉ ସବୁ ହୋଇ ଯାଇଛି । ମନ ଦିଆନିଆ ହୋଇ ଯାଇଛି ବୋହୂ ପୂର୍ବରୁ । ଯେଉଁ ମନ ଥରେ ଦେଇଛି ସେ ମନ ଆଜି ଫେରେଇ ଆଣିବ କିପରି ? ବସନ୍ତର ଯେଉଁ ନିଭୃତ କୋଣରେ ଆସନ ଥାପି ତାର ପ୍ରାଣପ୍ରିୟାକୁ ନେଇ ବସେଇଛି, ସେଥିରୁ ତାଙ୍କୁ ଉଠେଇବ କିପରି ?

 

ବସନ୍ତକୁ ଛାଡ଼ି ସେ ମୋଟେ ବଞ୍ଚି ପାରିବ ନାହିଁ । ବସନ୍ତର ଆଭିଜାତ୍ୟ ନାହିଁ ସତ କିନ୍ତୁ ଗୁଣ ତ ଅଛି । ଗୁଣୀ ମହଲରେ ତା’ର ଆଦରତ ଅଛି ।

 

ସୁହାସିନୀ ଦେବୀ ବୁଝନ୍ତି ଝିଅର ମନ ବଣରେ କୀଟ ପ୍ରବେଶ କରି ସମସ୍ତ ଛାରଖାର କରି ଦେଉଛି । ଚେଷ୍ଟା କରନ୍ତି ସ୍ୱାମୀଙ୍କୁ ବୁଝେଇ ସୁଝେଇ ବାଟକୁ ଆଣିବା ପାଇଁ । କିନ୍ତୁ ସବୁ ଚେଷ୍ଟା ତାଙ୍କର ବିଫଳ ହୁଏ ।

 

ମାନସୀ ବାରଣ୍ଡାରେ ଛିଡ଼ା ହୋଇ ବାରକଥା ଭାବୁଛି । ଅତୀତର ଅଭୁଲା ସ୍ମୃତି ମାନସ ପଟରେ ଗୋଟିଏ ପରେ ଗୋଟିଏ ଆଙ୍କି ହୋଇ ଯାଉଛି । ଆଖି ଆଗରେ ନାଚି ଯାଉଛି ବସନ୍ତର ହସ ହସ ମୁହଁ ମନଭୁଲା କଥା । ସତେ, କେତେ ସୁନ୍ଦର ସେ । ବହୁ ଯୁବକଙ୍କୁ ସେ ଦେଖିଛି କିନ୍ତୁ ବସନ୍ତ ପରି କେହି ତା’ ନଜରରେ ପଡ଼ି ନାହାନ୍ତି ।

 

ବହୁ ଯୁବକ ତାକୁ ଚାହାନ୍ତି । କିନ୍ତୁ ସେ ଚାହେଁ ବସନ୍ତକୁ । ସେ ଭଲ ପାଇଛି ବସନ୍ତକୁ । ଭଲ ପାଇବା ସ୍ୱର୍ଗୀୟ ଈଶ୍ୱରଙ୍କ ଦାନ । ଜନ୍ମଜନ୍ମାନ୍ତରେ ଏହା ରହିବ । ବସନ୍ତ ତାର ଜୀବନ ମରଣ ସାଥି । ସେଥିରୁ ତାଙ୍କୁ କେହି ବଞ୍ଚିତ କରି ପାରିବେ ନାହିଁ ।

 

ଭଲ ପାଇବାରେ ବାଛବିଚାର କିଛି ନଥାଏ । ଭଲ ପାଇବାର ରୂପହୀନା ରୂପବତୀ ହୋଇ ଦେଖାଦିଏ । ଲୋକେ କୁତ୍ସା ରଟନା କରନ୍ତି । ଡେଙ୍ଗୁରା ବଜାନ୍ତି । କବି ପରା କହିଛନ୍ତି–

 

ହେ ସମ ବୟସୀ ! ତୁମର ମୋର ଯେ ପୀରତି !

ନିଷ୍ଠୁର କେତେ ବୋଲୁଛନ୍ତି ପାପ କୀରତି !

କହନ୍ତୁ, ଯିଏ ଯାହା କହିବେ । ସେ କିଛି ଶୁଣିବ ନାହିଁ ।

 

ଦୀର୍ଘ ନିଶ୍ୱାସଟିଏ ବାହାରିଗଲା ପଞ୍ଜରା ଭେଦ କରି । ଘର ଭିତରକୁ ଆସି ବତୀ ଜାଳିଲା । ଟେବୁଲ ଡ୍ର ଭିତରୁ ଗୋଲାପି ରଙ୍ଗର ଖାମଟି ବାହାର କରି ବୁକୁରେ ଚାପି ରଖିଲା । ଆଖିରୁ ଲୁହ ବୋହି ଗଲା ଧାର ଧାର ହୋଇ । ଚିଠିଟି କାଢ଼ି ପଢ଼ିଲା–ବସନ୍ତ ଲେଖିଛି ପୁରୀରୁ ।

 

ମୋ ହୃଦୟର !

 

ମାନସ ପ୍ରତିମା ମାନସୀ !

 

ତୁମ ଚିଠି ପାଇ ମୁଁ ଅକୂଳ ସମୁଦ୍ରରେ କୂଳ ଖୋଜି ପାଇଛି, କିନ୍ତୁ ବିଶେଷ କାର୍ଯ୍ୟ ବ୍ୟସ୍ତ ଥିବାରୁ ଉତ୍ତର ଦେଇ ପାରିନାହିଁ । ସେଥିପାଇଁ କ୍ଷମା କରିବ ।

 

ତୁମ ଅଭିମାନ ଭରା ଚିଠି ପଢ଼ି ମୋ ମନରେ ଯେ କିପରି ଝଡ଼ ଉଠିଛି ତାହା ଭାଷାରେ ବର୍ଣ୍ଣନା କରି ପାରିବି ନାହିଁ । ଯଦି ବୁକୁ ଚିରି ଦେଖାଇ ପାରନ୍ତି, ତାହାହେଲେ ବୁଝନ୍ତ, ତମେ ମୋର ଧ୍ୟାନ ଧାରଣା ସବୁ । ତୁମେ ମୋ ଅନ୍ଧାରୀ ଜୀବନର ଆଲୋକ ଶିଖା ଜାଳିଛ । ମୋ ଭଙ୍ଗା ବୀଣାରେ ପ୍ରେମର ରାଗିଣୀ ଛୁଟାଇଛ ।

 

ହୁଏତ ମୋ କଥାରେ ତମର ନରମ ମନ ପଶ୍ମିଳ ହୋଇ ଉଠୁଥିବ । ସତରେ ! ମୁଁ ଆଜି ତୁମକୁ ଝୁରି ଝୁରି ଦିନ ବିତାଉଛି । ବିରହ ଗାଥାର କବିତା ଲେଖି ରାତି ପୁହାଉଛି । ତୁମ ବିଚ୍ଛେଦ ଅନୁଭବ କରୁଛି ଅନ୍ତରର କୋଣେ କୋଣେ ।

 

କୌଣସି କାମ ସୁସ୍ପଷ୍ଟ ଭାବରେ କରିପାରୁ ନାହିଁ । ସବୁବେଳେ ମନ ଚାହୁଁଛି ତୁମରି ପାଖକୁ ଧାଇଁ ଯିବା ପାଇଁ । ମୁଁ ସିନା ଏଠାରେ ଅଛି, କିନ୍ତୁ ମୋ ମନ ସଦା ସର୍ବଦା ତମ ପାଖରେ । ତମେହିଁ ମୋର ନିଶି ଦିନର ଧ୍ୟାନ । ନିଶୂନ ରାତିରେ ତୁମରି ପରଶ ପାଇବା ପାଇଁ ମନ ବ୍ୟାକୁଳ ହୋଇ ଉଠେ । ସତେ ସଖୀ ! ଭଲପାଇବାରେ କି ଚୁମ୍ବକ ଶକ୍ତି ଅଛି କେଜାଣି ସର୍ବଦା ସେ ଆକର୍ଷଣ କରୁଛି ମତେ ।

 

ତୁମେ ଲେଖିଲ ତୁମ ବାପା ତୁମର ବିଭାଘର ପ୍ରସ୍ତାବ ସ୍ଥିର କରୁଅଛନ୍ତି । ଏ କଥା ଶୁଣି ଛାତି ମୋର ବିଦୀର୍ଣ୍ଣ ହୋଇ ଯାଉଛି । ବିଚ୍ଛେଦ କଥା ମନେ ପଡ଼ିଲେ ପ୍ରାଣ ବିସର୍ଜନ ଦେବାପାଇଁ ଇଚ୍ଛା ହେଉଛି । ତଥାପି ତମ ଖୁସିରେ ମୁଁ ଖୁସି । ତୁମେ ଯଦି ଇଚ୍ଛା କର ତେବେ ବାପା ବୋଉଙ୍କ ଅବାଧ୍ୟ ନ ହୋଇ ନୂଆ ସଂସାର ଗଢ଼ିପାର । ମୁଁ ଚିରଦିନ ତୁମ ଶୁଭ କାମନା କରିବି । ତୁମରି ସ୍ମୃତି ମୂଳଧନ କରି ମୁଁ ରହିବି ଅଜୀବନ । ଆଉ ତୁମେ ଯଦି ଏକାନ୍ତ ମତେ ଚାହଁ, ମୁଁ ଅସମ୍ଭବକୁ ସମ୍ଭବ କରିବା ପାଇଁ ପ୍ରସ୍ତୁତ ଅଛି । କିନ୍ତୁ ମନେ ରଖିଥିବ, ଏ ପଥ ବଡ଼ ପିଛିଳ । ଟିକିଏ ଅସାବଧାନ ହେଲେ ରସାତଳେ ଯାଇଁ ପଡ଼ିବ । ସବୁ ନିର୍ଭର କରୁଛି ତୁମ ଉପରେ । ତୁମେ ସାହସ ଧରି ରୁହ । ସମସ୍ତ ଠିକ୍ ହୋଇଯିବ ।

 

ଆଜି ଆଉ ବେଶି ଲେଖି ପାରୁନାହିଁ । ମନଟା ବଡ଼ ବିକ୍ଷିପ୍ତ ହୋଇ ପଡ଼ିଛି ।

 

ଚିଠି ପାଇ ଚିଠିଦେବାକୁ ଭୁଲିବ ନାହିଁ । ଶେଷରେ ତମକୁ ମୋର ଆଦରରେ ଗୋଟିଏ ଚୁମ୍ବନ ଉପହାର ଦେଇ ବିଦାୟ ନେଉଛି । ତା’ ସଙ୍ଗେ ସଙ୍ଗେ କବିତାଟିଏ ।

 

ବହୁ ଦୂର ପଥୁଁ ଲେଖୁଛି–

ମୁହିଁ ଏହି ପତର

ସାଦରେ ପଢ଼ିଣ ଆଦରେ

ଦେବ ପ୍ରତିଉତ୍ତର ।

 

ତୁମରି ବିରହେ ମାନସୀ

ମନେ, ନାହିଁ ମୋ ସୁଖ

ଶୁଭ ଦିନ କେବେ ଆସିବ

ଦେଖିବି ଚନ୍ଦ୍ର ମୁଖ ।

 

ତୁମରି ସେନେହ ସରାଗ

ନ ପାରଇ ମୁଁ ଭୁଲି

ପାଶେ ଯଦି ଥାଇ ଦେଖନ୍ତ

ଅନ୍ତର ମୋ କିପରି ।

 

ମାନସେ ଚିନ୍ତଇ ତୁମକୁ

ମନସିଜ କାତରେ

 

ଊଣା ନକରିଣ କରୁଣା

ପତ୍ର ଦେବଟି ଖରେ ।

 

ଇତି

ପ୍ରଣୟ ଭିକାରୀ

 

ଚିଠି ପଢ଼ି ବାହ୍ୟଜ୍ଞାନ ଶୂନ୍ୟ ହରେଇ ବସିଲା ମାନସୀ । ବୁକୁ ଭିତରଟି ହାହାକାର କରି ଉଠିଲା । ଆଜି ଏ ଯଦି ଚିଠି ନହୋଇ ବସନ୍ତ ନିଜେ ହୋଇଥାନ୍ତା....

ଆଃ । କି ମନଭୁଲାଣିଆ କଥା !

ଚିଠିକୁ ଚୁମାରେ ଚୁମାରେ ଭରିଦେଲା । କସ୍ତୁରୀମୃଗ ନିଜ ସୁଗନ୍ଧରେ ଆତ୍ମହରା ହେବା ପ୍ରେମ ନିଶାରେ ମତୁଆଲା ହୋଇ ଉଠିଲା । ଥରକୁ ଥର ପଢ଼ିଲା ଚିଠିକୁ । ଶେଷକୁ କକ୍ଷର ଅଭେଦ୍ୟ ଦୁର୍ଗ ଭିତରେ ସାଇତି ରଖି ଶୋଇ ପଡ଼ିଲା ।

ସେଦିନ ମହାନଦୀର ବାଲୁଶଯ୍ୟା ଉପର ସ୍ମୃତି ମନେ ପଡ଼ିଗଲା । ଚାନ୍ଦ ସାକ୍ଷୀ ରହି ହସୁଥିଲା ନିର୍ମଳ ଗଗନରେ । ବସନ୍ତ ତାକୁ ଟାଣି ନେଇଥିଲା ତା’ର ପ୍ରଶସ୍ତ ବୁକୁ ଉପରକୁ । ମାନସୀ ଆତ୍ମବିଭୋର ହୋଇ ଢଳି ପଡ଼ିଥିଲା ତା’ ଉପରକୁ । ଆବେଗମୟ ସ୍ୱରରେ ବସନ୍ତ କହିଥିଲା–ମାନସୀ ! ତୁମେ କି ମନ୍ତ୍ର ଜାଣ କେଜାଣି–ତୁମକୁ ପାଖରେ ପାଇଲେ ମୁଁ ନିଜକୁ ଭୁଲିଯାଏ । ଚେନାଏ ହସ ହସି ସେ ପଚାରିଥିଲା–ସତରେ ?

–ବୁଝି ନ ବୁଝିବା ଛଳ କରୁଛ କାହିଁକି ?

କହି ପ୍ରଶ୍ନିଳ ଆଖି ମେଲି ଦେଇଥିଲା ବସନ୍ତ ତାଆଡ଼େ । ତାର କୌମାର୍ଯ୍ୟକୁ ଟଳେଇ ନେଉଥିଲା କ୍ଷଣକରେ । ଲାଜରେ ଆଖି ମୁଦି ଦେଇଥିଲା ମାନସୀ ।

ତା ପରେ ?

ସେ ସବୁ କଥା ମନେ ପଡ଼ିଲେ ଅଜଣା ପୁଲକରେ ଭରି ଉଠେ ତନୁ ମନ । ଅଙ୍ଗେ ଅଙ୍ଗେ ରୋମାଞ୍ଚର ଢେଉ ଖେଳିଯାଏ । ଆଜି ସବୁ କଥା ମନେ ପଡ଼ିଛି ।

ଉଠି ପଡ଼ି ଚିଠି ଲେଖିବାକୁ ବସିଲା ମାନସୀ । କିପରି ଭାବରେ ବସନ୍ତକୁ ଚିଠି ଲେଖି ସନ୍ତୁଷ୍ଟ କରି ପାରିବ, ସେହି କଥା ଭାବିଲା । ତା ପରେ ଲେଖିଲା–

ମନମତାଣିଆ ନିଝୁମ ଚାନ୍ଦିନୀ ରାତି ।

ପ୍ରାଣର...

ଦିନ ଗଡ଼ି ଚାଲିଛି । ଚାତକ ବର୍ଷାକୁ ଚାହିଁବା ପରି ମୁଁ ଚାହିଁ ରହିଛି ତମ ପତ୍ରକୁ । କେବେ ତମ ହାତ ଲେଖା ଚିଟାଉ ସ୍ପର୍ଶ ପାଇବି ସେଇ ଅପେକ୍ଷାରେ ଦିନ ଗଣୁଛି । ସତେ ପ୍ରିୟତମ-! ତମ ଚିଠିର ଭାଷା ମୋ ମନ ଗହନରେ ବସନ୍ତର ସମ୍ଭାର ଆଣେ । ମୁଁ କେଉଁ ଅଜଣା ଦେଶକୁ ଚାଲିଯାଏ ପଢ଼ୁ ପଢ଼ୁ, ଯେଉଁଠାରେ ବିରହ ନାହିଁ, ବିଚ୍ଛେଦ ନାହିଁ, ଅଛି କେବଳ ଭଲ ପାଇବାର ମାଦକତା ।

ସ୍ୱପ୍ନରେ ଭାବି ନ ଥିଲି ଆମେ ଦିନେ ଜଣେ ଜଣକର ଅଭାବ ଅନୁଭବ କରିବା । ଆମର ସଜଡ଼ା ମନବଣ ବିଚ୍ଛେଦର ଅଣଚାସିଆ ପବନରେ ନାରଖାର ହୋଇଯିବ । କିପରି ଭାବରେ ଯେ ମୁଁ ଦିନ କାଟୁଛି, ସେକଥା ଲେଖି ପାରିବି ନାହିଁ । ତମେ ଯେ ମୋ ମନ କଥା ବୁଝି ପାରନ୍ତ ।

ହୁଏତ ତୁମେ ମୋ କଥାକୁ ସତ ବୁଝିବ ନାହିଁ । ଆଜି ତୁମରି ସ୍ମୃତିକୁ ଉନ୍ତର ପୀଠରେ ସଜତନେ ସଜାଡ଼ି ରଖି ବଞ୍ଚି ରହିଛି । ବସନ ବ୍ୟସନରେ ବିତୃଷ୍ଣା ଆସିଛି ତୁମରି ପାଇଁ । ନିଃସଙ୍ଗ ଜୀବନ ଦୁଃସହ ହୋଇ ଉଠିଛି ।

ଯେତେ ତୁମରି କଥା ଭାବୁଛି ସେତିକି ତୁମକୁ ଭଲପାଇ ବସୁଛି । କାହିଁକି ଏପରି ହେଉଛି କହିପାରିବ ? ବୋଧହୁଏ ଏହା ଭଗବାନଙ୍କ ବରାଦ । ବିଚ୍ଛେଦ ନ ଥିଲେ ପ୍ରେମର ମୂଲ୍ୟ ବୁଝା ପଡ଼ନ୍ତା ନାହିଁ । ଯାହା ହେଉ–ବାପାଙ୍କର ଯେପରି ଏକ ଜିଦ ଦେଖୁଛି, କେତେବେଳେ କଣ ହେବ ଭାବି ଭାବି ମୁଣ୍ଡ ଘୂରି ଯାଉଛି । ତାଙ୍କ ଆଗରେ ଛିଡ଼ା ହେବା ଦମ୍ଭ ରହୁନାହିଁ ମୋର । ତୁମେ ଯଦି ମୋତେ ଏଥିରୁ ଉଦ୍ଧାର ନ କରିବ, ତେବେ ମୋ ନାଁ ଚିରଦିନ ପାଇଁ ଇହ ଜଗତରୁ ପୋଛି ହୋଇଯିବ । ତୁମେ ମୋ ପ୍ରାଣରୁ ଅଧିକ । ପ୍ରାଣକୁ ଛାଡ଼ି ପିଣ୍ଡ ବଞ୍ଚିବ କିପରି ?

ମୋତେ କଣ ତୁମେ ଏ ବିପଦରୁ ଉଦ୍ଧାର କରି ପାରିବ ନାହିଁ ? ମୋର ଏ ଦଶା ଦେଖି ତୁମେ ଆନନ୍ଦ ପାଉଛ କି ନା ଜାଣି ନାହିଁ । କିନ୍ତୁ କି ଉପାୟ ମୋର ? ବିପଦ ସଙ୍କେତ ଦେଖି ମୋର ସମସ୍ତ ଶକ୍ତି ତୁଟି ଯାଇଛି । କେବଳ ତୁମରି ଭରସାରେ ବଞ୍ଚି ରହିଛି ।

ମୋ ଦୁର୍ଦ୍ଦଶା ଶୁଣି କି ପ୍ରତିକାର କରିବ, ଜାଣିବା ଅପେକ୍ଷାରେ ରହିଲି । ପର ବୋଲି ପାଦରେ ଠେଲି ଦେବ ନାହିଁ । ମୋ ରାଣ ! ଚିଠି ଦେବାକୁ ବିଳମ୍ବ କରିବ ନାହିଁ । କେବେ ସମୟ କରି ଏ ଅଭାଗିନୀକୁ ଦର୍ଶନ ଦେବ ତାହା ଜଣାଇବ । ଆସିଲେ ଆହୁରି କେତେ କଥା କହିବି ଯାହା ପତ୍ରରେ ଲେଖାଯାଏ ନାହିଁ । ଶେଷରେ ଭକ୍ତିଭରା ପ୍ରଣତି ମୋର ଘେନା କରିବ । ଇତି ।

ତୁମର

ମାନସ କନ୍ୟା ମାନସୀ

କବିତାଟିଏ ଉପହାର ନେବ–

ମୃଦୁର ଜୀବନ ସାଥୀ ହେ ପାଇ ତୁମ ପତର

ନୟନୁ ଲୋତକ ଝରିଲା ଦୁଃଖେ ହେଲି କାତର ।

 

ନିଷ୍ଠୁର ତୁମେ କି ବୁଝିବ ନାରୀ ହୃଦ ବେଦନା;

ତୁମରି ବିହୁନେ ଦେବତା କରେ କେତେ ଭାବନା ।

 

ଗୋଟି ଗୋଟି ମନେ ପଡ଼ଇ ଅତୀତର ସେ ସ୍ମୃତି,

କାହିଁଗଲା ପ୍ରିୟ ତୁମ୍ଭର ସେହି ସ୍ନେହ ଆଦର,

ସୁଦୂରେ ରହିଣ ବଧିର ହେଲ କିମ୍ପା ସୁନ୍ଦର ?

 

ଜୀବନ ଯୌବନ ସବୁତ ଦେଇ ଅଛି ତୁମ୍ଭଙ୍କୁ,

ନିରାଶ ନ କର ପ୍ରିୟ ହେ ଏହି ଅଭାଗିନୀକୁ ।

 

 

ତୁମ୍ଭ ପଥ ଚାହିଁ ରହିଛି ନିତି ଚିନ୍ତି ଅନ୍ତରେ,

ନକରି ନିରାଶ ଭରସା ଭାଷା ଦେବ ସଧିରେ ।

ଇତି

ବିରହିଣୀ ଚରଣ ସେବିକା ।

 

ଚିଠି ଲେଖି ଖାମରେ ପୁରେଇ ରଖିଲା ମାନସୀ । ତାପରେ ବସନ୍ତ ଦେଇଥିବା ପତ୍ରକୁ ବୁକୁରେ ଚାପି ରଖି ଆଲୁଅ ଲିଭାଇ ଶୋଇ ପଡ଼ିଲା ବିଛଣାରେ । ଯେପରି ଏଇ ଚିଠି ଖଣ୍ଡିକ ତାହାର ଅଶାନ୍ତ ମନକୁ ଶାନ୍ତ ସ୍ଥିର କରି ଦେଲା ।

 

କାଳର ଆବର୍ତ୍ତନ ଭିତରେ ରହି ଗଡ଼ିବା ପରି ଦିନ ଗଡ଼ି ଯାଉଛି । ଶୀତ, ବସନ୍ତ, ଗ୍ରୀଷ୍ମ, ବର୍ଷା ତାଙ୍କର ରାଜୁତି କରି ଯାଉଛନ୍ତି । ଏହା ଭିତରେ ବସନ୍ତର ବହୁ ପରିବର୍ତ୍ତନ ହୋଇଛି । ତା’ର ଜୀବନ ଇତିହାସ ବହୁ ଘଟଣାକୁ ସମ୍ବଳ କରି ନେଇଛି ।

 

ପୁରୀ ଛାଡ଼ି ସେ ଚାଲିଯାଇଛି ଆଗ୍ରା ସହରକୁ । ଏଠାରେ ଅଛି ପୃଥିବୀ ବିଖ୍ୟାତ ପ୍ରେମିକ ପ୍ରେମିକା ଯୁଗଳଙ୍କର ଅମର ପ୍ରେମ ନିଦର୍ଶନ ତାଜମହଲ । ତାର ପ୍ରତ୍ୟେକ ପଥର ଖଣ୍ଡ କହି ଦେଉଛି ଅମର ପ୍ରେମର ଅପୂର୍ବ ଗାଥା । ଦେଖିଲେ ଆଖି ଲେଉଟେ ନାହିଁ ।

 

ହାୟ ! ମମତାଜ ! ହାୟ ସାହାଜାହାନ !

 

ତୁମର ଅମର ପ୍ରେମ ଗାଥା ଯୁଗେ ଯୁଗେ ଅମର ହୋଇଥାଉ ।

 

ଏକ ବେଦନାଦାୟକ ମନୋଭାବ ନେଇ ଅସହାୟ ପରି ଘୂରି ବୁଲୁଛି ବସନ୍ତ । ତାର ନିଃସଙ୍ଗ ହୃଦୟ ସମୁଦ୍ରରେ ବିଭୀଷିକାମୟ ଝଡ଼ ଉଠି ନାରଖାର କରି ଦେଇଛି । ଦିଗହରା ପଥିକ ପରି ଘୂରି ବୁଲୁଛି ତା’ର ମାନସ ପ୍ରତିମା । ମାନସୀ ଦେଇଛି ତାକୁ ଏ ଦୁଃଖ । ଯାହାକୁ ପାଇ ନିଜ ସ୍ତ୍ରୀ ଗୀତାକୁ ଘୃଣାରେ ଦୂରକୁ ଠେଲି ଦେଇଥିଲା ଜନ୍ମଦାତ୍ରୀ ଜନନୀ, ଆଦରଣୀୟା ଭଉଣୀକୁ ଭୁଲି ପାରିଥିଲା, ସେହି ଦେଇଛି ଭଲ ପାଇବାର ପ୍ରତିଦାନ ।

 

ତଥାପି ମାନସୀକୁ ଭୁଲି ପାରୁ ନାହିଁ । ତାକୁ ଦୋଷୀ କରି ପାରୁ ନାହିଁ । ତାର କି ଦୋଷ-? ଉପାୟ ତାର ନଥିଲା ଏପରି ଏକ ଦ୍ୱନ୍ଦର ସମ୍ମୁଖୀନ ହେବାକୁ । ସ୍ତ୍ରୀ ଜାତି ବଡ଼ ଦୁର୍ବଳ । କୌଣସି ଉପାୟ ନ ପାଇ ଏପରି କରିବାକୁ ବାଧ୍ୟ ହେଲା । ସେ ତ ପୁଣି ଶପଥ କରି ନିଜକୁ ଅଯାଚିତ ଭାବରେ ସମର୍ପି ଦେଇଥିଲା । ଦିନେ ତ ମନରେ ସାହସ ବାନ୍ଧି କହି ପାରିଥିଲା ଯେ ବସନ୍ତ ଛଡ଼ା ଅନ୍ୟ କାହାକୁ ବିବାହ କରିବନି ।

 

ସୀତାକାନ୍ତ ବାବୁଙ୍କର ଏକ ଜିଦିଆ ଶାସନ ପାଖରେ ହାରିଗଲା ସେ ନିରୂପାୟ ବୋଲି ଜଣେଇ ଦେଲା ବସନ୍ତକୁ । ଖବର ପାଇ ବସନ୍ତ ଦୌଡ଼ି ଯାଇଥିଲା । କିନ୍ତୁ ସୀତାକାନ୍ତବାବୁ ସମସ୍ତ ଘଟଣା ଜାଣି ପାରି ରାଗରେ ପାଚି ରହିଥିବେ । ବସନ୍ତକୁ ତାର ଉପଯୁକ୍ତ ଅପମାନ ଦେଇ ଦୁଆର ମୁହଁରୁ ଫେରାଇ ଦେଇଥିଲେ ।

 

ଲାଞ୍ଛିତ ଅପମାନିତ ହୋଇ ଫେରିଲା ବସନ୍ତ । ମାନସୀକୁ କଡ଼ା ପହରାରେ ରଖି ବିବାହ କରାଇ ଦେଲେ । କାଳେ ରାଗବଶତଃ କ’ଣ ବୋଲି କ’ଣ କରି ପକେଇବ ।

 

ସୀତାକାନ୍ତ ବାବୁଙ୍କ ମନର ଓରମାନ ମେଣ୍ଟିଲା । ସେ ହାକିମ ପୁଅକୁ ଜୋଇଁ କରି ଶାନ୍ତିରେ ନିଶ୍ୱାସ ଛାଡ଼ିଲେ । ମାନସୀ ସବୁ ଆଶାକୁ ଜଳାଞ୍ଜଳି ଦେଇଗଲା । ନୂଆ ସଂସାର ଗଢ଼ିବାକୁ କିଏ ଜାଣେ, ମାନସୀ ଜୀବନରେ ସୁଖି ହୋଇ ପାରିଛି କି ନାହିଁ କିଏ କହି ପାରିବ, ଆଜି ବି ବସନ୍ତ କଥା ମନେ ପକେଇ ଆଖି ଲୁହରେ ବୁକୁ ଭସାଉଛି କି ନାହିଁ ?

 

ଅନୁତାପରେ ଦୀର୍ଘନିଶ୍ୱାସ ବାହାରି ଆସିଲା ବସନ୍ତର କୋମଳ ହୃଦୟରୁ ।

 

ବିବାହ ପରେ ମଧ୍ୟ ମାନସୀ ବହୁତ ଚିଠି ଲେଖିଛି ବସନ୍ତକୁ । କିନ୍ତୁ ସେତେବେଳେ ବସନ୍ତ ପାଗଳ । ଅସହ୍ୟ ଆଘାତପ୍ରାପ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଛି । ଖଣ୍ଡିଏ ହେଲେ ଉତ୍ତର ଦେଇ ନାହିଁ । ସେ ଜାଣେ ମାନସୀ ତାର ଅନ୍ତର ଭିତରେ ଚିର ଦିନ ଆସନ ପାତି ରହିବ । ବିଧିର ବିଧାନ ପାଇଁ ସିନା ଚିର ବିଚ୍ଛେଦ ହେଲା । ନିଜ ଜୀବନ ତ ଅଶାନ୍ତି ଭିତରେ ଡୁବି ରହିଛି । ପୁଣି ମାନସୀ ନୂଆ ସଂସାରକୁ ଭାଙ୍ଗି ଦେବ କାହିଁକି ? କେହି ଯଦି ଜାଣେ ମାନସୀର ବସନ୍ତ ହେଉଛି ପ୍ରେମିକ, ତା’ହେଲେ କଳଙ୍କ ଲାଗିବ ମାନସୀ ଦେହରେ । ସୁନା ସଂସାରରେ ଅଗ୍ନି ଜଳି ଉଠିବ । ତା’ଠାରୁ ସେ ସୁଖ ଶାନ୍ତିରେ ରହୁ । ସୁଖି ହେଉ ଜୀବନରେ ।

 

ଜୀବନରେ ଦାରୁଣ ଆଘାତ ପାଇ ଚାକିରୀକୁ ଇସ୍ତପା ଦେଇଛି ବସନ୍ତ । ବାରଆଡ଼େ ବୁଲି ବୁଲି ଶେଷକୁ ଆସି ପହଞ୍ଚିଛି ଏଇ ଆଗ୍ରା ସହରରେ । ଅଜଣା ଅଶୁଣା ସେ । ହୁଏତ ଏମିତି ଦିନେ ଅଜଣା ଅଶୁଣା ହୋଇ ଲୋକ ଚକ୍ଷୁର ଅନ୍ତରାଳରେ ଚିରଦିନ ପାଇଁ ରହିଯିବ । କେହି ତା’ର ଖୋଜଖବର ନେବେ ନାହିଁ କି ସନ୍ଧାନ କରିବେ ନାହିଁ । ପ୍ରତିକ୍ଷା କରି କରି ଲୁହ ଝରାଇବ ଗୀତା ।

 

ଗୀତା କଥା ମନେ ପଡ଼ିଲେ ନିସ୍ତବ୍‌ଧ ହୋଇଯାଏ ବସନ୍ତ । ଘଡ଼ିକର ଦେଖା....ଯାହାକୁ ଭଲଭାବରେ ପଦେ କଥା କହି ନାହିଁ । ତା’ କଥା ବେଳେବେଳେ ମନେ ପଡ଼େ । ଭୁଲିଯିବାକୁ ଇଚ୍ଛା କଲେ ବି ଭୁଲି ପାରେ ନାହିଁ ।

 

ଦ୍ୱନ୍ଦ ଭିତରେ ପଡ଼ି ନିଶ୍ୱାସ ମାରିପାରୁ ନାହିଁ ବସନ୍ତ । ଗୋଟିଏ ପାଖରେ ବୋଉ, ଅନିତା ଆଉ ଗୀତା-ଆଉ ଗୋଟିଏ ପାଖରେ ମାନସୀ । କିଏ ଜାଣେ ଏହାର ଫଳାଫଳ କ’ଣ ହେବ ।

 

ପାଖରେ କାଣି କଉଡ଼ିଟିଏ ନାହିଁ । ହାତର ଘଡ଼ି, ଫାଉଣ୍ଟେନ, ମୁଦି ବିକା ଟଙ୍କା ଶେଷହୋଇ ଗଲାଣି । ପାଗଳଙ୍କ ପରି ରାତିଦିନ ବୁଲୁଛି । ବେଳେ ବେଳେ ତାଜମହଲର ଅପରୂପରେ ତନ୍ମୟ ହୋଇ ଲୋଟି ପଡ଼ୁଛି ବଗିଚାର କେଉଁ ଗଛ ତଳେ । ରାତି ହେଲେ ଧର୍ମଶାଳା ହେଉଛି ତା’ର ଆଶ୍ରୟ ସ୍ଥଳ । ତା’ର ଆଜି କେହି ନାହିଁ । କିଛି ନାହିଁ ।
 

X X X

 

ମଧ୍ୟାହ୍ନ ଉତୁରି ଗଲାଣି । ତାଜମହଲ ବଗିଚାର ଗୋଟିଏ ଫୁଲଗଛ ତଳେ ବସି ତନ୍ମୟ ଭାବରେ ଚାହିଁ ରହିଲା ଅବଗୁଣ୍ଠନମତୀ ମମତାଜଙ୍କ ସ୍ମୃତି ସୌଧକୁ । ଦର୍ଶକଙ୍କ କୋଳହଳ ବି କାନରେ ପଶୁ ନଥିଲା ।

 

ହଠାତ୍ ଗୋଟିଏ ନାରୀର କଣ୍ଠସ୍ୱର ଶୁଣି ଚାହିଁଲା–

 

ତା’ ପଛରେ ଗୋଟିଏ ସୁନ୍ଦରୀ ବାଳିକା ଠିଆ ହୋଇ ତାକୁ ଡାକୁଛି । ଦେଖିବାକୁ ଠିକ୍ ଅନିତା ପରି ସୁନ୍ଦରୀ । ଉତ୍ତର ଭାରତୀୟ ପୋଷାକ ପିନ୍ଧି କମନୀୟ ହୋଇଛି ତା’ର ରୂପ । ବସନ୍ତ ଆଖିରେ ଆଖି ପଡ଼ିବା ମାତ୍ରେ ଲଜ୍ଜାବନତ ହେଲା ବାଳିକାଟି । ଖଣ୍ଡିଏ ଖାତା ବଢ଼େଇ ଦେଇ ଭଙ୍ଗା ଭଙ୍ଗା ଓଡ଼ିଆରେ କହିଲା–ଏ ଖାତା କ’ଣ ତମର ବାବୁଜୀ ?

 

ଆଗ୍ରାବାସୀ ବାଳିକା ମୁହଁରୁ ଓଡ଼ିଆ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ବସନ୍ତ । ବାଳିକାର ପରିଚୟ ଜାଣିବାପାଇଁ ବ୍ୟାକୁଳ ହୋଇ ଉଠିଲା । ବାଳିକାଟି ଦେଖିବାକୁ ମନେ ହେଉଛି ଓଡ଼ିଆ ନୁହେଁ, କିନ୍ତୁ ଓଡ଼ିଆ ଜାଣିଲା କିପରି ? ଆଉ ମଧ୍ୟ ଏ ଖାତା ମୋର ବୋଲି ଜାଣିଲା କିପରି-?

 

ଆପଣ କ’ଣ ଓଡ଼ିଆ ? ବସନ୍ତ ପଚାରିଲା ।

 

ବାଳିକାଟିର ଅଧର କୋଣରେ ହସର ଜାଲ ବୁଣି ହେଇଗଲା । ମଧୁର ସ୍ୱରରେ କହିଲା–ନାଁ ବାବୁଜୀ ! ଓଡ଼ିଆ ନୁହେଁ ।

 

ତେବେ ଓଡ଼ିଆ ଜାଣିଲେ କିପରି !

 

ବାଳିକାଟି ପୁଣି ଫିକ୍ କରି ହସିଦେଲା । ସେ ହସରେ ଯେପରି ମଧୁନିଶାର ପସରା ମେଲି ହୋଇଗଲା । କହିଲା–ନା ବାବୁଜୀ ! ଆମ ଘର ଏଇ ଆଗ୍ରାରେ । ଓଡ଼ିଶାରେ ଜନ୍ମ । ତେଣୁ ମୁଁ ସେ ଭାଷା ଜାଣିଛି । ଆପଣଙ୍କ ଖାତାଟି ମଧ୍ୟ ପଢ଼ିଛି । କିଛି ମନେ କରିବେ ନାହିଁ ।

 

ବାଳିକାଟିର କଥା ଛଟକରେ ଆତ୍ମହରା ହୋଇ ଆସୁଥିଲା ବସନ୍ତ । କହିଲା–ନା ନା ମନେ କରିବାର କଣ ଅଛି । ଖାତାଟି ଯେ ପାଇଛ ସେଇଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ।

 

ଖାତା ଫେରିପାଇ ମହାଆନନ୍ଦ ହେଲା ବସନ୍ତ । ଅମାନିଆ ଆଖି ତାର ବାର ବାର ବାଳିକାଟି ଅଙ୍ଗସୌଷ୍ଠବ ଉପରେ ବୁଲି ଆସୁଥିଲା । ଅଜଣା ଆକର୍ଷଣରେ ମନଟା ଟାଣିହୋଇ ଯାଉଥିଲା ବାଳିକାଟିର ପାଖକୁ ।

 

‘‘–ଆପଣଙ୍କ ନା କହିବାରେ କିଛି ଆପତ୍ତି ଅଛି କି ?’’

 

–ନା । ଆପତ୍ତି କ’ଣ ? ମୋ ନା-ରିନା ।

 

–ଚମତ୍କାର ନା ତ ? ଆତ୍ମବିଭୋର ହୋଇ ବସନ୍ତ କହିଲା ।

 

ଲାଜର ସୂକ୍ଷ୍ମ ପରଦାଟିଏ ଟାଣି ହୋଇଗଲା ରିନାର ପୂରିଲା ମୁଖମଣ୍ଡଳରେ । ଆଖି ଦୋ’ଟି ଚଞ୍ଚଳ ହୋଇ ବୁଲି ଆସୁଥିଲା ବସନ୍ତର ଉପରେ । କିଛି ସମୟ ଏପରି ରହିବା ପରେ ରିନା କହିଲା, ପୁଣି ଦେଖା ହେବ ବାବୁଜି । ଅବି ମୁଁ ଚାଲିଲି ।

 

ନମସ୍କାର କରି ରିନା ଚାଲିଯିବାରୁ ବସନ୍ତ ମନଟି ବିଶାଦରେ ଭରିଗଲା । ମନ ଭିତରେ ବାର ପ୍ରଶ୍ନ ଚେଇଁ ଉଠିଲା । ଚାହିଁ ରହିଥିଲା ରିନାର ଚଲା ପଥକୁ । କ୍ଷଣକ ଦେଖାରେ ରିନା ଗୋଟିଏ ଗଭୀର ପ୍ରତିରେଖା କାଟି ଦେଇଗଲା ।

 

କିଏ ଏଇ ନବୀନା ? ଦେଖିଲେ ଦେବୀ ବୋଲି ମନେ ହେଉଛି ।

 

ମନମୋହିନୀ ସେ । ଘଡ଼ିକ ଭିତରେ ମନଚୋରି କରି ନେଇଗଲା । ବସନ୍ତର ସମସ୍ତ ଚିନ୍ତା ଦୂରେଇ ଗଲା ।

 

ଆସି ଜଳଖିଆ ଗଣ୍ଡିଏ ଖାଇ ଶୋଇ ପଡ଼ିଲା ।

 

ଶୋଇ ଶୋଇ ଭାବନାର ଅକୁଳ ସମୁଦ୍ର ଭିତରେ ଭାସି ଚାଲିଲା । ମନେ ପଡ଼ିଲା, ଗାଁ କଥା, ଗର୍ଭଧାରିଣୀ ମା’ଙ୍କ କଥା । ଯେଉଁ ଜନନୀ ତାକୁ ମଣିଷ କଲେ ତାଙ୍କୁ ସେ ଆଖି ଟେକି ଅନେଇ ନାହିଁ । ଏତେ ସ୍ନେହର ଭଉଣୀ କଥା ମନେ ପଡ଼ୁନାହିଁ । ବୋଉକୁ କଥା ଦେଇଛି, ଅନିତାକୁ ଭଲ ପାତ୍ରରେ ଟେକିଦେବ । କିନ୍ତୁ କ’ଣ ମୁଁ କରିଛି ଏତେଦିନ ପର୍ଯ୍ୟନ୍ତ ? ଚାରିବର୍ଷ ବିତିଗଲାଣି । କୌଣସି ଖବର ମଧ୍ୟ ରଖିନାହିଁ । କିଏ ମଲା କିଏ ଗଲା, ସେ ଖବର ମଧ୍ୟ ଜାଣିନାହିଁ । ଗୀତାର ଅବସ୍ଥା କ’ଣ ହୋଇଥିବ ? ହୁଏତ ତା ବାପ ମା’ ତାକୁ ଅନ୍ୟ କେଉଁଠି ବିଭା କରାଇଥିବେ । ମାନସୀ ଯାଇଛି । ଗୀତା ରହନ୍ତା କିପରି ? ସେ କ’ଣ ଆଉ ଘରକୁ ଯିବନାହିଁ ? କିପରି ଯାଇ ଏ କଳଙ୍କିତ ମୁହଁ ଦେଖାଇବ ? ଅନିତା ଆଜି ଯୌବନର କାଉଁରୀ କାଠି ପରଶରେ । ସେଦିନର ଅନିତା ହୋଇ ନଥିବ । ଆଶାରେ ଆଶାରେ ଦିନ ବିତାଉଥିବ । ବାଉଳା ମନ ତାର ପରାଣ ସାଥି ଖୋଜି ବୁଲୁଥିବ । ତା କଥାତ ଦିନେ ମନକୁ ଆଣିନାହିଁ । ନା । ଆଉ ଭାବି ଲାଭ ନାହିଁ । ଯେଉଁ ଅତୀତ ଜୀବନରେ ଗରଳ ଢାଳି ଦେଇଛି, ତାକୁ ଭାବି ହେଲେ ଆଉ କୌଣସି ତୃପ୍ତିଦାୟକ ହେବ ନାହିଁ ।

 

ଭାବୁ ଭାବୁ କେତେବେଳେ ନିଦ ଆସି ଯାଇଛି ଆଖିକୁ । ତା’ର ସମସ୍ତ ଗ୍ଳାନିକୁ ଧୋଇ ପୋଛି ପରିଷ୍କାର କରି ଦେଇଛି ଏକ ନିଦ । ଲୋଟି ପଡ଼ୁଥିଲା ଭୂଇଁ ଉପରେ । ଯେପରି ପ୍ରକୃତିର ପ୍ରଳୟ ତାଣ୍ଡବ ନୃତ୍ୟ ।

 

କିରୋସିନୀ ବତୀର ନିସ୍ତେଜ ଆଲୁଆରେ ଘର ଆଲୋକିତ । ପ୍ରଭାମୟୀ ଦେବୀ ରୋଗ ଶଯ୍ୟାରେ ଶୋଇ କେତେ କ’ଣ ଚିନ୍ତା କରୁଥିଲେ । ସେପାରିର ଡକରା ଆସିଗଲାଣି । ସେ ଡାକକୁ ଆଉ ଫେରେଇ ହେବନାହିଁ ।

 

ପାଖରେ ବସିଛି ଅନିତା । ବୋଉ ଅନ୍ତିମ ଶଯ୍ୟା ପାଖରେ ବସି ନିରୁପାୟ ଅନିତା । କେବଳ ଆଖିରୁ ଲୁହ ଝରାଉଛି । ଠାକୁରଙ୍କୁ ଡାକୁଛି ବୋଉ ମୋର କିପରି ଆରୋଗ୍ୟ ହେଉ । ବୋଉ କ’ଣ ଆଉ ବଞ୍ଚିବ ନାହିଁ ? ତା’ ହେଲେ ତା ଅବସ୍ଥା କଣ ହେବ ? କିପରି ସଂସାରରେ ରହି ପାରିବ ?

 

ଆଖି ଆଗରେ ତାର କେତେ କ’ଣ ହୋଇଗଲା । ଫୁଲଶଯ୍ୟା ବାସିରୁ ଭାଇ ଘରୁ ବାହାରି ଗଲେ ଯେ, ଆଜିଯାଏ ତାଙ୍କର ଦର୍ଶନ ନାହିଁ । ଅଭାବ ଅନାଟନ ଭିତରେ ଯାହାହେଉ ଚଳି ଯାଉଥିଲା । ଶେଷକୁ ବୋଉର ଏକ ଦୁରାବସ୍ଥା ।

 

ଭଗବାନ କ’ଣ ପଥର ? ଦୁଃଖୀର ଦୁଃଖ କଣ ତାଙ୍କ କର୍ଣ୍ଣ ଗହ୍ୱର ପାଖରେ ପହଞ୍ଚେ ନାହିଁ ?

 

ବେଳେ ଖାଇ ବେଳେ ଉପବାସ ରହି ମାଟ୍ରିକ ପାଶ କରିଥିଲା ଅନିତା । ଚାକିରୀଟି ବି ଯୋଗାଡ଼ କରି ନେଇଥିଲା ସ୍ଥାନୀୟ ସ୍କୁଲରେ । କିନ୍ତୁ ସ୍କୁଲ ସେକ୍ରେଟାରୀ ବିନୟବାବୁଙ୍କ ଲୋଲୁପ ଦୃଷ୍ଟି ପଡ଼ିଲା ତା’ ଉପରେ । ଅନିତାର ରୂପ ଗୁଣରେ ମୁଗ୍‌ଧହୋଇ ପ୍ରେମ ନିବେଦନ କଲା । ଅଯାଚିତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିଲେ, ଅନିତାର ଅଭାବ ସମୟର ସୁଯୋଗ ନେବା ପାଇଁ ।

 

ବିନୟବାବୁ ଶିକ୍ଷିତ ବ୍ୟକ୍ତି, କିନ୍ତୁ ଚରିତ୍ର ଦୋଷ ପ୍ରବଳ । ପ୍ରଥମ ସ୍ତ୍ରୀ ହରେଇ ଦ୍ୱିତୀୟ ସ୍ତ୍ରୀଟିଏ ପାଇବା ପାଇଁ ପାଗଳ । ବୟସ ବେଶୀ ଏବଂ ଚରିତ୍ର ଦୋଷ ପାଇଁ କେହି ଝିଅ ଦେଉ ନଥିଲେ । ଏହି ସମୟରେ ଅନିତା ପଡ଼ିଲା ତାଙ୍କ ନଜରରେ । ବେଳଅବେଳରେ ଆସି ପ୍ରଭାମୟୀଙ୍କ ସହିତ ଭାଇ ସମ୍ପର୍କ ପାତିଲେ । ତା’ପରେ ଦେଖିଲେ ଗୀତାକୁ । ଗୀତାର ବିରହିଣୀ ବେଶରେ ମୋହିତ ହୋଇ ତାର ସର୍ବସ୍ୱ ଲୁଣ୍ଠି ନେବାକୁ କୌଶଳ କଲେ, ଅସ୍ତ୍ର ହିସାବରେ ପ୍ରଭାମୟୀ ଦେବୀଙ୍କ ଚିକିତ୍ସା ଭାର ନେଇ ।

 

ଏକଥା ମର୍ମେ ମର୍ମେ ବୁଝିଥିଲେ, ଗୀତା ଏବଂ ଅନିତା । ନିରୂପାୟ ହୋଇ କିଛି କହିପାରୁ ନଥିଲେ ।

 

କିନ୍ତୁ ସେଦିନ ରାତିରେ ଯେଉଁ ଘଟଣା ଘଟିଗଲା, ତାହା ଆଜି ମନେ ପଡ଼ିଲେ ମୁଣ୍ଡ ବୁଲେଇ ଦେଉଛି । ଝଡ଼ ରାତି । ପ୍ରଭାମୟୀ ଦେବୀ ରୋଗ ଶଯ୍ୟାରେ ନିର୍ଜୀବ ପରି ପଡ଼ିଥା’ନ୍ତି । ଅନିତା ଡାକ୍ତର ଡାକିବାକୁ ଯାଇଥାଏ ସେଇ ମେଘ ରାତିରେ । ଘରେ ଏକୁଟିଆ ଗୀତା । ଏହି ସୁଯୋଗରେ ବିନୟବାବୁ ପହଞ୍ଚିଲେ ଅନିତାଙ୍କ ଘରେ । ଗୀତା ପ୍ରଥମେ ଡରି ଯାଇଥିଲା, କିନ୍ତୁ କର୍ତ୍ତବ୍ୟ କରିବା ପାଇଁ ଚଟେଇ ଦେଲା ବସିବାକୁ । ବିନୟବାବୁ ନ ବସି ଘରେ ଭିତରକୁ ପଶି ଆସିଲେ ଗୀତା ପାଖକୁ । କି ଲାଭ ଦେଖାଇଲେ ତାହା କେହି ଜାଣନ୍ତି ନାହିଁ । ଗୀତା କାକୁତି ମିନତି ହୋଇ ପଡ଼ିଗଲା ବିନୟବାବୁଙ୍କ ଗୋଡ଼ତଳେ । କାନ୍ଦି କାନ୍ଦି କହିଲା–ଆପଣ ମତେ ଏହି ବିପଦରୁ ଉଦ୍ଧାର କରି ପାରିବେ ? କହନ୍ତୁ କିପରି ମୁଁ ମୋ ସ୍ୱାମୀଙ୍କୁ ପାଇବି ।

 

ବିନୟବାବୁ ସାନ୍ତ୍ୱନା ଦେବା ଗଳାରେ କହିଲେ–

 

ଅଧୈର୍ଯ୍ୟ ହୁଅନାହିଁ । ବସନ୍ତ ଯେଉଁ ମାୟା ଜାଲରେ ଛନ୍ଦି ହୋଇ ଯାଇଛି, ତହିଁରୁ ତାକୁ ଉଦ୍ଧାର କରିବା ବାଟ ଅଛି କିନ୍ତୁ ତମେ ମତେ ବିଶ୍ୱାସ କରି ମୋ ସାଙ୍ଗରେ ଯାଇ ପାରିଲେ ହେଲା ।

 

ଗୀତା ମନ ଚହଲିଗଲା । ଚିତ୍ତ ଟଳିଗଲା । ସେଇ ଅନ୍ଧକାର ରାତିରେ ସେମାନେ ବାହାରିଗଲେ ଘର ଛାଡ଼ି ।

 

ଡାକ୍ତରବାବୁ ଆସିବାକୁ ରାଜି ହେଲେ ନାହିଁ କି ଔଷଧ ଦେଲେ ନାହିଁ । ଅନେକ ଟଙ୍କା ବାକୀ ପଡ଼ିଗଲାଣି । ସେ ପଇସା ନ ପାଇବା ପର୍ଯ୍ୟନ୍ତ କିଛି କରି ପାରିବେ ନାହିଁ ବୋଲି ସଫା କହିଦେଲେ ।

 

ଅନିତା ହତାଶ ହେଲା । ନିଜର ଗରୀବ ଅବସ୍ଥା କଥା ବୁଝି ମନକୁ ମନ ସାନ୍ତ୍ୱନା ଦେଲା–ଯାହାର କେହି ନାହିଁ, ତାହାର ଭଗବାନ ଅଛନ୍ତି । ଭଗବାନ ନିଶ୍ଚୟ ବିଚାର କରିବେ ।

 

ଘରକୁ ଫେରି ଭାଉଜଙ୍କୁ ନ ଦେଖି ଅଜଣା ଆଶଙ୍କାରେ ଦମ୍ଭ ଭାଙ୍ଗିଗଲା । ଚାରିଆଡ଼ ଖୋଜି ନିରାଶ ହେଲା । କୁଆଡ଼େ ଗଲେ ଆଉ ଭାଉଜ ? ବାପା ମାଙ୍କର ଅବାଧ୍ୟ ହୋଇ ଶାଶୁଘରେ ପଡ଼ି ରହିଥିଲେ ଯେ, ସେ ପୁଣି ଯିବେ କୁଆଡ଼େ ?

 

ଦିନ ଗଡ଼ି ଚାଲିଲା । ବାରଲୋକେ ବାରକଥା ସତ ମିଛ କରି କହିଲେ । କିଏ କହିଲା–ଗେରସ୍ତ ପର ସ୍ତ୍ରୀ ଧରି ବୁଲୁଛି, ଭାରିଜା ପର ପୁରୁଷ ସଙ୍ଗରେ ପଳେଇଛି ତ କ୍ଷତି କଣ ହେଲା ? କାହାକୁ କ’ଣ କହିବ ? ସୁବିଧା ଦେଖି ଯାହାର ଯାହା ଖୁସି ତା’ କହିଗଲେ । ପ୍ରଭାମୟୀ ଏହିସବୁ କଥା ଶୁଣି ଦୁଃଖରେ ଭାଙ୍ଗି ପଡ଼ିଲେ । ତାଙ୍କୁ ଚାରିଆଡ଼ ଅନ୍ଧକାର ଦିଶିଲା ।

 

କିଛିଦିନ ପରେ ବିନୟବାବୁ ଘରକୁ ଫେରି ଆସିଲେ ଭଲ ଲୋକଟି ପରି । ବୋଧହୁଏ ଗୀତାକୁ ଭଗବାନ ବଞ୍ଚେଇବା ପାଇଁ ତାଙ୍କ ହାତରୁ ଛଡ଼େଇ ନେଇଛନ୍ତି ।

 

ବିନୟବାବୁ ପ୍ରଭାମୟୀଙ୍କୁ ସମବେଦନା ଜଣେଇ କହିଲେ–ଏ ସବୁ ବିଷୟ ମୁଁ କିଛି ଜାଣିନି । ଗୋଟେ ଦରକାରୀ କାମରେ କଟକ ଯାଇଥିଲି ଯେ ଫେରିବାକୁ ବିଳମ୍ବ ହେଲା ।

 

ତାଙ୍କ କଥାକୁ କିଏ ବିଶ୍ୱାସ କରୁ ବା ନ କରୁ ଅନିତା କିନ୍ତୁ ବିଶ୍ୱାସ କଲାନାହିଁ । ବରଂ ସତର୍କରେ ରହିବାକୁ ଚେଷ୍ଟା କଲା । କିଏ ଜାଣେ–ତା ଭାଗ୍ୟ କେଉଁ ସୁଅରେ ଭାସିଯିବ ।

 

ଚାକିରୀରେ ବିତୃଷ୍ଣା ଜନ୍ମିଲା । ସଦାବେଳେ ଭାଇ ଭାଉଜଙ୍କ କଥା ମନେ ପଡ଼ିଲା । ବୋଉ ଦଶା ଦେଖି ଆଖି ଆଗରେ ଛାତି ଫାଟିଗଲା ।

 

ଦିନେ ବିନୟବାବୁ ପ୍ରଭାମୟୀଙ୍କ ପାଖରେ ଅନିତାକୁ ପାଇବା ପାଇଁ ପ୍ରସ୍ତାବ କଲେ । ତାଙ୍କର ଅଭାବ ବୋଲି କିଛି ନାହିଁ । ବରଂ ଅନିତା ତାଙ୍କ ଘରକୁ ଗଲେ ସୁଖରେ ରହିବ । ଆଉ ପ୍ରଭାମୟୀଙ୍କର ସେବା ଶୁଶ୍ରୁଷାରେ କୌଣସି ଅସୁବିଧା ରହିବ ନାହିଁ ।

 

ପ୍ରଭାମୟୀ ଏପରି ଗୋଟିଏ ପ୍ରସଙ୍ଗକୁ ଗ୍ରହଣ କଲେ ନାହିଁ । କିନ୍ତୁ ବିନୟବାବୁ ବଡ଼ଲୋକ । ତାଙ୍କ ମୁହଁ ଉପରେ ବାରଣ କରିଦେବା ଉଚିତ ହେବନାହିଁ ମନେକରି କହିଲା–ଆମେ ଗରିବ । ହେଲେ ଆମର ମାନସମ୍ମାନ ଅଛି । ତୁମକୁ ମୁଁ କଥା ଦେବି କିପରି ? ଅନିତା ରାଜି ହେଉଛି କି ନାଁ ପଚାରି ଦେଖେ ।

 

ବିନୟବାବୁଙ୍କୁ ପ୍ରେମ ନିଶା ଘାରିଛି । ସେ ଆଉ କାଳ ବିଳମ୍ବ ନ କରି ଅନିତା ପାଖରେ ପହଞ୍ଚି କହିଲେ–ତୁମ ବୋଉ ବିବାହରେ ରାଜି ହୋଇଛନ୍ତି । ଏବେ ତୁମେ ରାଜି ହେଲେ ହେଲା ।

 

–କାହା ବାହାଘର ?

 

–ତୁମର ?

 

–ମୋର ! ମୁଁ ତ ଏଯାଏ ମୋ ବିଭାଘର କଥା ମନକୁ ଆଣିନାହିଁ । ଘର ଅବସ୍ଥା ଯେପରି, ମୁଁ ବିବାହ ହେଲେ ଚଳିବ ନାଁ ?

 

–ତା’ହେଲେ ତୁମେ କ’ଣ ବିବାହ କରିବନି ?

 

–ସେହିପରି ତ ଠିକ୍ କରିଛି, ଆଜୀବନ କୁମାରୀ ହୋଇ ରହିବି ବୋଲି ।

 

ବିନୟବାବୁ ହସିଲେ । ସେହି ହସ ଯେପରି ଉପହାସ କରୁଥିଲା ଅନିତାକୁ । କହିଲା–ଝିଅମାନେ ମୁହଁରେ ଏପରି ବହୁତ କଥା କହୁଥାନ୍ତି । ସୁଯୋଗ ପାଇଲେ ତାଙ୍କ କାମ ସେ କରିଯାନ୍ତି-। ଅବାଟକୁ ବି ବାଟ ବୋଲି ମାନି ନିଅନ୍ତି ।

 

ବିରକ୍ତ ହୋଇ ଅନିତା କହିଲା–ସମସ୍ତେ ସେମିତି ବୋଲି ଭାବନ୍ତୁ ନାହିଁ । ଏ ଘରର ଦିନେ ସମ୍ମାନ ଥିଲା । ସେଇ ଘରର ଝିଅ ମୁଁ ।

 

–ହଁ ! ତାହାର ପ୍ରମାଣ ତ ମିଳୁଛି । ବସନ୍ତ କାହାକୁ ଧରି ବୁଲୁଛି । ଘର ବୋହୂ ପର ପୁରୁଷ ପ୍ରେମରେ ପଡ଼ି ଘର ଛାଡ଼ି ପଳେଇ ଗଲେ । ଆଉ ବାକି ଅଛ ତୁମେ ।

 

ଭାଇ ଭାଉଜଙ୍କର ନିନ୍ଦା ଶୁଣି ଅନିତାର ଇଚ୍ଛା ହେଲା, ବିନୟ ବାବୁଙ୍କ ଗଳାରେ ଧକ୍‌କା ଦେଇ ଘରୁ ବାହାର କରି ଦେବାକୁ; କିନ୍ତୁ ସମ୍ବରଣ କରି କହିଲା–

 

–ଆପଣ କଣ କହିବାକୁ ଚାହୁଁଛନ୍ତି ସଫା ସଫା କୁହନ୍ତୁ ।

 

–ମୁଁ ତ ଅସଫା କିଛି କହିନାହିଁ ଯେ, ତମେ ବୁଝିପାରୁନାହଁ । କହି ହସିଲେ ବିନୟବାବୁ-। ଟିକିଏ ମୁରୁକି ହସି କହିଲେ–ମୁଁ କହୁଥିଲି ତୁମକୁ ମୁଁ ମୋର ଅନ୍ତରର ଅଧିଶ୍ୱରୀ କରିବି । ରାଣୀ ହୋଇ ମୋର ଅଗାଧ ସମ୍ପତ୍ତି ଭୋଗ କରିବ ! ଆନନ୍ଦରେ ଦିନଗୁଡ଼ିକ କଟିଯିବ ।

 

ଏହି କଥା ଶୁଣି ରାଗରେ ଜଳିଉଠିଲା ଅନିତା । ନିଜକୁ ସମ୍ଭାଳି ନପାରି କହିଲା–ଆପଣ ଏତେ ନିଚ ମଉସା ? ବାପ ସମାନ ହୋଇ ଝିଅ ସହିତ ପ୍ରେମ କରିବାକୁ ମନ ବଳାଉଛନ୍ତି ? ଆପଣଙ୍କ ନିଜ ମାନ ଇଜ୍ଜତ୍ ନାହିଁ ?

 

ଅନିତା କଥା କାନକୁ ନ ନେଇ ବିନୟବାବୁ ଆହୁରି ପାଖକୁ ଲାଗିଗଲେ । ଗୋଟିଏ ନିର୍ଜନ ଘରେ ଅନିତା ଆଉ ସେ । ସୁଯୋଗ ବୁଝି ଅନିତାକୁ ଭିଡ଼ି ଧରି କହିଲେ–

 

–ମାନ କରି ଏପରି କୁହ ନାହିଁ ରାଣୀ । ତୁମ କଥା ଭାବି ଭାବି ମୁଁ ଦିଗହରା ହୋଇ ପଡ଼ିଛି । ସଦାବେଳେ ତୁମେ ମୋ ମାନସ ପଟରେ ଦେବୀ ପ୍ରତିମା ହୋଇ ରହିଛ । ରାଜି ହୋଇଗଲେ ତୁମକୁ । ମୁଁ ଯେ କିପରି ଭାବରେ ରଖିବି ସେ କଥା ଭାଷାରେ କହି ପାରୁ ନାହିଁ । ତୁମ ଭାଇ ଭାଉଜଙ୍କୁ ଖୋଜି ଆଣି ତୁମ ପାଖରେ ଦେବି ।

 

ଆତ୍ମଜ୍ଞାନ ଶୂନ୍ୟ ହୋଇ ବୁଦ୍ଧି ବିବେକ ହଜେଇ ବିନୟବାବୁଙ୍କ ଗାଲରେ ଚଟାପଟ ଦୁଇଟା ଚାପୁଡ଼ା ବଜେଇ ଦେଲା । ତିରଷ୍କାର କରି କହିଲା–ବାହାରି ଯାଅ ମୂଖ । ତୁମର ସମ୍ପତ୍ତି ମୁଁ ଚାହେଁନା ତାଠାରୁ ଭୋକ ଉପାସରେ ମରିଯିବା ଶ୍ରେୟସ୍କର ।

 

ଆହତ ବ୍ୟାଘ୍ର ପରି ଗର୍ଜି ଉଠିଲେ ବିନୟବାବୁ !

 

–ଠିକ ଅଛି । ମୋ ପରି ଲୋକକୁ ଏପରି ଅପମାନିତ କରିଛୁ ତାହାର ପରାଭବ କି କଠୋର କି ଭୀଷଣ ହେବ ଦେଖି ପାରିବୁ । ମୋ ହାତରୁ କେହି ତୋତେ ବଞ୍ଚେଇ ପାରିବେ ନାହିଁ । ଯଦି ଏହା ନ ହୁଏ ତାହାହେଲେ ମୋ ନା ବିନୟ ପାତ୍ର ନୁହେଁ ।

 

ଆଜି ସେ କଥାକୁ ଭାବିବାକୁ ଗଲେ ମଣିଷ ଜାତି ଉପରେ ଘୃଣା ଜନ୍ମେ ଅନିତା । ମଣିଷ ହୋଇ ପୁଣି ରାକ୍ଷସର ଆଚରଣ କରେ ? ଛି–ଛି ।

 

କେତେଦିନ ପରେ ଗୋଟିଏ ନୋଟିସ ଆସି ପହଞ୍ଚିଲା ପ୍ରଭାମୟୀ ଦେବୀଙ୍କ ନାମରେ । ବିନୟ ବାବୁ କେଶ୍ କରିଛନ୍ତି ପାଞ୍ଚଶତ ଟଙ୍କା ତୋସରପର ଦାବୀ କରି । କୋର୍ଟରୁ ସମନ ଆସିଛି ।

 

ଏକଥା ଶୁଣି ହତାଶରେ ଭାଙ୍ଗିପଡ଼ିଲେ ପ୍ରଭାମୟୀ ଦେବୀ । କଣ କହିବେ ବୋଲି କିଛି ବୁଦ୍ଧି ଦିଶିଲା ନାହିଁ । ବିପଦ ଉପରେ ପୁଣି ଏ ବିପଦ ଆସି ପହଞ୍ଚିଲା କାହିଁକି ? କିଏ ଅଛି ଯେ, ମୋ ପାଖରେ ଧାଆଁ ଧପଡ଼ କରି ମକଦ୍ଦମା ଲଢ଼ିବ ? ପ୍ରଭାମୟୀ ଦେବୀ ଅନିତାକୁ କହିଲେ–ତାକୁ ତୁ କ’ଣ ଇମିତି ରଗେଇ ଦେଲୁ ? ସେ ଯେପରି ଟାଉଟରିଆ ମଣିଷ–ମକଦ୍ଦମା ଲଗେଇଲେଣି । କି ବୁଦ୍ଧି କରିବା କହିଲୁ ?

 

ଅନିତା ମଧ୍ୟ ସେଇକଥା ଭାବୁଥିଲା । ପାଖରେ ଛିଡ଼ା ହେବାକୁ ଜଣେହେଲେ କେହି ନାହିଁ । ଘରେ ଧନ ବୋଲି କାଣି କଉଡ଼ିଟାଏ ନାହିଁ । ସମ୍ବଳ ବୋଲି ଜମି ଅରାଏ । କି ବୁଦ୍ଧି କରିବ ସେ ? ଚାରିଆଡ଼ ଅନ୍ଧାର ଦିଶୁଛି ।

 

ଭଗବାନ ଏପରି କାହିଁକି କରିବାକୁ ଗଲେ ? ବୋଝ ଉପରେ ନଳିତା ବିଡ଼ା ପରି, ବିପଦ ଉପରେ ବିପଦ ଆସି ମୁଣ୍ଡ ଫଟେଇ ଦେଉଛି ।

 

ଫଳ କିଛି ହେଲାନାହିଁ । ନିଲାମ କରି ଜମି ବାଡ଼ି ଘର ସବୁ ନେଇଗଲେ ବିନୟବାବୁ । ଘର ଛାଡ଼ି ଗଛମୂଳକୁ ଆଶ୍ରାକରି ରହିଲେ ଅନିତା ଓ ପ୍ରଭାମୟୀ ।

 

ମଣିଷ ଜୀବନ ଏହିପରି । କେତେବେଳେ ଯେ ଜୀବନର ଗତି ପରିବର୍ତ୍ତନ ହୁଏ, ସେ କଥା ଆଗରୁ କେହି ଜାଣି ପାରନ୍ତି ନାହିଁ । ଶେଷ ମେଘରେ ତ ପୁଣି ବଜ୍ରପାତ ହୁଏ । ତଥାପି ମଣିଷ ଭାଙ୍ଗି ପଡ଼େ ନାହିଁ । ବିପଦକୁ ଆଗରେ ରଖି ଝଡ଼ ଝଞ୍ଜାକୁ ଖାତିର ନକରି ବଞ୍ଚିରହେ ।

 

ଶେଷକୁ ଅନିତା ପ୍ରଭାମୟୀଙ୍କୁ ନେଇ କଟକ ଚାଲି ଆସିଲା । ବୁଲି ବୁଲି ଘର ଖଣ୍ଡିଏ ଭଡ଼ାରେ ଯୋଗାଡ଼ କଲା । ମାଟି ଘର ବୋଲି ଅଳ୍ପ ଟଙ୍କା ଭଡ଼ାରେ ମିଳିଗଲା । ଅସୁସ୍ଥ ପ୍ରଭାମୟୀଙ୍କୁ ବସାରେ ରଖି ଚାକିରୀ ଉଦ୍ଦେଶ୍ୟରେ ଦୌଡ଼ିଲା ଅନିତା । ଏ ଯୁଗରେ ଅଗଣିତ ଚାକର ମିଳିବେ ପଛକେ ଖଣ୍ଡିଏ ଚାକିରୀ ମିଳିବ ନାହିଁ । ଅନିତାକୁ ବା ଚାକିରୀ ଦେଉଛି କିଏ । ଖୁବ ଦୌଡ଼ା ଦୌଡ଼ି କରି, ଗୁଡ଼ାଏ ଖୋସାମତ କରି ଚାକିରୀ ଖଣ୍ଡିଏ ଯୋଗାଡ଼ କଲା । ଦରମା ଷାଠିଏ ଟଙ୍କା ।

 

ମାସଶେଷକୁ ଏଥର ଷାଠିଏ ଟଙ୍କା ଯାହା ଭରସା । ସେତିକିରେ ଦୁଃଖେ କଷ୍ଟେ ମା’ଝିଅ ଦୁହେଁ ଚଳିବାକୁ ଲାଗିଲେ । ରନ୍ଧାବଢ଼ାଠାରୁ ରୋଗାକ୍ରାନ୍ତ ମା’ର ସେବା ଶୁଶ୍ରୁଷା ପର୍ଯ୍ୟନ୍ତ ନିଜ ହାତରେ ସମସ୍ତ କରେ ଅନିତା । ଅଫିସରୁ କାମ ସାରି ବସାକୁ ଫେରି ଘଡ଼ିଏ ହେଲେ ଅବସର ପାଏ ନାହିଁ । ପ୍ରଭାମୟୀଙ୍କୁ କି ଭାବରେ ଆରୋଗ୍ୟ କରି ବଞ୍ଚେଇ ପାରିବ ସେଇ ଚିନ୍ତା ସଦାବେଳେ ଅନିତା ମନରେ । ଥଳ କୂଳ ପାଏନାହିଁ କିପରି ଭାବରେ ବଞ୍ଚେଇବ ସେ ତା ବୋଉକୁ-?

 

ପ୍ରଭାମୟୀଙ୍କ ଅବସ୍ଥା ଆଦୌ ଭଲ ନୁହେଁ । ସଦାବେଳେ ଆଶଙ୍କାଜନକ ପରିସ୍ଥିତି । ଆଖିରେ ଲୁହ ନାହିଁ କିନ୍ତୁ ମନରେ ସଦାବେଳେ କୋହ । ସବୁ ଥାଇ କିଛି ନାହିଁ ଆଜି ତାଙ୍କର । ପୁଅ ଜନ୍ମ କଲେ ସେ ପୁଣି ଆଜି ତାଙ୍କୁ ଆଖିରେ ଅନେଇଲା ନାହିଁ ଘର ବାଡ଼ି ନିଲାମରେ ଗଲା । ଝିଅଟାକୁ କେଉଁଠି ଟେକି ଦେଇଥିଲେ ତା’ଘର ସେ କରିଥାନ୍ତା । ଏତେବଡ଼ ଝିଅ ହେଲାଣି । ତା’ର ତ ପୁଣି ମନସାଧ ଅଛି । ବେଳ କର୍ମକୁ ଆଦରି କାଠ ପରି ପଡ଼ି ରହିଥାନ୍ତି ବିଛଣାରେ । ବେଳେ ବେଳେ ଦୀର୍ଘଶ୍ୱାସ ଛାଡ଼ୁଥାନ୍ତି । ପୁଅ ବୋହୂ ଥାଇ ଶେଷକୁ ତାଙ୍କ କପାଳରେ ଏଇ ହୀନସ୍ଥା ଲେଖାଥିଲା । ମରିଗଲେ ତରି ଯାଆନ୍ତେ । କିନ୍ତୁ ମରଣ ହେଉଚି କେଉଁଠି ? ଆଉ ସେ ମରିଗଲେ ଝିଅଟାର କି ଅବସ୍ଥା ହେବ କାହା ଦୁଆରେ ଯାଇ ମୁଣ୍ଡ ଗୁଞ୍ଜିବ ?

 

ଏଇ ଝିଅ ହେଇଚି ଯାହା । ନିଜପାଇଁ ଟିକିଏ ହେଲେ ଚିନ୍ତା ନାହିଁ । ତା ବୟସର ଝିଅମାନେ ଶାଶୁ ଘରକୁ ଯାଇ ତିନି ତିନିଟା ପିଲାର ମା’ ହେଲେଣି । ନିଜ ଘର ସଂସାର ନିଜେ ଦେଖିଲେଣି । ଆଉ ଇଏ ଆଖିରୁ ଲୁହ ଗଡ଼େଇ ଗଡ଼େଇ ନୟାନ୍ତ ହେଲାଣି । ବଡ଼ ହୀନିକପାଳୀ । ପିନ୍ଧିବାକୁ ଭଲ ଲୁଗା ଖଣ୍ଡେ ନାହିଁ । ନାଇବାକୁ ଭଲ ଗହଣା ଖଣ୍ଡେ ନାହିଁ । ସାତସିଆଁ ଲୁଗା ପିନ୍ଧି ଦାଣ୍ଡକୁ ବାହାରୁଛି । ସବୁ ଅଦୃଷ୍ଟ । ଦୃଷ୍ଟ ଛଡ଼ା କାହାକୁ ନିନ୍ଦିବେ ।

 

ଏସବୁ କଥା ଦେଖି ଛାତି ଫାଟି ଯାଉଛି ପ୍ରଭାମୟୀଙ୍କର । ଘରଦ୍ୱାର ସମ୍ପତ୍ତି ବାଡ଼ି ସବୁ ଯାଇଛି ଆଉ ବାକୀ କଣ ଅଛି ଯେ କାହା ଉପରେ ଭରସା କରିବେ ? ଦୀର୍ଘନିଶ୍ୱାସ ଛାଡ଼ି ଝିଅକୁ ଚାହାନ୍ତି ପ୍ରଭାମୟୀ ଦେବୀ । ଝିଅ ତାଙ୍କର ଝିଅ ନୁହେଁ । ପୋଷିଲା ପୁଅ । ପୁଅଠାରୁ ଯାହା ପାଇଲେ ନାହିଁ, ଏ ଝିଅ ତାହାଠାରୁ ବେଶୀ ଦେଇଛି । ଝିଅ ହୋଇ ପୁଅଠାରୁ ବଳି ପଡ଼ିଛି ।

 

ଗର୍ବରେ ଛାତି ଫୁଲି ଉଠେ ପ୍ରଭାମୟୀଙ୍କର । ଆଖି ଛଳ ଛଳ ହୋଇ ଲୁହ ବୋହି ଆସେ । ଝିଅ ପାଇଁ ମନଟା କିପରି ଗୋଟାଏ ବିଷାଦରେ ଭରି ଉଠେ ।

 

ବସନ୍ତ ପୁଣି ଆସିଛି ଧରା ବୁକୁରେ । ହସେଇଛି ଧରିତ୍ରୀକୁ । ପ୍ରକୃତିକୁ ସଜେଇଛି ଅପରୂପ ରୂପ ସମ୍ଭାରରେ । ମନ ମତାଣିଆ ସ୍ୱରରେ କୋକିଳ ଗାଉଛି । ତାର ହୃଦୟରୁ ସମସ୍ତ ଆନନ୍ଦକୁ ବ୍ୟକ୍ତ କରି ଉଡ଼ି ବୁଲୁଛି କୁସୁମିତ ବକୁଳ ଶାଖାରେ । ମନୁଷ୍ୟ ମନପ୍ରାଣ ବି ଆଜି ଅଜଣା ପୁଲକରେ ମାତି ଉଠିଛି । ନୂତନ ଉନ୍ମାଦରେ ଆତ୍ମହରା ହୋଇ ପଡ଼ୁଛି ।

 

ବସନ୍ତ ହୃଦୟର ମରୁରାଜ୍ୟ ମଧ୍ୟ ଆଜି ଫୁଲ ଫଳରେ ଭରି ଉଠିଛି । ସଜ୍ଜୀବିତ ହୋଇଛି ତାର ଅନ୍ତରର ବନରାଜା । ନୂତନ ଆଶରେ ମାତାଲ ହୋଇ ସେ ଆଗେ ଚାଲିବାକୁ ପ୍ରସ୍ତୁତ ହୋଇଛି । ତାର ଅନ୍ତରକୁ ସୁବାସିତ କରି ସାରିଲାଣି ରିନା ।

 

ରିନାର ପରିଚୟ ଷଠିକ ଭାବରେ ପାଇନାହିଁ ବସନ୍ତ । କିନ୍ତୁ କାହିଁକି କେଜାଣି ନିଜ ଅନ୍ତର ଭିତରେ ତାକୁ ନିବିଡ଼ ଭାବରେ ବାନ୍ଧି ସାରିଲାଣି । ରିନାକୁ ପାଇ ସେ ଯେପରି ଅତୀତର ସ୍ମୃତିକୁ ବିସ୍ମୃତିର ଅତଳ ଗର୍ଭରେ ଫିଙ୍ଗି ଦେଇଛି । ମନରେ ଜାଗରିତ ହୋଇଛି ନୂଆ ନିଶା । ନିଃସଙ୍ଗ ଜୀବନ ପାଇଛି ମନ ମାନିବା ଭଳି ସାଥିଟିଏ ।

 

ଆଗ୍ରାର ଗୋଟିଏ ଭଦ୍ର ପଲ୍ଲୀ ଭିତରେ ରହେ ରିନା । ଦୋ ମହଲା କୋଠା ଦେଖିଲେ ଜଣେ ଖାନଦାନୀବାଲା ଘର ପରି ମନେ ହୁଏ । ଘରକୁ ଏକା ସେ । ମା’ ମରିଯାଇଛନ୍ତି । ପିଲାଦିନରୁ ବାପା ଗତ ହୋଇଛନ୍ତି ବର୍ଷେ ହେଲା । ଚାକର ପୁଝାରୀଙ୍କ ଦ୍ୱାରା କାମ ଚଳାଏ । ତା’ଛଡ଼ା ଦୂର ସମ୍ପର୍କୀୟ ଜଣେ ଭାଇ ମଝିରେ ମଝିରେ ଆସି ଦେଖା ଶୁଣା କରନ୍ତି ।

 

ବସନ୍ତ ଲକ୍ଷ୍ୟକରି ଦେଖିଛି ରିନା କଥାରେ ଯେପରି ଅସ୍ୱାଭାବିକ କିଛି ଅଛି । ବିଶ୍ୱାସ ହେଲେ ବି ଅବିଶ୍ୱାସ କରିପାରେ ନାହିଁ । କଥା ଭିତରେ ଗୂଢ଼ ରହସ୍ୟର ସନ୍ଧାନ ପାଇ ବି ସନ୍ଦେହ କରିପାରେ ନା କେବଳ ସନ୍ଦେହ ହୁଏ ଜଣେ ଅପରିଚିତା କିଶୋରୀ ହଠାତ୍ ତାକୁ ଏତେ ଆପଣାର ପରି ଦେଖିଲା କିପରି ?

 

ପ୍ରଥମରେ ଅନୁମାନ କରିଥିଲା ରୂପଜୀବିନୀ ବୋଲି । କିନ୍ତୁ ଯେତେ ତା ସହିତ ମିଶିଲା, ଯେତେ ପରିଚୟ ହେଲା ସେ ଧାରଣା ତା ମନରୁ ଅପସରି ଗଲା । କିନ୍ତୁ ତାର ସୀମନ୍ତରେ ସିନ୍ଦୂର ଥିବାର କୌତୂହଳ ଏଡ଼ାଇ ନପାରି ଦିନେ ପଚାରିଲା-ତୁମକୁ ସିନ୍ଦୂର ବେଶ୍ ମନେଇଛି । ତୁମେ କ’ଣ ବିବାହ କରିଛ ମିସେସ ରିନାଦେବୀ !

 

ରିନା ମୁହଁରେ କୁଳୁ କୁଳୁ ହସ ଖେଳିଗଲା । କହିଲା–ଆପଣଙ୍କୁ କେତେଥର କହିଛି ମତେ ଏପରି ସମ୍ବୋଧନ କରି ଡାକିବେ ନାହିଁ ବୋଲି । ତଥାପି ଆପଣ କଥା ଶୁଣୁ ନାହାନ୍ତି ।

 

–ଭୁଲି ଯାଉଛି ।

 

–ଭୁଲିଗଲେ ତ ଚଳିବନି ।

 

ପୁଣି ଟିକିଏ ଭାବି କହିଲା–ହଁ । ସିନ୍ଦୂର କଥା କହୁଥିଲେ ତ । ସିନ୍ଦୂର ଲଗେଇବାକୁ ଭଲଲାଗେ ବୋଲି ଲଗେଇଛି । ଦୋଷ କରିଛି କିଛି ?

 

–ନାଁ । ଦୋଷ ନୁହେଁ । କିନ୍ତୁ–

 

–କିନ୍ତୁ ? ସନ୍ଦେହ ହେଉଛି ଆପଣଙ୍କର ?

 

–ନାଁ ସନ୍ଦେହ ନାହିଁ ଏମିତି ପଚାରୁଥିଲି ।

 

ଆଉ କେହି କୋଣସି କଥା କହିଲେ ନାହିଁ ।

 

ବସନ୍ତ ତାର ଠିକ୍ ପରିଚୟ ଦେଇ ନାହିଁ ରିନାକୁ । ନିଜ ନାଁ କହିଛି ଚିନ୍ତାମଣି । ଘର କଟକରେ ।

 

ଦୁହିଁଙ୍କର ମନ ମିଳିଯାଇଛି । ଦୁହିଁଙ୍କ ପ୍ରାଣ ଦୁହିଁଙ୍କି ପାଇବା ପାଇଁ ଆତୁର ହୋଇ ଉଠୁଛନ୍ତି । ବିଶେଷତଃ ରିନାର ମନ ମତାଣିଆ କଥା ଓ ବ୍ୟବହାର ବସନ୍ତକୁ ମୋହିତ କରିଛି ।

 

ଆଜିକାଲି ଚିନ୍ତାମଣି ଆଉ ଫୁଟପାଥର ପଥିକ ନୁହେଁ କି ଧର୍ମଶାଳାର ଆଶ୍ରୟପ୍ରାର୍ଥୀ ନୁହେଁ । ରିନାର ଅନୁରୋଧ ପାଇ ସେ ରହୁଛି ଯାଇ କୋଠିରେ । ଚାକର ପୁଝାରୀଙ୍କ ଛଡ଼ା ଆଉ କେହି ନଥାନ୍ତି ସେଠି । ସେମାନେ ମଧ୍ୟ ପ୍ରୟୋଜନ ନ ହେଲେ ଦୋତାଲାକୁ ଯାଆନ୍ତି ନାହିଁ । ତେଣୁ ଦୋତାଲା ସବୁବେଳେ ନିରୋଳା । ସେଇ ଦୋତଲାରେ ଦୁହେଁ ଦୁଇଟି ଘରେ ରହନ୍ତି । ଅନ୍ୟ ଗୋଟିଏ ଘର ଅଛି । ସେ ଘରେ ରିନାର ଦୂର ସଂପର୍କୀୟ ଭାଇ ଦିଲିପ ଯେତେବେଳେ ଆସେ ସେତେବେଳେ ରହେ । ବର୍ତ୍ତମାନ ଖାଲି ପଡ଼ିଛି ସେ ଘର । ସେ କାନପୁରରେ ରହନ୍ତି । ଛୁଟି ପାଇଲେ ଆସନ୍ତି ରିନାର ଖବର ଅନ୍ତର ନେବାପାଇଁ ।

 

କିଛିଦିନ ରହିବା ପରେ କିପରି ଏକ ଆଶ୍ୱସ୍ତ ବୋଧକଲା । ଜଣେ ନାରୀର ଆଶ୍ରିତ ହୋଇ ରହିବା ପାଇଁ ମନ ଚାହିଁଲା ନାହିଁ । ଆମ ସମ୍ମାନତ ଅଛି ? ସେଥିପାଇଁ ଗୋପନରେ ଚାକିରୀ ଖୋଜିବାରେ ଲାଗି ପଡ଼ିଲା ।

 

କିନ୍ତୁ ଚାକିରୀ ଦେବ କିଏ ତାକୁ ? ଆଗ୍ରାରେ ସେ ଅପରିଚିତ । ତା’ଛଡ଼ା ପାଖରେ ନିଜର ଶିକ୍ଷା ଦୀକ୍ଷାର କୌଣସି ପ୍ରମାଣ ପତ୍ର ନାହିଁ, ତେଣୁ ବୁଲି ବୁଲି ନିରାଶ ହୋଇ ଫେରିଲା ।

 

କାନପୁରରୁ ଦିଲିପ ଫେରି ଆସିଲେ । ରିନାଠାରୁ ଚିନ୍ତାମଣୀର ପରିଚୟ ପାଇ ଖୁସି ହେଲେ । ଆଳାପ ଆଲୋଚନା ଜମିବାରୁ ଦିନେ ସୁଯୋଗ ନେଇ ଚାକିରୀ କଥା କହିଲେ ଚିନ୍ତାମଣି-। ଦିଲିପ ବିଳମ୍ବ ନକରି ଖଣ୍ଡେ ଚାକିରୀର ବ୍ୟବସ୍ଥା କରେଇ ଦେଲେ ।

 

ଦିଲିପକୁ ଯେତିକି ଦେଖେ ଚିନ୍ତାମଣି, ଠିକ୍ ସେତିକି ଖୁସି ହୁଏ । ଖୁବ୍ ସ୍ନେହୀମଣିଷ । କିନ୍ତୁ ବଡ଼ ଭାବୁକ । ବେଳେ ବେଳେ ଚୁପ୍ ହୋଇ କଣ ଭାବନ୍ତି ।

 

ରିନାର ମନଭୁଲାଣିଆ ଡାକରେ ଆତ୍ମହରା ହୋଇପଡ଼େ ବସନ୍ତ । ଅତୀତକୁ ଭୁଲିଯାଇ ବର୍ତ୍ତମାନକୁ ନେଇ ସଂସାର ଗଢ଼ିବା ପାଇଁ ଉତ୍ସାହୀ ହୋଇ ଉଠେ । ରଙ୍ଗୀନ ସ୍ୱପ୍ନରେ ବୁଡ଼ିରହେ ।

 

ସମୟର ଗତି ଏହିପରି । ପରକୁ ଆପଣାର କରି ଆପଣାକୁ ପର କରିବାରେ କୌଣସି ପ୍ରତିବନ୍ଧକ ରହେନାହିଁ ।

ବେଳେ ବେଳେ ରିନା ଅନ୍ୟମନସ୍କ ଭାବରେ ବସି ରହେ । ମନେହୁଏ ତାର ଅନ୍ତର ଭିତରେ ଅଶାନ୍ତ ଝଡ଼ର ସୃଷ୍ଟି ହେଉଛି । କିନ୍ତୁ ବାହାରେ ସେ ଶାନ୍ତ ଧୀର । ବସନ୍ତ ବହୁ ଚେଷ୍ଟା କରେ ତାର ମନ ମଧ୍ୟରେ ଗୋପନ କଥା ଜାଣିବା ପାଇଁ । କିନ୍ତୁ କିଛି କୁହେ ନାହିଁ ରିନା ।

 

‘‘..................................’’

 

ଆକାଶ ଚାନ୍ଦିନୀର ଶୁଭ୍ର ପରଶରେ ହସି ଉଠେ । ତା ସହିତ ରୂପସୀ ରିନା ସମାନ ଭାବରେ ହସି ଉଠେ ମହୁଆ ନିଶାରେ ମାତାଲ ହୋଇ । ଦେହ ମନରେ ଶିହରଣ ଜାଗରିତ ହୁଏ । ନାରୀ ସେ । ସଂଯମ ଶକ୍ତି ତାର ଧୈର୍ଯ୍ୟ ହରାଏ ।

 

ସାନ୍ଧ୍ୟ ଭ୍ରମଣରେ ତାଜମହଲ ଆଡ଼େ ବୁଲି ବାହାରନ୍ତି ରିନା ଓ ବସନ୍ତ । ସିମେଟ ବନ୍ଧା ଚଟାଣ ଉପରେ ପାଖକୁ ପାଖ ଲାଗି ବସନ୍ତି ଦୁହେଁ । ନିରୋଳାରେ ବସି କେତେ କଣ ଭାବିଯାନ୍ତି ଦୁଇଜଣ ଆତ୍ମପ୍ରସାଦ ଅନୁଭବ କରନ୍ତି ।

 

ବସନ୍ତ ପାଇବା ଆଶାରେ ଚାହିଁ ରହେ ରିନାକୁ । ଲଜ୍ଜାବନତ ହୁଏ ରିନା । ତଥାପି ତାର ଆଖି ଅମାନିଆ ହୋଇ କଣେଇ ଚାହେଁ । ଚାରି ଆଖିର ମିଳନରେ ଦୁହେଁ କ୍ଷଣକ ପାଇଁ ଆତ୍ମବିସ୍ମୃତ ହୁଅନ୍ତି । ଆଖି ଫେରେ ନାହିଁ ।

 

ରାତି ବଢ଼େ । ଦେହ ମନର ଦ୍ୱନ୍ଦ ଭିତରେ ଚହଲି ଚହଲି ଫେରନ୍ତି ।

 

ନିଶବ୍ଦ ରାତିରେ ମନ ମତାଣିଆ ଝିଙ୍କାରୀ ସ୍ୱନ ମାଦକତା ଭରି ଦିଏ ମନରେ । ସ୍ୱପ୍ନ ଦେଖେ ରିନା–ତାର ସ୍ନେହର ଚିନ୍ତାମଣି ତାକୁ କେମିତି ବାହୁ ଫାଶରେ ଆବଦ୍ଧ କରିଛନ୍ତି । ତାର ମସୃଣ ପ୍ରଶସ୍ତ ଲଲାଟ ଉପରେ ଅନ୍ତରର ସବୁ ସ୍ନେହ ଓଜାଡ଼ି ଚୁମ୍ବନ ଥାପି ଦେଉଛନ୍ତି । ଉଷୁମ ଛାତି ଆହୁରି ତାତି ଉଠୁଛି । ଆହୁରି ନିବିଡ଼ ଭାବରେ ଛନ୍ଦି ହୋଇ ଯିବାକୁ ମନ ଡାକୁଛି ।

 

ଦେହ ଥରିଉଠେ । ନିଦ ବାଉଳାରେ ଡାକେ–ପ୍ରିୟତମ, ତମ ପାଇଁ ମୁଁ ପାଗଳିନୀ ।

 

ମୋତେ ତୁମେ ଚିହ୍ନି ପାରୁନ ହୃଦୟେଶ୍ୱର । ତୁମେ ମୋର ଦେବତା । ମୁଁ ତୁମର ପ୍ରିତୀ ଭିକାରୁଣୀ ।

 

ବସନ୍ତ ମଧ୍ୟ ସ୍ୱପ୍ନ ଦେଖେ । ରୂପବତୀ ରିନାକୁ ଦୁଇ ବାହୁ ଭିତରେ ଛନ୍ଦିଦେଇ ପଚାରେ–କିଏ ଗୋ ତୁମେ କୁହୁକିନୀ ! କାହିଁକି ମୋତେ ତୁମର କୁହୁକର ମାୟାଜାଲ ବିଛାଇ ବାନ୍ଧି ରଖିଛ ? ମୋର ଶୁଷ୍କ ମରୁଭୂମି ମନ ଭିତରେ ଶତ ଗୋଲାପ ଫୁଟାଉଛ । ମୁଁ ଯେ ନିରାଶ ଶୁଷ୍କ ହୋଇ ଯାଇଛି । ତୁମକୁ କି ରସ ଦେଇ ପରିତୋଷ କରିବି ?

 

‘‘.............................’’

 

ସକାଳ ହୁଏ । କୁଆ ଡାକେ କା’ । ଅପସରି ଯାଏ ମନ ଭିତରୁ ସବୁ ରଙ୍ଗିନ ସ୍ୱପ୍ନ । ପୁଣି ଫେରି ଆସନ୍ତି ଦୁନିଆର କାମ ଧନ୍ଦା ଭିତରକୁ । ସକାଳୁ ରିନା ଉଠେ । ନିଜ କାମ ସାରି ଆସି ବସନ୍ତ ଶୋଇଥିବା ଦୁଆରେ ଡାକେ–କେତେବେଳେ ଯାଏ ଶୋଇଥିବେ ? ଉଠିବେ ନାହିଁ ।

 

ବିଛଣା ଛାଡ଼ି ବସନ୍ତ ଉଠେ କବାଟ ଖୋଲି ଚାହେଁ । ରିନା ସଦ୍ୟ ସ୍ନାନ ଶେଷକରି ଆସିଛି । ଭିଜାବେଣୀ ଲମ୍ବିଯାଇଛି ଜାନୁ ପର୍ଯ୍ୟନ୍ତ । ଚାହେଁ ରିନା ମୁହଁକୁ । ଚାରି ଆଖିରେ ମିଳନ ହେଲେ ରିନା ଲାଜରେ ସଢ଼ିଯାଏ । ଚା, ଆଣିବା ବାହାନାରେ ଚାଲିଯାଏ ।

 

ଏମିତି ଦୁଇଜଣଙ୍କର ମଧୁମୟ ଦିନଗୁଡ଼ିକ ଗଡ଼ିଯାଏ । ସ୍ନେହର ଅବିଚ୍ଛେଦ୍ୟ ବନ୍ଧନରେ ଦୁହେଁ ବନ୍ଧା ପଡ଼ନ୍ତି । ଉଭୟଙ୍କର ମନରେ ଭଲ ପାଇବାର ସ୍ରୋତ ଛୁଟେ । ସେହି ସ୍ରୋତରେ ଭାସିଚାଲନ୍ତି ଦୁହେଁ ।

 

ବସନ୍ତ ମାସ ଶେଷରେ ଦରମା ପାଇ ରିନା ହାତର ଦେବାକୁ ଚାହେଁ କିନ୍ତୁ ରିନା ଛୁଏଁ ନାହିଁ । ତା’ର କେଉଁ ବିଷୟରେ ଅଭାବ ଅଛି ଯେ, ବସନ୍ତର ରୋଜଗାର ନେବାକୁ ଯିବ ?

 

ବସନ୍ତର ଅଭିମାନ ହୁଏ । କହେ–

 

ତୁମରି ପାଇଁ ମୁଁ ପୁଣି ମଣିଷ ବୋଲି ଗଣ୍ୟ ହୋଇଛି । ତୁମେ ମୋର ସର୍ବସ୍ୱ । ତୁମେ ମୋତେ ମଣିଷ କରିବା ପାଇଁ ପ୍ରେରଣା ଦେଇଛ । ମୋର ଅଭାବ ମେଣ୍ଟାଇବା ପାଇଁ ତୁମର ସର୍ବସ୍ୱ ଦାନ କରିଛ । ଯାହା ସାଧାରଣତଃ ଦେଖାଯାଏ ନାହିଁ, ତାହାହିଁ ତମେ କରିଛ । କିନ୍ତୁ ଏପରି ସ୍ଥଳେ ମୋ ରୋଜଗାର ଯଦି ତମେ ନ ନିଅ, ତା ହେଲେ ମୁଁ କହିବି ତୁମେ ମୋତେ ଭଲ ନ ପାଇ ଛଳନା କରୁଛ । ତାହେଲେ ମୁଁ ମୋ ବାଟ ବାଛି ନେବାପାଇଁ ତିଳେ ହେଲେ କୁଣ୍ଠିତ ହେବି ନାହିଁ । ଏ ଜୀବନରେ ଆଉ ତୁମ ପାଖରେ ମୁହଁ ଦେଖାଇବି ନାହିଁ ।

 

–ବାବୁ ସାହେବ । ଏପରି କହିବ ନାହିଁ ।

 

ରିନା କିପରି ଗମ୍ଭୀର ହୋଇଯାଏ କଥା ପଦେ କହୁଁ କହୁଁ । ବୋଧହୁଏ ଦୁଃଖରେ ବୁକୁ ଫାଟିଯାଏ । ବସନ୍ତକୁ ଚାହିଁ ରହେ ଅପଲକ ନେତ୍ରରେ । ତା’ପର ଟଙ୍କାଗୁଡ଼ିକ ଧରି ହସି ହସି ବାହାରି ଯାଏ ।

 

ଶାନ୍ତିରେ ଦୀର୍ଘ ନିଶ୍ୱାସ ଛାଡ଼େ ବସନ୍ତ । ରିନାକୁ ଦେଖିଲେ ମନେହୁଏ ମାନବୀ ରୂପରେ ଦେବୀ କିନ୍ତୁ ରିନା ସହିତ ତା’ର କି ସମ୍ପର୍କ । କିଛି ଭାବି ପାରେ ନାହିଁ । ତଥାପି ତା ସହିତ ସ୍ନେହ ବନ୍ଧନରେ ବାନ୍ଧି ହୋଇଯାଏ । ଭୁଲିଯାଏ ଅତୀତକୁ ।

 

ମାନସ ପଟରେ କେତେ ଛବି ଆଙ୍କି ହୋଇଯାଏ ଚଳଚିତ୍ର ପରି । ଆତ୍ମା ବିସ୍ମୃତ ହୋଇଯାଏ ଭାବୁ ଭାବୁ ।

ଏବେ ମଧ୍ୟ ରିନା କଲେଜର ଛାତ୍ରୀ । ସେ କଥା ବସନ୍ତ ଜାଣେ ନାହିଁ । ସେ ଅଫିସକୁ ଚାଲିଯିବା ପରେ ରିନା ଯାଏ କଲେଜକୁ । ବି.ଏସ୍‌.ସିର ଛାତ୍ରୀ । ଚାରିଟା ପରେ ଫେରେ କଲେଜରୁ-। ପୁଝାରୀ ଜଳଖିଆ ତିଆରି କରି ରଖିଥାଏ । ବସନ୍ତ ନ ଆସିବା ପର୍ଯ୍ୟନ୍ତ ଏକା ଖାଇବାକୁ ଇଚ୍ଛା ହୁଏ ନାହିଁ ରିନାର । ବସନ୍ତ ଫେରେ ସନ୍ଧ୍ୟାରେ । ରିନା ନିଜର ପୋଷାକ ପାଲଟି ହାରମୋନିୟମ ଧରି ଗୀତ ଗାଏ ।

 

ସେଦିନ ହୋଇଥାଏ ଛୁଟିଦିନ । ବସନ୍ତ କାନପୁର ଯାଇଥାଏ ଦୀଲିପ ପାଖକୁ । ଫେରିବ ତା’ ପରଦିନ । ଏକୁଟିଆ ମନ କିପରି ଛଟ ପଟ ହେଉଛି । କେଉଁଠି ବସିବା ପାଇଁ କିମ୍ବା କିଛି କରିବା ପାଇଁ ଆଦୌ ପ୍ରାଣ ଚାହୁଁ ନାହିଁ । ହାରମୋନିୟମ ଧରି ଗୀତଟିଏ ଗାଇ ବସିଲା ।

 

ଘର ଭଙ୍ଗା ଝଡ଼ ଆସିବ ତ ଆସୁ

ମୁଁ ରହିବିତ ତମରି ହୋଇ

ଭୂମିକମ୍ପ ପୃଥି ରସାତଳେ ଗଲେ

ମୁଁ ଯିବି ତୁମକୁ ନେଇ ।

 

ମହୁଆ ନିଶାରେ ଯେବେ ଭ୍ରମର ବଧୂ

ଫୁଲ ପାଶେ ଚାହିଁବ ମଧୂ

କୋକିଳ ଗାଇବ ମୋହନ ସୁରେ

ବସନ୍ତ ବହିଯିବ ଧୀର ମନ୍ଥରେ

ତୁମରି ପାଶେ ପାଶେ ରହି ମୁଁ ଥିବି

କାୟାର ପଛେ ପଛେ ଛାୟା ହୋଇ ।୧।

 

ଦେବତା ତୁମେ ମୋର ସବୁ କାଳର

ପୂଜିବି ଦେଇ ଯେତେ ସର୍ବସ୍ୱ ମୋର

ଆସନରେ ଥାପିବି ନେଇ

ମନ୍ତର ଜାଣେନା ମୁଁ ତ ଅନ୍ତର ଦେଇ

ପାରିବି ଭଲ ଏହି କାମନା ମୋର

ତୁମରି ପଥ ପ୍ରାନ୍ତେ ରହିବି ଚାହିଁ ।୨।

 

ଗୀତ ଶେଷ ହେବା ଆଗରୁ ବସନ୍ତ ଫେରି ଆସିଲା । ଶେଷ ପଦ ଗୀତଟା କାନରେ ବାଜିବାରୁ ମନ ଅସ୍ଥିର ହୋଇ ଉଠିଲା । ଘର ଭିତରକୁ ପଶିଯାଇ ଦେଖିଲା ବହିଗୁଡ଼ାକ ଖେଳେଇ ହୋଇ ପଡ଼ିଛି । ସମସ୍ତ କଲେଜ ପଢ଼ା ବହି । ଆଶ୍ଚର୍ଯ୍ୟ ହୋଇ ବହିଗୁଡ଼ାକ ନେଇ ଦେଖିଲା । ରିନାର ନାମ ଲେଖାଅଛି । ମନେ ମନେ ଭାବିଲା–ରିନା କ’ଣ ଆଗେ କଲେଜରେ ପଢ଼ୁଥିଲା ନା ବର୍ତ୍ତମାନ ପଢ଼ୁଛି । କିନ୍ତୁ ସେ ବିଷୟରେ କିଛି ଜାଣିନାହିଁ । ସନ୍ଦେହ ଆଖିରେ ଚାହିଁଲା ରିନାକୁ । ରିନା ନିଜ ମନରେ ଗୀତ ଗାଇ ଚାଲିଛି । ଆଖିରୁ ଧାର ଧାର ହୋଇ ଲୁହ ଗଡ଼ି ପଡ଼ୁଛି ।

 

କିପରି ଏକ ଅସ୍ୱସ୍ତି ଅନୁଭବ କଲା ବସନ୍ତ । ନିଜକୁ ନିଜେ ସମ୍ଭାଳି ପାରିଲା ନାହିଁ ।

 

–ଡାକିଲା–ରିନା !

 

–ବାବୁ ସାହେବ !

 

ଚମକିତ ହୋଇ ଉଠି ପଡ଼ିଲା ରିନା । ଛାତି କ୍ଷଣକ ପାଇଁ ଥରି ଉଠିଲା–ଆଜି ତମେ ନୂଆ ରୂପରେ ଦେଖା ଦେଇଛ ରିନା । ତୁମ ସଙ୍ଗୀତରେ ଅଛି ଭଲ ପାଇବାର ନିଶା । ଟେବୁଲ ଉପରେ କଲେଜ ବହି ସଜା । ତୁମେ ପ୍ରକୃତରେ କୁହୁକିନୀ । ଏତେଦିନ ପର୍ଯ୍ୟନ୍ତ ତୁମେ ମୋତେ ତୁମ୍ଭର ଆତ୍ମପରିଚୟ ଦେଉନାହିଁ କାହିଁକି । ବେଳେ ବେଳେ ଗୋପନରେ ବସି ବସି କେତେ କଅଣ ଭାବ ? କୁହ ରିନା ! ଆଉ ମୋତେ କୌଣସି କଥା ଗୋପନ କରିବ ନାହିଁ ? ତମେ ମତେ ଭଲ ପାଉଛ ନାଁ ମୋ ସହିତ ଛଳନା କରୁଛ ।

 

ପ୍ରଶ୍ନର ଅସରନ୍ତି ଢେଉ ଭାଙ୍ଗି ପଡ଼ିଲା ରିନା ଉପରେ । ନିଜକୁ କୌଣସିମତେ ସମ୍ଭାଳି ନେଇ ପ୍ରଶ୍ନକଲା–ଆପଣଙ୍କର ତ ଆଜି ଆସିବା କଥା ନୁହେଁ । ହଠାତ୍ ଚାଲି ଆସିଲେ ? ଦିଲୀପ ଭାଇ ଭଲ ଅଛନ୍ତି ତ ?

 

–ହଁ ଭଲ ଅଛନ୍ତି । କିନ୍ତୁ ମୋ ପ୍ରଶ୍ନର ତ ଉତ୍ତର ଦେଲ ନାହିଁ ରିନା । ସତକରି କୁହ ତୁମେ କିଏ ? ଆଜି ମୁଁ ତମକୁ ସନ୍ଦେହ କରିବା କଥା ଖୋଜି ପାଇଛି । ତୁମର ପୂର୍ଣ୍ଣ ପରିଚୟ ପାଇଲେ ସେ ସନ୍ଦେହ ଦୂର ହେବ ।

 

ମୁହଁର ଭାବ ବଦଳିଗଲା ରିନାର । ଜୋର୍ କରି ହସିବାକୁ ଚେଷ୍ଟା କରି କହିଲା–କ୍ଷମା କରିବେ ବାବୁ ସାହେବ । ମୁଁ ଯାହା ପରିଚୟ ଆପଣଙ୍କୁ ଦେଇଛି, ତା’ଠାରୁ ଅନ୍ୟ ପରିଚୟ ମୋର ନାହିଁ । ପଢ଼ିବା କଥା ଆପଣଙ୍କୁ କହିବା ଦରକାର ମନେ କରି ନଥିଲି । କାରଣ ମୁଁ ଜାଣିଥିଲି ଆପଣ ଦିନେ ଏସବୁ କଥା ଜାଣି ପାରିବେ । ଆଉ ଗୀତ କଥା । ମନ ଭଲ ନ ଥିବାରୁ ଏପରି ଗୋଟିଏ ଗୀତ ଗାଉଥିଲି ।

 

–ତା’ହେଲେ ଗୀତ ଗାଉ ଗାଉ କାନ୍ଦୁଥିଲ କାହିଁକି ?

 

–କାନ୍ଦିବା କାହା ହାତର କଥା ନୁହେଁ ବାବୁ ସାହେବ ? କେତେବେଳେ ଯେ କିଏ କାନ୍ଦେ, ସେ କଥା କେହି କହି ପାରିବେ ନାହିଁ । ଆପେ ଆପେ ଲୁହ ଆସେ ଆଖିକୁ । ଜଣେ ଜଣକୁ ପାଇବା ପାଇଁ ତାର ସମସ୍ତ ଜଳାଞ୍ଜଳି ଦେଇ ପୂଜା କରେ । କିନ୍ତୁ ଦେବତା ଯଦି ସେ ପୂଜା ଗ୍ରହଣ ନ କରନ୍ତି, କେତେଦିନ ସେ ସ୍ଥିର ହୋଇ ରହି ପାରିବ କୁହନ୍ତୁ ?

 

ତୁମର ଦେବତା କିଏ ? ସେ ଦେବତା ଏତେ ନିଷ୍ଠୁର କାହିଁକି ? ଗୋପନ ନକରି କୁହ ରିନା ! କିଏ ତୁମର ସେଇ ନିଷ୍ଠୁର ଦେବତା ।

 

ଅବିକା ସେ ପ୍ରଶ୍ନ କରନ୍ତୁ ନାହିଁ ବାବୁ ସାହେବ । ଯେତେବେଳେ ସେ ସମୟ ଆସିବ ମୁଁ ନିଜେ ଆପଣଙ୍କୁ କହିବି । ବର୍ତ୍ତମାନ ସେ ସବୁ ପ୍ରଶ୍ନ କଲେ ମୁଁ ବ୍ୟଥା ଅନୁଭବ କରିବି ।

 

ରିନା ମନରେ ଆଘାତ ଦେବା ଅଭିପ୍ରାୟ ନଥିବାରୁ ବସନ୍ତ ଆଉ କିଛି ପ୍ରଶ୍ନ କଲାନାହିଁ ।

 

ତଥାପି ସନ୍ଦେହ ଘନୀଭୂତ ହେଲା ରିନା ଉପରେ । ରିନା ସେ ଛଳନା କରୁଛି ସେ ବିଷୟରେ କୌଣସି ସନ୍ଦେହ ରହିଲା ନାହିଁ ।

 

ରିନା ଉଠି ଚାଲିଗଲା । ଆଲମାରୀରୁ ସଫା ପୋଷାକ ଆଣି ଦେଇ ବଦଳେଇବା ପାଇଁ ଅନୁରୋଧ କଲା । ତା’ପରେ ଜଳଖିଆ ଅଣାଇ ପାଖରେ ବସି ଖୁଆଇଲା ।

 

ରିନାର ଏପରି ଆଦର ଯତ୍ନରେ ବସନ୍ତ ନିଜକୁ ଭୁଲିଯାଏ । ଭାବିପାରେନା ରିନା କି ମନ୍ତ୍ରରେ ତାକୁ ମନ୍ତ୍ରମୁଗ୍‌ଧ କରି ନିଜ ପାଖରେ ଅତି ଆଦରରେ ରଖିଛି ।

 

ଯେପରି ହରିହର ଆତ୍ମା । ତଥାପି କାହାରି ମନର ଗୋପନ କଥା କାହାରି ପାଖରେ ଖୋଲାହୁଏ ନାହିଁ ।

 

କଥାରେ ଅଛି ଭାଗ୍ୟ ଛଡ଼ା ପଥ ନାହିଁ । ଯାହା ଭାଗ୍ୟରେ ଲେଖା ହୋଇଛି ତାକୁ କେହି କାଟି ପାରିବେ ନାହିଁ । ମନ ଅବୁଝା ହୋଇ ଅନେକ ଭାଗେ । ଅନେକ କିଛି କରିବାକୁ ଚାହେଁ । କିନ୍ତୁ ଭାଗ୍ୟ ଲେଖା ଭୋଗ କରିବାକୁ ହୁଏ ।

 

ମାନସୀର ଭାଗ୍ୟ ପରିବର୍ତ୍ତନ ହୋଇ ଯାଇଛି । ତାହାର ନିର୍ମଳ ଭାଗ୍ୟ ଆକାଶରେ ବିଭିଷିକାମୟ ଝଡ଼ ତାଣ୍ଡବ ଲୀଳା ସୃଷ୍ଟି କରି ନାରଖାର କରି ଦେଇଛି । ସୁଖ ସମ୍ଭୋଗ ସବୁ ଯାଇଛି ଧୋଇ ହୋଇ । ନାରୀର ଭୂଷଣ କାଚ ସିନ୍ଦୁର ବା ପାଖରୁ ଦୂରେଇ ଯାଇଛନ୍ତି କେବଳ ଦୁଃଖ । ଦୁଃଖ ସାଗର ଭିତରେ ସେ ଯେପରି ଜଣେ ଅସହାୟ ଯାତ୍ରୀ ।

 

ବିବାହ ହେବା ବର୍ଷକ ପରେ ଗୋଟିଏ ସନ୍ତାନର ଜନନୀ ହୋଇଥିଲା ସେ । ଆନନ୍ଦରେ ପୁରି ଉଠିଥିଲା ମନ । କିନ୍ତୁ ବିଧାତା ସହିଲା ନାହିଁ ସେ ସୁଖ । କାଳରୂପରେ ଛିଡ଼ା ହେଲା ଆସି ହଇଜା ରୋଗ । ପ୍ରଥମେ ଟାଣିଲା ଶାଶୁ ଶ୍ୱଶୁରଙ୍କୁ । ତାପରେ ସ୍ୱାମୀ ମଧ୍ୟ ତାକୁ ଚିରଦିନ ପାଇଁ ଛାଡ଼ି ଚାଲିଗଲେ ।

 

ସର୍ବସ୍ୱ ଗଲା ମାନସୀର । ଆଖି ଲୁହରେ ଭସାଇ ଦେଲା ବିଧବା ହୋଇ । କିନ୍ତୁ ନିୟତିର ନିୟମ କେ କରିବ ଆନ ।

 

ସୀତାକାନ୍ତ ବାବୁ ଖବର ପାଇ ଭାଙ୍ଗି ପଡ଼ିଲେ । ଝିଅର ଦୁର୍ଦ୍ଦଶା କଥା ଭାବି ପାଖକୁ ନେଇ ଆସିଲେ । ସୁହାସିନୀ ଦେବୀ ଝିଅର ବିଧବା ସାଜ ଦେଖି ସ୍ଥିର ହୋଇ ରହି ପାରିଲେ ନାହିଁ । ଜଳ ପର୍ଯ୍ୟନ୍ତ ସ୍ପର୍ଶ ନକରି ପଡ଼ି ରହିଲେ । ଶେଷକୁ ସେ ମଧ୍ୟ ସେଇ ଦୁଃଖରେ ଆଖି ବୁଜିଲେ ଚିରଦିନ ପାଇଁ । ବୃଦ୍ଧ ସୀତାକାନ୍ତ ବାବୁ ଏ ଦୃଶ୍ୟରେ ଅସ୍ଥିର ହୋଇ ପାଗଳ ପ୍ରାୟ ହୋଇଗଲେ । ଝିଅ ବିଧବା । ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଗଲେ । କ’ଣ କରିବେ ? କାହାକୁ ନେଇ ରହିବେ ? ଏପରି ଅବସ୍ଥା ପାଇଁ ନିଜେ ନିଜକୁ ଦୋଷୀ ମନେକଲେ । ସେ ଯଦି ତାଙ୍କ ସ୍ତ୍ରୀଙ୍କ କଥା ନ ଭାଙ୍ଗି ମାନସୀକୁ ବସନ୍ତ ସହିତ ବିବାହ କରିଦେଇ ଥାନ୍ତେ, ତା ହେଲେ ଆଜି ଏପରି କାହିଁକି ହୋଇଥାନ୍ତା ? କେଉଁଠି ରହିଲା ତାଙ୍କର ବଂଶର ମର୍ଯ୍ୟାଦା ।

 

ଶିଶୁ ମୁହଁଟିକୁ ଚାହିଁ ସବୁ ଦୁଃଖକୁ ଭୁଲିବାକୁ ଚେଷ୍ଟାକଲା ମାନସୀ । କି ଉପାୟ ଅଛି ତାର ? ତା କପାଳରେ ଭଗବାନ କେବଳ ଦୁଃଖ ଦେଇଛନ୍ତି । ନହେଲେ ଏଇ ଭରା ଯୌବନରେ ସେ ସ୍ୱାମୀ ହରେଇ ବିଧବା ହୋଇଥାନ୍ତା କାହିଁକି ? ବିଧବା ହେବା ଯେ କେତେ ବଡ଼ ଯେ କେତେ ବଡ଼ ବେଦନାଦାୟକ ସେ କଥା ନାରୀ ଛଡ଼ା ଆଉ କେହି ବୁଝି ପାରିବେ ନାହିଁ । ମନକୁ ସାନ୍ତ୍ୱନା ଦେଇ, ସବୁ ଦୁଃଖକୁ ଚାପି ରଖି ପିଲାଟି ମୁହଁକୁ ଚାହିଁ ବଞ୍ଚି ରହିଲା ମାନସୀ ।

 

ଏତେ ଦୁଃଖରେ ବି ମାନସୀ ମନରୁ ଅନ୍ତର କରି ପାରି ନାହିଁ ବସନ୍ତକୁ । ଯେତେବେଳେ ଯୌବନର ପହିଲି ଛୁଆଁ ଲାଗି ଅନ୍ତର ତାର ପ୍ରସ୍ଫୁଟିତ ହୋଇଥିଲା, ସେଇ ପ୍ରଷ୍ଫୁଟିତ ଫୁଲଟିକୁ, ନୈବେଦ୍ୟ ଦେଇଥିଲା ବସନ୍ତ ହାତରେ । ତାକୁ ମନରୁ ପୋଛି ହେବ କିପରି । ଶାଶୁଘରେ ଥିଲାବେଳେ ଗୋପନରେ ଖବର ନେଇଛି ମାନସୀ । କିନ୍ତୁ କୌଣସି ଠିକଣା ପାଇନାହିଁ, କେବଳ ଶୁଣୁଛି ବସନ୍ତ ପାଗଳ ହୋଇ ବୁଲୁଛି । ସେ କଥା ଶୁଣି ଛାତି ଫାଟି ଯାଇଚି–ମାନସୀର । ଯାହାକୁ ଜୀବନ ଦେଇ ଭଲ ପାଇଥିଲା ତାଙ୍କ ଦଶା ପୁଣି ଏପରି ହେଲା ? କିନ୍ତୁ ସେ ପର ଅଧୀନରେ । ଉପାୟ କଣ ଅଛି ? ଅନ୍ତରରେ ଦାଉ ଦାଉ ହୋଇ ନିଆଁ ଜଳିଲେ ବି ବାହାରେ ତାହା ପ୍ରକାଶ କଲା ନାହିଁ ।

 

କିନ୍ତୁ ଶାନ୍ତି ବୋଲି କଣ ଜାଣିଲା ନାହିଁ । ସ୍ୱାମୀ ବୋଲି ଯାହାଙ୍କ ହାତ ଧରିଲା, ତାଙ୍କଠାରୁ ମଧ୍ୟ ସୁଖ ଶାନ୍ତି ମିଳିଲା ନାହିଁ ।

 

ଭାବି ଭାବି ବିଛଣା ଧରିଲେ ସୀତାକାନ୍ତ ବାବୁ । ସଦାବେଳେ ଝିଅ ଚିନ୍ତା ତାଙ୍କ ମନକୁ ବିଦାରିତ କଲା । ବାଉଁଶରେ ଘୁଣ ଧରିଲା ପରି ତାଙ୍କୁ ନାନାଦି ରୋଗ ଆକ୍ରମଣ କଲା । ଶେଷକୁ ପରପାରି ଡାକରା ପାଇଁ ଯିବା ବାଟକୁ ଅପେକ୍ଷା କରି ରହିଲେ । କିନ୍ତୁ ଯିବା ଆଗରୁ ଝିଅର ଗୋଟାଏ କିଛି ବ୍ୟବସ୍ଥା କରି ନ ଗଲେ ତ ଚଳିବ ନାହିଁ । ମାନସୀକୁ ଭଲ କରି ପାରନ୍ତି ଆଉ ଜଣଙ୍କୁ ବିବାହ କରିବା ପାଇଁ ରାଜି ସେ ହେବ ନାହିଁ । ଯାହା ବୁଝେଇ ସୁଝେଇ ରାଜି କରନ୍ତେ, କିନ୍ତୁ ପିଲାଟିଏ ଅଛି କୋଳରେ । କୌଣସି ଉପାୟ ନ ଦେଖି ମାନସୀ ଶ୍ୱଶୁରଘର ସମସ୍ତ ସମ୍ପତ୍ତିକୁ ସେହି ଛୋଟ ଶିଶୁ ‘ପ୍ରଦୀପ’ ନାଁରେ ଉଇଲ କରିଦେଲେ । ନିଜ ସମ୍ପତ୍ତିକୁ ମାନସୀ ନାମରେ ଲେଖିଦେଲେ । ଏହାପରେ ବେଶୀ ଦିନ ରହି ପାରିଲେ ନାହିଁ ଇହଧାମରେ । ସମସ୍ତ ମାୟା ମମତା ପରିତ୍ୟାଗ କରି ଶେଷ ନିଶ୍ୱାସ ଛାଡ଼ିଲେ ।

 

ଏକୁଟିଆ ହୋଇଗଲା ମାନସୀ । ନିଜର ବୋଲି କେହି ନାହିଁ ଚାକର ବାକରକୁ ନେଇ କୌଣସି ପ୍ରକାରେ ଦିନ ଗଡ଼େଇବାକୁ ଲାଗିଲା ମାନସୀ । ଯୁଆଡ଼େ ଚାହିଁଲା ତେଣେ ଅନ୍ଧକାର । ଜୀବନ ଉପରେ ବିତୃଷ୍ଣା ଆସିଲା । ମନେହେଲା ମରିଗଲେ ବୋଧହୁଏ ତରିଯାନ୍ତା । କିନ୍ତୁ ପିଲାଟି ଅଛି । ତାକୁ ତ ଆଉ ଫୋପାଡ଼ି ଦେଇପାରିବ ନାହିଁ । ତାଆରିପାଇଁ ଏହି ଅକଥନୀୟ ଦୁଃଖକୁ ଭୁଲି ବାପାଙ୍କ ସମ୍ପତ୍ତିବାଡ଼ି ଦେଖାଶୁଣା କରିବାରେ ଲାଗିଲା । ପ୍ରଦୀପକୁ ମଣିଷ କରିବ । ସେଥିପାଇଁ ଯେତେ ଦୁଃଖ ଆସୁ, ସବୁ ସହ୍ୟ କରିବାକୁ ପଡ଼ିବ । ତା ନହେଲେ ପ୍ରଦୀପର ଅବସ୍ଥା କଣ ହେବ । ମା’ ସେ ମା’, ହୋଇ ସନ୍ତାନକୁ ଛାଡ଼ିଯିବ କିପରି ?

 

ପ୍ରଭାମୟୀ ଦେବୀ ପୁଣି ବୋହୂଙ୍କ କଥା ଭାବି ଭାବି ଶେଷକୁ ଅଶାନ୍ତିରେ ପ୍ରାଣ ତ୍ୟାଗ କରିଅଛନ୍ତି । ଅନିତା ନିଃସହାୟ ହୋଇ ପଡ଼ିଛି ଏଣେ ଭାଇ ଭାଉଜଙ୍କୁ ଖୋଜି ଖୋଜି କୌଣସି ସନ୍ଧାନ ପାଉ ନାହିଁ । ସାତ ପୁରୁଷ ଭିଟା ମାଟି, ସେ ବି ଆଜି ପର ହାତରେ । ବୋଉକୁ ବଞ୍ଚେଇବ ବୋଲି କେତେ ଆଶା କରିଥିଲା, କିନ୍ତୁ ସେ ଆଶା ତାର ସଫଳ ହେଲା ନାହିଁ । ବଞ୍ଚେଇ ପାରିଲା ନାହିଁ ବୋଉକୁ ।

 

ଯେତେବେଳେ ବିପଦ ଆସେ, ସେତେବେଳେ ଯେତେ ଦୁଃଖ ଯେତେ ନୈରାଶ୍ୟ ସବୁ ସାଙ୍ଗରେ ନେଇ ଆସେ ।

 

ଘରଭଡ଼ା ବାକୀ ପଡ଼ିଛି ତିନି ମାସ ହେଲା । ଅଭାବ ଲାଗି ରହିଛି ସଦାବେଳେ । ଚାକିରୀଟା ବି ଚାଲି ଯାଇଛି ଏତିକିବେଳେ । ସେବା ଶୁଶ୍ରୁଷା କରିବାକୁ ବହୁବାର ଅଫିସ କମେଇ କରିଥିଲା । ମାଲିକ ତ ଆଉ ଏସବୁ କଥା ବୁଝିବ ନାହିଁ ? ଚାକିରୀର ଜବାବ ମିଳିଲା ।

 

ଦୀର୍ଘନିଶ୍ୱାସ ଛାଡ଼ିଲା ଅନିତା ।

 

କରଜ ଅଳ୍ପ କରିନାହିଁ । ବୋଉକୁ ଭଲ କରିବା ପାଇଁ ବାଡ଼ିବାଲାଠାରୁ କରଜ ନେଇଥିଲା କିଛି ଟଙ୍କା । ଆଶା କରିଥିଲା ଚାକିରୀ ଟଙ୍କାରୁ ଶୁଝିଦେବ ବୋଲି କିନ୍ତୁ ଚାକିରୀ ଚାଲିଯିବା ପରେ କିପରି କରଜ ଶୁଝିବ ? କିପରି ଘରଭଡ଼ା ଦେବ ? ନିଜେ ବଞ୍ଚିବ ବା କିପରି ନୈରାଶ୍ୟରେ ଡାକିଲା ଭଗବାନଙ୍କୁ । କିନ୍ତୁ ପଥର ଠାକୁର ଅନିତାର କରୁଣ ନିବେଦନକୁ କାନରେ ନେଲେ ନାହିଁ ।

 

ଏହିପରି ପରିସ୍ଥିତିରେ ପଡ଼ିଲେତ ସରଳା ଅବଳା ଅବାଟକୁ ପାଦ ବଢ଼ାଏ । ନିଜର ଇଜ୍ଜତ ବିକିବାକୁ କୁଣ୍ଠାବୋଧ କରେ ନାହିଁ । ତେବେ କଅଣ ଅନିତା ଭାଗ୍ୟରେ ସେଇ ଦଶା ଲେଖା ଅଛି ? ନା, ଆତ୍ମହତ୍ୟା କରିବ ପଛକେ ନାରୀର ଇଜ୍ଜତକୁ ବିକିବ ନାହିଁ ।

 

ଅଭାବ ଅନାଟନ ଭିତରେ ପଡ଼ି ଚାକିରୀ ପାଇବା ପାଇଁ ପ୍ରାଣ ପଣେ ଚେଷ୍ଟା କଲା । ବାରଜାଗା ବୁଲିଲା । ବାରଲୋକଙ୍କୁ ଖୋସାମତ କଲା । କିନ୍ତୁ ଚାକିରୀ ପାଇଲା ନାହିଁ । ବରଂ ତାର ଯୌବନ ଭରା ନିଟୋଳ ରୂପକୁ ଦେଖି ଲୋକେ ଆଖିଠାର ମାରନ୍ତି । ବେପଥୁ ହେବାପାଇଁ ଇସରା କରନ୍ତି । କେହି କେହି ଚାକିରୀ ମିଳିବା ଭରସା ଦିଅନ୍ତି ।

 

ସେଇ ଆଶାରେ ଦୌଡ଼େ ଅନିତା ! ଭଗବାନଙ୍କୁ କେତେ କଣ ମାନସିକ କରି ତାଙ୍କ ପାଖରେ ପହଞ୍ଚେ । ବାବୁମାନେ ଚାକିରୀ ଲୋଭ ଦେଖେଇ ଗାଡ଼ିରେ ବସେଇ ବୁଲାଇବା ପାଇଁ ବାହାରି ଯାଆନ୍ତି ପ୍ରଲୋଭନ ଦେଖେଇ ମନ ଭୁଲାଇବାକୁ ଚେଷ୍ଟା କରନ୍ତି ।

 

ଅନିତା କିନ୍ତୁ ପ୍ରଲୋଭନରେ ଭୁଲେ ନାହିଁ । ଟଙ୍କା ବଦଳରେ ଇଜ୍ଜତ ବିକିବାକୁ ରାଜି ହୁଏ ନାହିଁ । କୌଣସିମତେ ମୁକ୍ତି ପାଇ ପଳେଇ ଆସେ ବସାକୁ । ବସାରେ ଆସି ଦେଖେ ମୁଠାଏ ଚାଉଳ ନାହିଁ ଯେ ବଖତେ ଚଳିବା ପାଇଁ । ଓପାସରେ ଡହଳ ବିକଳ ହୋଇ ମାଟିରେ ଲୋଟିପଡ଼େ-

 

କେତେ କଣ ଭାବିଯାଏ । କେତେ କ’ଣ ଆଶା କରେ ।

 

ରାତି ପାହି ସକାଳ ହୁଏ । ପୁଣି ବାହାରି ପଡ଼େ ଚାକିରୀ ସନ୍ଧାନରେ ।

 

ଦିନେ ସେମିତି ଏକ ମନରେ ଚାଲିଛି ସେ ବାଟ ଉପରେ । କୁଆଡ଼େ ଯାଉଛି ତା ମଧ୍ୟ ଜାଣେନା । ହଠାତ୍ ଗାଡ଼ି ଧକ୍‌କାରେ ଚିତ୍‌କାର କରି ପଡ଼ିଗଲା ତଳେ ।

 

ସେ ଗାଡ଼ିରେ ଥିଲା ମାନସୀ । ଡ୍ରାଇଭର ଚଳାଇଥିଲା ଗାଡ଼ି । ହର୍ଣ୍ଣ ଦେବା ସତ୍ତ୍ୱେ ବାଟ ଛାଡ଼ି ନାହିଁ ଅନିତା । ବ୍ରେକ୍ କରୁ କରୁ ହଠାତ୍ ଧକ୍‌କା ଲାଗିଛି । ଡ୍ରାଇଭର ଭୟରେ ଗାଡ଼ି ନେଇ ପଳେଇ ଯିବାପାଇଁ ଚାହୁଁଥିଲା । କିନ୍ତୁ ମାନସୀ ବାରଣ କରି କହିଲା–ନାରୀଟାର ଅବସ୍ଥା କଣ ହେଲା ଦେଖିଯିବା ।

 

–ପୋଲିସ ଧରିବ ମାନସୀ ।

 

–ତା’ ହେଉ ଗାଡ଼ିରଖ ।

 

ଗାଡ଼ିରୁ ଓହ୍ଳେଇ ଆସିଲା ମାନସୀ । ଦେଖିଲା ଝିଅଟି ଖୁବ୍ ବେଶୀ ଆଘାତ ପାଇନାହିଁ । କିନ୍ତୁ ଆକସ୍ମିକ ଧକ୍‌କାରେ ଚେତା ହରେଇ ପଡ଼ି ରହିଛି । ଦୟା ହେଲା ତା ମନରେ । ଡ୍ରାଇଭର ସାହାଯ୍ୟରେ ଗାଡ଼ିକୁ ଉଠେଇ ନେଇ ଚାଲିଗଲା ।

 

ଅନ୍ୟଆଡ଼େ ନଯାଇ ଗାଡିକୁ କୋଠିକୁ ଫେରେଇ ନେଲା ମାନସୀ । ଅପରିଚିତାକୁ ନିଜ ଘରକୁ ନେଇ ନିଜ ବିଛଣାରେ ଶୁଆଇ ଦେଲା । ଡାକ୍ତରଙ୍କୁ ଡାକିଆଣି ଚିକିତ୍ସା କରେଇଲା ।

 

ଅନିତାର ଚେତା ଫେରିଆସିବାରୁ ଡାକିଲା–ବୋଉଲୋ !

 

ମାନସୀ ପାଖରେ ବସିଥିଲା । କହିଲା–ପାଟି କରନାହିଁ ଭଉଣୀ । ଡାକ୍ତରବାବୁ କଥା କହିବାକୁ ବାରଣ କରିଛନ୍ତି ।

 

ନିଜକୁ ଚାହିଁଲା ଅନିତା । ମୁଣ୍ଡରେ ହାତରେ ବ୍ୟାଣ୍ଡେଜ ବନ୍ଧା ହୋଇଛି । ବୁଝି ପାରିଲା, ଆକ୍‌ସିଡେଣ୍ଟ ଫଳରେ ଏପରି ହୋଇଛି । କିନ୍ତୁ ମାନସୀକୁ ଚିହ୍ନି ପାରିଲା ନାହିଁ କିମ୍ବା କାହାଘରେ ଅଛି ଜାଣି ପାରିଲା ନାହିଁ । ମନେ ମନେ କ’ଣ ଭାବି ଭୟ ପାଇବା ପରି କହିଲା ।

 

ଇଏତ ହସ୍‌ପିଟାଲ ନୁହେଁ । ମତେ କୋଉଠିକି ନେଇ ଆସିଛ ?

 

–ଏଟା ଆମ ଘର । ଆମର ଗାଡ଼ି ଆଗରେ ପଡ଼ି ଆପଣଙ୍କର ଏଭଳି ଦୁର୍ଦ୍ଦଶା ହୋଇଛି ବୋଲି, ମୁଁ ଘରକୁ ନେଇ ଆସିଛି । ଭଲ ହେଲେ ପୁଣି ଆପଣ ଚାଲିଯିବେ ।

 

ଆପଣ କିଏ ?

 

–ମୋ ନାଁ ମାନସୀ । ଆପଣ ଆଉ କଥା କହିବେ ନାହିଁ । ଭଲ ହୋଇ ଯାଆନ୍ତୁ । ତା’ପରେ ସବୁ କଥା ଜାଣିବେ ।

 

ମାନସୀର କଥା ମାନି କିଛି ପଚାରିଲା ନାହିଁ ଅନିତା ।

 

ଧୀରେ ଧୀରେ ଭଲ ହୋଇଗଲା । କେତେଦିନ ରହିଲାଣି କେଜାଣି ପର ଘରେ । ବେଶୀ ଦିନ ବସି ରହିବା ଉଚିତ ନୁହେଁ ଭାବି ବିଦାୟ ଚାହିଁଲା ମାନସୀ ପାଖରୁ । ମାନସୀ ପଚାରିଲା–

 

–ଆପଣଙ୍କ ଘର କେଉଁଠି ?

 

ଯାଜପୁର ?

 

–ଯାଜପୁର ? ତେବେ କ’ଣ କଟକରେ ରହନ୍ତି ?

 

–ହଁ । ଚାକିରୀ ପାଇଁ ଆସିଛି ।

 

–ଆଉ କିଏ ଅଛି ଆପଣଙ୍କର ?

 

–ଏଠି କେହି ନାହିଁ ।

 

–ତେବେ ?

 

–ସେ ସବୁ ଅନେକ କଥା । ଦିନେ ଆମର ସବୁ ଥିଲା । ମାନ ସମ୍ମାନ ଇଜ୍ଜତ କିଛି ଅଭାବ ନଥିଲା । ଆଜି ସବୁ ଧୂଳିରେ ମିଶି ଯାଇଛି । ପିଲାଦିନରୁ ବାପା ଯାଇଥିଲେ । ଭାଇ, ମୁଁ ଆଉ ବୋଉ ତିନିଜଣ । ଭାଇ କଟକ ଆସିଲେ ପଢ଼ିବା ପାଇଁ । ତା’ପରେ ବିଭାଘର ହେଲା ଭାଇଙ୍କର । ସେଇ ବିଭାଘର ଦିନରୁ ଆମ ଭାଗ୍ୟ ଉପରେ ଅକାଳ ଝଡ଼ ବୋହିଲା । ଭାଉଜ ହେଉଛନ୍ତି ପଲ୍ଲୀରମଣୀ, ଭାଇଙ୍କ ମନ ନ ମାନିବାରୁ ବାସର ରାତ୍ରିର ପରଦିନ ଘରୁ ଆସିଛନ୍ତି ଯେ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି, ତା’ପରେ ପରେ ଭାଉଜ ମଧ୍ୟ କୁଆଡ଼େ ନ କହି ନ ପୋଛି ଚାଲିଗଲେ-। ବୋଉ ବେମାର ପଡ଼ିଲା । ତାକୁ ନେଇ ମୁଁ କଟକ ଆସିଲି ଭଲ କରିବା ପାଇଁ । କୌଣସି ମତେ ଚାକିରୀଟାଏ ଯୋଗାଡ଼ କରି ବୋଉର ଚିକିତ୍ସା କରେଇଲି । କିନ୍ତୁ ଫଳ କିଛି ହେଲା ନାହିଁ । ଚାକିରୀ ଗଲା, ବୋଉ ବି ଛାଡ଼ି ଚାଲିଗଲା । ବର୍ତ୍ତମାନ ପେଟପାଇଁ ବାର ଦୁଆରେ ବୁଲୁଛି ଚାକିରୀ ପାଇବା ଆଶାରେ ।

 

ସମବେଦନା ଜାତହେଲା ମାନସୀ ମନରେ । ଅନିତାର ଦୁଃଖ ଶୁଣି ଛାତି ଫାଟିଗଲା ତା’ର ପଚାରିଲା–

 

–ଆପଣଙ୍କ ଭାଇଙ୍କ ନାମ କ’ଣ ?

 

–ବସନ୍ତ ରାଉତରାଏ ।

 

–ବସନ୍ତ ! ଚମକିତ ହେଲା ମାନସୀ ।

 

ଅନିତା ଦେଖି ଆଶ୍ଚର୍ଯ୍ୟ ହେଲା । ପଚାରିଲା–

 

–ଭାଇଙ୍କୁ ଆପଣ ଚିହ୍ନନ୍ତି ନା କଣ ?

 

ହଁ ବସନ୍ତ ରାଉତରାଏ ବୋଲି ଜଣକୁ ଚିହ୍ନିଛି; କିନ୍ତୁ ସେ ତମ ଭାଇକି ନା ମୁଁ ଜାଣେନା ।

 

କହୁ କହୁ ଉଠିଗଲା ମାନସୀ । ଘର ଭିତରୁ ବାକ୍‌ସ ଖୋଲି ବହୁଦିନ ତଳର ଖଣ୍ଡେ ଫଟୋ ଆଣି ଦେଖାଇ ପଚାରିଲା–

 

ଚିହ୍ନତ ! ଏଇ ତମ ଭାଇଙ୍କ ଛବି କି ନା ?

 

ଦେଖିବା ମାତ୍ରେ ଚିହ୍ନିପାରିଲା ଅନିତା । ମନେ ପଡ଼ିଗଲା ଭାଇ ଭଉଣୀଙ୍କର ସ୍ନେହ ମମତାର କଥା । ଫଟୋକୁ ଛାତିରେ ଯାକି ପିଲାଙ୍କ ପରି କାନ୍ଦିପକାଇଲା । ପଚାରିଲା–

 

ଆପଣ ଭାଇଙ୍କ ଠିକଣା ଜାଣନ୍ତି

 

ଦୀର୍ଘନିଶ୍ୱାସ ନେଲା ମାନସୀ । କହିଲା–ନା, ଅନେକ ଦିନରୁ ମୁଁ ତାଙ୍କୁ ଦେଖିନାହିଁ ।

 

ଦୁହିଁଙ୍କ ବେଦନା ଦୁହେଁ ବୁଝିପାରିଲେ । ମାନସୀ ତା’ର ଦୁଃଖ କଥା ସବୁ କହିଲା । ଯାହାକୁ ଜୀବନ ଦେଇ ଭଲ ପାଇଥିଲା, ତା’ର ନାରଖାର ସଂସାର ଶୁଣି ବେଦନାରେ ଛାତି ଫାଟିଗଲା । ଅନିତାକୁ ଆଦରରେ କୋଳକରି ନେଲା । କହିଲା–

 

ଆଜିଠାରୁ ତୁମେ ମୋର ପର ନୁହଁ ଭଉଣୀ । ମୋର ସାନ ଭଉଣୀ ଭଳି ରହ ଏଠାରେ-। ମୋର ଅବସ୍ଥା ତ ଆଖିରେ ଦେଖୁଛ । କେବଳ ପିଲାଟାପାଇଁ ମୋର ବଞ୍ଚି ରହିବା କଥା-। ତୁମରି ଭାଇଙ୍କ ପାଇଁ ଆଜି ମୋର ଏହି ଅବସ୍ଥା । ହେଲେ ତମକୁ ପାଇ ମୁଁ ଯେ ଆଜି କେତେ ଆନନ୍ଦ ଅନୁଭବ କରୁଛି, ସେ କଥା ଭାଷାରେ ବୁଝାଇ ପାରିବି ନାହିଁ । ତୁମର ଚାକିରୀରେ ପୁଣି କ’ଣ ଦରକାର ? ଆଜିଠାରୁ ଆମେ ଦୁହେଁ ଲାଗିପଡ଼ି ତୁମ ଭାଇ ଭାଉଜଙ୍କ ସନ୍ଧାନ ନେବା । ଆଶା କରୁଛି ଆମର ଆଶା ସଫଳ ହେବ । ତା’ହେଲେ ମୋ ଅଶାନ୍ତ ଜୀବନ ଶାନ୍ତ ହେବ । ତୁମେ ଆଉ ଆପତ୍ତି ନକରି ଏଠାରେ ରୁହ ଭଉଣୀ । ମୋତେ ଟିକିଏ ଶାନ୍ତି ଦିଅ ।

 

ମାନସୀ ଜୀବନର କରୁଣ କାହାଣୀ ଶୁଣି ତରଳି ଯାଇଥିଲା ଅନିତା । ପର ଧନରେ ପ୍ରତିପାଳିତ ହେବା କଥାଟା ତାର ସମ୍ମାନକୁ ବାଧିଲା । ତଥାପି କୌଣସି ଆପତ୍ତି କରି ପାରିଲା ନାହିଁ ।

 

ଦୁହେଁ ଦୁହିଁକୁ ଅତି ଆପଣାର କରିନେଲେ ଅଳ୍ପଦିନ ଭିତରେ । ଅନିତା ମନେକଲା ମାନସୀ ତାର ବଡ଼ ଭଉଣୀ । ଏକା ଜନନୀ ଗର୍ଭରୁ ଜାତ । ମାନସୀ ମଧ୍ୟ ଠିକ୍ ସାନ ଭଉଣୀଟି ପରି ଦେଖିଲା ଅନିତାକୁ । ଏତେ ଦୁଃଖରେ ବି ସୁଖ ଆସି ଦେଖାଦେଲା ଦୁହିଁଙ୍କ ମନରେ । ଅଶାନ୍ତ ମନ ଟିକିଏ ଶାନ୍ତ ହେଲା ।

 

‘‘.......................।’’

 

ମାନସୀ ନୂତନ ଆଶାର ସ୍ୱପ୍ନ ଦେଖିଲା । ନିଜ ଜୀବନ ପୋଡ଼ି ପାଉଁଶରେ ପରିଣତ ହୋଇ ଯାଇଛି । ବସନ୍ତକୁ ଏତେ ଆପଣାକରି ପାଖରେ ପାଇ ଭିତରେ ଯେ ଏତେ ରହସ୍ୟ ଗୋପନ ହୋଇଥିଲା, ସେ କଥା ଜାଣିପାରି ନ ଥିଲା । ସେ ବିବାହ ହୋଇ ସ୍ତ୍ରୀକୁ ସ୍ୱୀକାର କରିପାରେ ନାହିଁ । କାହିଁକି ସେ ଏପରି କରିଛି ? ମାନସୀ ପାଇଁ ନା’ କ’ଣ ? ମାନସୀ ପାଇଁ କ’ଣ ପାଗଳ ହୋଇ ବୁଲୁଛି ? ଗୀତା ଯେପରି ନାରୀ ମାନସୀ ମଧ୍ୟ ଠିକ୍ ସେହିପରି ନାରୀ । ପ୍ରଭେଦ କେବଳ ଶିକ୍ଷା ଦୀକ୍ଷାରେ ।

 

ଯାହା ହୋଇ ଯାଇଛି ତାହା ଆଉ ଫେରି ଆସିବ ନାହିଁ । ବସନ୍ତକୁ ଆଉ ଆପଣାର କରି ପାଇବ ନାହିଁ । କିନ୍ତୁ ହାତରେ ପାଇଛି ବସନ୍ତର ଭଉଣୀ ଅନିତାକୁ । ଅନିତାକୁ ଗଢ଼ିବ ସେ ନିଜେ ମନ ମାନିବା ଭଳି କରି ସତ୍‌ପାତ୍ର ଦେଖି ବିବାହ ଦେବ । କିନ୍ତୁ ଶାଶୁ ଘରକୁ ବିଦାୟ ନ କରି ନିଜ ପାଖରେ ରଖିବ ଦୁହିଁଙ୍କୁ । ତାଙ୍କରି ସୁଖ ସଂସାରକୁ ଆଖି ଆଗରେ ଦେଖି ନିଜେ ଟିକିଏ ଶାନ୍ତି ପାଇବ ପରା । ଶେଷକୁ ପିଲାଟିକୁ ତାଙ୍କ ହାତରେ ଦେଇ ହସି ହସି ଚାଲିଯିବ ।

 

–କିନ୍ତୁ ବସନ୍ତର କ’ଣ ହେବ ?

 

ହଁ ! ତାକୁ ଖୋଜି ବାହାର କରିବାକୁ ପଡ଼ିବ । ତା’ ପାଇଁ ଯେଉଁ ସଂସାର ଭାଙ୍ଗି ଛାରଖାର ହୋଇ ଯାଇଛି ସେଇ ସଂସାରକୁ ପୁଣି ଯୋଡ଼ିବ ସେ । ଭଙ୍ଗା ସଂସାରରେ ଆନନ୍ଦର ବନ୍ୟା ଖେଳେଇବ କିନ୍ତୁ ଗୀତାକୁ ପାଇବ କେଉଁଠି ? କିଏ ତାର ସନ୍ଧାନ ଦେବ ?

 

ବିଚାରୀ ଭାଗ୍ୟ ମନ୍ଦ । ନ ହେଲେ ଏପରି ସୁନ୍ଦର ସ୍ୱାମୀର ହାତ ଧରି ରଖି ପାରିଲା ନାହିଁ । ସୁଖ ଶାନ୍ତି କଣ ବୁଝିଲା ନାହିଁ । ସ୍ୱାମୀ ସ୍ନେହ ଦିନେ ହେଲେ ଜାଣିଲା ନାହିଁ । କେଉଁଠି କେଉଁ ଭାବରେ ପଡ଼ି ରହିଛି ସେ କିଏ ଜାଣେ ? ଭଗବାନ ତାକୁ ମଙ୍ଗଳରେ ରଖି ଥାଉନ୍ତୁ ।

 

ବସନ୍ତ ଏବଂ ଗୀତାଙ୍କ ସନ୍ଧାନ ନେବାରେ କୌଣସି ତ୍ରୁଟି କରି ନାହିଁ । ଯେପରି ହେଉ ସେମାନଙ୍କୁ ଖୋଜି ବାହାର କରିବାକୁ ପଡ଼ିବ ।

ବସନ୍ତ ଏକ ଦୃଷ୍ଟିରେ ଚାହିଁ ରହିଛି ରିନାର ସୁଗୋଲ ମୁଖ ମଣ୍ଡଳକୁ । ମନରେ କେତେ ଆଶାର ସ୍ୱପ୍ନ ଖେଳି ଯାଉଛି । ଅତୀତ ଦିନଗୁଡ଼ାକ ମଝିରେ ମଝିରେ ଆସି ଦେଖା ଦେଉଛି ।

ରାତି ନିଝୁମ । ନୀଳ ରଙ୍ଗର ଆଲୋକିତ କୋଠରୀ । ଟେବୁଲ ଉପରେ ଇଟାଲିୟାନ ଗୋଲାପର ତୋଡ଼ା । ମନ ମତେଇ ଦେଉଛି । ଇଲେକ୍‍ଟ୍ରିକ୍ ଫ୍ୟାନର ଶୀତଳ ପବନ ସଙ୍ଗରେ ମିଶି ମହକ ଛଡ଼ାଉଛି । ପଲଙ୍କ ଉପରେ ଗାଢ଼ ନିଦ୍ରାରେ ଶୋଇଛି ରିନା ।

ନିଦ ଆସି ନାହିଁ ବସନ୍ତକୁ । ନିଜ ଶୋଇବା ଘରକୁ ନ ଯାଇ ଡନ୍‌ଲପ ପିଲୋ ଦିଆ ସୋଫା ଉପରେ ବସି ବସି ଏକଲୟରେ ଚାହିଁ ରହିଛି ରିନାର ଅନିନ୍ଦ୍ୟ ସୁନ୍ଦର ମୁହଁଟିକୁ ।

ଶୋଇଛି ରିନା । ତରଙ୍ଗାୟିତ କେଶଗୁଚ୍ଛ ବିଞ୍ଚି ହୋଇ ପଡ଼ିଛି ଶେଯ ଉପରେ । ନିଦ ବାଉଳାରେ ଛାତି ଉପରୁ ଲୁଗା ଖସି ପଡ଼ିଛି । ପତଳା ବ୍ଳାଉଜ ତଳେ ବଡ଼ିଜିଟା ଫୁଟି ବାହାରୁଛି ଉପରକୁ । ନିଦରେ ଥାଇ ବି ମୁହଁରେ ହସ ଫୁଟି ଉଠୁଛି । ଦୁନିଆର ସବୁ ସୁନ୍ଦର ପଣ ଯେପରି ଏକତ୍ରିତ ହୋଇଛି ତା’ଠାରେ ।

କାନ୍ଥ ଘଡ଼ିଟା ବାରଟା ବାଜିବାର ସଙ୍କେତ ଦେଇ ସାରିଲାଣି ଅନେକ ବେଳୁ । ବସନ୍ତ ଆଖିରୁ ନିଦ ଚୋରେଇ ନେଇଛି ରିନାର ରୂପ । ଯେତେ ଦେଖିଲେ ମଧ୍ୟ ମନସାଧ ମେଣ୍ଟୁ ନାହିଁ । ବେଳେବେଳେ ମନେ ପଡ଼ୁଛି ମାନସୀ କଥା ।

ମାନସୀ !

ପ୍ରକୃତରେ ସେ ମାନସ ପ୍ରତିମା ।

ତାପାଇଁ ସବୁ ଦୁଃଖ ଭୁଲିଛି । ମା’ ଭଉଣୀକୁ ଭୁଲିଛି । ବିବାହ କରି ନିଜର ନବବିବାହିତା ପତ୍ନୀ ଗୀତାକୁ ଆଖି ଟେକି ଚାହିଁ ନାହିଁ । ପଦାଘାତ କରିଛି ତାର ଆଶା ମୂଳରେ । ବିଚାରୀ ସେ ! କିପରି ଅବସ୍ଥାରେ ଅଛି, ତାହା କେବଳ ଭଗବାନ ଜାଣନ୍ତି । ଘରଦ୍ୱାର ମା ଭଉଣୀ ଏମାନେ ଯେ କିପରି ଭାବରେ କାଳାତିପାତ କରୁଛନ୍ତି । କିଏ ଜାଣେ ? କାହାପାଇଁ ଏପରି ହେଲା-? ମାନସୀ ପାଇଁ ? ମାନସୀ ମୋହରେ ପଡ଼ି ଜୀବନରେ କ’ଣ ଭୁଲ କଲା ସେ ? ମାନସୀକୁ ହେଲେ ପାଇଥାନ୍ତା ? ନାଁ ଯେଉଁ ଅନ୍ୟାୟ କଲା, ତାହାର ବିଚାର କଲେ ଭଗବାନ । ଈଶ୍ୱର ମଙ୍ଗଳ ଛଡ଼ା ଅମଙ୍ଗଳ କରନ୍ତି ନାହିଁ । ଜାଣି ଜାଣି ନିରିହା ମା’ ଭଉଣୀ, ଗୀତାକୁ କନ୍ଦେଇଛି-। ତାର ଫଳ ହାତେ ହାତେ ଦେଇଛନ୍ତି ଭଗବାନ । କାନ୍ଦି କାନ୍ଦି ଦିନ ସରୁ ନାହିଁ ।

ମାନସୀ କଣ ତାକୁ ମନରୁ ପୋଛି ପକେଇଥିବ ? କିଏ ଜାଣେ ସଂସାରୀ ହୋଇ, ସ୍ୱାମୀ ପାଇ ହୁଏତ ଭୁଲି ଯାଇଥିବ । କିନ୍ତୁ ଯଦି ଭୁଲି ପାରି ନ ଥାଏ ? ବିଚାରି ସଦାବେଳେ ମନ ଭିତରେ ଗୁମୁରି ମରୁଥିବ । ଗୀତା ମଧ୍ୟ ଝୁରି ଝୁରି ଦେହର ରକ୍ତକୁ ପାଣି ଫଟାଉଥିବ ।

ବେଦନାକ୍ଳିଷ୍ଟ ଦୀର୍ଘ ନିଶ୍ୱାସ ଛାଡ଼ିଲା ବସନ୍ତ । ପୁଣି ଭାବିଲା–ଜୀବନର ମୂଲ୍ୟ ଅଛି । ଯାହା ହୋଇ ଯାଇଛି ତାହାକୁ ମନରେ ସ୍ଥାନ ନଦେଇ ରିନାକୁ ନେଇ ଘର ସଂସାର କରିବା ବରଂ ଭଲ । ରିନା ତାକୁ ଚାହେଁ ବୋଲି ଦେହ ମନ ସବୁ ଅର୍ପଣ କରିଛି । ତେବେ ବାଧା ଆଉ କଣ ? ତା’ ପରି ଶିକ୍ଷିତା ସୁନ୍ଦରୀ ନାରୀ ଦେଖିବାକୁ ବିରଳ । ରୂପ ସହିତ ଗୁଣ ବି ଅଛି । ତା’ ଛଡ଼ା କଲେଜ ଶିକ୍ଷା ମଧ୍ୟ ଅଛି । ଏପରି ଗୋଟିଏ ନାରୀକୁ ପାଇବା ପାଇଁ ବହୁ ଲୋକ ଅଶାୟୀ ହୋଇ ରହିବା କଥା ସେ ଦୂରକୁ ଯିବ କାହିଁକି ?

କ’ଣ କରିବ ବସନ୍ତ ?

ରିନାକୁ ଜୀବନ ସଙ୍ଗିନୀ କରି ସୁଖରେ ଘର ସଂସାର କରିବ ?

କିନ୍ତୁ ଗୀତା ? ଗୀତା ତାର ଆସିବା ବାଟକୁ ଚାହିଁ ବସି ଆଖିରୁ ପାଣି ଗଡ଼ାଉଥିବ । ମାନସୀ ମଧ୍ୟ ତା’ କଥା ଭାବି ଭାବି ଅଭିଶାପ ଦେଉଥିବ ।

ଯଦି ଗୀତାକୁ ସେ ଗ୍ରହଣ କରେ ?

ମନ୍ଦ ହେବ ନାହିଁ ।

ସେ ଅଶିକ୍ଷିତ । ସେଥିପାଇଁ ତାକୁ ଲାଞ୍ଛିତ କରି ଚାଲି ଆସିଛି । କିନ୍ତୁ ସେ ତ ନାରୀ ! ପଲ୍ଲୀରେ ବାସ କରି ସହରର ଆଧୁନିକ ଆଚାର ଜାଣି ନାହିଁ । ମନ ଭୁଲେଇବା କୁଟ କପଟ ଶିଖିନାହିଁ । ପ୍ରକୃତରେ ସେ ସତୀ ସାଧ୍ୱୀ । କୁଳ ବଧୂ ହେବାର ଯୋଗ୍ୟ ସେ । ତା’ ଉପରେ ଏପରି ଅତ୍ୟାଚାର କରି ଭଲ କରି ନାହିଁ । ସହରୀ ଆଧୁନିକା ମାନଙ୍କୁ ଦେଖିଛି । ନୂତନ ସଭ୍ୟତା ଛଳରେ ଚରିତ୍ର ଭ୍ରଷ୍ଟା ହେଉଛନ୍ତି । କିନ୍ତୁ ଗୀତା ? ସେ ଏ ସବୁର ବହୁ ଦୂରରେ । ପ୍ରକୃତରେ ଗୀତାକୁ ଟିହ୍ନି ନପାରି ଅବିଚାର କରିଛି ତା ପ୍ରତି ଆଦର ଯତ୍ନକୁ ବୁଝି ପାରିଲା ନାହିଁ । କିପରି ବୁଝନ୍ତା ଗୀତା ଭିତରେ ଦେବୀ ଅଛନ୍ତି ବୋଲି ?

ଭୁଲ କରିଛି ସେ । ଗୀତା ତାର ବିବାହିତା ସ୍ତ୍ରୀ । ତାକୁ ପୁଣି ଗ୍ରହଣ କରିବ । ତାର ଅଶାନ୍ତ ମନରେ ଯେଉଁ ନିଆଁ ଜଳୁଛି ତାକୁ ଶାନ୍ତ କରିବ । ବଂଶରେ ଆଉ କଳଙ୍କ ଲଗାଇବ ନାହିଁ । ଫେରିଯିବ ଗାଁକୁ ।

କିନ୍ତୁ ମାନସୀକୁ କଥା ଦେଇଛି ତା’ ଛଡ଼ା ଆଉ କାହାକୁ ଛୁଇଁବ ନାହିଁ । ତାର ଅପେକ୍ଷାରେ ଚିରଦିନ ରହିବ ।

ତେବେ ଗୀତାକୁ କିପରି ଭାବରେ ଗ୍ରହଣ କରିବ ?

ଉପାୟହୀନ ହୋଇ ବସି ରହିଲା ବସନ୍ତ । ଭାବନାର ଭାର କ୍ରମଶଃ ତା ମନକୁ ଓଟାରି ଆଣିଲା । ନିଦ ଆସୁନାହିଁ ଆଖିକୁ । ରିନା ଶୋଇଛି ନିଘୋଡ଼ ନିଦରେ । ଧୀରେ ଧୀରେ ଉଠ ଆସି ଆଲମାରି ଖୋଲିଲା ।

ଆଲମାରି ଭିତରେ କ’ଣ ଖୋଜିଲା । ମୁହଁରେ ପୋଡ଼ା ସିଗାରେଟ୍‌ର ଧୂଆଁ କୁଣ୍ଡଳାକୃତି ହୋଇ ଉଡ଼ୁଛି । ମନ ଭିତରେ ନିଆଁ ଜଳୁଛି ଦାଉ ଦାଉ ହୋଇ ।

ଆଜି କାଲି ଏହି ଦୁଶ୍ଚିନ୍ତାକୁ ଭୁଲିବା ପାଇଁ ମଦର ଆଶ୍ରୟ ନେଇଛି । ଅଫିସରୁ ଫେରିବା ବାଟରେ ଦୁଇ ପେଗ ପକେଇ ଦେଇଆସେ । ରିନା ଜାଣେନା ସେ କଥା । ବେଳେ ବେଳେ ସନ୍ଦେହ କରେ । କିନ୍ତୁ ପଚାରିବାର ସାହସ କରେନା ।

ମଦନିଶା ମଣିଷକୁ ଅନ୍ୟ ଗୋଟିଏ ରାଇଜକୁ ନେଇଯାଏ । ମଣିଷ ନୂଆ ରୂପରେ ଦେଖେ ଦୁନିଆକୁ । ବସନ୍ତ ଠିକ୍ ସେହିପରି ପୁରୁଣା ସ୍ମୃତିକୁ ଭୁଲିଯିବାକୁ ଚାହିଁଲେ ବି ଭୁଲି ପାରେ ନାହିଁ । ମାନସୀ ଆଉ ଗୀତା ତାର ଅନ୍ତର ଭିତରକୁ ଆନ୍ଦୋଳିତ କରନ୍ତି । ବସନ୍ତ ଚିତ୍କାର କରି କହିଲା ।

–ନାଁ–ନାଁ–ତୁମେ ଆଉ ଆସନାହିଁ ମାନସୀ । ତମକୁ ମୁଁ ଯେଉଁ କଥା ଦେଇଥିଲି, ତାହା ରଖି ପାରିବି ନାହିଁ । ତୁମେ ବର୍ତ୍ତମାନ ପରର । ମୋ ପାଖକୁ ଆସିବା ପାଇଁ ତୁମକୁ ଲାଜ ମାଡ଼େ ନାହିଁ ? ତୁମରି ପାଇଁ ମୁଁ ମୋର ସର୍ବସ୍ୱ ହରାଇଛି । ଗୀତାକୁ ପଦାଘାତ କରିଛି । କିନ୍ତୁ ବର୍ତ୍ତମାନ ମୁଁ ସେ ବସନ୍ତ ନୁହେଁ । ମୋତେ କ୍ଷମା କରି ଛାଡ଼ି ଚାଲିଯାଅ । ମୁଁ ମହାପାପ କରିଛି । ଗୀତା ମୋର ସ୍ତ୍ରୀ ତାକୁ ମୁଁ ଚାହେଁ । ଯାଅ ତୁମେ ଯାଅ ।

‘...............’

ରିନାର ନିଦ ଭାଙ୍ଗିଗଲା ଏହି ଶବ୍ଦ ଶୁଣି । ଉଠି ଦେଖିଲା ବାବୁ ସାହେବ ଏ ପର୍ଯ୍ୟନ୍ତ ଶୋଇ ନାହାନ୍ତି । ମନକୁ ମନ ଏପରି ଚିତ୍କାର କରି କହି ଯାଉଛନ୍ତି ।

 

ଡରିଗଲା ରିନା । ଆଶ୍ଚର୍ଯ୍ୟ ହୋଇଗଲା କ୍ଷଣକ ପାଇଁ । ଏପରି ଅବସ୍ଥା ତ କେଉଁଦିନ ଦେଖିନାହିଁ ସେ ।

 

ବସନ୍ତ ମଦ ନିଶାରେ ନିଜସ୍ୱ ହରାଇ ବସିଛି ।

 

ରିନା ଉଠି ଆସି ତାଙ୍କ ହାତ ଧରି ପଲଙ୍କ ଉପରେ ନେଇ ବସାଇଲା । କହିଲା–ବାବୁ ସାହେବ ! କାହାକୁ କ’ଣ କହୁଛନ୍ତି ?

 

ବସନ୍ତ କେବଳ ଚାହିଁ ରହିଲା ରିନାକୁ ।

 

କ’ଣ ହୋଇଛି କହିବେ ନାହିଁ ତ ? ଅଭିମାନ କରି କହିଲା ରିନା ।

 

ବସନ୍ତ କିଛି ସମୟ ଭାବି କହିଲା–ସଂସାରରେ ମୁଁ ଠକି ଯାଇଛି ରିନା । ମନ ସହିତ ଯୁଦ୍ଧ କରି ବଡ଼ କ୍ଳାନ୍ତ । ତୁମେ ମତେ ବିଶ୍ରାମ ଦେଇ ପାରିବ ।

 

–ବିଶ୍ରାମ ? କ’ଣ ପାଇଁ !

–ତୁମେ ବୁଝିପାରିବ ନାହିଁ ସେ କଥା । ତୁମେ ନାରୀ । ସହଜ କଥା ବୁଝିବାକୁ ତୁମର ବିଳମ୍ବ ହୁଏ । ତୁମରି ପରି ଗୋଟିଏ ନାରୀ ମୋହରେ ପଡ଼ି ମୁଁ ମୋର ସର୍ବସ୍ୱ ନଷ୍ଟ କରିଛି । ଗୋଟିଏ ନାରୀର ମୋହ ତିନୋଟି ନାରୀଙ୍କୁ ହା’ ହୁତାଶ କରାଉଛି । ନାଁ ! ସେ ପୁରୁଣା ସ୍ମୃତିକୁ ଆଉ ମନେ କରିବି ନାହିଁ । କିନ୍ତୁ ଗୀତା ନାଁ-ନାଁ । ତୁମେ ଥରେ ଦେଖିଯାଅ–ତୁମର ସ୍ୱାମୀ ତୁମକୁ ଲାଞ୍ଛିତ କରି କି ଦଶା ଭୋଗୁଛି । ତୁମେ ଆଖିରୁ ଲୁହ ଢାଳି ଯେଉଁ ଅଭିଶାପ ଦେଇଛ, ତା’ ଫଳରେ ମୁଁ ଜୀବନସାରା ଛଟପଟ ହେଉଛି, ଆଉ ସହ୍ୟ କରିପାରୁ ନାହିଁ ଗୀତା ।

ଗୀତା ନାଁ ଶୁଣି ଚମକି ପଡ଼ିଲା ରିନା । ଅନ୍ତର ଭିତରେ ଅଗ୍ନି ଜଳି ଉଠିଲା । ଛାତିରେ ତୀକ୍ଷ୍‌ଣ ଅସ୍ତ୍ରର ଆଘାତ ଅନୁଭବ କଲା ଭାବିଲା ସମସ୍ତ କଥା କହିଦେଇ ଶାନ୍ତି ପାଇବା । କିନ୍ତୁ ସମ୍ଭାଳି ନେଇ ପଚାରିଲା–ପାଗଳ ପରି କ’ଣ ସବୁ କହୁଛନ୍ତି ଆପଣ ?

–ପାଗଳ ? ହୋ-ହୋ-ହୋଇ ହସିଲା ବସନ୍ତ । କହିଲା ଠିକ୍ କହିଛ ରିନା । ମୁଁ ପାଗଳ ହୋଇ ଯାଇଛି । ମତେ ପାଗଳ କରିଛି ଗୀତା । ଆଉ ପାଗଳ କରିଛି ମାନସୀ ।

କହୁ କହୁ ଉଠି ନିଜ ଘରକୁ ଚାଲିଗଲା । ପଛେ ପଛେ ରିନା ଗଲା ସେ ଘରକୁ । ବିଛଣାକୁ ନଯାଇ ଝରକା ପାଖରେ ଯାଇଁ ଛିଡ଼ା ହେଲା ବସନ୍ତ । ଆଗରେ ଫୁଲ ବଗିଚା । ଚାନ୍ଦିନୀ ବିଞ୍ଚି ହୋଇ ପଡ଼ିଛି ଫୁଲ ଉପରେ । ମହକରେ ମନ ଭରି ଉଠୁଛି ।

ରିନା ବସନ୍ତ ପାଖକୁ ଲାଗି ଯାଇ କହିଲା–ଶୋଇବେ ଯାଆନ୍ତୁ ।

–ନାଁ ନିଦ ମାଡ଼ୁନାହିଁ । ମତେ ସେ ଡାକୁଛି । ମୁଁ ଯିବି ତା ପାଖକୁ ।

–କାହା ! ପାଖକୁ ।

–ଗୀତା ପାଖକୁ ।

–ଗୀତା ? ଗୀତା କିଏ ?

–ତୁମେ ତାକୁ ଚିହ୍ନି ପାରିବ ନାହିଁ ।

ମୁଣ୍ଡଟା କିପରି ଭାରି ହୋଇ ଉଠୁଛି । ମଥାଟାକୁ ଦୁଇ ହାତରେ ଚିପି ଧରି ବିଛଣାରେ ବସିପଡ଼ିଲା ବସନ୍ତ ।

–ମୁଣ୍ଡ ବିନ୍ଧୁଛି ବାବୁସାହେବ ? ଅମୃତାଞ୍ଜନ ମାଲିସ କରିଦେବି ?

ବସନ୍ତର ଉତ୍ତରକୁ ଅପେକ୍ଷା ନକରି ଅମୃତାଞ୍ଜନ ଆଣି ମାଲିସ କରି ବସିଲା ରିନା । ଆଖି ମୁଦି ଶୋଇଥିଲା ବସନ୍ତ । ସେହି ମୁହଁକୁ ଚାହିଁ କେତେ ସ୍ୱପ୍ନ ଦେଖୁଥିଲା ।

କିଛିକ୍ଷଣ ପରେ ଧୀରେ ଧୀରେ ଉଠିଯିବାକୁ ବସିଲା ରିନା । କିନ୍ତୁ ବସନ୍ତ ହାତରେ ତାର ଲୁଗା ଛନ୍ଦି ହୋଇ ଯାଇଥିବାରୁ ଝିଙ୍କି ହୋଇ ପଡ଼ିଗଲା । ଲୁଗାଟା ରହିଲା ବସନ୍ତ ହାତରେ । ସେହି ସମୟରେ ବସନ୍ତର ନିଦ ଭାଙ୍ଗି ଯିବାରୁ ଉଠି ବସିଲା ।

ଲାଜରେ ସଢ଼ିଗଲା ରିନା । ବସନ୍ତ ହାତରୁ ଲୁଗାଟା ଛଡ଼େଇ ନେଇ ଦୌଡ଼ି ପଳାଇବାକୁ ବସିଲା ।

କିନ୍ତୁ ବସନ୍ତ ଟାଣି ଧଇଲା ତାକୁ । ଭିଡ଼ି ଆଣି କୋଳରେ ବସେଇ କହିଲା-ମତେ ତୁମେ ଏକା ରଖି ଚାଲି ଯାଅନାହିଁ ରିନା । ତାହେଲେ ସତରେ ମୁଁ ପାଗଳ ହୋଇଯିବି ।

ରିନା ଦେହରେ ବିଦ୍ୟୁତ୍ ଖେଳିଗଲା । ଉପାୟ କିଛି ଖୋଜି ପାଇଲା ନାହିଁ । ନିଆଁ ପାଖରେ ଘିଅ । ଅସ୍ଥିର ହୋଇ ଉଠିଲା ମନ । ପ୍ରାଣରେ ଅପୂର୍ବ ପୁଲକ ଖେଳିଗଲା ।

ବସନ୍ତ ଡାକିଲା–

‘‘ରିନା–’’

‘‘ଉଁ ?’’

ତୁମେ କିଛି ମନେ କରିବ ନାହିଁ ରିନା । ମୁଁ ଆଜି ତୁମପାଇଁ ପାଗଳ ହୋଇଚି । କୁହ–ତୁମର ମୁଁ ଉପଯୁକ୍ତ ହୋଇପାରିବି କି ନାହିଁ ?’’

 

ଲାଜରେ ରିନା ମୁହଁ ଲାଲ ହୋଇଗଲା । ଆଜି ଭଗବାନ କୃପା ଦୃଷ୍ଟିରେ ଚାହିଁଛନ୍ତି ତାକୁ-। ହେଲେ ଯାହା ପାଇଁ ଭାବି ଭାବି ରାତି ଦିନ ଅଣ୍ଟୁ ନଥିଲା, ସେହି ଦେବତା ଆଜି ନିଜେ ଭିକ୍ଷା ଚାହୁଁଛନ୍ତି । କିଛି କହି ପାରିଲା ନାହିଁ । କେବଳ ଅନେଇ ରହିଲା ବସନ୍ତର ପ୍ରଶ୍ନିଳ ମୁହଁକୁ ।

 

–ନୀରବ ରୁହ ନାହିଁ ରିନା । ସତ କଥା କୁହ ।

 

ରିନା ଆଖିରେ ଲୁହ ଦେଖା ଦେଲା । ପିଲାଙ୍କ ପରି କାନ୍ଦି କାନ୍ଦି ଲୋଟି ପଡ଼ିଲା ବସନ୍ତ କୋଳରେ ।

 

–ତୁମେ କାନ୍ଦୁଛ ରିନା ?

 

ସେ କଥା ମୋତେ ପଚାର ନାହିଁ ବାବୁ ସାହେବ । ଏତେଦିନ ପର୍ଯ୍ୟନ୍ତ ଗୋପନରେ କାନ୍ଦି ଆସିଥିଲି । ଆଜି ଆଉ ଗୋପନ ରଖି ପାରିଲି ନାହିଁ ।

 

–କି ଦୁଃଖ ତୁମର ରିନା ! ଗୋପନରେ କାନ୍ଦ ତୁମେ । ମତେ କୁହ ସବୁ କଥା । ଯଦି ତୁମର ଦୁଃଖ ଘୁଞ୍ଚାଇବା ପାଇଁ ମତେ ରକ୍ତ ଦେବାକୁ ପଡ଼େ, ତାହେଲେ ମଧ୍ୟ ମୁଁ ପଛଘୁଞ୍ଚା ଦେବିନାହିଁ ।

 

–ପାରିବ ?

 

–ତା’ହେଲେ ମୋ ଦେହ ଛୁଇଁ ନିୟମ କର । ମୁଁ ଯାହା କହିବି ତାହା ରଖିବ ।

 

–ବେଶ୍ ! ତୁମେ ଯଦି ମତେ ବିଶ୍ୱାସ ନ କରୁଛ, ତା’ହେଲେ ତମକୁ ଚାହିଁ ଶପଥ କରୁଛି-

 

–ଯେତେବେଳେ ମୋର ଅସଲ ପରିଚୟ ତୁମେ ପାଇବ ସେତେବେଳେ ପଦାଘାତ କରି ଚାଲିଯିବ ନାହିଁତ ?

 

–ସେଥିପାଇଁ ଏଇ ଚନ୍ଦ୍ର ସାକ୍ଷୀ ରଖି କହୁଛି, ତୁମେ ମୋର ମାନସ କୁଞ୍ଜର ଦେବୀ । ଯାହା କୁଅ ତୁମକୁ ଛାଡ଼ି ଯିବିନାହିଁ।

 

–ତା’ ହେଲେ ଆସ ମୋ ସାଙ୍ଗରେ ।

ବସନ୍ତକୁ ସାଙ୍ଗରେ ନେଇ ରିନା ଯାଇ ପହଞ୍ଚିଲା ଦିଲୀପ ଘରେ । ଆଲୁଅ ଜଳେଇ ଦେଇ ବସନ୍ତକୁ ବସେଇଲା ଖଟ ଉପରେ । ଖଟ ତଳୁ କୋଉ ପୁରୁଣା ଭଙ୍ଗା ଟିଣ ସୁଟକେଶଟି କାଢ଼ି ତାହା ଭିତରୁ ବାହାର କଲା ଫଟୋ କେଇଖଣ୍ଡ ।

ଗୋଟିଏ ଫଟୋ ଗୀତା ଏବଂ ବସନ୍ତଙ୍କର ବାହାବେଦୀ ଉପରେ ତୋଳା ହୋଇଥିଲା । ଆଉ ଖଣ୍ଡେ ଫଟୋ ପ୍ରଭାମୟୀ ଦେବୀ ଏବଂ ଅନିତାର ।

ଫଟୋକୁ ଚିହ୍ନିପାରି ଚମକିତ ହେଲା ବସନ୍ତ । ଥରେ ଫଟୋ ଥରେ ରିନାକୁ ଚାହିଁ କ’ଣ ଯେପରି ଖୋଜିବାକୁ ଲାଗିଲା ।

ରିନା ହସି ହସି କହିଲା–ଚିହ୍ନି ପାରୁଛନ୍ତି ଏଗୁଡ଼ିକୁ ?

–ଏ ଛବିଗୁଡ଼ିକ ତୁମେ କିପରି ସଂଗ୍ରହ କଲ ?

–ମତେ ଜଣେ ଲୋକ ଦେଇଛନ୍ତି । ଚିହ୍ନିପାରୁଛନ୍ତି କି ନାହିଁ କୁହନ୍ତୁ ।

–ଚିହ୍ନୁଛି । କିନ୍ତୁ ଏଇ ବିବାହ ଶାଢୀ ପିନ୍ଧା ଝିଅଟି–

–ସେ ଗୀତା ।

–ଗୀତା ! ବସନ୍ତ ଆଶ୍ଚର୍ଯ୍ୟରେ ଚାହିଁଲା ରିନାକୁ ।

ତାକୁ ଚିହ୍ନନ୍ତି ନାହିଁ ? ରିନା ? ମୁହଁରେ ହସ ଫୁଟି ଉଠିଲା ।

‘‘.................’’

ପ୍ରଭାମୟୀ ଏବଂ ଅନିତାକୁ ଚିହ୍ନିବା ପାଇଁ କଷ୍ଟ ହେଲା ନାହିଁ ବସନ୍ତର । ନିଜକୁ ମଧ୍ୟ ଚିହ୍ନି ପାରିଲା । କିନ୍ତୁ ଗୀତାକୁ ଆଦୌ ଚିହ୍ନି ପାରୁ ନଥିଲା । ଆଉ ମଧ୍ୟ ବୁଝି ପାରୁ ନଥିଲା ଏ ଫଟୋ ରିନା ହାତକୁ କିପରି ଆସିଲା ।

ଗୀତା ଆଉ ତୁମେ ଦେଖିବାକୁ ପ୍ରାୟ ଏକରକମ । ମୋର ମନେହୁଏ ଏଇ ଛବି ତୁମ ବଧୂବରଣ ସାଜ ପିନ୍ଧି ତୋଳା ହୋଇଛି ।

–ତା’ ହେଲେ ମୁଁ କ’ଣ ଗୀତା ?

–ସେ କଥା ଠିକ୍ ଜାଣେ ନାହିଁ । ତୁମେ ଗୀତାର ଘର ଠିକଣା ଜାଣ ?

–ଜାଣିଛି । ତା’ଘର ଅପର୍ଣ୍ଣାପୁର ।

–ବିଭାଘର ହୋଇଥିଲା କେଉଁଠି ଜାଣିଚ ?

–ହଁ । ମଧୁପୁର ବସନ୍ତ ବାବୁଙ୍କୁ ବାହା ହୋଇଥିଲା ସେ ।

ଆହୁରି ଆଶ୍ଚର୍ଯ୍ୟ ହୋଇଗଲା ବସନ୍ତ । ଉଠି ଆସି ରିନାର ସୁଗୋଲ ବାହୁ ଯୁଗଳକୁ ଧରି ହଲାଇ ଦେଇ କହିଲା–ତୁମେ ଗୀତା ଖବର ମତେ ଦେଇପାରିବ ରିନା । କେଉଁଠାରେ ସେ ବର୍ତ୍ତମାନ ଅଛି ? କିପରି ଭାବରେ ଅଛି ?

କହୁ କହୁ ବିବାହ ବାସର ରଜନୀ କଥା ମନେ ପଡ଼ିଲା ବସନ୍ତର । ଛୋଟ ପିଲାଟି ପରି କାନ୍ଦି ପକାଇଲା ।

ରିନା କହିଲା–ଅଧୈର୍ଯ୍ୟ ହେଲେ ଚଳିବ ନାହିଁ । ଆପଣ କୁହନ୍ତୁ ତ–ମାନସୀକୁ ଛାଡ଼ି ଗୀତାକୁ ଗ୍ରହଣ କରି ପାରିବେ ?

ଏହି ପ୍ରଶ୍ନ ଶୁଣି ରିନାର ଦୁଇ ବାହାକୁ ଛାଡ଼ିଦେଇ କିଛି ସମୟ ଭାବି କହିଲା–ମାନସୀ ପାଇଁ ଗୀତାକୁ ମୁଁ ଚାହିଁ ନାହିଁ । କିନ୍ତୁ ମାନସୀ ମଧ୍ୟ ମୋ ଭାଗ୍ୟକୁ ଅନ୍ୟର ହୋଇ ଚାଲିଯାଇ ସୁଖରେ ଘର ସଂସାର କଲା ।

–ତା’ହେଲେ ଗୀତାକୁ ଆପଣ ଭୁଲିଗଲେ କିପରି ? ଆପଣ ପୁରୁଷ ଜାତି । ନାରୀ ମନ ବୁଝିବା ଶକ୍ତି ଆପଣଙ୍କର ନାହିଁ । କାହିଁ ଦିନେ ତ ଆପଣ ଗୀତା ଖବର ନେଇ ନାହାନ୍ତି । ଗୀତା କେମିତି ଅଛି, କିପରି ଭାବରେ କାଳ ବିତାଉଛି, ସେ କଥା ଜାଣିବାକୁ ଚାହିଁ ନାହାଁନ୍ତି ? କାରଣ ଗୀତା ଅଶିକ୍ଷିତା ପଲ୍ଲୀ ରମଣୀ ବୋଲି । କିନ୍ତୁ ଭଗବାନ ନାରୀକୁ ଜନ୍ମ ଦେଇଛନ୍ତି । କେହି ସୁବିଧା ସୁଯୋଗ ପାଇ ଶିକ୍ଷିତା ରୂପସୀ ହେଉଛି । ଆଉ କେହି ସେ ସୁଯୋଗରୁ ବଞ୍ଚିତ ହେଉଛି । କିନ୍ତୁ ମନ ଦୁହିଁଙ୍କର ଏକ ପ୍ରକାର । ଆପଣ ସ୍ତ୍ରୀକୁ ଘୃଣା କରି ରୂପ ନିଶାରେ ମାତାଲ ପରି ଦୌଡ଼ିଲେ । ମା’ଭଉଣୀଙ୍କ ଖବର ପର୍ଯ୍ୟନ୍ତ ନେଲେ ନାହିଁ ।

 

ବିଚାରୀ ଗୀତ ସ୍ୱାମୀ ପରିତ୍ୟକ୍ତା ହୋଇ କିପରି ଭାବରେ ବଞ୍ଚି ରହିଛି ତାହା ସେହି କେବଳ ଜାଣେ । ତା’ ବାପ ମା ତାକୁ ଅନ୍ୟ ସ୍ଥାନରେ ବିବାହ ଦେବେ ବୋଲି ଠିକ୍ କରିଥିଲେ । କିନ୍ତୁ ସେ ତୀବ୍ର ପ୍ରତିବାଦ କରି ତାଙ୍କ ମୁହଁ ନ ଚାହିଁ ଚିରଦିନ ପାଇଁ ବାପ ମାଙ୍କୁ ପରିତ୍ୟାଗ କରି ଚାଲି ଆସିଲା ଶାଶୁ ଘରକୁ । ସ୍ୱାମୀ ତାର ଇହକାଳ ପରକାଳରେ ଦେବତା । ସେ ଅନ୍ୟ ପତି ବରଣ କରିବ କିପରି ? ଅଭାବ ଅନାଟନ ଭିତରେ ପଡ଼ି ସେ ଚାହିଁ ରହିଲା ସ୍ୱାମୀ ଫେରିବା ପଥକୁ-। ସ୍ତ୍ରୀ ମନ ବ୍ୟାକୁଳ ହୋଇଛି । ସେହି ସୁଯୋଗ ନେଇ ଗାଁର ବିନୟବାବୁ ତାକୁ ସ୍ୱାମୀ ପାଖକୁ ନେଇଯିବା ବାହାନାରେ କଟକ ନେଇ ସେଠାରେ ବିବାହ କରିବା ପାଇଁ ଅନୁରୋଧ କରନ୍ତି-। ଗୀତା ରାଜି ନ ହେବାରୁ ତା’ପ୍ରତି ପାଶବିକ ଅତ୍ୟାଚାର କରିବେ ବୋଲି ପ୍ରସ୍ତୁତ ହୁଅନ୍ତି । କିନ୍ତୁ ଭଗବାନ ଦିଲୀପ ବାବୁଙ୍କ ରୂପରେ ତାକୁ ଉଦ୍ଧାର କଲେ ସେଠାରୁ । ତାକୁ ନିଜର ଭଉଣୀ ପରି ସ୍ନେହ ଶ୍ରଦ୍ଧାରେ ଆଜିଯାଏ ବଞ୍ଚେଇ ରଖିଛନ୍ତି । ସେଇ ଦିଲୀପ ବାବୁଙ୍କ ପାଇଁ ଗୀତା ନ ମରି ଆଜିଯାଏ ବଞ୍ଚି ରହିଛି । ସ୍ୱାମୀଙ୍କୁ ପାଇବା ପାଇଁ କଠୋର ତପସ୍ୟା କରିଛି । ସ୍ୱାମୀ ତାକୁ ଯେଉଁ ଅଶିକ୍ଷିତା ଅପବାଦ ଦେଇଥିଲେ ସେଇ ଅପବାଦରୁ ମୁକ୍ତି ପାଇ ସ୍ୱାମୀଙ୍କ ସହିତ ସମାନ ହେବ ବୋଲି କଲେଜ ପର୍ଯ୍ୟନ୍ତ ପଢ଼ି ଚାଲିଛି । ଆଜି ପର୍ଯ୍ୟନ୍ତ ସ୍ୱାମୀଙ୍କ ମୁଖକୁ ଚାହିଁ ପ୍ରତୀକ୍ଷାରତ ଦେବୀ ପ୍ରତିମା ପରି ଅନେଇ ବସିଛି ।

 

ପୁରୁଷଜାତି ବଡ଼ ନିଷ୍ଠୁର । ତୁଚ୍ଛ ସ୍ନେହ, ଭଲ ପାଇବା କ୍ଷଣିକର ଖେଳ, ନାହିଁ କିନ୍ତୁ ତାହାଠାରୁ ଅନେକ ଦୂରରେ । କାରଣ ନାରୀ ମନ ପବିତ୍ର, ସରଳ । ସେ ନିର୍ଭର କରେ ତାହାରି ବଂଶ ମର୍ଯ୍ୟାଦାରେ କଳଙ୍କ ନ ଲାଗୁ । ସେ କିପରି ବାଟ ହୁଡ଼ି ଅବାଟକୁ ଯିବ ?

 

ଏସବୁ କଥା ଶୁଣି ଦୁଃଖରେ ବସନ୍ତର ଛାତି ଫାଟିଗଲା । ନିଜକୁ ନିଜେ ଦୋଷୀ ବୋଲି ମନେକଲା । ଯାହା ପ୍ରତି ଏପରି ଅମାନୁଷିକ ଅବିଚାର କରି ଆସିଛି; ତାହାର ଗୋଡ଼ ଧରି କ୍ଷମା ଚାହିଁଲେ ବୋଧ ହୁଏ ଏହି ପାପର ପ୍ରାୟଶ୍ଚିତ ହେବ । ପ୍ରାଣ ବିକଳ ହୋଇ ଉଠିଲା । ଏତେ ଦିନରେ ଜମାଟ ବନ୍ଧା ଦୁଃଖ ଆଖି ଲୁହରେ ଧୋଇ ଯିବାକୁ ଲାଗିଲା । କିଛି କହି ନ ପାରି କେବଳ ଅନେଇ ରହିଲା ରିନାକୁ ।

 

ରିନା ଏ ସମସ୍ତ ଦେଖି ବ୍ୟଥିତ ହେଲା । କହିଲା–ସେଇ ଗୀତାକୁ ବର୍ତ୍ତମାନ ଗ୍ରହଣ କରି ପାରିବେ ଆପଣ ?

 

କିନ୍ତୁ ବର୍ତ୍ତମାନ ମୁଁ ତୁମକୁ ଗୀତା ପରି ଦେଖୁଛି ରିନା ।

 

ରିନା ହସି ହସି କହିଲା–ମତେ ଚିହ୍ନିବାକୁ ଭୁଲ କରନ୍ତୁ ନାହିଁ । ମୁଁ ରିନା । ଗୀତା ଆଉ ମୋ ଭିତରେ ଅନେକ ପ୍ରଭେଦ ।

 

କହୁ କହୁ ଟିଣ ସୁଟ୍‌କେଶ ଭିତରୁ କେତେଗୁଡ଼ିଏ ଖାତା ବାହାର କରି ଆଣି ରଖିଲା ରିନା । ବସନ୍ତ ଦେଖି ଆହୁରି ଆଶ୍ଚର୍ଯ୍ୟ ହେଲା । ଏ ସବୁ ତାହାର ହାତରେ ଲେଖା ।

 

କହିଲା–ମୁଁ କ’ଣ କୁହୁକ ନଗରୀରେ ବାସ କରୁଛି ରିନା ? କିଛିତ ବୁଝି ପାରୁ ନାହିଁ । ତୁମେ ଏ ସବୁ ପାଇଲ କିପରି ଏବଂ ମୋ ଆଶ୍ଚର୍ଯ୍ୟ ଭାବ ଦେଖି ତୁମକୁ ଏତେ ହସ ମାଡ଼ୁଛି କିପରି-? ତୁମେ କିଏ କୁହୁକିନୀ ?

 

ରିନା ଆହୁରି ଖିଲି ଖିଲି କରି ହସି ଉଠି କହିଲା–ଅନେକ ଦିନପରେ ଆଜି ପ୍ରାଣ ଖୋଲା ହସ ହସୁଛି ବାବୁ ସାହେବ ? ତୁମରି ବୋକାମୀ ଦେଖି ମୁଁ ଏହା କହିଲି, ଯେ ଶୁଣିବ ସେ ଏହିପରି ହସିବ ।

 

–ରିନା !

 

–କୁହ ବାବୁ ସାହେବ !

 

‘‘.......................’’

 

ପାହାନ୍ତି ଶୀତଳ ଧୀର ପବନ ମୃଦୁ ମୃଦୁ ବହୁଛି । ଦୂର ଦିଗ୍‌ବଳୟ ପହିଲି ସୂର୍ଯ୍ୟ କିରଣ ପାଇ ରକ୍ତିମ ହୋଇ ଉଠିଛି । କୁଆ କା’ କା’ ଶବ୍ଦ କରି ଉଡ଼ି ବୁଲିଲେଣି । ରିନା କହିଲା–ରାତି ପାହି ଆସିଲାଣି ଆପଣ ଟିକିଏ ଶୋଇ ପଡ଼ନ୍ତୁ ।

 

–ନିଦ ଆସିବ ଆଖିକୁ ?

 

–ଆସିବ । ଆପଣ ଅଧୈର୍ଯ୍ୟ ନ ହୋଇ ଶୋଇ ପଡ଼ନ୍ତୁ ଆଜି ରାତି ଗାଡ଼ିରେ ଓଡ଼ିଶା ଯିବା ।

 

–ଓଡ଼ିଶା ?

 

–ହଁ । ଆପଣଙ୍କୁ ମୁଁ ଗୀତା ପାଖକୁ ନେଇଯିବି । ଆପଣ ଆଜି ଅଫିସ ଯାଇ କିଛିଦିନ ପାଇଁ ଛୁଟି ନେଇ ଆସନ୍ତୁ ।

 

ଏପରି ସମୟ ଆସେ ବେଳେ ବେଳେ ମଣିଷ ଜୀବନରେ ଘଟେ, ସେତେବେଳେ ସେ ନିରୂପାୟ ହୋଇ ଅନ୍ୟର ବଶତା ସ୍ୱୀକାର କରେ । ସେଠାରେ ବଡ଼ ସାନର ପ୍ରଭେଦ ରୁହେ ନାହିଁ । ଆସ୍ଥା ଉପରେ ସବୁ ହୁଏ ।

 

ସେହିପରି ରିନାକୁ ବିଶ୍ୱାସ କରି ଶୋଇବାକୁ ଗଲା ବସନ୍ତ । କିନ୍ତୁ ଆଖିକୁ ନିଦ ଆସିଲା ନାହିଁ । ପ୍ରାଣ ଆଜି କାନ୍ଦୁଛି ଗୀତା ପାଇଁ । ଗୀତାକୁ ଦେଖିବା ଲୋଭ ମନ ଭିତରେ ଗୁଞ୍ଜରଣ କରୁଛି-। ଗୋଟିଏ ନୂତନ ଆଶା ମନ ପ୍ରାଣରେ ମାଦକତା ଭରି ଦେଉଛି । କେଉଁ ଅଜଣା ସ୍ୱପ୍ନପୁରୀରେ ଘୂରି ବୁଲୁଛି ବସନ୍ତର ମନ । ଅତୀତ ମନ ଭିତରୁ ପୋଛି ହୋଇ ଯାଇ ଭବିଷ୍ୟତର ରଙ୍ଗିନ ସ୍ୱପ୍ନରେ ଭାସି ଚାଲିଛି ।

 

ମାନସୀ ଭାବି ଭାବି ବେରାମ ହୋଇ ପଡ଼ିଛି । ମଣିଷର ଯେତେ ଧନସମ୍ପତ୍ତି ଥାଉ ତାକୁ ଯଦି ଚିନ୍ତା ନ ଛାଡ଼ିଲା, ତା’ହେଲେ ଶରୀର କେବେହେଲେ ଭଲ ହେବ ନାହିଁ । ଗୋଟିଏ ନା ଗୋଟିଏ ରୋଗ ଲାଗି ରହିଛି । ମୁଣ୍ଡ ବିନ୍ଧାଠାରୁ ପେଟ ଟଣା ଯାଏ ।

 

ଡାକ୍ତର ପ୍ରତିଦିନ ଆସି ଦେଖୁଛନ୍ତି । ଭଲ ଭଲ ଔଷଧ ଦେଇ ଯାଉଛନ୍ତି । କୁଆଡ଼ୁ କିଛି ହେଉନାହିଁ । ହେବ କିପରି ! ଦେହ ରୋଗକୁ ସିନା ଔଷଧ କାଟୁ କରିବ । କିନ୍ତୁ ମନ ରୋଗକୁ କାହାର ଚାରା ଅଛି ?

 

ତଥାପି ବିଶ୍ରାମ ନାହିଁ ମାନସୀର । ବ୍ୟବସାୟ ପତ୍ର ନିଜେ ନ ଦେଖିଲେ ପର ଖାଇ ଉଡ଼ାଇ ଦେବେ । ତା’ଛଡ଼ା ପୁଅଟିର ଦେଖାଶୁଣା କରିବାକୁ ହେଉଛି । ଅନିତା ମଧ୍ୟ ଆପ୍ରାଣ ସାହାଯ୍ୟ କରି ଯାଉଛି ତାକୁ । ନିଜ ଘର ପରି ସବୁ କାମର ଦାୟିତ୍ୱ ଅନିତା ଉପରେ । ପ୍ରଦୀପକୁ ସବୁବେଳେ ଆଖିର ଆଗରେ ରଖିଥାଏ । ପ୍ରଦୀପ ମଧ୍ୟ ସେମିତି ଆଦରି ଥାଏ ଅନିତାକୁ । ଅନିତା କୋଳରେ ଥିଲେ ତା’ର ଜନ୍ମକଲା ମା’ କୋଳକୁ ଯିବା ପାଇଁ ଚାହେଁ ନାହିଁ ।

 

ମାନସୀ ମଧ୍ୟ ସୁଖି ହୋଇଛି । କାରଣ ଅନିତା ମନରେ ଯେଉଁ ଦୁଃଖ ଉଭା ହୋଇ ରହିଛି, ପ୍ରଦୀପକୁ ପାଖରେ ପାଇ, ସେଥିରୁ ହେଲେ କିଛି ଭୁ’ଲୁ ।

 

ପଲଙ୍କ ଉପରେ ଶୋଇଛି ମାନସୀ । ପାଖରେ ବସିଛି ଅନିତା, ପ୍ରଦୀପକୁ କୋଳରେ ନେଇ । ପାଞ୍ଚବର୍ଷର ପୁଅ ଆଜି ବି ଅନିତା କୋଳରେ ନ ବସିଲେ କାନ୍ଦି ଉଚ୍ଛନ୍ନ କରିଦିଏ ।

 

ମାନସୀ ଶୋଇ ଶୋଇ କେତେ କଅଣ ଭାବି ଯାଉଛି । ବସନ୍ତର ସନ୍ଧାନ ପାଇଁ ଚେଷ୍ଟା କରି ମଧ୍ୟ ପାଇଲା ନାହିଁ । ଅନିତା ପାଇଁ ପାତ୍ର ଠିକ୍ କରିଥିଲା । ପାତ୍ରଟି ଲେଖା ପଢ଼ା ଜାଣିଛି । ଦେଖିବାକୁ ରାଜପୁତ୍ର ପରି, କିନ୍ତୁ ଅନିତା ଜିଦ୍ ଧରି ବସିଛି ବାହା ନ ହେବା ପାଇଁ । କ’ଣ କରିବ ସେ ? ତାଛଡ଼ା ଅନିତାକୁ ପାଖରୁ ଅନ୍ତର କରିବା ପାଇଁ କିପରି ଦୁଃଖ ଲାଗୁଛି ।

 

ବସନ୍ତର ସନ୍ଧାନ କ’ଣ ଆଉ ମିଳିବ ନାହିଁ ? ଗୀତା କ’ଣ ଏହିପରି ଅନ୍ଧକାର ଭିତରେ ଚିରଦିନ ରହିଥିବ ?

 

ଏତିକିବେଳେ ଅନିତା କହିଲା–ତମକୁ କହିବା ପାଇଁ ମନେ ନାହିଁ ଅପା ! ଆଜି ସକାଳଟାରୁ ଗୋଟିଏ ସପନ ଦେଖିଛି । ଭାଇ ଭାଉଜ ଦୁହେଁ ଯେପରି ମତେ ଡାକୁଛନ୍ତି । ସକାଳ ସପନ କୁଆଡ଼େ ସତ ହୁଏ ।

 

–ଭଗବାନ କରନ୍ତୁ । ତୁମ ମୁହଁରେ ଫୁଲଚନ୍ଦନ ପଡ଼ୁ । ଶୋଇ ଶୋଇ କହିଲା ମାନସୀ-

 

–ମୋର ମନ କହୁଛି–ସତରେ ଭାଇ ଭାଉଜ ଫେରି ଆସିବେ ।

 

ମାନସୀ କିଛି କହିଲା ନାହିଁ । ଅତୀତ ଘଟଣାଗୁଡ଼ିକ ମନ ଭିତରେ ଖେଳିଗଲା । ଯଦି ବସନ୍ତ କେବେ ଫେରି ଆସେ, ତାହେଲେ ଏ ଦୁଆର ଆଉ ମାଡ଼ିବ ନାହିଁ । ଏଠାରୁ ଯେଉଁ ଅପମାନ ପାଇ ସେ ଦୁଆର ମୁହଁରୁ ଫେରି ଯାଇଛନ୍ତି, ସେକଥା ଏ ଜୀବନରେ ଭୁଲି ପାରିବେ ନାହିଁ ।

 

–ତମେ ସବୁବେଳେ ଖାଲି ଭାବୁଚ ଅପା । ଅଭିମାନ କରି କହିଲା ଅନିତା ।

 

–ଖାଲି କ’ଣ ଭାବୁଛ ଅନିତା ? ଜୀବନ ଯେତେବେଳେ ହା’ ହାକାର କରୁଛି, ସେତେବେଳେ ବାଧ୍ୟ ହୋଇ ଭାବିବାକୁ ହେଉଛି । ତା’ଛଡ଼ା ତତେ ଗୋଟିଏ ଭଲ ପାତ୍ର ଦେଖି ଦେଇ ପାରେ ।

 

–ମୁଁ ତୁମ ଉପରେ ବଡ଼ ବୋଝ ହୋଇଛି ଅପା ?

 

ଏମିତି କଥା କହନ୍ତି ? ଛି, ଛି । ତତେ ପାଇ ମୁଁ ସବୁଠାରୁ ବଡ଼ ଦୁଃଖକୁ ଭୁଲି ଯାଇଛି । ସେକଥା ଆଉ କେହି ନ ଜାଣୁ ଭଗବାନ ଜାଣନ୍ତି । ହେଲେ ତୋ ମୁହଁରେ ହସ ନ ଫୁଟିବା ପର୍ଯ୍ୟନ୍ତ ମୁଁ ଟିକିଏ ହେଲେ ଶାନ୍ତି ପାଉ ନାହିଁ ।

 

ଏତେ ଦୁଃଖରେ ମଧ୍ୟ ଅନିତା ହସି ହସି କହିଲା–ମୋ ଭାବନା ତୁମ ମନରୁ ପୋଛି ପକାଅ ଅପା । ତୁମ ନିଜ ଦେହ ଉପରେ ନଜର ରଖ । ଭଗବାନ ତୁମ୍ଭକୁ ସୁଖ ଦେଇ ଛଡ଼େଇ ନେଇଛନ୍ତି । ମତେ ଦେଇ ନାହାନ୍ତି । ଆମେ ଦୁହେଁ ଏକା ଡଙ୍ଗାର ଯାତ୍ରୀ । ଚିରଦିନ ଏହିପରି ଚିରକୁମାରୀ ରହିଯିବି ।

 

ମାନସୀ ପ୍ରତିବାଦ କରି କହିଲା–ତା’ହେବ ନାହିଁ ଅନିତା । ମୋ କପାଳ ଫଟା–ଯାହାଙ୍କୁ ଦେହ ମନଦେଇ ଭଲ ପାଇଥିଲି ତାଙ୍କୁ ପାଇଲି ନାହିଁ । ପୁଣି ସ୍ୱାମୀ ବୋଲି ଯାହାଙ୍କ ହାତ ଧରିଲି, ଭଗବାନ ତାଙ୍କୁ ମୋ ପାଖରେ ରଖିଲେ ନାହିଁ । କିନ୍ତୁ ତୁମର ଦୋଷ କଣ ? ତୁମେ କାହିଁକି ଘର ସଂସାର ନକରି ଦୁଃଖରେ ସଢ଼ିବ ନା । ତୁମେ ଆଉ ଆପତ୍ତି କର ନାହିଁ । ଏଇ ବର୍ଷ ଯେପରି ହେଉ ତୁମର ବାହାଘର କରେଇ ଦେବି ।

 

ଅନିତା ଭାବି ଭାବି କହିଲା–ତୁମେ ବଡ ଉଦାର ଅପା । କିନ୍ତୁ ମୁଁ ଶପଥ କରିଛି, ଭାଇ ଭାଉଜ ଫେରି ନ ଆସିବା ଯାଏ ବାହାଘର କଥା ମୁହଁରେ ଧରିବି ନାହିଁ ।

 

କହୁ କହୁ ଉଠିଗଲା ଅନିତା । ମନଦୁଃଖ ପାଣି ହୋଇ ଆଖି ବାଟେ ବାହାରି ଆସିଲା ପରା । ଆହା ବିଚାରି !

 

ଦିଲୀପ ବାବୁଙ୍କୁ ଆଗରୁ କଟକକୁ ପଠାଇ ଦେଇଥିଲା ରିନା । ନିଜେ ବସନ୍ତକୁ ନେଇ ଆସି ବହୁ ଖୋଜା ଖୋଜିକରି ତାଙ୍କ ଠିକଣା ପାଇଲା ।

 

ରିନା ତାଙ୍କୁ ନିରୋଳାରେ ଡାକିନେଇ କାନରେ କଣ ଗୋପନ କଥା କହିବାରୁ ଆନନ୍ଦରେ ଅଧିର ହୋଇ ଉଠିଲେ ଦିଲୀପ ବାବୁ । ନିଜ ଟେକ୍‌ସିରେ ବସେଇ ନେଇଗଲେ ମାନସୀ କୋଠିକୁ ।

 

ଦିଲୀପ ବାବୁ ଜଣେ ବଡ଼ ବ୍ୟବସାୟୀ । କଟକ ଛଡ଼ା ଭାରତର ବଡ଼ ବଡ଼ ସହରରେ ମଧ୍ୟ ବ୍ୟବସାୟ ଅଛି । ବାପାଙ୍କ ଅନ୍ତେ ନିଜେ ସମସ୍ତ ସମ୍ପତ୍ତିର ମାଲିକ ହୋଇ ଆସିଛନ୍ତି । ହାତରେ ଟଙ୍କା ପାଇ ବାଟ ଭୁଲିଥିଲେ ସେ । ସୁରା ଓ ସାକୀ ନେଇ ତାଙ୍କ ଚରିତ୍ରକୁ ନଷ୍ଟ କରିଦେଇ ଥିଲେ । କିନ୍ତୁ ଗୀତାକୁ ଦେଖିବା ଦିନରୁ କାହିଁକି କେଜାଣି ପରିବର୍ତ୍ତନ ହୋଇଗଲେ । ଗୀତାକୁ ନିଜ ସାନ ଭଉଣୀ ପରି ମନେକଲେ । ଗୀତାକୁ ନେଇ ଆଗ୍ରାର ତାଙ୍କ କୋଠିରେ ରଖେଇ ବସନ୍ତର ସନ୍ଧାନ କଲେ । ଗୀତା ପାଖରେ ଶପଥ କଲେ, ତା’ମୁହଁରେ ହସ ନ ଝରିବା ପର୍ଯ୍ୟନ୍ତ ସେ କୌଣସି ସ୍ତ୍ରୀଲୋକ ମୁହଁକୁ ଚାହିଁବ ନାହିଁ । ଘର ସଂସାର ଗଢ଼ିବେ ନାହିଁ । ଭଗବାନ ବସନ୍ତକୁ ପୁଣି ଫେରାଇ ଦେଲେ । ଗୀତା ନିଜକୁ ଗୋପନ ରଖି ରିନାର ଛଦ୍ମନାମରେ ତାଙ୍କ ସହିତ ସାକ୍ଷାତ କଲା ।

 

ଦରୁଆନ ମାନସୀକୁ ଖବର ଦେଲା ଯେ ଏକ୍ ମାଇଜୀ ଅଉର ଦୋ’ ବାବୁଜୀ ଆପକୋ ମୁଲାକାତ କରନେ ଆତା ହୈ ।

 

ମାନସୀ ସେମାନଙ୍କୁ ବୈଠକଖାନାରେ ବସିବାକୁ କହିବାରୁ ଦରୁଆନ ଯାଇଁ ସେମାନଙ୍କୁ ନେଇ ବସାଇଲେ । ଧନୀ ଘରର ଆଧୁନିକ ଧରଣ ବୈଠକଖାନା । ସାଜସଜ୍ଜାରେ ଆଖି ପୁରି ଉଠୁଛି । ତିନିଜଣ ନୀରବରେ ବସି ରହିଥାନ୍ତା ।

 

ମାନସୀ ଆସିବାରୁ ତିନିଜଣ ଯାକ ଉଠି ନମସ୍କାର କଲେ । ମାନସୀ ପ୍ରତି ନମସ୍କାର କରି ଗୋଟିଏ ସୋଫା ଉପରେ ବସିଗଲା ।

 

ତିନିଜଣ ଚାହିଁଥାନ୍ତି । ଏହି ବିଧବା ମହିଳାଟିକୁ । ଦିନେ ଦେଖିବାକୁ ଖୁବ୍ ସୁନ୍ଦର ଥିଲେ-। ବର୍ତ୍ତମାନ ଦେହ ଭାଙ୍ଗି ପଡ଼ିବାରୁ ସେ ସୌନ୍ଦର୍ଯ୍ୟ ଝଡ଼ି ଯାଇଛି । ନିରାଡ଼ମ୍ବର ବେଶ ପୋଷାକ ଅଳଙ୍କାର ବୋଲି ଦେହରେ ସରୁ ସୁନା ଚେନଟିଏ । ହାତରେ ପଟେ ଲେଖା ସୁନା କାଚ-

 

ଦିଲୀପବାବୁଙ୍କୁ ଠିକ୍ ଚିହ୍ନି ପାରିଲା ମାନସୀ । ବ୍ୟବସାୟୀ ହିସାବରେ ଅନେକ ଥର କଥା ଭାଷା ହୋଇଛି । କିନ୍ତୁ ଝିଅଟିକୁ କିମ୍ବା ବସନ୍ତକୁ ଚିହ୍ନିପାରୁ ନାହିଁ । କେବଳ ଚିହ୍ନିବା ପାଇଁ ଚେଷ୍ଟା କରୁଛି ।

 

ଦିଲୀପ ବାବୁ ପରିଚୟ କରେଇଦେଲେ–ଏ ମୋ ଭଉଣୀ ରିନା । ଆଉ ଇଏ ହେଉଛନ୍ତି ମୋର ଜଣେ ବନ୍ଧୁ ଚିନ୍ତାମଣି ବାବୁ ।

 

–‘‘ଚିନ୍ତାମଣି ବାବୁ’’ ! ଭଲ କରି ଚାହିଁଲା ମାନସୀ । ଯେପରି ଚିହ୍ନିବାପରି ମନେ ହେଉଛି । ମୁହଁରେ ନାକ ପାଖକୁ କଟା ଚିହ୍ନ ଦେଖି ଚିହ୍ନିବା ପାଇଁ ଆଉ ଡେରି ହେଲାନାହିଁ ବସନ୍ତକୁ-। ଆଠବର୍ଷ ତଫାତ୍ ଦେହର ଅନେକ ପରିବର୍ତ୍ତନ ହୋଇ ଯାଇଥିଲେ ହେଁ ଚିହ୍ନ ଠିକ୍ ସେମିତି ଅଛି ।

 

ବସନ୍ତ ମଧ୍ୟ ମାନସୀକୁ ଦୋ’ ଦୋ ଚିହ୍ନା ହେଉଥିଲା । କିନ୍ତୁ ବିଧବା ବେଶ ଦେଖି ଠିକ୍ ଅନୁମାନ କରିପାରୁ ନଥିଲା । ମାନସୀର ଏପରି ବେଶ କାହିଁକି ହେବ ? ନାଁ ବିଧବା ହୋଇଛି ମାନସୀ ?

 

ମାନସୀ କାହିଁକି କେଜାଣି ଏମାନଙ୍କୁ ବସିବାକୁ କହି ତରବରରେ ବାହାରିଗଲା । ବୋଧହୁଏ ସମସ୍ତ ରହସ୍ୟର ଯବନିକା ଖୋଲିଦେଲା ମନେ ମନେ ।

 

ଅନିତାକୁ କ’ଣ କହିବାରୁ ସେ ଚାକର ହାତରେ ଚା’ ପାନ ପଠେଇ ଦେଇ ପଛେ ପଛେ ଆସି ଛିଡ଼ା ହେଲା । ଟ୍ରେନ୍‌ରୁ ଚା’ ନେଇ ପ୍ରଥମେ ଦେଲା ଦିଲ୍ଲୀପ ବାବୁଙ୍କୁ । ତା’ପରେ ବସନ୍ତକୁ ଦେଲା ଚା’ । ଭାଇ ଭଉଣୀ କେହି କାହାକୁ ଚିହ୍ନି ପାରିଲେ ନାହିଁ । ହାଏରେ ନିୟତି ! ଆଠବର୍ଷର ବ୍ୟବଧାନ ଭାଇ ଭଉଣୀଙ୍କୁ ମଧ୍ୟ ଚିହ୍ନା ପରିଚୟ କରେଇ ଦେଉନାହିଁ ।

 

ଶେଷରେ ଯେତେବେଳେ ଚା’ କପଟି ବଢ଼େଇ ଦେଲା ରିନା ହାତକୁ, ହାତ ତା’ର ଥରି ଉଠିଲା । ଛାତି ଭିତରେ ଆଲୋଡ଼ନ ସୃଷ୍ଟି ହେଲା । ରିନା ତାକୁ ଚାହିଁ ଅବାକ୍ ଭାବରେ ଅନେଇ ରହିଲା–

 

–କିଏ ? ତୁମେ କିଏ ଭଉଣୀ ?

 

ରିନାର ବେଶ ପୋଷାକ ଦେଖି ଚିହ୍ନିବା ଉପାୟ ନଥିଲା । କିନ୍ତୁ ମୁହଁଦେଖି ଚିହ୍ନା ଚିହ୍ନା ମନେ ହେଉଥିଲା ଅନିତାର । ଯେତେବେଳେ କଣ୍ଠସ୍ୱର ଶୁଣିଲା–ଚିହ୍ନିବାକୁ ଆଉ ଡେରି ହେଲାନାହିଁ-। ଯେଉଁ ଭାଉଜ ସହିତ ହସି ଖେଳି, ଥଟା ତମ୍‌ସା କରି ଏକାସାଙ୍ଗରେ ଖାଇପିଇ ଦିନ କଟେଇଛି, ତାକୁ ନ ଚିହ୍ନିବ କିପରି ? ଦେହ ବଶ ହୋଇଗଲା । ଚା’ କପ୍‌ଟି ତଳେ ପଡ଼ିଯାଇ ଚୂରମାର ହୋଇଗଲା । ଚିତ୍କାର କରି ଉଠିଲା ଅନିତା–

 

ଭାଉଜ ?

 

ତୁମେ–ତୁମେ ଅନିତା ?

 

ରିନା ଉଠିପଡ଼ି କୋଳେଇ ନେଲା ଅନିତାକୁ । ଅନିତା ତା’ର ବୁକୁରେ ମୁହଁମାଡ଼ି କାନ୍ଦି ପକେଇଲା–ଭାଉଜ, ଡାକି ।

 

ଏହି ଦୃଶ୍ୟ ଦେଖି ଦିଲ୍ଲୀପ ବାବୁ ହୋ ହୋ ହୋଇ ହସି ଉଠିଲା । ବସନ୍ତ କିଛି ବୁଝି ନ ପାରି ହୁଣ୍ଡାଙ୍କ ପରି କେବଳ ଅନେଇ ଥାଏ ।

 

ଦିଲ୍ଲୀପବାବୁ ଉଠିଯାଇ ମାନସୀକୁ ସବୁକଥା ଖୋଲି କହିବାରୁ ଅଧିର ହୋଇ ମାନସୀ ଦୌଡ଼ି ଆସି ବସନ୍ତ ପଦତଳେ ପ୍ରଣାମ କରି କହିଲା–ମତେ ଚିହ୍ନି ପାରୁନାହଁ ପାଷାଣ ଦେବତା ? ମୁଁ ତୁମର ସେଇ ହତଭାଗିନୀ ମାନସୀ । ଏଇ ତୁମର ଆଦରଣୀୟା ଭଉଣୀ ଅନିତା । ଆଉ ଯାହା ପାଖେ ପାଖେ ଥାଇ ଚିହ୍ନି ପାରୁନାହଁ–ସେଇ ହେଉଛି ତୁମର ପରିତ୍ୟକ୍ତା,’ ପତି ସୁହାଗ ବଞ୍ଚିତା (ରିନା) ଗୀତା’ ।

 

ଗୀତା ।

 

ବଜ୍ରାଘାତ ହେଲା ଯେପରି ବସନ୍ତ ମଥାରେ । ମୁଣ୍ଡ ଘୂରିଗଲା ଦୁନିଆଟା ଯେପରି ନୂଆ ରୂପରେ ଆଜି ଦେଖା ଯାଉଛି । କହିଲା, ସତ କହୁଚ ତୁମେ ମାନସୀ ? କିନ୍ତୁ ତୁମର ଏଇ ଭିକାରୀଣୀ ବେଶ କାହିଁକି ? ତୁମର ଏ ବେଶ ଦେଖିବାକୁ ତ ମୁଁ କେଉଁଦିନ ସ୍ୱପ୍ନ ଦେଖି ନଥିଲି ।

 

ମାନସୀ ତଳକୁ ମୁହଁ କରି କହିଲା, ଯାହା ହୋଇ ଯାଇଛି ସେସବୁ ଆଲୋଚନା କଲେ ବେଶୀ ଦୁଃଖ ପାଇବି ଭାଇ । କେବଳ ଏତିକି ଜାଣ; ଏ ଜୀବନରେ ମୁଁ ସୁଖୀ ହୋଇ ପାରିଲି ନାହିଁ-। ସ୍ୱାମୀଙ୍କର ସ୍ମୃତିଚିହ୍ନ ସ୍ୱରୂପ ପୁଅଟି ମୁହଁକୁ ଚାହିଁ କେବଳ ବଞ୍ଚିଛି । ଆଜି ଏ ଦୁନିଆରେ ମୋର ବୋଲି କହିବାକୁ କେହି ନାହିଁ । ମାନସୀ ଆଖିରୁ ଲୁହ ଗଡ଼ିଗଲା । ସେତେବେଳେ ଅନିତା ଏବଂ ଗୀତା ଆସି ବସନ୍ତ ପାଦତଳେ ପ୍ରଣାମ କରି ଲୋଟି ପଡ଼ିଲେ ।

 

ଏମାନଙ୍କୁ ପାଇ ଆନନ୍ଦରେ ଆତ୍ମହରା ହୋଇଗଲା ବସନ୍ତ । ନିଜ ଘରଦ୍ୱାର କଥା, ବୋଉର ପ୍ରାଣତ୍ୟାଗ କଥା ଶୁଣି ଆଖି ଲୁହ ମନା ମାନିଲା ନାହିଁ । ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ମାନସୀ ସାନ୍ତ୍ୱନା ଦେବା ପାଇଁ କହିଲା, ଭଗବାନଙ୍କ ବରାଦ ଯାହା, ତାହା ହୋଇଛି । ସେଥିପାଇଁ ଦୁଃଖକରୁଛ କାହିଁକି ? ବର୍ତ୍ତମାନ ଅନ୍ଧକାର ରଜନୀ ଯାଇ ଦିବାଲୋକ ଦେଖା ଦେଇଛି ତୁମ୍ଭ ଭାଗ୍ୟରେ । ତାକୁ ଉପଭୋଗ କର ।

 

ବସନ୍ତ ଚାହିଁଲା ରିନାକୁ । ରିନା ମଧ୍ୟ କାନ୍ଦୁଛି । ଧିରେ ଧିରେ ବସନ୍ତ ଉଠିଆସି ରିନାକୁ ଛାତି ଉପରକୁ ଜାକି ନେଇ କହିଲା, ପ୍ରକୃତରେ ତୁମେ ମହୀୟସୀ ନାରୀ । କିନ୍ତୁ ଛଳନା କରି ମୋର ଜୀବନ ବଞ୍ଚେଇ ନିଜେ ଚିହ୍ନା ଦେଉ ନଥିଲ କାହିଁକି ? ତୁମର ପତିଭକ୍ତି ଅସାଧାରଣ । ଆଦର୍ଶ ତୁମର ନିର୍ମଳ ସ୍ନେହ । ମୁଁ ନର-ପିଶାଚ ପରି ତୁମକୁ ନ ଚିହ୍ନି ତୁମ ଉପରେ ଅତ୍ୟାଚାର କରିଛି । କ୍ଷମା ଚାହିଁଲେ ବି ମତେ କେହି କ୍ଷମା ଦେବେ ନାହିଁ । ମୋ ପାଇଁ ଗୋଟାଏ ସଂସାର ଚୂନା ହୋଇଗଲା । ବୋଉ କାନ୍ଦି କାନ୍ଦି ପ୍ରାଣତ୍ୟାଗ କଲେ । ଭଉଣୀ ବାର ଦୁଆର ବୁଲିଲା । ଆଉ ତୁମେ-? ତପସ୍ୱିନୀ ଜୀବନ କଟେଇଛ ମତେ ଚାହିଁ ଚାହିଁ । ମୁଁ ହତଭାଗା ! ତୁମ ପାଖରେ ମୁହଁ ଦେଖାଇବା ପାଇଁ ମୋର ଆଜି ଲଜ୍ଜା ହେଉଛି । ଅନ୍ତରର ଉଛୁଳା କୋହରେ କଥା କହି ପାରିଲା ନାହିଁ ବସନ୍ତ ।

 

ଗୀତା ସାନ୍ତ୍ୱନା ଦେବା ସ୍ୱରରେ କହିଲା–ଏ ସବୁ କଥା ମୋତେ କହିବ ନାହିଁ ଦେବତା । ତୁମେ ମୋର ସ୍ୱାମୀ । ତୁମରି ଚରଣତଳେ ମୋର ଆଶ୍ରୟ । ଏପରି କଥା ଶୁଣିଲେ ମୁଁ ପାତକିନୀ ହେବି । ଯାହା ହୋଇ ଯାଇଛି ତାହା ଆଉ ଫେରି ଆସିବ ନାହିଁ । ବର୍ତ୍ତମାନ ତୁମ ପାଦତଳେ ଆଶ୍ରୟ ଦେଲେ ନିଜକୁ ମହା ଭାଗ୍ୟବତୀ ମନେ କରିବି ।
 

–ଧନ୍ୟ ନାରୀ ! ତୁମରି ସ୍ନେହ ପାଇଁ ଦୁନିଆ ଆଜି ବଞ୍ଚିଛି ତୁମରି ଆଦର୍ଶ ପାଇଁ ଚନ୍ଦ୍ର ସୂର୍ଯ୍ୟ ଆଜି ଆତଯାତ ହେଉଛନ୍ତି । ମୁଁ ହତଭାଗ୍ୟ ନରପିଶାଚ । ନାରୀର ମୂଲ୍ୟ ଦେଇ ପାରିନାହିଁ । ତୁମେ ମଣିଷ ନୁହଁ ଗୀତା । ମାନବୀ ରୂପରେ ଦେବୀ ତୁମେ । ପ୍ରତ୍ୟେକ ଓଡ଼ିଆ ଘର ବୋହୂ ନିକଟରେ ତମେ ଆଜି ଯେଉଁ ଆଦର୍ଶ ଦେଖାଇଚ, ତାହା ଯୁଗ ଯୁଗ ଧରି ଅମର ଅକ୍ଷରରେ ଲେଖା ରହିବ ।

 

ସ୍ୱାମୀ ସ୍ତ୍ରୀଙ୍କର ଏହି ସ୍ନେହ ମିଳନ ଦେଖି ମାନସୀ ନିଜକୁ ଭୁଲିଗଲା । ଆନନ୍ଦାଶ୍ରୁ ଗଡ଼ି ପଡ଼ିଲା ଆଖିରୁ । ଅନିତା କେବଳ ଛିଡ଼ାହୋଇ ଭାବୁଥିଲା–ଆଜି ଏ ଦୃଶ୍ୟ ଯଦି ବୋଉ ଦେଖିଥାନ୍ତା–ତାହାହେଲେ କେତେ ଖୁସି ନ ହୁଅନ୍ତା ।

 

ଦିଲୀପବାବୁ ଏକ ଦୃଷ୍ଟିରେ ଚାହିଁ ରହିଥିଲେ ଅନିତାକୁ ଯେପରି ତା’ର ସୌନ୍ଦର୍ଯ୍ୟ ଦେଖି ମୁଗ୍‌ଧ ହୋଇ ଯାଇଥିଲେ ।

 

ପ୍ରଦୀପ ଏହି ସମୟରେ ସ୍କୁଲରୁ ଫେରି ଆସିଲା । ଘରେ ଏତେ ଗୁଡ଼ିଏ ଅଚିହ୍ନା ଲୋକଙ୍କୁ ଦେଖି ଯାଇଁ ତାର ବୋଉର ପାଖରେ ଠିଆ ହେଲା । ସେତିକିବେଳେ ଜଣେ କଙ୍କାଳସାର ଭିକାରି ପଶି ଆସିଲା ଘରକୁ । କାଶରେ ଭୁବନ କମ୍ପାଉଛି । ସତେ ଯେପରି ସେପାରି ଡାକ ଆସି ବାଜୁଛି ତା’ କାନ ପାଖରେ । ସମସ୍ତେ ତାକୁ ଦେଖି ନାକରେ ରୁମାଲ ଦେଲେ । ଭିକାରୀଟି ଗୀତା ଗୋଡ଼ ତଳେ ପଡ଼ିଯାଇ କାନ୍ଦି କାନ୍ଦି କହିଲା –ମତେ ଚିହ୍ନି ପାରିବନି ମା । ମୁଁ ବିନୟ ବାବୁ । ରାଜ କାସ ସରି ମତେ ସେପାରିକୁ ଟାଣୁଛି । ମୁଁ ଜାଣେ ବଞ୍ଚିବି ନାହିଁ । ତୁମକୁ ଲୋଭ ଦେଖାଇ ଘରୁ କାଢ଼ି ନେଇ ଯାଇ ଯେଉଁ ପାପ କରିଛି । ମତେ ଭଗବାନ ଶାସ୍ତି ଦେଉଛନ୍ତି । ସତୀ ନାରୀର ଅଭିଶାପ ନ ଫଳି ଯିବ କିପରି ? ତା ପରେ ଅନିତାକୁ ଚାହିଁ କହିଲା–ତୁମ ଉପରେ ପାପ ଦୃଷ୍ଟି ପକେଇଥିଲି ଭଉଣୀ । ତୁମର ସାତପୁରୁଷ ଭିଟା ମାଟିକୁ ନିଲାମ କରି ନେଇଥିଲି । ତୁମ ମା’ଝିଅ ଦୁହିଙ୍କୁ ଦାଣ୍ଡରେ ଆଣି ବସେଇଥିଲି ତାର ଫଳ ହାତେ ହାତେ ପାଇଛି । ବହୁ ଦିନହେଲା ଖୋଜି ଖୋଜି ଆଜି ତୁମକୁ ପାଇଛି । ତୁମର ସମ୍ପତ୍ତି ଏବେ ତୁମେ ଫେରାଇ ନିଅ । ଆଉ ମୋର ସଂପତ୍ତିର ଦରକାର ନାହିଁ । ତା’ ଛଡ଼ା ମୋର ଯାହା ସମ୍ପତ୍ତି ଅଛି ତାକୁ ମୋର ମା’ ଗୀତାକୁ ଦେବାକୁ ଚାହେଁ । ତୁମେ ସବୁ ଯେବେ ଏତିକି ଦୟା କରନ୍ତ, ତେବେ ଏ ପାପରୁ ମୁକ୍ତି ପାଆନ୍ତି ।

 

ବିନୟବାବୁଙ୍କ କଥାରେ ସମସ୍ତଙ୍କ ଆଖିରେ ଲୁହ ଦେଖାଦେଲା । ମାନସୀ କହିଲା–ମୁଁ ଏ ସବୁ କଥା ଶୁଣିଛି । ବର୍ତ୍ତମାନ ଅନୁତାପ କରି ଆପଣ ପାପ ମୁକ୍ତି ହୋଇଛନ୍ତି । ଏଣିକି ସମ୍ପତ୍ତି ଯାଇ ଗରିବ ମାନଙ୍କୁ ବାଣ୍ଟି ଦିଅନ୍ତୁ ଯେ ମହତ କାମ ହେବ । ସେଥିରେ ଅନାଥ ଭାଇ ଭଉଣୀମାନେ ବଞ୍ଚିଯିବେ । ବସନ୍ତବାବୁ ସେ ଘରକୁ ‘ନାରୀ ମଙ୍ଗଳ ଚିକିତ୍ସାଳୟ, ନାମରେ ଦେଇ, ଦାତବ୍ୟ ଚିକିତ୍ସାଳୟ ଖୋଲନ୍ତୁ । ଦୁଃଖି ରଙ୍କି ମାନଙ୍କର ବିନା ପଇସାରେ ସେବା ହେବ । ଯଦି ଆଉ ଧନ ଦରକାର ହୁଏ । ସେ ଟଙ୍କା ମୁଁ ଦେବି ।

 

ସମସ୍ତେ ମାନସୀ କଥାକୁ ଏକମତ ହୋଇ ଗ୍ରହଣ କଲେ । ବିନୟ ବାବୁ ଆନନ୍ଦରେ କାନ୍ଦି ପକାଇ କହିଲେ–ମୋ ମୁଣ୍ଡରୁ ବୋଝ ଖଲାସ ହେଲା । ଏଥର ମୁଁ ଶାନ୍ତିରେ ମରି ପାରିବି ।

 

ମାନସୀ ଏଥର ଦିଲୀପକୁ କହିଲା–ଆପଣ ମୋର ଯେଉଁ ଉପକାର କରିଛନ୍ତି । ତାହା ଏ ଜୀବନରେ ଭୁଲିବି ନାହିଁ । ତାପରେ ଦିଲୀପର ହାତକୁ ନେଇ ଅନିତା ହାତରେ ଛନ୍ଦି ଦେଇ କହିଲା, ଆଜିଠାରୁ ତାର ସମସ୍ତ ଦାୟୀତ୍ୱ ଆପଣଙ୍କ ଉପରେ । ତାକୁ ଚିରସଙ୍ଗିନୀ କରି ଆମକୁ ନିବିଡ଼ ବନ୍ଧୁତ୍ୱ ବନ୍ଧନରେ ଆବଦ୍ଧ କରନ୍ତୁ ।

 

ଦିଲୀପ ବାବୁ ଲଜ୍ଜିତ ହୋଇ ମଥାନତ କଲେ । ଅନିତା ମଧ୍ୟ ଲାଜରେ ରଙ୍ଗା ପଡ଼ିଗଲା-। ପ୍ରଥମେ ଦୀଲୀପକୁ ପ୍ରଣାମ କରି ଭାଇ ଭାଉଜ ଏବଂ ମାନସୀକୁ ପ୍ରଣାମ କଲେ । ସମସ୍ତେ ଆନନ୍ଦରେ ହସି ଉଠିଲେ ।

 

ମାନସୀ ମଧ୍ୟ ନିଜର ଏତେ ଦୁଃଖ ଭୁଲି ଏମାନଙ୍କ ଆନନ୍ଦ ସୁଅରେ ପହଁରିଲା । ଆଜି ସେ ଯେଉଁ ଆନନ୍ଦ ପାଇଛି । ତା’ଠାରୁ ବେଶି ଆନନ୍ଦ ଆଉ କେଉଁଦିନ ପାଇନାହିଁ ସେ ।

 

ଦୂରରୁ କାହାର ବେହାଗ ରାଗର ମିଳନ ମଧୁର ବେହେଲା ବାଜଣା ଭାସି ଆସୁଥିଲା । ଏମାନଙ୍କ ଆନନ୍ଦ ସେହି ସୁରେ ସୁରେ ସଜ୍ଜିବୀତ ହୋଇ ଉଠୁଥିଲା ।

 

ଦୀର୍ଘଦିନ ବିଚ୍ଛେଦ ପରେ ପତି କୋଳରେ ପତି ସୁହାଗିନୀ ଆଶ୍ରୟ ପାଇଛି । ଆନନ୍ଦରେ ଉତ୍ତାଳ ତରଙ୍ଗ ଗୀତା ମନ ଭିତରେ ଭାଙ୍ଗି ପଡ଼ୁଥିଲା ।

 

ସମସ୍ତଙ୍କ ମନପ୍ରାଣରେ ଏକ ଅଭୁଲା ଆନନ୍ଦ ଖେଳି ଯାଉଥିଲା ନୂତନ ଉନ୍ମାଦରେ ପାଗଳିକା ଗୀତା ଆତ୍ମହରା ହୋଇ ଭାବୁଥିଲା ଭଗବାନ ତାକୁ ଆଜି ସତରେ କରିଛନ୍ତି–ପତି ସୁହାଗିନୀ ।

Image